ARTICLE AD BOX
ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ଗଞ୍ଜେଇ ଚୋରା ଚାଲାଣ ପାଇଁ ଚର୍ଚ୍ଚିତ ଅଡବା ଅଞ୍ଚଳରୁ ଏବେ ବିପୁଳ ପରିମାଣର ସନ୍ଦିଗ୍ଧ ଗୁଟଖା ଚାଲାଣ ସାମ୍ନାକୁ ଆସିଛି। ବ୍ରହ୍ମପୁରରୁ ଜୟପୁର ଅଭିମୁଖେ ଯାଉଥିବା ଏକ ଗୁଟଖା ବୋଝେଇ ଟ୍ରକ୍କୁ ଅଡବା ପୁଲିସ ଜାତୀୟ ରାଜପଥ-୩୨୬ର ନମ୍ବର-୩ ନିକଟରେ ଜବତ କରିଛି। ଟ୍ରକ୍ ଚାଳକଙ୍କୁ ଅଟକ ରଖି ପଚରାଉଚରା ଚାଲିଛି।
ଆଜି ସକାଳେ ଅଡବା ପୁଲିସ ଏନ୍ଏଚ୍-୩୨୬ରେ ଗାଡ଼ି ଯାଞ୍ଚ କରୁଥିବା ବେଳେ ସନ୍ଦେହରେ ଏକ ମାଲବାହୀ ଟ୍ରକ୍କୁ ଅଟକାଇଥିଲା। ଯାଞ୍ଚ ସମୟରେ ଟ୍ରକ୍ରୁ ବିଭିନ୍ନ ପ୍ୟାକେଟ୍ ଓ ବ୍ୟାଗ୍ରେ ବହୁ ପରିମାଣର ପାନମସଲା ଓ ତମାଖୁଜାତୀୟ ସାମଗ୍ରୀ ମିଳିଥିଲା। ସାମଗ୍ରୀର ବୈଧତା ନେଇ ସନ୍ଦେହ ହେବାରୁ ପୁଲିସ ଗୁଟଖା ସମେତ ଟ୍ରକ୍ ଓ ସମ୍ପୃକ୍ତ କାଗଜପତ୍ର ଜବତ କରିଛି। ଜବତ ସାମଗ୍ରୀର ନମୁନା ସଂଗ୍ରହ କରାଯାଇ ଯାଞ୍ଚ ପାଇଁ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନିକଟକୁ ପଠାଯାଇଛି।
ସାମଗ୍ରୀ ଅସଲି କି ନକଲି, ଏହାର ବୈଧତା କ’ଣ ଏବଂ ଏହାର ଚାଲାଣ ନିୟମସମ୍ମତ କି ନୁହେଁ, ରିପୋର୍ଟ ଆସିବା ପରେ ଚିତ୍ର ସ୍ପଷ୍ଟ ହେବ। ପୁଲିସର ପ୍ରାଥମିକ ପଚରାଉଚରାରୁ ଏହି ଚାଲାଣ ବ୍ରହ୍ମପୁରରୁ ଜୟପୁର ଯାଉଥିବା ଜଣାପଡ଼ିଛି। ଏପରିକି ମାସକୁ ୩ରୁ ୪ଟି ଟ୍ରକ୍ରେ ଏଭଳି ସାମଗ୍ରୀ ଚାଲାଣ ହେଉଥିବା ନେଇ ପୁଲିସ ସୂଚନା ପାଇଥିବା ଜଣାପଡ଼ିଛି। ଯଦି ଏହି ସୂଚନା ତଦନ୍ତରେ ସତ୍ୟ ପ୍ରମାଣିତ ହୁଏ, ତେବେ ଏହା ଗୋଟିଏ ଟ୍ରକ୍ ଜବତ ଘଟଣା ନୁହେଁ, ବରଂ ନିୟମିତ ଚାଲିଥିବା ଏକ ବଡ଼ ଚାଲାଣ ନେଟୱର୍କର ସଙ୍କେତ ହୋଇପାରେ। ବ୍ରହ୍ମପୁରରୁ ଜୟପୁର ଅଭିମୁଖେ ଚାଲାଣ ହେଉଥିବା ଟ୍ରକ୍ ଅଡବା ପୁଲିସ ହାବୁଡ଼ରେ ପଡ଼ିଲା।
Illegal: ବିନା ଅନୁମତିରେ ପରିଚାଳିତ ହେଉଥିଲା ଗୁଟଖା କାରଖାନା, ୩ ଅଭିଯୁକ୍ତ ଗିରଫ
ତେବେ ପୁଲିସର ସୂଚନା ଅନୁଯାୟୀ ଯଦି ମାସକୁ ୩ରୁ ୪ଟି ଟ୍ରକ୍ରେ ଏଭଳି ଚାଲାଣ ହେଉଛି, ତାହାହେଲେ ପ୍ରଶ୍ନ ଉଠୁଛି ଏତେ ଦିନ ଧରି ବ୍ରହ୍ମପୁରରୁ ବାହାରକୁ ଏଭଳି ଚାଲାଣ ହେଉଥିଲେ ମଧ୍ୟ ବ୍ରହ୍ମପୁର ପୁଲିସ ଏ ସମ୍ପର୍କରେ କିଛି ଜାଣିପାରୁନଥିଲା କି? ନା ଜାଣି ମଧ୍ୟ ଅଜଣା ସାଜିଥିଲା? ଚାଲାଣର ମୁଖ୍ୟ କାର୍ପଟଦାର କିଏ, ସାମଗ୍ରୀ କେଉଁଠାରୁ ଆସୁଥିଲା, କାହା ନିକଟକୁ ଯାଉଥିଲା ଏବଂ ଏହି ନେଟୱର୍କରେ ଆଉ କେଉଁମାନେ ସମ୍ପୃକ୍ତ , ସେନେଇ ଅଡବା ପୁଲିସ ତଦନ୍ତ ଜାରି ରଖିଛି। ନମୁନା ପରୀକ୍ଷା ଓ ତଦନ୍ତ ରିପୋର୍ଟ ଆଧାରରେ ସମ୍ପୃକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଡବା ଥାନା ଅଧିକାରୀ ସନ୍ତୋଷ ବିଶୋଈ ସୂଚନା ଦେଇଛନ୍ତି।

2 days ago
5


