NALCO: ୨୦୩୧ ସୁଦ୍ଧା ନାଲ୍‌କୋର ଅନୁଗୋଳ ସ୍ମେଲଟର ସମ୍ପ୍ରସାରଣ

56 minutes ago 2
ARTICLE AD BOX

ଭୁବନେଶ୍ବର: ନବରତ୍ନ ନ୍ୟାସନାଲ ଆଲୁମିନିୟମ କମ୍ପାନି (ନାଲ୍‌କୋ)ର ପ୍ରସ୍ତାବିତ ୩୦ହଜାର କୋଟି ଟଙ୍କାର ବାର୍ଷିକ ୦.୫ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଅନୁଗୋଳ ସ୍ମେଲଟର ସମ୍ପ୍ରସାରଣ କାର୍ଯ୍ୟ ଆସନ୍ତା ୨୦୩୦-୩୧ ସୁଦ୍ଧା ଶେଷ ହେବା ଆଶା କରାଯାଉଛି। ଏଥିପାଇଁ ପ୍ରାୟ ୩୦୦ ଏକର ଜମି ଆବଶ୍ୟକ ଥିବା ବେଳେ ସେଥିରୁ ୮୦ ଏକର ହେଉଛି ଘରୋଇ ଜମି। ସେହି ଜମି ଅଧିଗ୍ରହଣ ପାଇଁ ଉଦ୍ୟମ ଜାରି ରହିଛି। ଡିଟେଲ୍‌ଡ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍‌) ପ୍ରସ୍ତୁତି କାର୍ଯ୍ୟ ଆସନ୍ତାବର୍ଷ ଫେବ୍ରୁଆରି-ମାର୍ଚ୍ଚ ସୁଦ୍ଧା ଶେଷ ହେବ।

ଏହି କାରଖାନା ପାଇଁ ଏନ୍‌ଏଲ୍‌ସି ଇଣ୍ଡିଆ ସହ ମିଶି ଏକ ୧୦୮୦ ମେଗାୱାଟ୍‌ର ପାୱାର ପ୍ଲାଣ୍ଟ୍‌ ସ୍ଥାପନ ପାଇଁ ଯୋଜନା ରହିଛି ବୋଲି କମ୍ପାନିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବ୍ରିଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି।କମ୍ପାନିର ସମ୍ପ୍ରସାରଣ ଯୋଜନା ଉପରେ ଆଲୋକପାତ କରି ସେ କହିଲେ, ଜାମନଯୋଡ଼ିର ଗାଲିୟମ କାରଖାନାକୁ ଆସନ୍ତା ୨-୩ ମାସ ମଧ୍ୟରେ କାର୍ଯ୍ୟକ୍ଷମ କରାଯିବ। ‌ସେହି ସମୟ ସୁଦ୍ଧା ପଟ୍ଟାଙ୍ଗୀ ଖଣିରୁ ମଧ୍ୟ ଉତ୍ପାଦନ ଆରମ୍ଭ ହେବ। ଏହାପରେ ନାଲ୍‌କୋର ବକ୍ସାଇଟ୍‌ ଉତ୍ପାଦନ ଯଥେଷ୍ଟ ବଢ଼ିଯିବ। କମ୍ପାନି ବର୍ତ୍ତମାନ ୩.୩ ନିୟୁତ ଟନ୍‌ ପର୍ଯ୍ୟନ୍ତ ଆଲୁମିନା ଉତ୍ପାଦନ କରୁଛି ଯେଉଁଥିରେ ୧.୫ ନିୟୁତ ଟନ୍‌ ଆଲୁମିନିୟମ ପ୍ରସ୍ତୁତ ହୋଇପାରିବ। କିନ୍ତୁ କମ୍ପାନି ପାଖରେ ବର୍ତ୍ତମାନ ୦.୫ ନିୟୁତ ଟନ୍‌ର କାରଖାନା ରହିଛି ଓ ଏହା ଆଉ ୦.୫ ନିୟୁତ ଟନ୍‌ କ୍ଷମତା ଯୋଡ଼ିବାକୁ ଯାଉଛି।

 ଏହାବାଦ ଆହୁରି ୦.୫ ନିୟୁତ ଟନ୍‌ର ଆଲୁମିନିୟମ ଉତ୍ପାଦନ ପାଇଁ କମ୍ପାନି ପାଖରେ ଆଲୁମିନା ରହିବ। ତାହାକୁ ରପ୍ତାନି ନ କରି କିଭଳି ‌ଦେଶ ଭିତରେ ଉପଯୋଗ କରାଯିବ, ସେ ଉପରେ ଆମେ ଧ୍ୟାନ ଦେଉଛୁ। ଅତିରିକ୍ତ କାରଖାନା ସ୍ଥାପନ ପାଇଁ ରାଜ୍ୟ ଭିତରେ ଓ ବାହାରେ ସୁଯୋଗ ସନ୍ଧାନ କରୁଛୁ। ଏହା ଜରିଆରେ ଡାଟା ସେଣ୍ଟର, ଏରୋସ୍ପେସ୍‌, ଇଭି, ଭିତ୍ତିଭୂମି, ବନ୍ଦର ଓ ବିଦ୍ୟୁତ୍‌ କ୍ଷେତ୍ରର ଆଲୁମିନିୟମ ଆବଶ୍ୟକତାକୁ କମ୍ପାନି ଠିକ୍‌ ଭାବେ ପୂରଣ କରିପାରିବ ବୋଲି ସେ କହିଛନ୍ତି।

ସବୁଜ ଶକ୍ତିକୁ ନେଇ ନାଲ୍‌କୋ ଏକ ସ୍ବତନ୍ତ୍ର ସଂସ୍ଥା ଗଠନ କରିବ

ଆଲୁମିନିୟମ ପାର୍କସମ୍ପର୍କରେ ସେ କହିଥିଲେ, ଅନୁଗୋଳ ପାର୍କରେ ୫-୬ଟି ସଂସ୍ଥା କାରଖାନା ସ୍ଥାପନ କରୁଛନ୍ତି। ଜାମନଯୋଡ଼ିରେ ମଧ୍ୟ ସ୍ବତନ୍ତ୍ର ଆଲୁମିନିୟମ ଉତ୍ପାଦ ପାର୍କ କରିବା ପାଇଁ ଆମକୁ ୨-୩ ଏମ୍ଏସ୍‌ଏମ୍‌ଇ ଅନୁରୋଧ କରିଛନ୍ତି। ଉଭୟ ପାର୍କର କଞ୍ଚାମାଲ ଆବଶ୍ୟକତା ପୂରଣ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ। ସବୁଜ ଶକ୍ତିକୁ ନେଇ ନାଲ୍‌କୋ ଏକ ସ୍ବତନ୍ତ୍ର ସଂସ୍ଥା ଗଠନ କରିବ। କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବା ପାଇଁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ ମେସିନ ଲର୍ଣ୍ଣିଂ (ଏମ୍‌ଏଲ୍‌)କୁ ନାଲ୍‌କୋ ବ୍ୟାପକ ଭାବେ ବ୍ୟବହାର କରିବ ବୋଲି ଶ୍ରୀ ସିଂହ ସୂଚନା ଦେଇଥିଲେ।

୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ କମ୍ପାନିର ଆର୍ଥିକ ପ୍ରଦର୍ଶନ ସମ୍ପର୍କରେ ସୂଚନା ଦେଇ ସେ କହିଲେ, ମୋଟ୍‌ ଆୟ ୩୦% ବୃଦ୍ଧି ପାଇ ସର୍ବକାଳୀନ ସର୍ବାଧିକ ୧୧,୧୪୩ କୋଟି ଟଙ୍କା, ଏବିଟ୍‌ଡା ୫୦% ବୃଦ୍ଧି ପାଇ ୫୫୩୯ କୋଟି ଟଙ୍କା, ଟିକସ ପୂର୍ବବର୍ତ୍ତୀ ଲାଭ ୫୫% ବଢ଼ି ୫୧୬୦ କୋଟି ଟଙ୍କା ଓ ଟିକସ ପରବର୍ତ୍ତୀ ଲାଭ ୫୪% ବଢ଼ି ୩୮୩୭ ‌କୋଟି ଟଙ୍କା ହୋଇଛି। ଏହି ଅବସରରେ ନାଲ୍‌କୋର ନିର୍ଦ୍ଦେଶକ (ଉତ୍ପାଦନ) ପଙ୍କଜ ଶର୍ମା, ନିର୍ଦ୍ଦେଶକ (ପ୍ରକଳ୍ପ) ଜଗଦୀଶ ଅରୋରା, ନିର୍ଦ୍ଦେଶକ (ମାନବ ସମ୍ବଳ) ତାପସ ଅରୋରା, ନିର୍ଦ୍ଦେଶକ (ବିତ୍ତ) ଅଭୟ କୁମାର ବେହୁରିଆ ଓ ନିର୍ଦ୍ଦେଶକ (ବାଣିଜ୍ୟିକ) ଅନିଲ କୁମାର ସିଂହ ଉପସ୍ଥିତ ଥିଲେ।

୧୬ରେ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା, ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା

Read Entire Article
LEFT SIDEBAR AD

Hidden in mobile, Best for skyscrapers.