Govardhan Puja: ଗୋବର୍ଦ୍ଧନ ପୂଜାରେ ଅଜବ ପରମ୍ପରା, ଗାଈ ଭଳି ପାଣି ପିଇ ମୌନବ୍ରତ ରଖନ୍ତି ଲୋକେ

2 days ago 2
ARTICLE AD BOX

ଝାନ୍ସୀ: ଭାରତରେ ବିଭିନ୍ନ ପର୍ବପର୍ବାଣୀ ସହ ଅନେକ ଅଜବ ଓ ନିଆରା ପରମ୍ପରା ଜଡ଼ିତ ରହିଛି। ଏପରି ଏକ ଅନନ୍ୟ ପରମ୍ପରା ରହିଛି ଉତ୍ତରପ୍ରଦେଶର ବୁନ୍ଦେଲଖଣ୍ଡ ଅଞ୍ଚଳରେ। ଗୋବର୍ଦ୍ଧନ ପୂଜା ଅବସରରେ ଏଠାକାର ଲୋକମାନେ ମୌନିଆ ବା ଦିୱାରୀ ନୃତ୍ୟ ପରମ୍ପରା ପାଳନ କରନ୍ତି। ଏହି ପରମ୍ପରାରେ ସାମିଲ ହେଉଥିବା ଲୋକମାନେ ପ୍ରଥମେ ଗାଈ ଭଳି ନଇଁ ଥାଳିରେ ରଖାଯାଇଥିବା ପାଣି ପିଇଥାନ୍ତି। ଏହାପରେ ମୌନବ୍ରତ ଧାରଣ କରି ଗାଁ ଗାଁ ବୁଲିବାକୁ ବାହାରନ୍ତି।

ଏହି ପରମ୍ପରାର ଆରମ୍ଭ ଗୋବର୍ଦ୍ଧନ ପୂଜା ଦିନ ସକାଳୁ ହୋଇଥାଏ। ମୌନିଆ ହେବାକୁ ଥିବା ବ୍ୟକ୍ତିମାନେ ସ୍ନାନ ଓ ପୂଜାର୍ଚ୍ଚନା କରିବା ପରେ ଏକ ଥାଳିରେ ରଖାଯାଇଥିବା ପାଣିକୁ ଗାଈ ଭଳି ନଇଁ ପିଇଥାନ୍ତି। ଏହାପରେ ସେମାନେ କଥା ନକହିବାର ସଂକଳ୍ପ ନେଇ ନିଜ ନିଜ ଦଳ ସହ ଗାଁ ପରିକ୍ରମାରେ ବାହାରନ୍ତି। ଏହି ସମୟରେ ସେମାନେ ପାରମ୍ପରିକ ପୋଷାକ ପିନ୍ଧିବା ସହ ମୁଣ୍ଡରେ ମୟୂର ପର ଲଗାଇଥାନ୍ତି।

ଚାଳନା ସହ ନୃତ୍ୟ ପରିବେଷଣ
ମୌନିଆ କଳାକାରଙ୍କ ହାତରେ ଲାଠି ଥିବାବେଳେ ଅଣ୍ଟାରେ ଘୁଙ୍ଗୁର ଓ କଉଡ଼ିରେ ସଜ୍ଜିତ ପୋଷାକ ରହିଥାଏ। ସେମାନେ ଲାଠି ଚାଳନା ସହ ଦିୱାରୀ ଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରନ୍ତି। ନିଜର ସଂକଳ୍ପ ଅନୁସାରେ ପାଞ୍ଚ, ସାତ କିମ୍ବା ଏଗାରଟି ଗାଁ ପରିକ୍ରମା କରିଥାନ୍ତି। ଏହି ଯାତ୍ରା ଶେଷ ନହେବା ପର୍ଯ୍ୟନ୍ତ ସେମାନେ ମୌନବ୍ରତ ପାଳନ କରନ୍ତି।

ଶ୍ରୀକୃଷ୍ଣଙ୍କ ଗୋବର୍ଦ୍ଧନ ଲୀଳା
ଏହି ନୃତ୍ୟ ପରମ୍ପରାର ସମ୍ପର୍କ ଭଗବାନ ଶ୍ରୀକୃଷ୍ଣଙ୍କ ଗୋବର୍ଦ୍ଧନ ଲୀଳା ସହ ଜଡ଼ିତ ବୋଲି ଲୋକବିଶ୍ୱାସ ରହିଛି। ମାନ୍ୟତା ଅନୁସାରେ, ଯେତେବେଳେ ଶ୍ରୀକୃଷ୍ଣ ଗୋବର୍ଦ୍ଧନ ପର୍ବତ ଉଠାଇ ଗୋକୁଳବାସୀଙ୍କୁ ରକ୍ଷା କରିଥିଲେ, ସେତେବେଳେ ତାଙ୍କ ଗୋପବାଳକ ସାଥୀମାନେ ଖୁସିରେ ନୃତ୍ୟ କରିଥିଲେ। ଆଉ ଏକ ଲୋକକଥା ଅନୁସାରେ, ଗୋପବାଳକମାନେ ଲାଠି ସାହାଯ୍ୟରେ ଶ୍ରୀକୃଷ୍ଣଙ୍କୁ ସହଯୋଗ କରିଥିଲେ। ଏହି ବିଶ୍ୱାସରୁ ମୌନିଆ ନୃତ୍ୟର ପରମ୍ପରା ଆରମ୍ଭ ହୋଇଥିବା କୁହାଯାଏ।

ଦେଖନ୍ତୁ ଗଙ୍ଗା ଘାଟର ବିରଳ ଭିଡିଓ

ବର୍ତ୍ତମାନ ଏହି ପରମ୍ପରା କେବଳ ଗାଁ ମଧ୍ୟରେ ସୀମିତ ନାହିଁ। ଝାନ୍ସୀର ଐତିହାସିକ ଦୁର୍ଗ ନିକଟରେ ମଧ୍ୟ ମୌନିଆ ଦଳ ପହଞ୍ଚି ନୃତ୍ୟ ପରିବେଷଣ କରୁଛନ୍ତି। ଏହାସହ କିଛି ଦଳ ପ୍ରୟାଗରାଜ, ମଥୁରା ଓ ଚିତ୍ରକୂଟ ଭଳି ଧାର୍ମିକ ସ୍ଥାନକୁ ମଧ୍ୟ ଯାତ୍ରା କରନ୍ତି। ଅନେକ ଦଳ ନିଜର ଯାତ୍ରା ଶେଷରେ ଓରଛାର ରାମରାଜା ମନ୍ଦିରରେ ପହଞ୍ଚି ଭଗବାନଙ୍କ ସମ୍ମୁଖରେ ନୃତ୍ୟ ପରିବେଷଣ କରିବା ପରେ ମୌନବ୍ରତ ଭଙ୍ଗ କରନ୍ତି। ଆଧୁନିକତାର ଯୁଗରେ ମଧ୍ୟ ଏହି ପରମ୍ପରାକୁ ନୂଆ ପିଢ଼ି ଆଗକୁ ବଢ଼ାଇବା ବୁନ୍ଦେଲଖଣ୍ଡର ସମୃଦ୍ଧ ଲୋକସଂସ୍କୃତିର ଏକ ସୁନ୍ଦର ଉଦାହରଣ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.