ARTICLE AD BOX
ଭୁବନେଶ୍ୱର: ଖରିଫ୍ ୨୦୨୬-୨୭ପାଇଁ ଧାନ ସଂଗ୍ରହ କମିଟି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ବାତ୍ୟା ଓ ବନ୍ୟା ଜନିତ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବା ସତ୍ତ୍ୱେ ଧାନ ସଂଗ୍ରହ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ହୋଇଥିବାରୁ ଏହାର କ୍ରୟ ଆରମ୍ଭ ସଂପର୍କରେ ଜିଲ୍ଲା ସ୍ତରୀୟ କମିଟିରେ ଶୀଘ୍ର ନିଷ୍ପତ୍ତି ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି।
ଖରିଫ୍ ଧାନ କ୍ରୟ ସମୟ ଗତ ୧ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୩୧ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ରହିଛି। ଚଳିତ ବର୍ଷ ୨୨.୨୭ ଲକ୍ଷ ଚାଷୀ ସେମାନଙ୍କର ଧାନ ବିକ୍ରୟ ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ଗତ ଧାନକ୍ରୟ ଋତୁରେ ଏହି ସଂଖ୍ୟା ୧୯.୬୭ ଥିଲା। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଚାଷୀ ପଂଜୀକରଣ ସଂଖ୍ୟା ୧୩ ପ୍ରତିଶତ ବୃଦ୍ଧି ପାଇଛି। ଧାନ କ୍ରୟ ବାବଦକୁ ଚାଷୀଙ୍କ ଆକାଉଣ୍ଟକୁ ୪୮ ଘଣ୍ଟା ମଧ୍ୟରେ ଅର୍ଥ ସିଧାସଳଖ ପ୍ରଦାନ ବ୍ୟବସ୍ଥା ରହିଛି । କ୍ଷୁଦ୍ର, ନାମମାତ୍ର ଚାଷୀ, ପ୍ରକୃତ ଜମି ଚାଷ କରୁଥିବା ଚାଷୀ, ଭାଗଚାଷୀମାନଙ୍କ ଠାରୁ ଧାନ କ୍ରୟ ପାଇଁ ବିଶେଷ ଗୁରୁତ୍ୱ ରହିବ। ଗତ ୨୦୨୫-୨୬ ଖରିଫ୍ ମାର୍କେଟିଂ ଋତୁରେ ୭୭ ଲକ୍ଷ ୪୮ ହଜାର ମେଟ୍ରିକ୍ ଟନ୍ ଖରିଫ ଧାନ ଏବଂ ରବିରେ ୨୦ ଲକ୍ଷ ୪୬ ହଜାର ମେଟ୍ରିକ୍ ଟନ୍ ଧାନ ସଂଗୃହିତ ହୋଇଥିଲା। ସେହି ଅନୁପାତରେ ଚାଉଳ ପରିମାଣ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି।
୨୦୨୬-୨୭ ବର୍ଷ ପାଇଁ ଉଭୟ ଖରିଫ ଓ ରବି ପାଇଁ ମୋଟ ୯୮ ଲକ୍ଷ ମେଟ୍ରିକ୍ ଟନ ଧାନ କ୍ରୟ ଲକ୍ଷ୍ୟ ରଖାଯାଇଛି। ତନ୍ମଧ୍ୟରେ ନିର୍ଦ୍ଦିଷ୍ଟ ଭାବେ ଖରିଫ ପାଇଁ ୭୮ ଲକ୍ଷ ମେଟ୍ରିକ୍ ଟନ ସଂଗ୍ରହ ଧାର୍ଯ୍ୟ ରହିଛି। ଖରିଫ୍ ମାର୍କେଟିଂ ଋତୁ ପାଇଁ ଖାଦ୍ୟ ଓ କ୍ରୟ ନୀତି ୨୦୨୬-୨୭ କୁ ରାଜ୍ୟ ସରକାର ଅନୁମୋଦନ କରିସାରିଛନ୍ତି।
Fertiliser Supply ଖରିଫ୍ରେ ସାର ଯୋଗାଣ ନିୟନ୍ତ୍ରଣ କରିବେ ଜିଲ୍ଲାପାଳ
ବୈଠକରେ ରାଜ୍ୟ ପୂର୍ତ୍ତ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ମିଶ୍ର, ସମବାୟ ବିଭାଗ କମିସନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ, ରାଜ୍ୟ ଯୋଗାଣ ନିଗମ ଲିମିଟେଡ୍ର ପରିଚାଳନା ନିର୍ଦେଦ ଶକ କେ. ସୁଦର୍ଶନ ଚକ୍ରବର୍ତ୍ତୀ, କମିଟିର ସଦସ୍ୟ ଥିବା ସଂପୃକ୍ତ ବିଭିନ୍ନ ବିଭାଗର ସଚିବଙ୍କ ସମେତ ଭାରତୀୟ ଖାଦ୍ୟ ନିଗମର ପରିଚାଳକ ଏବଂ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଯୋଗଦେଇଥିଲେ। ଜିଲ୍ଲାପାଳମାନେ ଆଭାସୀରେ ସାମିଲ ହୋଇଥିଲେ।

4 hours ago
1


