ARTICLE AD BOX
ଭୁବନେଶ୍ବର: ଆଜି ଅପରାହ୍ନ ପ୍ରାୟ ୪ଟା ୪୫ମିନିଟ୍ରେ ୟୁନିଟ-୨ ମାର୍କେଟ ବିଲ୍ଡିଂସ୍ଥିତ ଏକ ଡ୍ରେସ୍ ଦୋକାନରେ ବିସ୍ଫୋରଣ ଘଟିଛି। ଏସି କମ୍ପ୍ରେସର୍ରେ ଗ୍ୟାସ୍ ଭର୍ତ୍ତି ବେଳେ ଏହି ଅଘଟଣ ଘଟିଥିବା ଅଗ୍ନିଶମ ବାହିନୀର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବିସ୍ଫୋରଣରେ ୨ ଏସି ମେକାନିକ୍ କୋଣାର୍କର ଅନୀଲ କୁମାର ମହାରଣା ଓ ଟୁଲୁ ଦାସ ଗୁରୁତର ଭାବେ ଆହତ ହୋଇଛନ୍ତି। ଅନୀଲଙ୍କର ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଛି ଏବଂ ଟୁଲୁଙ୍କର ଡାହାଣ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଉଭୟଙ୍କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ ନିଆଯାଇଥିଲା। ମାତ୍ର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏସି ମେକାନିକ୍ ଅନୀଲ ଓ ତାଙ୍କ ସହଯୋଗୀ ଟୁଲୁ ଭୁବନେଶ୍ବରର ଏକ ଘରୋଇ ଏସି ରିପାୟାରିଂ ସଂସ୍ଥାରେ କାମ କରନ୍ତି। ମାର୍କେଟ ବିଲ୍ଡିଂସ୍ଥିତ ଡ୍ରେସ୍ ଦୋକାନ ‘କଳା ନିକେତନ’ର ଖରାପ ଏସି ସଜାଡ଼ିବା ପାଇଁ ଅପରାହ୍ନ ପ୍ରାୟ ୪ଟା ବେଳେ ଉଭୟ ପହଞ୍ଚି ଏସିର କମ୍ପ୍ରେସର୍ରେ ଗ୍ୟାସ୍ ଭର୍ତ୍ତି କରିବା ବେଳେ ହଠାତ୍ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ମାତ୍ରା ଏତେ ପ୍ରଚଣ୍ଡ ଥିଲା ଯେ ପାଖ ଦୋକାନଗୁଡ଼ିକ ଥରିଉଠିଥିଲା। ପରେ ସ୍ଥାନୀୟ ଦୋକାନୀମାନେ କଳାନିକେତନ ପଛପଟକୁ ଆସି ଦେଖିବାରୁ ଆଉଟଡୋର୍ ୟୁନିଟ୍ରେ ଅନୀଲଙ୍କ ମୁଣ୍ଡ ଚାପି ହୋଇଥିବା ଦେଖିଥିଲେ। ତାଙ୍କ ସହଯୋଗୀ ଟୁଲୁଙ୍କର ଡାହାଣ ଆଖି ପଦାକୁ ବାହାରି ପଡ଼ିଥିଲା। ଦୋକାନୀମାନେ କୌଣସି ମତେ ଉଭୟଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା କରି ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ଏମ୍ସ ସ୍ଥାନାନ୍ତର କରାଯାଇଛି। ଅପରପଟେ କ୍ୟାପିଟାଲ୍ ଥାନା ପୁଲିସ ସ୍ଥାନୀୟ ଦୋକାନୀଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରି ବିସ୍ଫୋରଣର କାରଣ ଜାଣିବାକୁ ଚେଷ୍ଟା ଚଳାଇଛି। ସେହିଭଳି ଅଗ୍ନିଶମ ବାହିନୀର ଡେପୁଟି ଫାୟାର ଅଫିସର ନାରାୟଣ ଦାସ କହିଛନ୍ତି, ବିସ୍ଫୋରଣ ଖବର ଶୁଣି ଆମେ ଅଗ୍ନିଶମ ବାହିନୀ ପଠାଇଥିଲୁ। ମାତ୍ର ସେତେବେଳକୁ ଗୁରୁତରଙ୍କୁ ଉଦ୍ଧାର କରାଯାଇସାରିଥିଲା।

50 minutes ago
2


