ARTICLE AD BOX
ନୂଆଦିଲ୍ଲୀ: ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ଶେଷ ହେବା ପରେ ଭୋଟର ତାଲିକାରୁ ବାଦ ପଡ଼ିଥିବା ଯୋଗ୍ୟ ନାଗରିକଙ୍କୁ ଚିହ୍ନଟ କରି ନାମ ପଞ୍ଜୀକରଣ କରିବା ପାଇଁ ଭାରତୀୟ ନିର୍ବାଚନ କମିସନ (ଇସିଆଇ) ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରକ୍ରିୟାରେ ଇସିଆଇ ସମସ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ), ଜିଲ୍ଲା ନିର୍ବାଚନ ଅଧିକାରୀ (ଡିଇଓ) ଏବଂ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇଆରଓ)ଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।
ଏହି ଅଭିଯାନ ମାଧ୍ୟମରେ ଏସ୍ଆଇଆର୍ ପୂର୍ବରୁ ଭୋଟର ତାଲିକାରେ ନାମ ଥାଇ ବର୍ତ୍ତମାନର ତାଲିକାରୁ ବାଦ ପଡ଼ିଥିବା ବ୍ୟକ୍ତିଙ୍କ ସମେତ ପ୍ରଥମ ଥର ଭୋଟ ଦେବାକୁ ଥିବା ଯୁବ ଭୋଟର, ଯେଉଁମାନେ ଏପର୍ଯ୍ୟନ୍ତ ନାମ ପଞ୍ଜୀକରଣ କରିନାହାନ୍ତି, ସେମାନଙ୍କୁ ସାମିଲ କରାଯିବ। ଅକ୍ଟୋବର ୧ ତାରିଖରେ ସମସ୍ତ ସିଇଓଙ୍କ ସହ ଆୟୋଗଙ୍କ ବୈଠକ ପରେ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଭୋଟର ନାମ ପଞ୍ଜୀକରଣ ଏକ ନିରନ୍ତର ପ୍ରକ୍ରିୟା ଏବଂ କେବଳ ଏସ୍ଆଇଆର୍ ଗଣନା ସମୟରେ ସାମିଲ ହୋଇନାହାନ୍ତି ବୋଲି କୌଣସି ଯୋଗ୍ୟ ନାଗରିକଙ୍କୁ ପଞ୍ଜୀକରଣ ସୁଯୋଗରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ଇସିଆଇ ସ୍ପଷ୍ଟ କରିଛନ୍ତି।
ଏହି କାର୍ଯ୍ୟକ୍ରମ ଅଧୀନରେ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍ଓ)ମାନେ ବର୍ତ୍ତମାନର ଭୋଟର ତାଲିକାକୁ ଏସ୍ଆଇଆର୍ ପୂର୍ବର ତାଲିକା ସହ ତୁଳନା କରିବେ ଏବଂ ତାଲିକାରୁ ବାଦ ଦିଆଯାଇଥିବା ଭୋଟରଙ୍କ ବୁଥ୍ୱାରୀ ତାଲିକା ପ୍ରସ୍ତୁତ କରିବେ। ଏହାପରେ ସେମାନେ ଘରକୁ ଘର ବୁଲି ଯାଞ୍ଚ କରି ଏହି ଭୋଟରଙ୍କ ବର୍ତ୍ତମାନର ସ୍ଥିତି ନିଶ୍ଚିତ କରିବେ ଏବଂ ଯୋଗ୍ୟ ବିବେଚିତ ହେଲେ ଫର୍ମ-୬ ଜରିଆରେ ସେମାନଙ୍କ ନାମ ପଞ୍ଜୀକରଣ କରାଇବେ।
ପ୍ରତ୍ୟେକ ବିଏଲ୍ଓ ସପ୍ତାହକୁ ଅତିକମରେ ୨୦-୨୫ ଜଣ ବାଦ ପଡ଼ିଥିବା ଭୋଟରଙ୍କ ନିକଟରେ ପହଞ୍ଚିବାକୁ କୁହାଯାଇଛି ଏବଂ ଏହି ଯାଞ୍ଚ ପ୍ରକ୍ରିୟା ଗୋଟିଏ ମାସ ମଧ୍ୟରେ ଶେଷ ହେବାର ଆଶା କରାଯାଉଛି। ଏହି ଗସ୍ତ ସମୟରେ ବିଏଲ୍ଓମାନେ ବାଦ ପଡ଼ିଥିବା ଯୋଗ୍ୟ ଭୋଟର, ପ୍ରଥମ ଥର ଭୋଟର ଓ ଯୁବ ନାଗରିକଙ୍କୁ ଚିହ୍ନଟ କରି ସେମାନଙ୍କ ନାମ ପଞ୍ଜୀକରଣରେ ସହାୟତା କରିବେ। ଏହାସହ ଫର୍ମ-୬ ଆବେଦନ କରିଥିବା ବ୍ୟକ୍ତିଙ୍କ ସମେତ ଚିହ୍ନଟ ପ୍ରତ୍ୟେକ ଭୋଟରଙ୍କ ସ୍ଥିତି ରେକର୍ଡ କରାଯିବ।
ଏହି ବୁଥ୍ୱାରୀ ତାଲିକାକୁ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକର ବୁଥ୍ସ୍ତରୀୟ ଏଜେଣ୍ଟ (ବିଏଲ୍ଏ) ଏବଂ ସମ୍ପୃକ୍ତ ଇଆରଓଙ୍କ ସହ ସେୟାର କରାଯିବ। ଇଆରଓମାନେ କ୍ଷେତ୍ର ଯାଞ୍ଚ ରିପୋର୍ଟ ସହ ଫର୍ମ-୬ ଆବେଦନଗ୍ରହଣ କରିବେ ଏବଂ ଲୋକପ୍ରତିନିଧି ଆଇନ, ୧୯୫୦ ଓ ଭୋଟର ପଞ୍ଜୀକରଣ ନିୟମାବଳୀ, ୧୯୬୦ ଅଧୀନରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

46 minutes ago
1

