ARTICLE AD BOX
ଇନ୍ଦୋର: ୱେଷ୍ଟଇଣ୍ଡିଜ ବିପକ୍ଷ ୫ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ତୃତୀୟ ମୁକାବିଲାକୁ ଭାରତ ୧୪ ରନ୍ରେ ବିଜୟ ହାସଲ କରିଛି। ୨୨୪ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଅତିଥି ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୨୦୯ ରନ୍ କରିଛି। ଭାରତ ଏହି ବିଜୟ ସହିତ ଶୃଙ୍ଖଳାରେ ୨-୧ରେ ଅଗ୍ରଣୀ ହାସଲ କରିଛି।
ୱେଷ୍ଟଇଣ୍ଡିଜ ପାଇଁ କାମିଲ ପୁରନ ୪୨ ରନ୍, ସିମରନ ହେଟମେୟର ୪୩ ରନ୍, ଶେରଫେନ୍ ରଦରହୁଡ ୩୨ ରନ୍, କ୍ବଇଣ୍ଟିନ୍ ସାମ୍ପସନ ୨୧ ରନ୍ ସଂଗ୍ରହ କରିଥିଲେ। ଅନ୍ୟ ଖେଳାଳିମାନଙ୍କର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା।
ଇନ୍ଦୋରସ୍ଥିତ ହୋଲକର ଷ୍ଟାଡିୟମରେ ଅତିଥି ଦଳ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ୍ ହରାଇ ୨୨୩ ରନ୍ ସଂଗ୍ରହ କରିଥିଲା। ଭାରତ ପାଇଁ ସଂଜୁ ସାମସନ ଏବଂ ଅଭିଷେକ ଶର୍ମା ପାଳି ଆରମ୍ଭ କରିଥିଲେ। କିନ୍ତୁ ଆରମ୍ଭରୁ ଦଳ ବିପର୍ଯ୍ୟୟ ଦେଖାଯାଇଥିଲା। ପ୍ରାରମ୍ଭିକ ବ୍ୟାଟର ସଂଜୁ ସାମସନ ମାତ୍ର ୬ଟି ବଲ୍ ଖେଳି ପାରିଥିଲେ, ଯେଉଁଥିରୁ ସେ ୩ ରନ୍ ସଂଗ୍ରହ କରିଥିଲେ। ତେବେ ଭାରତ ୭ ରନ୍ରେ ପ୍ରଥମ ଏବଂ ୧୧୫ ରନ୍ରେ ଦ୍ବିତୀୟ ୱିକେଟ୍ ହରାଇଥିଲଶ। ଦ୍ବିତୀୟ ୱିକେଟ୍ ପାଇଁ ଅଭିଷେକ ଶର୍ମାଙ୍କ ସହିତ ଈଶାନ କିଶନ ଶତକୀୟ ଭାଗିଦାରୀ (୧୦୮ ରନ୍) କରିଥିଲେ। ଈଶାନ କିଶନ ୧୮ଟି ବଲ୍ ଖେଳି ୬ଟି ଚୌକା ଏବଂ ଗୋଟିଏ ଛକା ବଳରେ ୩୭ ରନ୍ ସଂଗ୍ରହ କରିଥିଲେ। କିନ୍ତୁ ଭାରତ ୧୧୭ ରନ୍ରେ ଅଧିନାୟକ ଶ୍ରେୟସ ଆୟରଙ୍କୁ ହରାଇଥିଲା। ଆୟର ଏକ ରନ୍ ଯୋଡ଼ିପାରିଥିଲେ।
ଭାରତ ପାଇଁ ଅଭିଷେକ ଶର୍ମା ସର୍ବାଧିକ ବ୍ୟକ୍ତିଗତ ସ୍କୋର ୬୯ ରନ୍ ସଂଗ୍ରହ କରିଥିଲେ। ସେ ୩୦ଟି ବଲ୍ ଖେଳି ୬ଟି ଚୌକା ଏବଂ ୫ଟି ଛକା ମାରିଥିଲେ। ଯୁବ ବ୍ୟାଟର ତିଲକ ବର୍ମା ୨୮ ରନ୍, ନମନ ଧୀର ୧୦ ରନ୍, ନିତିଶ କୁମାର ରେଡ୍ଡୀ ୨୧ ରନ୍, ଅକ୍ଷର ପଟେଲ ୨୦ ରନ୍ ସଂଗ୍ରହ କରିଥିଲେ। ଅର୍ଶଦୀପ ସିଂହ ୧୧ ରନ୍ ଏବଂ ପ୍ରିନ୍ସ ଯାଦବ ଅପରାଜିତ ୧୩ ରନ୍ ସଂଗ୍ରହ କରିଥିଲେ। ୱେଷ୍ଟଇଣ୍ଡିଜ ପକ୍ଷରୁ ରୋଷ୍ଟନ ଚେଜ୍, ଶମର ଜୋସେଫ ଏବଂ ଶମସର ସ୍ପ୍ରିଙ୍ଗରଙ୍କୁ ୨ଟି ଲେଖାଏଁ ୱିକେଟ୍ ମିଳିଥିଲା। ସେହିପରି କିମୋ ପଲ ଏବଂ ଗୁଡ଼ାକେଶ ମୋତି ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

5 hours ago
1


