ARTICLE AD BOX
କଟକ: ନନ୍ଦନକାନନ ଥାନା ଆଇଆଇସି ବିଭୁତି ଭୂଷଣ ମୁଦୁଲି, ଏସଆଇ ସଚିତ୍ରା ବେହେରା ଓ ଏଏସଆଇ ପ୍ରତାପଚନ୍ଦ୍ର ସାହୁଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟରେ ଦାଖଲ ସତ୍ୟପାଠରୁ ସମ୍ମୁଖକୁ ଆସିଥିବା ନିଜ ଆଚରଣ ଓ ଭୂମିକା ପ୍ରସଂଗରେ ଏହି ଅଧିକାରୀମାନେ ଜୁଲାଇ ୬ରେ ବ୍ୟକ୍ତିଗତ ଭାବେ ହାଜର ହୋଇ ସ୍ପଷ୍ଟୀକରଣ ରଖିବେ। ଜୁଲାଇ ୬ ତାରିଖ ସକାଳ ସାଢେ ୧୦ଟାରେ ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମିନାକ୍ଷୀ ପ୍ରଧାନଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ମାମଲାର ଶୁଣାଣି ବେଳେ ଜୁନ ୨ର ନିର୍ଦ୍ଦେଶ ପାଳନ କରି ନନ୍ଦନକାନନ ଥାନା ଆଇଆଇସିଙ୍କ ତରଫରୁ ଦାଖଲ ସତ୍ୟପାଠରେ ରହିଥିବା ତଥ୍ୟରୁ ମେ ୧୩ର ଅନ୍ତରୀଣ ନିର୍ଦ୍ଦେଶ ପାଳନ କ୍ଷେତ୍ରରେ ପୁଲିସ ପ୍ରଶାସନର ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ମେ ୧୩ର ନିର୍ଦ୍ଦେଶ ସଂକ୍ରାନ୍ତରେ ମେ ୧୭ରେ ଆଇଆଇସିଙ୍କୁ ଅବଗତ କରାଯାଇଥିଲା। ପୁଲିସ ଜାଣି ମଧ୍ୟ ମେ ୨୧ରେ ଅନ୍ତରୀଣ ନିର୍ଦ୍ଦେଶ ଉଲ୍ଲଂଘନରେ ପଦକ୍ଷେପ ଗ୍ରହଣ କରିଥିଲା। ଆଇନର ବିଭିନ୍ନ ବ୍ୟବସ୍ଥାରେ ମାମଲା ପଞ୍ଜୀକରଣ ଓ ପୁଲିସ ଅଧିକାରୀଙ୍କ ଭୂମିକାକୁ ଦେଖି ନିରପେକ୍ଷତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ପୁଲିସ ଅଧିକାରୀଙ୍କ ଆଚରଣ ଓ ସ୍ଥିତିର ଗମ୍ଭୀରତାକୁ ବିଚାରକୁ ନେଇ ବ୍ୟକ୍ତିଗତ ହାଜିରା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, ଓଡ଼ିଶା ଲଘୁ ଖଣିଜ ରହାତି ନିୟମ (ଓଏମଏମସି ରୁଲ୍ସ), ୨୦୧୬ର ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ବର ତହସିଲ ଅନ୍ତର୍ଗତ କଲ୍ୟାଣପୁର ବାଲିଘାଟର ଲିଜଧାରୀଙ୍କୁ ୨୦୨୬, ଏପ୍ରିଲ ୨୪ରେ ଖୋର୍ଦ୍ଧା ଖଣି ଅଧିକାରୀ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ପରବର୍ତ୍ତୀ ସମୟରେ କଲ୍ୟାଣପୁର ବାଲିଘାଟ ଉତ୍ସରୁ ବାଲି ଉତ୍ତୋଳନ ଓ ପରିବହନ ସାମୟିକ ଭାବେ ବନ୍ଦ କରିବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ। ଏପରି ନିର୍ଦ୍ଦେଶକୁ ବିରୋଧ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କଲ୍ୟାଣପୁର ବାଲିଘାଟରୁ ବାଲି ଉତ୍ତୋଳନ ଓ ପରିବହନ ଉପରେ ସାମୟିକ କଟକଣା ଜାରି କରି ଖୋର୍ଦ୍ଧା ସର୍କଲ ଖଣି ଅଧିକାରୀ ପ୍ରଦାନ କରିଥିବା ନିର୍ଦ୍ଦେଶ ଉପରେ ହାଇକୋର୍ଟ ମେ ୧୩ରେ ରହିତାଦେଶ ଜାରି କରିଥିଲେ।
High Court:ଟିଏମ୍ସି ନେତାଙ୍କୁ ଅଣ୍ଡାମାଡ଼ ଘଟଣା କୋଲକାତା ସରକାରଙ୍କଠାରୁ ରିପୋର୍ଟ ମାଗିଲେ ହାଇକୋର୍ଟ
ଜୁଲାଇ ୧୪କୁ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିବା ସହିତ ପକ୍ଷ ରଖିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ଅନ୍ତରୀଣ ନିର୍ଦ୍ଦେଶ ପରେ ମେ ୨୨ରେ ସ୍ଥାନୀୟ ପୁଲିସ ବାଲି ଘାଟ ଉପରେ ଚଢାଉ କରି ନିୟୋଜିତ ହାଇୱା, ଜେସିବି ଓ ଅନ୍ୟ ମେସିନ ଜବତ କରିଥିଲା। ମେ ୧୩ର ନିର୍ଦ୍ଦେଶ ଉଲ୍ଲଂଘନରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ପ୍ରସଂଗରେ ଆବେଦନକାରୀ ଜୁନ ୨ରେ ଶୁଣାଣି ବେଳେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପୁଲିସ ଅଧିକାରୀଙ୍କ କାର୍ଯ୍ୟ ପ୍ରସଂଗରେ ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁକାନ୍ତ କୁମାର ଦଳାଇ ମାମଲା ପରିଚାଳନା କରୁଥିଲେ।

1 hour ago
1


