ARTICLE AD BOX
ନିର୍ଦ୍ଦେଶକ ଆଦିତ୍ୟ ଦତ୍ତଙ୍କ ହିନ୍ଦୀ ଛବି ‘ଗନ୍ମାଷ୍ଟର୍ ଜି-୯’ ପ୍ରେକ୍ଷାଳୟକୁ ଆସିଛି। ଏହି ରୋମାଣ୍ଟିକ୍ ଆକ୍ସନ୍ ଥ୍ରିଲର୍ରେ ରହିଛି ବହୁ ଦମ୍ଦାର ଫାଇଟ୍ ସିନ୍। ନାୟକ-ଖଳନାୟକଙ୍କ ମଧ୍ୟରେ ତୀବ୍ର ସଂଘର୍ଷକୁ ଭିଏଫ୍ଏକ୍ସ୍ ଜରିଆରେ ଆକର୍ଷଣୀୟ ଭାବେ ଉପସ୍ଥାପନ କରାଯାଇଛି। ତେବେ କାହାଣୀ ଦୃଷ୍ଟିରୁ ଦେଖିଲେ, ସିନେମାର ପ୍ରଥମାର୍ଦ୍ଧରେ ବିଶେଷ ନୂତନତ୍ୱ ନାହିଁ। ପାରମ୍ପରିକ ଗ୍ୟାଙ୍ଗ୍ଷ୍ଟର୍ କାହାଣୀ ହିଁ ଦେଖିବାକୁ ମିଳିଛି। ତେବେ ଦ୍ୱିତୀୟାର୍ଦ୍ଧରେ କାହାଣୀର ନୂଆମୋଡ଼ ଦର୍ଶକଙ୍କ ମନକୁ ଛୁଇଁପାରେ।
State of Democracy: ଗଣତନ୍ତ୍ରର ହାଲ୍: ହଜୁଛି ପୁସ୍ତକ, କମୁଛି ବୌଦ୍ଧିକ ଗଭୀରତା
ନାୟକ ଈଶ୍ବର (ଇମ୍ରାନ୍) ଅପରାଧ ଦୁନିଆ ଛାଡ଼ି ଦୁଗ୍ଧ ଫାର୍ମ କରି ପତ୍ନୀ (ଜେନେଲିଆ) ଓ ପୋଷ୍ୟ କନ୍ୟା(ଇନାୟତ୍ ବର୍ମା)ଙ୍କ ସହ ଶାନ୍ତିରେ ଜୀବନ ବିତାଉଥିବା ବେଳେ ଅତୀତ ପୁଣି ତାଙ୍କୁ ସେହି ଅନ୍ଧକାର ଦୁନିଆକୁ ଟାଣିନେଉଛି। ଏହା ହିଁ ଫିଲ୍ମର ମୁଖ୍ୟ ବିଷୟବସ୍ତୁ। ଅନ୍ୟ ଜଣେ ଗ୍ୟାଙ୍ଗ୍ଷ୍ଟର୍କୁ ରୋକିବା ପାଇଁ ପୁଲିସ୍ ପୂର୍ବତନ ଗ୍ୟାଙ୍ଗ୍ଷ୍ଟର୍ ଈଶ୍ୱରଙ୍କ ସହାୟତା ନିଏ। ଅନିଚ୍ଛା ସତ୍ତ୍ୱେ ଈଶ୍ୱର ନିଜ ଅତୀତର ଛାୟାରୁ ମୁକୁଳି ପାରନ୍ତିନାହିଁ। ପରିସ୍ଥିତି ପୁଣିଥରେ ତାଙ୍କୁ ଅପରାଧର ସେହି ନର୍କକୁ ଫେରାଇ ନିଏ। ଏତେସବୁ ଭିତରେ ପତ୍ନୀ ଓ କନ୍ୟାଙ୍କ ପ୍ରତି ନାୟକଙ୍କ ନିଃସର୍ତ୍ତ ଭଲପାଇବା କାହାଣୀର ଭାବପ୍ରବଣ ଦିଗକୁ ମଜଭୁତ କରିଛି।
Education: ଆଇଟିଆଇ ପଢ଼ିବାକୁ ବି ଅମଙ୍ଗ; ଜିଲ୍ଲାରେ ୧୭% ସିଟ ଖାଲି
ଅଭିନୟରେ ଇମ୍ରାନ୍ ହାସ୍ମି ନିଜର ଦକ୍ଷତା ବଜାୟ ରଖିଛନ୍ତି। ନାୟିକା ଜେନେଲିଆଙ୍କ ସଂଳାପ ପରିବେଷଣ କେତେକ ସ୍ଥାନରେ ସ୍ୱାଭାବିକ ଲାଗୁନଥିଲେ ମଧ୍ୟ ଶେଷ ଆଡ଼କୁ ତାଙ୍କ ଆକ୍ସନ୍ ଅବତାର ଦର୍ଶକଙ୍କୁ ରୋମାଞ୍ଚିତ କରିବ। ପ୍ରଥମଥର ଏକତ୍ର ନଜର ଆସିଥିଲେ ବି ଦୁହିଁଙ୍କ ଯୋଡ଼ି ପରଦାରେ ବେଶ୍ ଆକର୍ଷଣୀୟ ଲାଗୁଛି। ତେବେ ସବୁଠୁ ଅଧିକ ଚମତ୍କୃତ କରନ୍ତି ଗ୍ୟାଙ୍ଗଷ୍ଟର ଦେଶୁ ରାଠି ଭୂମିକାରେ ଅପାରଶକ୍ତି ଖୁରାନା। ନକାରାତ୍ମକ ଚରିତ୍ରରେ ତାଙ୍କର ଜୀବନ୍ତ ଅଭିନୟ ଓ ସଂଳାପ ପରିବେଷଣ ଅନେକ ସମୟରେ ନାୟକଙ୍କ ଚରିତ୍ର ଉପରେ ଭାରୀ ପଡ଼େ। ପୁଣି କେତେକ ଦୃଶ୍ୟରେ ଅତିରଞ୍ଜିତ ଅଭିନୟ ବି କରିପକାଇଛନ୍ତି। ମାତ୍ର ପୂରା ସିନେମାକୁ ଦେଖିଲେ, ତାଙ୍କ ଚରିତ୍ରକୁ ବଳିଷ୍ଠ ବୋଲି କୁହାଯିବ। ହିମେଶ ରେଶମିୟା ଓ ଇମ୍ରାନ୍ଙ୍କ ପୂର୍ବ ସଫଳତାଗୁଡ଼ିକୁ ଦେଖି ସଙ୍ଗୀତକୁ ନେଇ ଦର୍ଶକଙ୍କ ମନରେ ଆଶା ରହିବା ସ୍ୱାଭାବିକ। ହେଲେ ଗୀତଗୁଡ଼ିକ ସେହି ଆଶା ପୂରଣ କରିପାରିନାହିଁ। ସେହିପରି ରୋମାନ୍ସକୁ ଗୁରୁତ୍ୱ ଦେଉଥିବା ଦର୍ଶକ ମଧ୍ୟ ନିରାଶ ହୋଇପାରନ୍ତି, କାରଣ ଫିଲ୍ମରେ ଆକ୍ସନ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି, ନୂଆ ଯୋଡ଼ିର ରୋମାଣ୍ଟିକ୍ କେମିଷ୍ଟ୍ରିକୁ ବିଶେଷ ଗୁରୁତ୍ବ ଦିଆଯାଇନାହିଁ। ମୋଟାମୋଟି, କାହାଣୀରେ ନୂତନତ୍ୱ ଓ ମନଛୁଆଁ ସଙ୍ଗୀତର ଅଭାବ ଥିଲେ ମଧ୍ୟ ଦମ୍ଦାର ଆକ୍ସନ୍ ଓ କ୍ଲାଇମାକ୍ସର ରୋମାଞ୍ଚ ଯୁବଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଏ। କିନ୍ତୁ ନିଆରା କାହାଣୀ, ନିଖୁଣ ଅଭିନୟ ଓ ତ୍ରୁଟିଶୂନ୍ୟ ନିର୍ମାଣ ଆଶା କରୁଥିବା ଦର୍ଶକଙ୍କୁ ଚଳଚ୍ଚିତ୍ରଟି ନିରାଶ କରିପାରେ।
ଗନ୍ମାଷ୍ଟର୍ ଜି୯
ନିର୍ଦ୍ଦେଶକ: ଆଦିତ୍ୟ ଦତ୍ତ
ମୁଖ୍ୟ ଚରିତ୍ର: ଇମ୍ରାନ ହାସ୍ମି, ଜେନେଲିଆ ଡିସୌଜା ଦେଶମୁଖ ଓ ଅପାରଶକ୍ତି ଖୁରାନା

2 hours ago
1


