ARTICLE AD BOX
ସମୁଦ୍ରର ଗଭୀରତାରେ ଚାଲିଛି ଏକ ନିରବ ସଂଘର୍ଷ। କେଉଁଠି ତିମିଙ୍କ ଶିକାର ତ ଆଉ କେଉଁଠି ବିରଳ ସାମୁଦ୍ରିକ ଜୀବଙ୍କ ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି ହୋଇଛି। ବେଆଇନ ମାଛଧରା, ପ୍ଲାଷ୍ଟିକ୍ ପ୍ରଦୂଷଣ ଓ ସାମୁଦ୍ରିକ ଜୀବଙ୍କ ଚୋରା ଶିକାର ଯୋଗୁଁ ସମୁଦ୍ରର ପରିବେଶ ଦିନକୁ ଦିନ ନଷ୍ଟ ହେଉଛି। ଏଭଳି ସମୟରେ ସାମୁଦ୍ରିକ ଜୀବଙ୍କ ସୁରକ୍ଷା ପାଇଁ ସମୁଦ୍ର ଭିତରେ ଲଢ଼େଇ କରୁଛି ଏକ ଅନ୍ତର୍ଜାତୀୟ ସଂଗଠନ ‘ସି ସେଫର୍ଡ କନ୍ଜରଭେସନ୍ ସୋସାଇଟି’। ୧୯୭୭ ମସିହାରେ କାନାଡାର ଭାଙ୍କୋଭରରେ ପରିବେଶ କର୍ମୀ ତଥା ଗ୍ରିନ୍ପିସ୍ ଇଣ୍ଟନ୍ୟାସ୍ନାଲ୍ର ପୂର୍ବତନ ସଦସ୍ୟ ପଲ୍ ୱାଟସନ୍ ଏହି ସଂଗଠନର ମୂଳଦୁଆ ପକାଇଥିଲେ। ସେତେବେଳେ ଏହାର ନାମ ଥିଲା ‘ଆର୍ଥଫୋର୍ସ ଏନ୍ଭାଇରନ୍ମେଣ୍ଟାଲ୍ ସୋସାଇଟି’। ପରେ ଏହା ‘ସି ସେଫର୍ଡ କନ୍ଜରଭେସନ୍ ସୋସାଇଟି’ ଭାବେ ପରିଚିତ ହୋଇଥିଲା। ସମୁଦ୍ରରେ ରହୁଥିବା ଜୀବଜନ୍ତୁଙ୍କୁ ଶିକାରୀଙ୍କଠାରୁ ସୁରକ୍ଷା ଦେବା ଏବଂ ସାମୁଦ୍ରିକ ପରିବେଶର ସନ୍ତୁଳନ ବଜାୟ ରଖିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହି ସଂଗଠନ ବିଶ୍ବାସ କରେ ଯେ, କେବଳ ସଚେତନତା ସୃଷ୍ଟି କଲେ ସମୁଦ୍ର ସୁରକ୍ଷିତ ରହିବ ନାହିଁ, ବରଂ ବେଆଇନ କାର୍ଯ୍ୟକୁ ରୋକିବା ପାଇଁ ସମୁଦ୍ର ଭିତରେ ମଧ୍ୟ ପଦକ୍ଷେପ ନେବା ଜରୁରି।
Rahul Gandhi: ୨୦୨୭ରେ ଭାରତର ଜିଡିପି ଅଭିବୃଦ୍ଧି ୭.୨% ରହିବ ବୋଲି ଗୋଲ୍ଡମ୍ୟାନ୍ ସାକ୍ସର ଆକଳନ
୧୯୭୯ ମସିହାରେ କାନାଡାର ସେଣ୍ଟ ଲରେନ୍ସ ଉପସାଗରରେ ସିଲ୍ ଶିକାର ବିରୋଧରେ ଏହାର ପ୍ରଥମ ସାମୁଦ୍ରିକ ଅଭିଯାନ ଆରମ୍ଭ ହୋଇଥିଲା। ଏହି ଅଭିଯାନରେ ହଜାରେରୁ ଅଧିକ ଶିଶୁ ସିଲ୍ଙ୍କୁ ଶିକାରରୁ ରକ୍ଷା କରିବା ପାଇଁ ସେମାନଙ୍କ ଦେହରେ ସ୍ଥାୟୀ ରଙ୍ଗ ଲଗାଯାଇଥିଲା। ଏହାଦ୍ୱାରା ସେମାନଙ୍କ ଧଳା ଚମଡ଼ା ବ୍ୟବସାୟିକ ଭାବେ ଅଦରକାରୀ ହୋଇପଡ଼ିଥିଲା। ସି ସେଫର୍ଡର ସବୁଠାରୁ ବଡ଼ ଶକ୍ତି ହେଉଛି ଏହାର ଜାହାଜ ବାହିନୀ। ଏହି ଜାହାଜଗୁଡ଼ିକ ସମୁଦ୍ରର ବିଭିନ୍ନ ଅଞ୍ଚଳରେ ପଇଁତରା ମାରି ବେଆଇନ ମାଛଧରା ଓ ସାମୁଦ୍ରିକ ଜୀବଙ୍କ ଶିକାର ଉପରେ ନଜର ରଖିଥାନ୍ତି। ‘ଷ୍ଟିଭ୍ ଇରୱିନ୍’, ‘ବବ୍ ବାର୍କର୍’ ଓ ‘ସାମ୍ ସାଇମନ୍’ ଭଳି ଜାହାଜ ଏହାର ପ୍ରମୁଖ ଅଭିଯାନରେ ଭାଗ ନେଇଛି। ଏହି ଜାହାଜଗୁଡ଼ିକରେ ପ୍ରଶିକ୍ଷିତ କର୍ମଚାରୀ, ସ୍ୱେଚ୍ଛାସେବୀ ଓ ସାମୁଦ୍ରିକ ସୁରକ୍ଷା କର୍ମୀ କାମ କରନ୍ତି।
Protest: ଖଣି କାର୍ଯ୍ୟକୁ ହାତୀହୁଡ଼ି ଗ୍ରାମବାସୀଙ୍କ ବିରୋଧ
ସେମାନେ ସମୁଦ୍ରରେ ବେଆଇନ ଜାଲ ଖୋଜିବା, ଶିକାରୀ ଜାହାଜର ଗତିବିଧି ଉପରେ ନଜର ରଖିବା ଓ ଆବଶ୍ୟକ ସ୍ଥଳେ ସରକାରୀ ସୁରକ୍ଷା ସଂସ୍ଥାଙ୍କୁ ସହଯୋଗ କରିଥାନ୍ତି। ଡ୍ରୋନ୍ ଓ ଅନ୍ୟ ଆଧୁନିକ ଉପକରଣ ମଧ୍ୟ ଏହି କାର୍ଯ୍ୟରେ ବ୍ୟବହାର କରାଯାଏ। ସି ସେଫର୍ଡର ଅନ୍ୟତମ ଚର୍ଚ୍ଚିତ ଅଭିଯାନ ହେଉଛି ‘ଅପରେସନ୍ ମିଲାଗ୍ରୋ’। ୨୦୧୫ରେ ମେକ୍ସିକୋର କାଲିଫର୍ଣ୍ଣିଆ ଉପସାଗରରେ ଆରମ୍ଭ ହୋଇଥିବା ଏହି ଅଭିଯାନର ଲକ୍ଷ୍ୟ ଥିଲା ବିଲୁପ୍ତପ୍ରାୟ ଭାକିଟା ଡଲଫିନ୍ଙ୍କୁ ସୁରକ୍ଷା ଦେବା। ଏଥିପାଇଁ ସଂଗଠନ ସମୁଦ୍ରରେ ପାଟ୍ରୋଲିଂ କରିବା ସହ ବେଆଇନ ମାଛଧରା ଜାଲ ଚିହ୍ନଟ ଓ ହଟାଇବାରେ ମେକ୍ସିକୋ ନୌସେନାକୁ ସହଯୋଗ କରୁଛି। ତିମି ଓ ଡଲଫିନ୍ଙ୍କ ବ୍ୟତୀତ ସାର୍କ, ସିଲ୍, ସମୁଦ୍ର କଇଁଛ ଓ ପେଙ୍ଗୁଇନ୍ଙ୍କ ସୁରକ୍ଷା ପାଇଁ ମଧ୍ୟ ସି ସେଫର୍ଡ କାମ କରୁଛି। ସାର୍କ ଶିକାର, ବେଆଇନ ମାଛଧରା ଓ ସାମୁଦ୍ରିକ ପ୍ରଦୂଷଣ ରୋକିବା ଏହାର ଅନ୍ୟତମ ଲକ୍ଷ୍ୟ। ଆଫ୍ରିକାର ଗାମ୍ବିଆ ଭଳି ଦେଶରେ ସରକାରୀ ସଂସ୍ଥା ସହ ମିଶି ବେଆଇନ ମାଛଧରା ଜାହାଜ ବିରୋଧରେ ମଧ୍ୟ ଏହି ସଂଗଠନ ଅଭିଯାନ ଚଳାଇଛି।

1 hour ago
1


