ARTICLE AD BOX
ମୁମ୍ବାଇ: ବରିଷ୍ଠ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ଟିନୁ ଆନନ୍ଦଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର। ଗୁରୁତର ଆହତ ହୋଇ ଦୀର୍ଘ ୧୪ ଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେବା ପରେ ୮୧ ବର୍ଷୀୟ ଟିନୁ ଆନନ୍ଦ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି। ତାଙ୍କର ୫ଟି ପଞ୍ଜରା ହାଡ଼ ଭାଙ୍ଗିବା ସହ ଗୋଟିଏ ଫୁସଫୁସରେ ଗୁରୁତର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥା ଯୋଗୁଁ ତାଙ୍କୁ ମୁମ୍ବାଇର କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲର ଆଇସିୟୁରେ ରଖାଯାଇଥିଲା।
ନିଜ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଟିନୁ ଆନନ୍ଦ ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୧୪ ଦିନ ହସ୍ପିଟାଲରେ ରହିବା ପରେ ଏବେ ସେ ଘରକୁ ଫେରିଛନ୍ତି। ଆସନ୍ତା ୭ରୁ ୧୦ ଦିନ ପର୍ଯ୍ୟନ୍ତ ଘରେ ରହି ସମ୍ପୂର୍ଣ୍ଣ ବିଶ୍ରାମ ନେବେ। ଏହାପରେ ତାଙ୍କର ପରବର୍ତ୍ତୀ ଡାକ୍ତରୀ ପରୀକ୍ଷା କରାଯିବ। ବର୍ତ୍ତମାନ ସେ ଭଲ ଥିବା କହି ପ୍ରଶଂସକମାନଙ୍କୁ ଆଶ୍ୱସ୍ତ କରିଛନ୍ତି।
କିପରି ଆହତ ହୋଇଥିଲେ ?
ରିପୋର୍ଟ ଅନୁଯାୟୀ, ଏକ ଦୁର୍ଘଟଣାରେ ଟିନୁ ଆନନ୍ଦଙ୍କ ୫ଟି ପଞ୍ଜରା ହାଡ଼ ଭାଙ୍ଗିଯାଇଥିଲା। ଏଥିମଧ୍ୟରୁ ଗୋଟିଏ ଭଙ୍ଗା ହାଡ଼ ତାଙ୍କ ଫୁସଫୁସରେ ଗଳିଯିବାରୁ ସେଠାରେ କଣା ସୃଷ୍ଟି ହୋଇଥିଲା। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ତେବେ ଏହି ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟିଥିଲା, ସେ ସମ୍ପର୍କରେ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ।
ଟିନୁ ଆନନ୍ଦ ଭାରତୀୟ ଚଳଚ୍ଚିତ୍ର ଜଗତର ଜଣେ ପରିଚିତ ଚେହେରା। ଅଭିନୟ ସହିତ ନିର୍ଦ୍ଦେଶନା କ୍ଷେତ୍ରରେ ମଧ୍ୟ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ପାଞ୍ଚ ଦଶନ୍ଧିରୁ ଅଧିକ ସମୟର କ୍ୟାରିୟରରେ ସେ ଅନେକ ସଫଳ ଚଳଚ୍ଚିତ୍ରରେ କାମ କରିଛନ୍ତି। ‘ଅଗ୍ନିପଥ’, ‘ଦୟାବାନ’, ‘ଘାତକ’, ‘ଦବଙ୍ଗ’, ‘ଗଜନୀ’ ଓ ‘ସଲାର’ ଭଳି ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି।
Juhi Chawla: ଏହିସବୁ ସିନେମାକୁ ‘ନା’ କରିଥିଲେ ଜୁହି ଚାୱଲା: କରିସ୍ମା କପୁରଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା
ସେହିପରି ‘ଶେହନଶାହ’, ‘କାଲିଆ’ ଓ ‘ମେଜର ସାବ୍’ ଭଳି ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇ ସେ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି। ବିଶେଷକରି ଅମିତାଭ ବଚ୍ଚନଙ୍କ ସହ ତାଙ୍କର କାର୍ଯ୍ୟ ଦର୍ଶକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଥିଲା। ତେବେ ଏବେ ତାଙ୍କର ସମସ୍ତ ଧ୍ୟାନ ସୁସ୍ଥ ହେବା ଉପରେ ରହିଛି। ପ୍ରଶଂସକମାନେ ମଧ୍ୟ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି।

1 hour ago
2


