ARTICLE AD BOX
କାଳିଆପାଣି (ରବି ନାରାୟଣ କର):ଯାଜପୁରଜିଲ୍ଲା ସୁକିନ୍ଦା ବ୍ଲକ ଗୋଡ଼ିପାଟଣା କ୍ଲଷ୍ଟର ହରିପୁର ଜେମାଦେଇପୁର ଖଣ୍ଡୁରାଈ ନୋଡାଲ ଉପ୍ରା ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ ଜଣେ ସହକର୍ମୀ ଶିକ୍ଷୟିତ୍ରୀ ଯୌନ ଉତ୍ପୀଡ଼ନ ଓ ମାନସିକ ନିର୍ଯାତନା ଅଭିଆଗ ଆଣିଛନ୍ତି। ପ୍ରସଙ୍ଗକୁ ନେଇ ସ୍କୁଲରେ ଓ ପରିଚାଳନା କମିଟି(ଏସ୍ଏମ୍ସି)ରେ ଆପୋସ ଆଲୋଚନା ମାଧ୍ୟମରେ ସମାଧାନ ଉଦ୍ୟମ ବିଫଳ ହୋଇଥିଲା। ଶେଷରେ ସବୁଆଡ଼ୁ ନିରାଶ ଶିକ୍ଷୟିତ୍ରୀ ଜଣକ ଆଇନର ଆଶ୍ରୟ ନେଇଛନ୍ତି। ଅଭିଯୋଗକାରିଣୀ ଗତ ୨୯ ତାରିଖରେ ପ୍ରଧାନଶିକ୍ଷକ ପ୍ରସନ୍ନ କୁମାର ମିଶ୍ରଙ୍କ ବିରୁଦ୍ଧରେ ସୁକିନ୍ଦା ଥାନାରେ ଏତଲା ଦାଏର କରିଛନ୍ତି। ତାଙ୍କ ଏତଲାକୁ ନେଇ ଦଫା ୭୮/୨୭/୩୫(୨) ଆଧାରରେ ଥାନାରେ ଏକ କେସ୍ ୨୧୫/୨୬ ରୁଜୁ ହୋଇଥିବା ଥାନା ଅଧିକାରୀ ରମାକାନ୍ତ ମୁଦୁଲିଙ୍କ ଠାରୁ ସୂଚନା ମିଳିଛି।
ଅଭିଯୋଗକାରିଣୀ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ, ଅଭିଯୁକ୍ତ ଶ୍ରୀ ମିଶ୍ର ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବିଭିନ୍ନ ବାହାନାରେ ରବିବାରିଆ ଓ ଛୁଟିଦିନରେ ଏକୁଟିଆ ସ୍କୁଲ ଡକାଇ ଅଶ୍ଳୀଳ ଇଙ୍ଗିତ କରିଥାନ୍ତି। ସ୍କୁଲରେ ଯୋଜନାବଦ୍ଧ ଭାବେ ବ୍ୟକ୍ତିଗତ ପ୍ରକୋଷ୍ଠ ଖୋଲିଥିବା ପ୍ରଧାନଶିକ୍ଷକ ଶ୍ରୀ ମିଶ୍ର କିଛିମାସ ପୂର୍ବରୁ ଏହି ପ୍ରକୋଷ୍ଠକୁ ଡକାଇ ତାଙ୍କୁ ଖରାପ ସ୍ପର୍ଶ କରିଥିଲେ। ସାକ୍ଷ୍ୟ ପ୍ରମାଣ ଭିତ୍ତିରେ ଏହାକୁ ନେଇ ସେ କଡ଼ା ଆପତ୍ତି ଉଠାଇଥିଲେ। ସେତେବେଳେ ସ୍କୁଲ ଭିତରେ ସମାଧାନ ନାଁରେ ଘଟଣାକୁ ଚପାଇ ଦିଆଯାଇଥିଲା। ହେଲେ ପ୍ରଧାନଶିକ୍ଷକଙ୍କ ମନ୍ଦ ଉଦ୍ଦେଶ୍ୟ ଓ ଆଚରଣରେ ପରିବର୍ତ୍ତନ ଆସିନଥିଲା। ଏକୁଟିଆ ସ୍କୁଲ ଡକାଉଥିବାରୁ ମନ୍ଦ ଉଦ୍ଦେଶ୍ୟ ବାରି ପାରି ସେ ନିଜ ନାବାଳକ ପୁଅକୁ ସାଥୀରେ ନେଇ ସ୍କୁଲ ଆସିଲେ ଅଭିଯୁକ୍ତ ରାଗି ଯାଉଥିଲେ।
କଥାରେ ସହମତ ନହେବାରୁ ସାମାନ୍ୟ କଥାକୁ ଖିଅ କରୁଥିଲେ। ସ୍କୁଲ ପରିସରରେ ଶ୍ରୀ ମିଶ୍ର ତାଙ୍କୁ ସହକର୍ମୀ ଓ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଅପମାନ କରାଉଥିଲେ। ଜିଲ୍ଲା ବାହାରକୁ ବଦଳି ଚେତାବନୀ ଦେଇଥାନ୍ତି। ସ୍କୁଲରେ ୪ ଜଣ ଶିକ୍ଷୟିତ୍ରୀ ଓ ୨ ଜଣ ଶିକ୍ଷକ ନିୟୋଜିତ ଥିଲେ ହେଁ ବିଭିନ୍ନ ବାହାନାରେ ପ୍ରଧାନଶିକ୍ଷକ କେବଳ ତାଙ୍କୁ ମାନସିକ ନିର୍ଯାତନା ଦେଇଥାନ୍ତି। ବିଭିନ୍ନ ସୁବିଧା ସୁଯୋଗ କ୍ଷେତ୍ରରେ ଅନ୍ୟ ଶିକ୍ଷୟିତ୍ରୀମାନଙ୍କ ପ୍ରତି ଶ୍ରୀ ମିଶ୍ର କୋହଳ ଆଭିମୁଖ୍ୟ ପ୍ରଦର୍ଶନ କରୁଥିବା ସ୍ଥଳେ ତାଙ୍କ ପ୍ରତି କଠୋର ହୋଇଥାନ୍ତି। ଯାହାକି ଦିନକୁ ଦିନ ତାଙ୍କ ପାଇଁ ଦୁର୍ବିଷହ ହୋଇଛି।
Allegations: ସରକାରୀ ବାସଭବନକୁ ନେଇ ପ୍ରଧାନଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ
ମହିଳା ଯୌନ ନିର୍ଯାତନା ନିରାକରଣ ଆଇନ(ପୋସ) ଆଧାରରେ ସେ ନ୍ୟାୟ ଭିକ୍ଷା କରିବାକୁ ବାଧ୍ୟ ହୋଇଥିବା ଦର୍ଶାଇଛନ୍ତି। ପ୍ରସଙ୍ଗକୁ ନେଇ ଗତକାଲି ସ୍କୁଲରେ ଏସ୍ଏମ୍ସି ସଦସ୍ୟଙ୍କ ଉପସ୍ଥିତିରେ ସମାଧାନ ଉଦ୍ୟମ ପୁଣିଥରେ ବିଫଳ ହୋଇଥିଲା। ଏ ସଂପର୍କରେ ଅଭିଯୁକ୍ତ ଶ୍ରୀ ମିଶ୍ରଙ୍କୁ ପଚାରିବାରେ ଘଟଣା ଓ ଥାନାରେ ମାମଲା ରୁଜୁ ସଂପର୍କରେ ସେ ଜାଣିନଥିବା କହିଥିଲେ। ଥାନା ଅଧିକାରୀ ଶ୍ରୀ ମୁଦୁଲିଙ୍କୁ ପଚାରିବାରେ ଏସ୍ଆଇ ମନୋରଞ୍ଜନ ସେଠୀ ମାମଲାର ତଦନ୍ତ ଦାୟିତ୍ବରେ ଥିବା କହିଥିଲେ।

56 minutes ago
1


