ARTICLE AD BOX
କାଳିଆପାଣି (ରବି ନାରାୟଣ କର):କଟକ ବନଖଣ୍ଡ ଟମକା ରେଞ୍ଜ୍ କାଳିଆପାଣି ଥାନା କଅଁସ ଫରେଷ୍ଟ୍ ସେକ୍ସନ ଅନ୍ତର୍ଗତ ଟିକରପଡ଼ା ପାହାଡ଼ ୨୦ ବର୍ଷ ଧରି ମାଫିଆଙ୍କ କବ୍ଜାରେ ରହିଛି। ପୁଣି ଏଠାରେ ସକ୍ରିୟ ହୋଇରହିଛନ୍ତି ନୀଳପଥର ମାଫିଆ। ସଂଗୃହୀତ ପଥର ସବୁକୁ ଟିକରପଡ଼ା ଗାଁ ଧାନକ୍ଷେତ ପାଖ ପୋଲିଆ ପାଖରେ ଲୋକଙ୍କ ନଜର ଆଢ଼ୁଆଳରେ ରଖାଯାଇଥିଲା। ୨ ମାସ ମଧ୍ୟରେ ମାଫିଆମାନେ ଏଠାରୁ ଏକ ପିକଅପ୍ ଭ୍ୟାନରେ ଓ ଅନ୍ୟ ଏକ ଟିପ୍ପର ଭର୍ତ୍ତି ନୀଳପଥର ଲୁଟି ନେଇଥିବା ଗ୍ରାମବାସୀ ଅଭିଯୋଗ କରନ୍ତି।
ମାଫିଆମାନେ ଆସୁଥିବା କାର ଡିକିରେ ବି ପଥର ଚାଲାଣ କରୁଥିବା କୁହାଯାଉଛି। ସେହିପରି ମାଫିଆଙ୍କ ଦ୍ବାରା ନିୟୋଜିତ ମୂଲିଆ ଝୋଟ ଅଖାବସ୍ତାରେ ନୀଳପଥର ଭର୍ତ୍ତିକରି ବାଇକ୍ ପଛରେ ବୋହି ନେଉଥିବା ଜଣାପଡ଼ିଛି। ଟିକରପଡ଼ା ଗାଁର ୨ ଜଣ ପେସାଦାର ମାଫିଆଙ୍କ ସଂପୃକ୍ତି ଥିବା ସାଧାରଣରେ ଅଭିଯୋଗ ହୁଏ। ସ୍ଥାନୀୟ ଅପାଠୁଆ ନିରକ୍ଷର ଯୁବବର୍ଗ ମାଫିଆଙ୍କ ପ୍ରତି ଆକୃଷ୍ଟ ହେଉଥିବା ସହ ଗାଁରେ ମଦ୍ୟପଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି। ରାତିଅଧିଆ ଭୋଜିଭାତ ଓମଦନିଶାରୁ ଗାଁରେ ଅରାଜକତା ସୃଷ୍ଟି ହେଉଛି। ଲୋକେ ଖୋଲାଖୋଲି ବନ ବିଭାଗର ସଂପୃକ୍ତି ଓ ପୁଲିସ ନିଷ୍କ୍ରିୟତା ନେଇ ଅସନ୍ତୋଷ ପ୍ରକାଶ କରନ୍ତି। ଗତ ୨ ତାରିଖରେ ବନ ବିଭାଗ ଉକ୍ତ ସ୍ଥାନରେ ଲୋକ ଦେଖାଣିଆ ଚଢ଼ଉ କରି ଅଧ ଟ୍ରାକ୍ଟର ନୀଳପଥର ଜବତ କରିଥିଲା।
୨୦ ବର୍ଷ ଧରି ସବୁଜିମା ଭରା ଦୈତାରୀ ପର୍ବତମାଳାର ପାଦଦେଶର ଟିକରପଡ଼ା ପାହାଡ଼ ନୀଳପଥର ମାଫିଆଙ୍କ ଚରାଭୂଇଁ ପାଲଟିଛି। ଏଠୁ ନିୟମିତ ଭାବେ ମୂଲ୍ୟବାନ ନୀଳପଥର ଲୁଟ୍ ହେଉଥିବା ନେଇ ପୁଣିଥରେ ସ୍ପଷ୍ଟ ହୋଇଛି। ଟିକରପଡ଼ା ଗାଁରୁ ଜଙ୍ଗଲ ମଧ୍ୟକୁ ଥିବ ଏକାଧିକ ଗୁଳାବାଟ ଓ ଏହା ପାର୍ଶ୍ବସ୍ଥ ଜଙ୍ଗଲ ପଦା କରିବା ପରେ ଏଠୁ ବାଛିବାଛି ବିରଳ ସ୍ବଚ୍ଛ ଘନନୀଳ ଚିକ୍କଣ ପଥର ସଂଗ୍ରହ କରୁଛନ୍ତି। ଘଞ୍ଚ ଜଙ୍ଗଲ ମଧ୍ୟରେ ୧୦ ରୁ ଅଧିକ ମୂଲିଆ ନିୟମିତ ମାଫିଆଙ୍କ ପାଇଁ କାମ କରୁଛନ୍ତି।
ଘଞ୍ଚ ଜଙ୍ଗଲରେ ଗଛକାଟି କିଛି ବାଟ ଟ୍ରାକ୍ଟର ପାଇଁ ରାସ୍ତା ନିର୍ମିତ ହୋଇଛି। ଦୈତାରୀ ପାହାଡ଼ ଆଡ଼କୁ ଲମ୍ବିଥିବା ଜଙ୍ଗଲର ୨ କିଲୋମିଟର ବ୍ୟାସାର୍ଦ୍ଧରେ ବିଭିନ୍ନ ସ୍ଥାନରେ ଏହି ସଂଗ୍ରହ କରାଯାଉଛି। ବଣ ପାହାଡ଼ ଘେରା ଭୌଗଳିକ ପରିସ୍ଥିତି ମାଫିଆମାନଙ୍କ ପାଇଁ ବରଦାନ ହୋଇଛି। ସେହିପରି ମାଇନିଂ ଏନଫୋର୍ସମେଣ୍ଟ୍ ସ୍କ୍ବାଡ୍ର ନିଷ୍କ୍ରିୟତାରୁ ମାଫିଆମାନେ ସକ୍ରିୟ ହୋଇଉଠିଛନ୍ତି। ବନ କର୍ମଚାରୀ ମାଫିଆଙ୍କ ହାତବାରିସି ସାଜିଥିବା କୁହାଯାଉଛି। ସବୁଜିମା ଓ ଜୈବ ବିବିଧତା ଧ୍ବଂସ ହେଉଥିଲେ ମଧ୍ୟ ବନ୍ୟ ସମ୍ପଦ ସଂରକ୍ଷଣ ଦିଗରେ ବିଭାଗୀୟ ଉଦାସୀନତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସଂପର୍କରେ କଅଁସ ବନପାଳ ପରେଶ କୁମାର ସାହୁଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍ ଉଠାଇ ନଥିଲେ। ଟମକା ବନପାଳ ମାଣିକ ମୁଣ୍ଡାଙ୍କୁ ପଚାରିବାରେ କଅଁସ ସେକ୍ସନ ପକ୍ଷରୁ ଚଢ଼ଉ କରାଯାଇ କିଛି ନୀଳପଥର ଜବତ କରାଯାଇଥିବା ସଫେଇ ଦେଇଥିଲେ। କାଳିଆପାଣି ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କୁ ପଚାରିବାରେ ପୁଲିସ ପାଖେ ସୂଚନା ନଥିବା କହିଥିଲେ।

2 days ago
1


