ARTICLE AD BOX
ବନ୍ଦନା ମିଶ୍ର୍ର
ଆଧୁନିକତାର ଦୌଡ଼ରେ ଗଳିକନ୍ଦିରେ ମାଳମାଳ ଆକାଶଛୁଆଁ ଅଟ୍ଟାଳିକା, ମହଙ୍ଗା ବଙ୍ଗଳା ଓ ଅତ୍ୟାଧୁନିକ ସୁବିଧାସମ୍ପନ୍ନ ବିଳାସମୟ ଘର। ଏହା ହିଁ ପାଲଟିଛି ଆଭିଜାତ୍ୟର ପରିଚୟ। ତଥାପି ଏହି ଚାକଚକ୍ୟ ଭରା ଜୀବନଶୈଳୀ ମଧ୍ୟରେ କିଛି ପରିବେଶପ୍ରେମୀ ଶିଳ୍ପପତି, କଳାକାର ଓ ରାଜନେତା ମାଟି ସହ ସମ୍ପର୍କକୁ ଅତୁଟ ରଖିଛନ୍ତି। କୋଟି କୋଟି ଟଙ୍କାର ଅଧିକାରୀ ହୋଇ ମଧ୍ୟ ମାଟିଘରେ ରହିବାକୁ ପସନ୍ଦ କରୁଛନ୍ତି। ମାଟିଘର ପ୍ରତି ସେମାନଙ୍କର ମମତା କେବଳ ସଉକ ନୁହେଁ, ବରଂ ପରିବେଶ ସୁରକ୍ଷା, ପ୍ରାଚୀନ ସଂସ୍କୃତି ଓ ପାରମ୍ପରିକ ଚଳଣି ପ୍ରତି ପ୍ରତିବଦ୍ଧତା। ଏହାର ସବୁଠାରୁ ବଡ଼ ଉଦାହରଣ ହେଉଛନ୍ତି ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାର ପ୍ରତିବାଦରେ ଦିଲ୍ଲୀର ଯନ୍ତରମନ୍ତରରେ ୨୬ ଦିନ ଧରି ଅନଶନରେ ବସିଥିବା ସୋନମ୍ ୱାଙ୍ଗ୍ଚୁକ୍। ପରିବେଶବିତ୍ ଓ ପ୍ରଖ୍ୟାତ ଇଞ୍ଜିନିୟର ସୋନମ୍ ମାଟିଘରେ ରହିବାକୁ ପସନ୍ଦ କରନ୍ତି। ସେ ନିଜେ ଡିଜାଇନ୍ କରିଥିବା ଲଦାଖସ୍ଥିତ ତାଙ୍କ ଘର କଂକ୍ରିଟ୍ ନୁହେଁ, ମାଟିରେ ତିଆରି। ପାରମ୍ପରିକ ଲଦାଖୀ ସ୍ଥାପତ୍ୟ ଶୈଳୀ ଓ ଆଧୁନିକ ପ୍ରଯୁକ୍ତିର ସମନ୍ୱୟରେ ନିର୍ମିତ ଏହି ଘରେ କଂକ୍ରିଟ୍ର ବ୍ୟବହାର କରାଯାଇନାହିଁ। ସ୍ଥାନୀୟ ମାଟିରେ ତିଆରି ହୋଇଥିବା ଏହି ଘରେ ଶତାବ୍ଦୀ ପୁରୁଣା ନିର୍ମାଣ କୌଶଳ ସହ ଆଧୁନିକ ସୁବିଧା ଓ ପରିବେଶ ଅନୁକୂଳ ବ୍ୟବସ୍ଥାର ସୁନ୍ଦର ମେଳ ଦେଖିବାକୁ ମିଳେ। ୱାଙ୍ଗ୍ଚୁକ୍ ତାଙ୍କ ଘରର ନାମ ରଖିଛନ୍ତି ‘ଟ୍ରାଇବାଲ୍ ହାଉସ୍’। ସେ ପ୍ରମାଣ କରି ଦେଖାଇଛନ୍ତି ଯେ ଆଧୁନିକ ଜୀବନଶୈଳୀ ସହ ପାରମ୍ପରିକ ମାଟିଘରର ସମନ୍ୱୟ ସମ୍ଭବ ଏବଂ ତାହା ପରିବେଶ ପାଇଁ ମଧ୍ୟ ଲାଭଦାୟକ।
World Tribal Day: ମହଦେବଡ଼ିହିର ମହେନ୍ଦ୍ର ସର୍ଦ୍ଦାର; 'ଅଲ୍ ଅନଲ୍’ ଲିପି ଭୂମିଜ ସମାଜକୁ ଦେଲେ ନୂଆ ପରିଚୟ
ନିରାଡ଼ମ୍ବର ଜୀବନଶୈଳୀ ଲାଗି ଜଣାଶୁଣା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଦିଲ୍ଲୀର ମାଟିଘର ମଧ୍ୟ ଉଲ୍ଲେଖ ଦାବି କରେ। ୨୦୨୩ରେ ସେ ଦିଲ୍ଲୀର ହୁମାୟୁନ୍ ରୋଡ୍ସ୍ଥିତ ନିଜ ସରକାରୀ ବାସଭବନ ପରିସରରେ ଅତିଥିମାନଙ୍କ ପାଇଁ ଏକ ପରିବେଶ ଅନୁକୂଳ ଆକର୍ଷଣୀୟ ମାଟିଘର ନିର୍ମାଣ କରିଛନ୍ତି। ଅତ୍ୟନ୍ତ ରୁଚିପୂର୍ଣ୍ଣ ଶୈଳୀରେ ନିର୍ମିତ ଏହି ଘରର କାନ୍ଥ ମାଟିରେ ତିଆରି ହୋଇଥିବା ବେଳେ ଛାତରେ ବାଉଁଶ ବ୍ୟବହାର କରାଯାଇଛି। କାନ୍ଥରେ ଗୋବର ଓ ନିମ୍ବପତ୍ରରେ ପ୍ରସ୍ତୁତ ଲେପ ଦିଆଯାଇଛି। ପୁଣି ମାଟିରେ ଖଟ ଓ ପଥରର ଆସନ ମଧ୍ୟ ରହିଛି। ତାଙ୍କର ଏହି ମାଟିଘରକୁ ଢେର୍ ପ୍ରଶଂସା ମିଳିଛି। କେବଳ ସେ ନୁହନ୍ତି, ଦିଲ୍ଲୀରେ ଅନେକ ପ୍ରତିଷ୍ଠିତ ଲୋକ ଏଭଳି ମାଟିଘର ନିର୍ମାଣ କରିଛନ୍ତି।
କର୍ଣ୍ଣାଟକ ରାଜ୍ୟ ପର୍ଯ୍ୟଟନ ବିକାଶ ନିଗମର ଅଧ୍ୟକ୍ଷା ତଥା କନ୍ନଡ଼ ଅଭିନେତ୍ରୀ ଶ୍ରୁତି ମଧ୍ୟ ମାଟିଘର ପ୍ରତି ଅନୁରାଗ ପାଇଁ ଚର୍ଚ୍ଚାରେ ଅଛନ୍ତି। ଗ୍ରାମୀଣ ଜୀବନ ପ୍ରତି ଆଗ୍ରହ ରଖୁଥିବା ଶ୍ରୁତି କର୍ଣ୍ଣାଟକର ରାମନଗରସ୍ଥିତ ଫାର୍ମହାଉସ୍ରେ ମାଟିଘରଟିଏ ନିର୍ମାଣ କରିଛନ୍ତି। ଆଧୁନିକୀକରଣର ପ୍ରଭାବରେ ଧୀରେ ଧୀରେ ଗାଁରୁ ଅଦୃଶ୍ୟ ହେଉଥିବା ପାରମ୍ପରିକ ମାଟିଘରକୁ ସାଇତିବା ପାଇଁ ସେ ଏହି ପଦକ୍ଷେପ ନେଇଥିଲେ। ମାଟିଘର ନିର୍ମାଣ ପାଇଁ ଦକ୍ଷ କାରିଗର ମିଳିବା ତାଙ୍କ ପାଇଁ ଏକ ଆହ୍ବାନ ପାଲଟିଥିଲା। ଶେଷରେ ସେ ଗାଁର ବୟସ୍କ ଲୋକଙ୍କ ପରାମର୍ଶ ନେଇ ସ୍ଥାନୀୟ ଅଞ୍ଚଳରୁ ପଥର ଆଣି ତାହାକୁ ମାଟିରେ ଯୋଡ଼ି ଘର ତିଆରି କରିଥିଲେ। ସେ କହନ୍ତି, ଏହି ଘର ମଜଭୁତ, ଦୀର୍ଘସ୍ଥାୟୀ ଏବଂ ପରିବେଶ ଅନୁକୂଳ। ଏହାର ନିର୍ମାଣରେ ଶୂନ୍ୟ ଅଙ୍ଗାରକ ନିର୍ଗମନ ହୋଇଥାଏ। ସେହିପରି ପ୍ରସିଦ୍ଧ ସ୍ଥପତି ଚିତ୍ରା ବିଶ୍ୱନାଥ ମଧ୍ୟ ପରିବେଶ ଅନୁକୂଳ ଘର ନିର୍ମାଣ କରିଛନ୍ତି। ଯଦିଓ ତାଙ୍କ ଘରକୁ ପୂରାପୂରି ମାଟିଘର ବୋଲି କହିହେବ ନାହିଁ; ମାତ୍ର ଏଥିରେ କଞ୍ଚାଇଟା ବ୍ୟବହାର ହୋଇଛି, ବର୍ଷାଜଳ ସଂରକ୍ଷଣ ଓ ସୌରଶକ୍ତିର ବ୍ୟବହାରକୁ ଗୁରୁତ୍ୱ ଦିଆଯାଇଛି। ତାଙ୍କ ମତରେ, ଘର କେବଳ ସୁନ୍ଦର ହେଲେ ହେବନି, ବରଂ ଏହାର ନିର୍ମାଣ ପରିବେଶ ଉପରେ କମ୍ ପ୍ରତିକୂଳ ପ୍ରଭାବ ପକାଉଥିବ ଏବଂ ଏଥିରେ ସ୍ଥାନୀୟ ସମ୍ବଳର ଉପଯୋଗ ବି ଜରୁରି।
Farming: ୪୦୦ କୃଷକଙ୍କୁ ତାଲିମ ପ୍ରଦାନ କରିଛି ବେଦାନ୍ତର ପ୍ରକଳ୍ପ ସଙ୍ଗମ
ମାଟିଘର ଭଲ କାହିଁକି?
ମାଟିଘରର ଅନେକ ସକାରାତ୍ମକ ଦିଗ ରହିଛି। ସେଥିମଧ୍ୟରୁ ସବୁଠାରୁ ବଡ଼ ସୁବିଧା ହେଉଛି, ଏହାର ସ୍ୱାଭାବିକ ତାପମାତ୍ରା ନିୟନ୍ତ୍ରଣ କ୍ଷମତା। ବାହାରର ଅଧିକ ଗରମ କିମ୍ବା ଥଣ୍ଡା ସହଜରେ ଘର ଭିତରକୁ ପ୍ରବେଶ କରିପାରେନାହିଁ। ଫଳରେ ଖରାଦିନେ ମାଟିଘର ଭିତର ପକ୍କା ଘର ତୁଳନାରେ ଅଧିକ ଥଣ୍ଡା ଏବଂ ଶୀତଦିନରେ ତୁଳନାତ୍ମକ ଭାବେ ଉଷ୍ଣ ରହେ। ମାଟିଘରର ନିର୍ମାଣ ଖର୍ଚ୍ଚ କମ୍। ମାଟି, ବାଉଁଶ, କାଠ, ଖପର ଓ ଅନ୍ୟାନ୍ୟ ପ୍ରାକୃତିକ ସାମଗ୍ରୀରେ ତିଆରି ହେଉଥିବାରୁ ଏହା ପରିବେଶ ଅନୁକୂଳ ଓ ଜୈବ-ବିଘଟନଯୋଗ୍ୟ। ଏହାର ନିର୍ମାଣ ପ୍ରକ୍ରିୟାରେ ଅଙ୍ଗାରକ ନିର୍ଗମନ ମଧ୍ୟ ବହୁତ କମ୍। ବର୍ଷାଋତୁରେ ପକ୍କାଘରର କାନ୍ଥରେ ଯେପରି ଆର୍ଦ୍ରତା ଜମି ଓଦା ଭାବ ସୃଷ୍ଟି କରେ, ମାଟିଘରେ ସେପରି ସମସ୍ୟା କମ୍ ଦେଖାଯାଏ। ମାଟିର କାନ୍ଥ ପ୍ରାକୃତିକ ଭାବେ ଅତିରିକ୍ତ ଆର୍ଦ୍ରତାକୁ ଶୋଷିନେଇ ପୁଣି ଆବଶ୍ୟକ ସମୟରେ ଛାଡ଼ିଦିଏ। ଏହା ଘର ଭିତରର ପରିବେଶକୁ ସନ୍ତୁଳିତ ରଖିବା ସହ ବିଶୁଦ୍ଧ ବାୟୁ ଯୋଗାଇଥାଏ। ଏବେ ପୁଣି ମାଟିଘର ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। ବେଙ୍ଗାଲୁରୁ ଭଳି ବଡ଼ ସହରରେ ମଧ୍ୟ ଅନେକ ପାରମ୍ପରିକ ଶୈଳୀର ମାଟିଘର କିମ୍ବା ପରିବେଶ ଉପଯୋଗୀ ଘର ନିର୍ମାଣ କରିବାକୁ ପସନ୍ଦ କରୁଛନ୍ତି। ଅନେକ ପୋଡ଼ା ଇଟା ପରିବର୍ତ୍ତେ ସୂର୍ଯ୍ୟକିରଣରେ ଶୁଖାଯାଇଥିବା କଞ୍ଚାଇଟା ବ୍ୟବହାର କରୁଛନ୍ତି। ଯେହେତୁ ଭାଟିରେ ଇଟା ପୋଡ଼ାଯାଏ ନାହିଁ, ତେଣୁ ଅଙ୍ଗାରକ ନିର୍ଗମନ ହୋଇ ନଥାଏ।
-ଡକ୍ଟର ବିଭୁ ପ୍ରସାଦ ପଣ୍ଡା, ପରିବେଶ ବିଜ୍ଞାନୀ

1 hour ago
1


