ARTICLE AD BOX
ୱାସିଂଟନ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୬୦ ଦିନ ପାଇଁ ସମ୍ପୂର୍ଣ୍ଣ ଯୁଦ୍ଧବିରତି ଘୋଷଣା କଲେ ୟୁକ୍ରେନ୍ରେ ନିର୍ବାଚନ କରାଇବାକୁ ପ୍ରସ୍ତୁତ ବୋଲି କହିଛନ୍ତି ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କି। ରବିବାର ଆମେରିକାର ଏବିସି ନ୍ୟୁଜ୍ର କାର୍ଯ୍ୟକ୍ରମ ‘ଦିସ୍ ୱିକ୍’କୁ ସାକ୍ଷାତ୍କାର ଦେଇ ସେ ଏହି ପ୍ରସ୍ତାବ ରଖିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ୍ର ନେତୃତ୍ୱକୁ ନେଇ ସମାଲୋଚନା କରିବା ପରେ ଜେଲେନ୍ସ୍କିଙ୍କ ଏହି ମନ୍ତବ୍ୟ ଆସିଛି।
ଜେଲେନ୍ସ୍କି କହିଛନ୍ତି, ୟୁକ୍ରେନ୍ରେ କିଏ ନେତୃତ୍ୱ ନେବେ, ତାହା ଦେଶର ଲୋକେ ସ୍ଥିର କରିବେ। ଆମେରିକା ରାଷ୍ଟ୍ରପତିଙ୍କୁ ସମ୍ମାନ ଜଣାଇ ସେ କହିଛନ୍ତି ଯେ ଦେଶର ନେତା ବାଛିବା ଅଧିକାର ୟୁକ୍ରେନ୍ବାସୀଙ୍କର। ଟ୍ରମ୍ପଙ୍କ ଦଳ ଯଦି ୟୁକ୍ରେନ୍ରେ ନିର୍ବାଚନ ଚାହୁଛି, ତେବେ ପୁଟିନ୍ଙ୍କୁ ଦୁଇ ମାସ ବା ୬୦ ଦିନ ପାଇଁ ସମ୍ପୂର୍ଣ୍ଣ ଯୁଦ୍ଧବିରତି ପାଇଁ ରାଜି କରାଇବା ଉଚିତ ବୋଲି ସେ କହିଛନ୍ତି। ୟୁକ୍ରେନ୍ରେ ଏବେ ମାର୍ଶାଲ୍ ଲ’ ବା ସାମରିକ ଆଇନ ଲାଗୁ ରହିଛି। ଏହି ଆଇନ ଅନୁସାରେ ଯୁଦ୍ଧ ସମୟରେ ଦେଶରେ ନିର୍ବାଚନ କରାଇବା ନିଷିଦ୍ଧ। ଏଥିସହ ଯୁଦ୍ଧ ଚାଲିଥିବା ବେଳେ ଦେଶବ୍ୟାପୀ ନିର୍ବାଚନ କରାଇବାରେ ସୁରକ୍ଷା ଓ ପରିଚାଳନାଗତ ସମସ୍ୟା ରହିଛି। ମତଦାତାଙ୍କ ସୁରକ୍ଷା ପାଇଁ ମଧ୍ୟ ନିଶ୍ଚିତ ବ୍ୟବସ୍ଥା ଆବଶ୍ୟକ ବୋଲି ୟୁକ୍ରେନ୍ ପକ୍ଷରୁ ପୂର୍ବରୁ କୁହାଯାଇଛି।
Donald Trump:ଡୋନାଲ୍ଡ ଟ୍ରମ୍ପ ଏବଂ ଜର୍ଜିଆ ମେଲୋନିଙ୍କ ମନୋମାଳିନ୍ୟ ଶେଷ
ୟୁକ୍ରେନ୍ରେ ନୂଆ ରାଷ୍ଟ୍ରପତି ସମୟ!
ଟ୍ରମ୍ପ ଶନିବାର ହ୍ୱାଇଟ୍ ହାଉସ୍ରେ ସାମ୍ବାଦିକଙ୍କୁ କହିଥିଲେ ଯେ ୟୁକ୍ରେନ୍ରେ ନୂଆ ରାଷ୍ଟ୍ରପତି ଆସିବାର ସମୟ ହୋଇଛି। ରୁଷ୍ ସହ ଯୁଦ୍ଧ ଶେଷ କରିବା ପାଇଁ ଜେଲେନ୍ସ୍କି ଯଥେଷ୍ଟ ଉଦ୍ୟମ କରୁନଥିବା ଅଭିଯୋଗ କରି ସେ ଏପରି ମନ୍ତବ୍ୟ ଦେଇଥିଲେ। ଅନ୍ୟପକ୍ଷରେ, ରୁଷ୍ ଯଦି ୟୁକ୍ରେନ୍ର ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ବନ୍ଦ କରେ, ତେବେ ରୁଷ୍ର ତୈଳ ବିଶୋଧନାଗାର ଉପରେ ଆକ୍ରମଣ ବନ୍ଦ କରିବାକୁ ୟୁକ୍ରେନ୍ ପ୍ରସ୍ତୁତ ବୋଲି ମଧ୍ୟ ଜେଲେନ୍ସ୍କି କହିଛନ୍ତି। ଉଭୟ ପକ୍ଷ ପରସ୍ପରର ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ବନ୍ଦ କଲେ ଉତ୍ତେଜନା ହ୍ରାସ ପାଇବ ବୋଲି ତାଙ୍କ ମତ। ସେହିଦିନ ଟ୍ରମ୍ପ ସାମାଜିକ ଗଣମାଧ୍ୟମରେ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ବନ୍ଦ କରିବା ନେଇ ଏକ ରାଜିନାମା ହୋଇଥିବା ଦାବି କରିଥିଲେ। ତେବେ ଏହାର ସର୍ତ୍ତ ସମ୍ପର୍କରେ ସବିଶେଷ ତଥ୍ୟ ସ୍ପଷ୍ଟ ହୋଇନାହିଁ।

5 hours ago
1


