Gadagada College: ଗଡ଼ଗଡ଼ା କଲେଜର କୁଞ୍ଜବନ

4 days ago 6
ARTICLE AD BOX

ସତ୍ୟନାରାୟଣ ଗନ୍ତାୟତ

ରିଟାୟାର୍ଡ ହୋଇ ଏଇନେ ଆମ ପୈତୃକ ଗଡ଼ଗଡ଼ା ସହରକୁ ଆସି ରହୁଥିବା ପରମ ମିତ୍ର ବାବୁରାଓ ସେଦିନ ଫୋନ କରି କହିଲା ଯେ ବହୁ ବର୍ଷ ପରେ, ସେ ତା’ ଝିଆରୀର କଲେଜ ଆଡମିସନ ପାଇଁ ଗଡ଼ଗଡ଼ା କଲେଜକୁ ଯାଇଥିଲା। କହି ରଖେ ଯେ ସେଠି ଏକଦା ଆମେ ସମସ୍ତେ ପଢୁଥିଲୁ। ବାବୁରାଓ କହିଲା ଯେ ସେଠି ପହଞ୍ଚି ଦେଖେ ତ ଆମ ବେଳର କୁଞ୍ଜବନ ଆଉ ନାହିଁ। ତା’ ସ୍ଥାନରେ ବଡ଼ ବଡ଼ ବିଲଡିଂ ସହିତ କଂକ୍ରିଟ ବନ ବିରାଜୁଛି। 
ଆମର ମନେ ପଡ଼ିଗଲା କୁଞ୍ଜବନ ବନ କଥା। ‘ଗଡ଼ଗଡ଼ା କଲେଜ’ରେ ପଦାର୍ପଣ କରିବା ମାତ୍ରେ ଯାହା ନଜରକୁ ଆକର୍ଷଣ କରୁଥିଲା, ତାହା ଥିଲା ଆମ୍ବ, ବକୁଳ, ଛୁରିଅନା ଓ କଦମ୍ବାଦି ବୃକ୍ଷରେ ଭରା ଏକ ବିରାଟ ଉଦ୍ୟାନ। ତାହା ଥିଲା କୁଞ୍ଜବନ। ସେଠାରେ ସ୍ଥାନେ ସ୍ଥାନେ ଥିବା ଦି’ ଜଣ ବସିପାରିବା ଭଳି ସିମେଣ୍ଟ ବେଞ୍ଚମାନ ଥିଲା, ଯାହା ଉପରେ ପୁଅଟିଏ ସହ ଝିଅଟିଏ ବସି ଯୋଡ଼ିଯାଉଁଳି ହୋଇ ଗପସପ, ହସାହସି ଓ ବେଳେବେଳେ କନ୍ଦାକନ୍ଦି ବି ହେଉଥିଲେ। 
ଆମେ କଲେଜ ଯିବାର କିଛି ଦିନ ଭିତରେ ଆମମାନଙ୍କ ମଧ୍ୟରୁ ଅନେକ କୁଞ୍ଜବନରେ ଗୁଞ୍ଜରିତ ନାନା ଜାତି ଖବରମାନ ପରିବେଷଣ କରିବା ସୁରୁ କରିଦେଇଥିଲେ। ତହିଁରୁ ସହରରେ ହଇଚଇ କଲା ଭଳି ଥିଲା ଏଇଟି। ଏକାଦଶ ଶ୍ରେଣୀ ପରୀକ୍ଷାରେ ଦୁଇ ଥର ଫେଲ ହୋଇ ଯେନତେନ ପ୍ରକାରେଣ ମାଟ୍ରିକ ପାସ୍ କରି କଲେଜ ମାଡ଼ିଥିବା ଜଣେ ଭାଇନା କୁଆଡ଼େ କଲେଜରେ ପଶୁ ପଶୁ ଫାଷ୍ଟ ଡିଭିଜନରେ ମାଟ୍ରିକ ପାସ୍ କରି ଆଇଏ ଶ୍ରେଣୀରେ ପଢ଼ା ଆରମ୍ଭ କରିଥିବା ଜନୈକା ନାନୀଙ୍କୁ ଆଖେଇ, କ୍ରମେ ପାଖେଇ ଆସିବାର ଉପକ୍ରମ କଲାରୁ କଲେଜ-କୁଇନ ଜାତୀୟା ନାନୀ ଜଣକ ଏ ଭାଇନାଙ୍କୁ ଦିନେ କୁଞ୍ଜବନର ଗୋଟେ ସିମେଣ୍ଟ ବେଞ୍ଚରେ ବସିବା ଲାଗି ଡାକି ନେଇଥିଲେ। ତା’ ପରେ ନାନୀ ତାଙ୍କୁ ଶୁଣାଇ ଦେଇଥିଲେ ଯେ ଭାଇନା ଜଣକ ଭଲ ପଢ଼ାପଢ଼ି କରି ଫାଷ୍ଟ ଡିଭିଜନରେ ଆଇଏ ଓ ବିଏ ପାସ କରିବାର ଲକ୍ଷ୍ୟ ରଖନ୍ତୁ। ସେଥିରେ ସଫଳ ହେବା ପରେ ଯାଇ ଯୋଉ କଥା। ଏହା ଶୁଣିବା ଦିନୁ ଆମ ଭାଇନା ପୂରା ସାଇଜ ହୋଇଯାଇଥିଲେ ଓ ନାନୀଙ୍କୁ ହାସଲ କରିବା ଲାଗି କେବଳ ପଢ଼ାପଢ଼ି ନୁହେଁ; ଅଭିନୟ ସହ ବ୍ୟାଡ୍‌ମିଣ୍ଟନ ଆଦି ସବୁଥିରେ ନମ୍ବର ୱାନ ହୋଇ ଯାଇଥିଲେ। ଏଭଳି ପ୍ରେମ ଓ ପ୍ରେରଣାର କାହାଣୀ ଏବେ ବି ଗଡ଼ଗଡ଼ା ଲୋକେ କହନ୍ତି। କୁଞ୍ଜବନ ଥିଲା ତା’ର ମୂକ ସାକ୍ଷୀ। ସମସ୍ତେ ଜାଣି ରଖନ୍ତୁ, ସେଇ ଭାଇନା ଓ ନାନୀ ପରେ ପରସ୍ପରକୁ ପାଇ ସୁଖୀ ଜୀବନ କାଟିଲେ। 
ବାବୁରାଓ ସେ ଦିନ କୁଞ୍ଜବନର ଗାଥା ଶୁଣାଉଥିବା ବେଳେ ଆମ ସମୟର କଲେଜ ଇଲେକ୍‌ସନ କଥା ମନେ ପକାଇ ଦେଲା। ସେ ସମୟରେ କଲେଜର ଶ୍ରେଷ୍ଠ ଅଭିନେତା ଭାବେ ସର୍ବସ୍ବୀକୃତ ବିଶାଳ ବପୁଧାରୀ ଭାଇନା ଜଣକ ନାଟ୍ୟ ସଂସଦ ସମ୍ପାଦକ ପଦ ପାଇଁ ନାନାଦି ପ୍ରଚାର କରି ହାଲିଆ ହେବାକୁ ବସିଥିବାବେଳେ ନିର୍ବାଚନରେ ତାଙ୍କ ପ୍ରତିଦ୍ବନ୍ଦ୍ବୀ, ଆଉ ଜଣେ ସୌମ୍ୟଦର୍ଶନ ଭାଇନା, କିଛି ପ୍ରଚାର ନ କରି, ନିର୍ବାଚନର ମାତ୍ର ଦୁଇ ଦିନ ପୂର୍ବରୁ, ହାତରେ ବଂଶୀଟିଏ ଧରି ପହଞ୍ଚି ଯାଇଥିଲେ କୁଞ୍ଜବନରେ। ସେଠି ଗୋଟିଏ କଦମ୍ବ ଗଛ ମୂଳରେ ଥିବା ବେଞ୍ଚରେ ବସି ସେ ତାଙ୍କ ବଂଶୀରେ ଅନେକ ସିନେମା ଗୀତର ଧୁନ ବଜାନ୍ତେ, ସେଠି ରୁଣ୍ଡ ହୋଇଯାଇଥିଲା ପୂରା କଲେଜ। ବହୁତ ଫରମାଇସି ଗୀତ ବଜାଇବା ପରେ ବଂଶୀ ବାଦକ ଭାଇନା ସବା ଶେଷରେ ଗୋଟିଏ ଧାଡ଼ିରେ ତାଙ୍କୁ ଭୋଟ ଦେବାକୁ ଅନୁରୋଧ କରି ବିପୁଳ ଭୋଟ ପାଇ ନିର୍ବାଚନ ଜିଣି ଯାଇଥିଲେ। 
ଏମିତି ଗପୁଗପୁ ପ୍ରଗଳ୍‌ଭ ହୋଇ ଯାଇଥିଲା ବାବୁରାଓ। ଏତିକି ବେଳେ ମୁଁ କହିଲି, ଏବେ ମୋଠୁ ଶୁଣ ବନ ମହୋତ୍ସବ ରଚନା ବିଷୟ। ବାବୁ ରାଓ ଶୁଣୁ ଶୁଣୁ ହସି ଉଠିଲା। କଥାଟି ଥିଲା ଏମିତି: ନେତୃସ୍ଥାନୀୟ ଭାଇନା ଜଣକ କଲେଜ ଇଲେକ୍‌ସନରେ ସଭାପତି ପଦ ପାଇଁ ଲଢ଼ିବା ନାଁରେ ପଢ଼ାପଢ଼ି କରୁ ନ ଥିଲେ। ତ ତ୍ରୈମାସିକ ପରୀକ୍ଷାରେ ବନ ମହୋତ୍ସବ ବିଷୟରେ ପ୍ରବନ୍ଧ ଲେଖିବା ପାଇଁ ପ୍ରଶ୍ନ ଦେଖି ସେ ଏମିତି ଲେଖିଥିଲେ: ମୋ ଭଳି ଗଡ଼ଗଡ଼ା କଲେଜ ଛାତ୍ର ପାଇଁ ବନ ବୋଇଲେ ଆମ କୁଞ୍ଜବନ। ଆଉ ସେଠି ଏମିତି ବର୍ଷରେ ସବୁ ଦିନ ଏତେ ମହୋତ୍ସବ ହେଉଥାଏ ଯେ ବର୍ଣ୍ଣନା କରି ହେବ ନାହିଁ। ତଥାପି ସାର୍‌ଙ୍କୁ ସନ୍ତୁଷ୍ଟ କରି ମାର୍କ ପାଇବା ଆଶାରେ ସେହି ମହୋତ୍ସବ ମଧ୍ୟରୁ କିଛି ଏଠାରେ ଲେଖୁଛି। ତା’ ପରେ ରଚନାଟି ଥିଲା କୁଞ୍ଜବନରେ ହେଉଥିବା ଯାବତ ଉତ୍ପାତ ଓ ହରକତର କଥାରେ ଭରପୂର। ତାଙ୍କ ଦ୍ବାରା ଲିଖିତ ରଚନା ବିଷୟଟି କେମିତି ପ୍ରଘଟ ହେଲା କେଜାଣି, ସହରର ସବୁ ଗୁଲିଖଟି ଆସରକୁ ତାହା ଯେମିତି ଭାଇରାଲ ହୋଇଗଲା। ଏବେ ବି ରଚନା ଲେଖା କଥା ପଡ଼ିଲେ ଗଡ଼ଗଡ଼ା ସହରରେ ସେହି ରଚନାର ଉଦାହରଣ ଦିଆଯାଏ। 
ବାବୁରାଓ ବହୁ ବର୍ଷ ପରେ କଲେଜ ଯାଇ କୁଞ୍ଜବନକୁ ନ ଦେଖି ହତାଶ ହେଲା ଭଳି ଲାଗୁଥିଲା। ଫୋନ ରଖିବା ଆଗରୁ ସେ ଦାର୍ଶନିକ ଭଳି କହିଲା- ବୁଝିଲୁ ସତ୍ୟେନ୍ଦୁ, ତୁ ତ କବି ଲୋକ। ତୁ ବୁଝିପାରିବୁ। ଗଡ଼ଗଡ଼ା କଲେଜରୁ ଆଉ କାହାଣୀ ଆସିବ ନାହିଁ। କୁଞ୍ଜବନଟିଏ ନ ଥିଲେ ଗପ ଆସିବ କୁଆଡୁ?
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୯୦୯୬୭୫

Read Entire Article
LEFT SIDEBAR AD

Hidden in mobile, Best for skyscrapers.