investment of ₹2.47 lakh crore: ୨.୪୭ ଲକ୍ଷ କୋଟି ନିବେଶରେ ମୋହର: ୪ଟି ଡାଟା ସେଣ୍ଟର ସ୍ଥାପନ ହେବ, ଖୋର୍ଦ୍ଧାରେ ୧୦୦୦ ଶଯ୍ୟାର ଆଦାନୀ ହସ୍ପିଟାଲ

4 days ago 4
ARTICLE AD BOX

ଭୁବନେଶ୍ବର: ରାଜ୍ୟରେ ଚାରିଟି ଡାଟା ସେଣ୍ଟର ସ୍ଥାପନ ହେବାକୁ ଯାଉଛି। ଖୋର୍ଦ୍ଧା, ପୁରୀ ଓ କଟକରେ ହେବାକୁ ଥିବା ଏହି ଡାଟା ସେଣ୍ଟରଗୁଡ଼ିକରେ ମୋଟ୍‌ ୧,୪୨,୯୪୧ କୋଟି ଟଙ୍କା ନିବେଶ ହେବ। ଏହି ପ୍ରକଳ୍ପଗୁଡ଼ିକ ସମେତ ୧୫ଟି ଜିଲ୍ଲାରେ ସ୍ଥାପନ ହେବାକୁ ଥିବା ୨.୪୭ ଲକ୍ଷ କୋଟି ଟଙ୍କା ନିବେଶର ୨୭ଟି ପ୍ରକଳ୍ପକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୪୬ତମ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ଏଚ୍‌ଏଲ୍‌ସିଏ) ବୈଠକରେ ଅନୁମୋଦନ ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ଦ୍ବାରା ରାଜ୍ୟରେ ୫୦,୧୬୨ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଆଜି ଯେଉଁ ଧରଣର ପ୍ରକଳ୍ପ ମଞ୍ଜୁର ହୋଇଛି ତାହା ଓଡ଼ିଶାରେ ନିବେଶକଙ୍କ ବଢ଼ୁଥିବା ଭରସା ଓ ରାଜ୍ୟର ଶିଳ୍ପ ଦୃଶ୍ୟପଟରେ ହେଉଥିବା ରୂପାନ୍ତରଣକୁ ଦର୍ଶାଉଛି। ସନ୍ତୁଳିତ ଆଞ୍ଚଳିକ ଶିଳ୍ପ ବିକାଶ ଉପରେ ଆମେ ଗୁରୁତ୍ବ ଦେଉଛୁ ବୋଲି ସେ କହିଥିଲେ। ବୈଠକର ସୂଚନା ଅନୁଯାୟୀ, ଖୋର୍ଦ୍ଧାରେ ହାଇ ଡେନ୍‌ସିଟି ଡାଟାସେଣ୍ଟର ଲିମିଟେଡ୍‌ ଏକ ସମନ୍ବିତ ଡାଟା ସେଣ୍ଟରରେ ୧,୦୪,୫୫୦ କୋଟି ଟଙ୍କା ଓ ଏଚ୍‌ସିଏଲ୍‌ ଟେକ୍ନୋଲୋଜି ଏକ ଏଆଇ ଡାଟା ସେଣ୍ଟର୍‌ରେ ୧୪,୨୫୭ କୋଟି ଟଙ୍କା ନିବେଶ କରିବେ। ପୁରୀରେ ସେଣ୍ଟାଫୋର୍ଜ ଏଆଇ ତରଫରୁ ୨୨,୬୩୪ କୋଟି ଟଙ୍କା ନିବେଶରେ ଏକ ଏଆଇ ଡାଟା ସେଣ୍ଟର୍‌ ସହିତ ଗ୍ଲୋବାଲ୍‌ କାପାବିଲିଟି ସେଣ୍ଟର (ଜିସିସି) ସ୍ଥାପନ କରାଯିବ। କଟକରେ ଏକ ଡାଟା ସେଣ୍ଟର ନିର୍ମାଣ କରିବାରେ ଆର୍‌କେଡି କନ୍‌ଷ୍ଟ୍ରକ୍ସନ୍‌ ୧୫୦୦ କୋଟି ଟଙ୍କା ନିବେଶ କରିବ।

Education: ପ୍ରଧାନ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ସ୍କୁଲ୍ ଫାଟକରେ ତାଲା ପକାଇ ପ୍ରତିବାଦ

୪ଟି ଡାଟା ସେଣ୍ଟର ସ୍ଥାପନ ହେବ
ଦେବଗଡ଼, ଅନୁଗୋଳରେ ପାୱାର ପ୍ଲାଣ୍ଟ
ଗଞ୍ଜାମରେ ଜାହାଜ ମରାମତି କାରଖାନା
ଖୋର୍ଦ୍ଧାରେ ୧୦୦୦ ଶଯ୍ୟାର ଆଦାନୀ ହସ୍ପିଟାଲ

ବିଦ୍ୟୁତ୍‌ ଶକ୍ତି କ୍ଷେତ୍ରରେ ୫୪,୨୮୭.୭୦ ‌କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର ହୋଇଛି। ଏନ୍‌ଏଲ୍‌ସି ଇଣ୍ଡିଆ ଦେବଗଡ଼‌ରେ ୩୪,୭୬୩.୫୧ କୋଟି ଟଙ୍କା ନିବେଶରେ ୩୨୦୦ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ଓ ଅନୁଗୋଳରେ ୧୧,୬୦୪.୧୯ କୋଟି ଟଙ୍କା ନି‌ବେଶରେ ୧୦୮୦ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ପାୱାର ପ୍ଲାଣ୍ଟ ସ୍ଥାପନ କରିବ। ରାୟଗଡ଼ାରେ ବିଇକେଇଏମ୍‌ ଇନଫ୍ରା ପ୍ରୋଜେକ୍ଟସ୍‌ ୪୦୨୦ କୋଟି ଟଙ୍କା ନିବେଶରେ ଏକ ୬୦୦ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ଓ ଶ୍ରୀ ଅବନ୍ତିକା କଣ୍ଟ୍ରାକ୍ଟର (ଆଇ) ଲିମିଟେଡ୍‌ କୋରାପୁଟରେ ୩୯୦୦ କୋଟି ଟଙ୍କା ନିବେଶରେ ଏକ ୭୫୦ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ପମ୍ପଡ୍‌ ଷ୍ଟୋରେଜ୍‌ ଜଳବିଦ୍ୟୁତ୍‌ ପ୍ରକଳ୍ପ ସ୍ଥାପନ କରିବ। ସୁନ୍ଦରଗଡ଼ରେ ରୁଙ୍ଗଟା ମାଇନ୍ସ ଏହାର ଇସ୍ପାତ କାରଖାନା ସମ୍ପ୍ରସାରଣରେ ୯୦୦୦ କୋଟି ଟଙ୍କା ନିବେଶ କରିବ। ଶାକାମ୍ଭରି ଇସ୍ପାତ ଆଣ୍ଡ ପାୱାର ଲିମିଟେଡ୍‌ ୫୦୦୦ କୋଟି ଟଙ୍କା ନିବେଶରେ ଏକ ସିମେଣ୍ଟ କାରଖାନା ଓ କ୍ୟାପ୍‌ଟିଭ୍‌ ପାୱାର ପ୍ଲାଣ୍ଟ ସ୍ଥାପନ କରିବ। 
ଲ୍ୟାବ୍‌ ଗ୍ରୋନ୍‌ ଡାଇମଣ୍ଡ (ଲ୍ୟାବ୍‌ରେ ପ୍ରସ୍ତୁତ ହୀରା) କ୍ଷେତ୍ରରେ ‌ଢୋଲକିଆ ଲ୍ୟାବ୍‌ ଗ୍ରୋନ୍‌ ଡାଇମଣ୍ଡ ଖୋର୍ଦ୍ଧାରେ ୪୫୦୦ କୋଟି ଟଙ୍କା, ଗ୍ରିନ୍‌ଲ୍ୟାବ୍‌ ଡାଇମଣ୍ଡସ ୨୫୦୦ କୋଟି ଟଙ୍କା, ନୋଓଭିଉ ଡାଇମଣ୍ଡସ ଏଲ୍‌ଏଲ୍‌ପି ୧୦୮୦ କୋଟି ଟଙ୍କା, ଗ୍ରିନ୍‌ ଡାଇମଣ୍ଡସ ୧୦୦୦ କୋଟି ଟଙ୍କା ଓ ନିଅର୍ଗାନିକ୍‌ ଡାଇମଣ୍ଡସ ଗଞ୍ଜାମରେ ୧୬୦୦ କୋଟି ଟଙ୍କା ନିବେଶ କରିବେ। ସେମିକଣ୍ଡକ୍ଟର କ୍ଷେତ୍ରରେ ସିକ୍‌ସେମ୍‌ ଖୋର୍ଦ୍ଧାରେ ୨୦୭୮ କୋଟି ଟଙ୍କା, ଆରେ ସୋଲାର୍‌ ପିଭି ଲିମିଟେଡ୍‌ ନୂଆପଡ଼ାରେ ଏଲ୍‌ପିଏଫ୍‌ ବ୍ୟାଟେରି ଏନର୍ଜି ଷ୍ଟୋରେଜ୍‌ ସିଷ୍ଟମ୍‌ ପାଇଁ ୧୦୫୦ କୋଟି ଟଙ୍କା ନିବେଶ କରିବେ। ଜିରିବାମ ସୋଲାର୍‌ ପାୱାର୍‌ କେନ୍ଦ୍ରାପଡ଼ାରେ ଗ୍ରିନ୍‌ ହାଇଡ୍ରୋଜେନ୍‌ ପ୍ରକଳ୍ପରେ ୩୦୦୦ କୋଟି ଟଙ୍କା ନିବେଶ କରିବ। 

IIT Bombay: ଛାତ୍ର ମୃତ୍ୟୁ ଘଟଣାରେ ନିରପେକ୍ଷ ତଦନ୍ତ ପାଇଁ ୧୦ ଜଣିଆ କମିଟି

ଏଲ୍‌ଆଣ୍ଡଟି ପକ୍ଷରୁ ଗଞ୍ଜାମରେ ଜାହାଜ ନିର୍ମାଣ ଓ ମରାମତି କାରଖାନାରେ ୧୦୦୦ କୋଟି ଟଙ୍କା ଓ ଏକ ଅତ୍ୟାଧୁନିକ ଫେବ୍ରିକେସନ ଓ ବିନିର୍ମାଣ କାରଖାନାରେ ୨୧୦୦ କୋଟି ଟଙ୍କା ନିବେଶ କରାଯିବ। ଏଥି ସହିତ କମ୍ପାନି ଏକ ସବୁଜ ଶକ୍ତି ଉପକରଣ କାରଖାନାରେ ୫୦୦୦ କୋଟି ଟଙ୍କା ମଧ୍ୟ ନିବେଶ କରିବ। ଅନ୍ୟପକ୍ଷରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଖୋର୍ଦ୍ଧାରେ ୧୦୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ସ୍ଥାପନରେ ୨୧୫୦ କୋଟି ଟଙ୍କା ନିବେଶ କରାଯିବ। ଟାଟା ଷ୍ଟିଲ୍‌ କଳିଙ୍ଗନଗରରେ ୭ ଏମ୍‌ଟିପିଏ କ୍ଷମତା ବିଶିଷ୍ଟ ଏକ ଲୁହାପଥର ଗ୍ରାଇଣ୍ଡିଂ ୟୁନିଟ୍‌ ଓ ସ୍ଲରି ପାଇପ୍‌ଲାଇନ୍‌ ପ୍ରକଳ୍ପରେ ୩୩୨୯ କୋଟି ଟଙ୍କା ନିବେଶ କରିବ। ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌ ଗଞ୍ଜାମରେ ଏକ ରସାୟନ କାରଖାନା ବସାଇବାରେ ୧୪୨୫ କୋଟି ଟଙ୍କା ଓ ତାଳଚେର ଗ୍ୟାସିଫାୟର ଆଣ୍ଡ କେମିକାଲ୍‌ସ ଏଲ୍‌ଏଲ୍‌ପି ତରଫରୁ ଢେଙ୍କାନାଳରେ ଏକ ରସାୟନ କାରଖାନାରେ ୧୭୫୦ କୋଟି ଟଙ୍କା ନିବେଶ କରାଯିବ। ଲିଓମ୍ୟାକ୍ସ ଟେକ୍ସଟାଇଲ୍‌ ପକ୍ଷରୁ କଳାହାଣ୍ଡିରେ ୧୨୦୦ କୋଟି ଟଙ୍କା ନିବେଶ କରାଯିବ। ଭଦ୍ରକରେ ଏକ ଟାୟାର ପ୍ରକଳ୍ପରେ ଚିରିପାଲ୍‌ ପଲି ଫିଲ୍ମସ ୧୧୨୫ କୋଟି ଟଙ୍କା ନିବେଶ କରିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.