ARTICLE AD BOX
ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ବାତ୍ୟ ‘ଅର୍ଣ୍ଣବ’ର ପ୍ରଭାବରେ ଜିଲ୍ଲା ଏକ ପ୍ରକାର ଜଳମଗ୍ନ ହୋଇଗଲା। ଆଜି ବର୍ଷା ଛାଡିବା ପରେ ପାଣି କମିଛି। କିନ୍ତୁ ଲୋକଙ୍କର ଦୁର୍ଦଶା ବଢିଯାଇଛି। ଜମି, ଘରେ ଓ ଗାଁରେ ପାଣି ପଶିଥିବାରୁ ଲୋକେ ନିଜର ବହୁ ଜିନିଷ ବାହାର କରିପାରିନଥିଲେ। ଏବେ ପାଣି କମିବା ପରେ ସେଗୁଡିକକୁ ଖୋଜୁଥିବା ଦେଖିବାକୁ ମିଳିଛି। ସେହିପରି ପୋଲଗୁଡିକ ଉପରୁ ପାଣି କମିବା ପରେ ପୋଲଗୁଡିକର ଅବସ୍ଥା ଶୋଚନୀୟ ହୋଇପଡିଛି।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଜନିତ ପ୍ରବଳ ବର୍ଷା ପରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି, ଯେଉଁଠାରେ ଜିଲ୍ଲାବାସୀଙ୍କୁ ଏକ ଆଶ୍ୱାସନାପୂର୍ଣ୍ଣ ସକାରାତ୍ମକ ବାର୍ତ୍ତା ଦେଇଛନ୍ତି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ।
ଗତକାଲି ରାତିରୁ ଜିଲ୍ଲାରେ ବର୍ଷାର ପରିମାଣ ଯଥେଷ୍ଟ କମିଯାଇଛି ଏବଂ ବନ୍ୟା ସ୍ଥିତିରେ ଦ୍ରୁତ ସୁଧାର ଆସିବା ସହ ସମସ୍ତ ପରିସ୍ଥିତି ଏବେ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ଗତ ୨୩ ରୁ ୨୫ ମଧ୍ୟରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି, କାଲିମେଳା, ମାଥିଲି, ମୋଟୁ, ଖଇରପୁଟ, ଚିତ୍ରକୋଣ୍ଡା, କୋରୁକୋଣ୍ଡା ଏବଂ ପଡ଼ିଆ ଭଳି ୭ଟି ବ୍ଲକ ଓ ୭ଟି ତହସିଲ ପ୍ରଭାବିତ ହୋଇଥିଲା।
ଏହି ସମୟ ମଧ୍ୟରେ ସମୁଦାୟ ୮୬ଟି ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି, ଯେଉଁଥିରେ ୮୫ଟି କଚ୍ଛା ଘର ଏବଂ ୧ଟି ପକ୍କା ଘର ସାମିଲ ଅଛି, ଏବଂ ପ୍ରଶାସନ ପକ୍ଷରୁ ତୁରନ୍ତ ୩୨୪ ରୋଲ୍ ପଲିଥିନ୍ ସିଟ୍ ବିତରଣ କରାଯାଇଛି। ବର୍ଷା ଯୋଗୁଁ ୪୬ଟି ବିଦ୍ୟୁତ ଖୁଣ୍ଟ ଏବଂ ୧୨ଟି ଟ୍ରାନ୍ସଫର୍ମର ପ୍ରଭାବିତ ହେବା ଫଳରେ ପ୍ରାୟ ୧୨,୦୦୦ ଗ୍ରାହକ ପ୍ରଭାବିତ ହୋଇଛନ୍ତି ଏବଂ ଏହା ସହିତ ୧୫ଟି ଗ୍ରାମ୍ୟ ରାସ୍ତା ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନ୍ୟାନ୍ୟ କ୍ଷୟକ୍ଷତିର ଆକଳନ ଜାରି ରହିଛି। ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାରେ ଜାତୀୟ ରାଜପଥ-୩୨୬ ର ୫ଟି ପୋଲ ସମେତ ସମୁଦାୟ ୧୮ଟି ପୋଲ ପାଣିରେ ବୁଡ଼ି ରହିଥିଲା, ମାତ୍ର ବର୍ତ୍ତମାନ ପାଗ ସଫା ହେବା ପରେ ସମସ୍ତ ପୋଲ ଉପରୁ ବନ୍ୟା ଜଳ ସମ୍ପୂର୍ଣ୍ଣ କମିଯାଇଛି ଏବଂ ଯାତାୟାତ ସ୍ୱାଭାବିକ କରିବା ପାଇଁ ସବୁଗୁଡ଼ିକୁ ଖୋଲି ଦିଆଯାଇଛି।
Flood: ସୁବର୍ଣ୍ଣରେଖାରେ ଚତୁର୍ଥ ବନ୍ୟା, ଉତ୍ତର ବାଲେଶ୍ୱରର ୪ ବ୍ଲକର ୧୫୪ ଗାଁ ଜଳମଗ୍ନ
ବିପଦପୂର୍ଣ୍ଣ ଅଞ୍ଚଳରୁ ପ୍ରଶାସନ ଦ୍ୱାରା ୨,୪୦୯ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି ଏବଂ ସେମାନଙ୍କୁ ୨୫ଟି ମାଗଣା ରୋଷେଇ କେନ୍ଦ୍ର ଜରିଆରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ଥିବା ବେଳେ ବର୍ତ୍ତମାନ ୧୭୧ ଜଣ ଗର୍ଭବତୀ ମହିଳା ମା ଗୃହରେ ସୁରକ୍ଷିତ ଭାବେ ଆଶ୍ରୟ ନେଇଛନ୍ତି ଏବଂ ଅନ୍ୟ ୩ ଜଣ ଗର୍ଭବତୀ ମହିଳାଙ୍କୁ ଏକ ବିକଳ୍ପ ସଡ଼କ ପଥ ଦେଇ ସଫଳତାର ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। କ୍ଷେତ୍ରରେ ହୋଇଥିବା ଫସଲ ହାନିର ଆକଳନ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଥିବା ବେଳେ ଜରୁରୀକାଳୀନ ଭିତ୍ତିରେ ୪୩ଟି ଗୃହପାଳିତ ପଶୁଙ୍କୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସ୍ୱାସ୍ଥ୍ୟ ସ୍ଥିତି ଉପରେ ନଜର ରଖିବାକୁ ସମସ୍ତ ବ୍ଲକ ଅଞ୍ଚଳରେ ୨୨ଟି ସ୍ୱତନ୍ତ୍ର ମେଡିକାଲ ଟିମ୍ ନିୟୋଜିତ ହୋଇଛନ୍ତି।
ସୁରକ୍ଷା ଓ ଉଦ୍ଧାର କାର୍ଯ୍ୟ ପାଇଁ ଜିଲ୍ଲାରେ ୨ଟି ଓଡ୍ରାଫ୍ ଟିମ୍, ବିପଦପୂର୍ଣ୍ଣ ସ୍ଥାନରେ ୭ଟି ଅଗ୍ନିଶମ ବାହିନୀ ଟିମ୍ ଏବଂ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଏହା ସହିତ ଆନ୍ତଃ-ରାଜ୍ୟ ସହଯୋଗର ଏକ ଅନନ୍ୟ ଉଦାହରଣ ସ୍ୱରୂପ ଛତିଶଗଡ଼ ସରକାରଙ୍କ ଅନୁରୋଧ କ୍ରମେ ସୁକମା କଲେକ୍ଟରଙ୍କ ଆହ୍ୱାନ ରକ୍ଷା କରି ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ୧ଟି ଅଗ୍ନିଶମ ଦଳକୁ ସୁକମା ଜିଲ୍ଲାର ଓଲେର୍ ଗ୍ରାମ ପଞ୍ଚାୟତକୁ ଉଦ୍ଧାର ଓ ଜରୁରୀକାଳୀନ ଭିତ୍ତିଭୂମିର ପୁନରୁଦ୍ଧାର କାର୍ଯ୍ୟ ପାଇଁ ପଠାଯାଇଛି ଏବଂ ସେଠାରେ ବର୍ତ୍ତମାନ କାର୍ଯ୍ୟ ଜାରି ରହିଛି। ଖରାପ ପାଗ ଓ ରାସ୍ତା ସ୍ଥିତି ଯୋଗୁଁ ଗୋବିନ୍ଦପାଲ୍ଲୀଠାରେ ଅଟକି ରହିଥିବା ପ୍ରାୟ ୧୨୦ଟି ଟ୍ରକର ଚାଳକ, ହେଲ୍ପର ଏବଂ ବସ୍ ଚାଳକ ଓ କର୍ମଚାରୀମାନଙ୍କୁ ପ୍ରଶାସନ ପକ୍ଷରୁ ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ, ବିଶୁଦ୍ଧ ପିଇବା ପାଣି ବୋତଲ ସହିତ ସମ୍ପୂର୍ଣ୍ଣ ପୋଲିସ ସୁରକ୍ଷା ଯୋଗାଇ ଦିଆଯାଇଥିଲା ଏବଂ ବର୍ତ୍ତମାନ ସ୍ଥିତିରେ ସୁଧାର ଆସିବା ପରେ ସେହି ରୁଟ୍କୁ ଯାତାୟାତ ପାଇଁ ସମ୍ପୂର୍ଣ୍ଣ ଭାବେ ଖୋଲି ଦିଆଯାଇଛି।

3 hours ago
1


