ARTICLE AD BOX
ବରୀ (ସଂଜୟ ବେହେରା):ଯାଜପୁରଜିଲ୍ଲା ବରୀରେ ଦ୍ୱିତୀୟ ବନ୍ୟାକୁ ନେଇ ଛନକା ପଶିଛି। ଗତ ଜୁଲାଇ ୩୦ରେ ପ୍ରଥମ ବନ୍ୟା ଜଳ ପ୍ରବେଶ କରି ବନ୍ୟା ଛାଡ଼ିବାର ଦୁଇ ସପ୍ତାହ ହୋଇଥିବା ବେଳେ ଏବେ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ପୁଣି ସମାନ ଚିନ୍ତା ପଶିଛି।
ବରୀରେ ଉଭୟ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ବନ୍ୟାଜଳ ବଢୁଥିବା ବେଳେ ରେଙ୍ଗାଲିର ତୃତୀୟ ଗେଟ୍ ଖୋଲିଲେ ବରୀରେ ପ୍ରଥମ ବନ୍ଯା ଠାରୁ ଦ୍ୱିତୀୟ ବନ୍ୟା ଅଧିକ ହେବ ସୁନିଶ୍ଚିତ ବୋଲି ସୂଚନା ମିଳିଛି। ପ୍ରଥମ ବନ୍ୟାରେ ବରୀବାସୀ ବ୍ୟାପକ ଭାବେ ପ୍ରଭାବିତ ହୋଇଥିବା ବେଳେ ପୁରା ଚାଷୀ କୁଳ ଭାଙ୍ଗି ପଡ଼ିଛି। ଏବେ ପୁଣି ଦ୍ୱିତୀୟ ବନ୍ୟା ବରୀବାସୀଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି। ବ୍ରାହ୍ମଣୀ ନଦୀର ପ୍ରଥମ ବନ୍ୟାରେ ବରୀର ବାଙ୍କସାହି ଠାରେ ୨୫୯ ଫୁଟର ଘାଇ ହୋଇଥିବା ବେଳେ ବ୍ୟାପକ କ୍ଷତି କରିଥିଲା। ଏଯାବତ ଉକ୍ତ ଘାଇ ର ଅସ୍ଥାୟୀ ବନ୍ଧ ନିର୍ମାଣ କାମ ସଂପୂର୍ଣ୍ଣ ହୋଇନଥିବା ବେଳେ ଏବେ ବନ୍ୟା ଜଳ ପୁଣି ଆସି ଅସ୍ଥାୟୀ ବନ୍ଧରେ ଲାଗିଲାଣି।
ସେହିପରି ଅରୁଆଳ, ଚନ୍ଦନପୁର ଠାରେ ହୋଇଥିବା ୧୫୦ ଫୁଟ ଘାଇରେ ବି ଆଜି ଯାଏ ଜଳ ସମ୍ପଦ ବିଭାଗ ଅସ୍ଥାୟୀ ବନ୍ଧ ନିର୍ମାଣ ସଂପୂର୍ଣ୍ଣ କରିପାରି ନଥିବାରୁ ଏବେ ଅରୁଆଳ ଠାରେ ଥିବା ଘାଇର ଅସ୍ଥାୟୀ ବନ୍ଧ ବୁଡ଼ି ପାଣି ଚାଲିବା ଆରମ୍ଭ ହେଲାଣି। ଏପଟେ ଖରସ୍ରୋତାର ନଦୀଜଳ ବଢୁଥିବା ବେଳେ ବରୀ କଳାମାଟିଆ ମୁଖ୍ୟରାସ୍ତା ବାଲିବିଲି ସାଇ ମନ୍ଦିର ନିକଟରେ ଅପରାହ୍ନ ସୁଧା ୩ ଫୁଟ ଉଚ୍ଚର ବନ୍ୟାଜଳ ପ୍ରଭାବିତ ହେଉଛି ଫଳରେ ବରୀ କାଇପଡ଼ା ଯାତାୟାତ ବନ୍ଦ ହୋଇ ଯାଇଛି।
Baitarani Flood: ବୈତରଣୀରେ ଚତୁର୍ଥ ବନ୍ୟା: ୬ଟି ଗାଁ ସମ୍ପୂର୍ଣ ଜଳମଗ୍ନ
ସେପଟେ ବରୀ ବ୍ଲକ ପ୍ରଶାସନ ପ୍ରଥମ ବନ୍ୟାରେ କ୍ଷୟ କ୍ଷତି ଆକଳନ କରି ପାରି ନଥିବା ବେଳେ ଏବେ ଦ୍ୱିତୀୟ ବନ୍ୟା ପାଣି ପ୍ରବେଶ ପ୍ରଶାସନର ମୁଣ୍ଡ ବିନ୍ଧାଇ ଦେଇଛି। ପ୍ରଥମ ବନ୍ୟାରେ ପ୍ରଶାସନ ସେମିତି ଆଖି ଦୂର୍ଶୁୟା କାର୍ଯ୍ୟ କରିନଥିବା ବେଳେ ବର୍ତ୍ତମାନ ଆସୁଥିବା ଦ୍ୱିତୀୟ ବନ୍ୟା କୁ କେଉଁ ଭଳି ଭାବେ ପରିଚାଳନା କରିବେ ତାହା ଦେଖିବାକୁ ଅପେକ୍ଷା।

1 hour ago
2


