Festival: ଜୟ ଗୋରାମ ଧ୍ୱନିରେ କମ୍ପୁଛି ‘ଆଗୁଆଡ଼’ ଯୋଗଦେବେ ମୁଖ୍ୟମନ୍ତ୍ରୀ

4 days ago 4
ARTICLE AD BOX

ବୈଶିଙ୍ଗା (ଦୀପକ କୁମାର ସିଂହ):  ଜୟ ଗୋରାମ ଧ୍ୱନିରେ କମ୍ପୁଛି ଆଗୁଆଡ଼। ଚାରିଆଡ଼େ ଉତ୍ସବର ମାହୋଲ। ଉତ୍ସାହିତ କୁଡ଼ୁମୀ ସମାଜ। ଏପଟେ ମୁଖ୍ୟମନ୍ତ୍ରୀଙ୍କ ଆଗମନକୁ ନେଇ ପ୍ରଶାସନ ଓ ପୁଲିସ ବିଭାଗର ତତ୍ପରତା ଜୋରଦାର। ମୟୂରଭଞ୍ଜଜିଲ୍ଲା ବଡ଼ସାହି ବ୍ଲକ ଦୁର୍ଗାପୁର ପଞ୍ଚାୟତ ଅନ୍ତର୍ଗତ ଆଗୁଆଡ଼ ଗ୍ରାମରେ କୁଡ଼ୁମୀ ସମାଜ ପକ୍ଷରୁ ଆୟୋଜିତ ଜାତୀୟ ବାନ୍ଦନା ପରବ-୨୦୨୬ ମହାସମାରୋହରେ ଉଦ୍‌ଘାଟିତ ହୋଇଥିବା ବେଳେ ଆସନ୍ତାକାଲି  (ଶୁକ୍ରବାର) ଏହାର ସମାପନୀ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ୪ ଜଣ ମନ୍ତ୍ରୀ, ଏକାଧିକ ସାଂସଦ ଓ ବିଧାୟକ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

କୁଡ଼ୁମୀ ସମାଜର ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ସୁରକ୍ଷା ସହ ସମଗ୍ର ଦେଶର କୁଡ଼ୁମୀ ସମ୍ପ୍ରଦାୟକୁ ଏକ ସୂତ୍ରରେ ବାନ୍ଧିବା ଏହି ଜାତୀୟସ୍ତରୀୟ ପରବର ମୁଖ୍ୟ ଉଦ୍ଦେଶ୍ୟ। ବାନ୍ଦନା ପର୍ବର ମୌଳିକ ପରମ୍ପରା ଓ ରୀତିନୀତିକୁ ଅକ୍ଷୁଣ୍ଣ ରଖିବା ସହ ଆଗାମୀ ପିଢ଼ି ମଧ୍ୟରେ ସାଂସ୍କୃତିକ ଚେତନା ଓ ସାମାଜିକ ଏକତାର ବାର୍ତ୍ତା ପହଞ୍ଚାଇବା ଲକ୍ଷ୍ୟରେ ତିନିଦିନିଆ ଏହି ମହୋତ୍ସବ ଆୟୋଜିତ ହୋଇଛି। ଉଦ୍‌ଘାଟନୀ ଉତ୍ସବରେ ଝାଡ଼ଖଣ୍ଡର ଡୁମରି ବିଧାନସଭା କ୍ଷେତ୍ରର ବିଧାୟକ ଜୟରାମ ମାହାତୋ ମୁଖ୍ୟଅତିଥି ଏବଂ ଛୋଟଲାଲ ମହାନ୍ତ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।

#ଜାତୀୟ_ବାନ୍ଦନା_ପରବ
-ଜାତୀୟ ବାନ୍ଦନା ପରବ-୨୦୨୬ ଉଦ୍‌ଘାଟିତ
-ଜୟ ଗୋରାମ ଧ୍ୱନିରେ କମ୍ପିଲା ମୟୂରଭଂଜର ଆଗୁଆଡ଼
-ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ହାଇଆଲର୍ଟ!
-ଆସନ୍ତାକାଲି ଯୋଗଦେବେ ମୋହନ ଚରଣ ମାଝୀ
-୪ ମନ୍ତ୍ରୀ, ଏକାଧିକ ସାଂସଦ-ବିଧାୟକ ରହିବେ ଉପସ୍ଥିତ
-ସୁରକ୍ଷା ଦାୟିତ୍ୱରେ ୨ ଅତିରିକ୍ତ ଏସ୍‌ପି, ୭ ଡିଏସ୍‌ପି
-ବିପୁଳ ପୁଲିସ… pic.twitter.com/aeBysdg8Yg

— Sambad (ସମ୍ବାଦ) (@sambad_odisha) November 12, 2026

ତେବେ ଆସନ୍ତାକାଲିର ମୁଖ୍ୟ କାର୍ଯ୍ୟକ୍ରମକୁ ନେଇ ଆଜି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଖୋଦ୍ ସ୍ଥାନୀୟ ବିଧାୟକ ସନାତନ ବିଜୁଳି, ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସାୟ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲି ଦିନତମାମ ଉତ୍ସବସ୍ଥଳରେ ଉପସ୍ଥିତ ରହି ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି। ମଞ୍ଚ, ଅତିଥିଙ୍କ ଆଗମନ, ଯାତାୟାତ, ଜନସମାଗମ ନିୟନ୍ତ୍ରଣ ଓ ଅନ୍ୟାନ୍ୟ ବ୍ୟବସ୍ଥାର ସ୍ଥିତି ସମୀକ୍ଷା କରାଯାଇଛି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଆକାଶମାର୍ଗରେ ଆଗମନ ପାଇଁ ହେଲିପ୍ୟାଡ୍‌ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି।

ସୁରକ୍ଷା ବଳୟରେ ଆଗୁଆଡ଼
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ ଜାତୀୟସ୍ତରୀୟ ମହୋତ୍ସବରେ ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜିଲ୍ଲା ଏସ୍‌ପି ବରୁଣ ଗୁଣ୍ଟୁପାଲିଙ୍କ ତତ୍ତ୍ୱାବଧାନରେ ୨ ଜଣ ଅତିରିକ୍ତ ଏସ୍‌ପି, ୭ ଜଣ ଡିଏସ୍‌ପି, ୧୬ ଜଣ ଇନ୍ସପେକ୍ଟର, ୭୫ ଜଣ ସବ୍‌ଇନ୍ସପେକ୍ଟର, ୧୮ ପ୍ଲାଟୁନ୍‌ ସଶସ୍ତ୍ର ପୁଲିସ ଫୋର୍ସ ଏବଂ ୧୭୦ ଜଣ ହୋମଗାର୍ଡଙ୍କୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଛି। ଏହାସହ ଆସନ୍ତାକାଲିର କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ଜିଲ୍ଲା ଏସ୍‌ପି ସମସ୍ତ ପୁଲିସ ଅଧିକାରୀ ଓ ନିୟୋଜିତ ଫୋର୍ସଙ୍କୁ ନେଇ ଏକ ସ୍ୱତନ୍ତ୍ର ବ୍ରିଫିଂ କରିଥିଲେ। ଏଥିରେ ସୁରକ୍ଷା ଦାୟିତ୍ୱ, ଭିଡ଼ ନିୟନ୍ତ୍ରଣ, ଯାତାୟାତ ବ୍ୟବସ୍ଥା ଓ ଅତିଥିଙ୍କ ସୁରକ୍ଷିତ ଗମନାଗମନ ସମ୍ପର୍କରେ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଥିଲା।

ଅନ୍ୟପକ୍ଷରେ ବଡ଼ସାହି ନିର୍ବାଚନମଣ୍ଡଳୀରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଗମନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଓ କୁଡ଼ୁମୀ ସମାଜ ମଧ୍ୟରେ ବେଶ୍ ଉତ୍ସାହ ଓ ଉଦ୍ଦୀପନା ପ୍ରକାଶ ପାଇଛି। ଆଗୁଆଡ଼ରେ ଜାତୀୟ ବାନ୍ଦନା ପରବର ଉତ୍ସବମୁଖର ପରିବେଶ ସହ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସମଗ୍ର ଅଞ୍ଚଳରେ ଏବେ ଉତ୍ସବର ମାହୋଲ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.