ARTICLE AD BOX
ରାଉରକେଲା (ଦେବବ୍ରତ ଗଡ଼ତିଆ): ରାଜ୍ୟ ସରକାର ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପରିଚାଳିତ ଭର୍ଚୁଆଲ୍ କ୍ଲାସରୁମ୍ ଓ ଡିଜିଟାଲ୍ ମୂଲ୍ୟାଙ୍କନ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ପଦକ୍ଷେପ ଆରମ୍ଭ କରିଛନ୍ତି। ଭୌଗୋଳିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ଛାତ୍ରଛାତ୍ରୀଙ୍କୁ ସରକାରୀ ସ୍କୁଲଗୁଡ଼ିକରେ ଉଚ୍ଚକୋଟୀର ଶିକ୍ଷା ପ୍ରଦାନ କରିବା ପାଇଁ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ଏହି କ୍ରମରେ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ୫୨୧ଟି ବିଦ୍ୟାଳୟରେ ଭର୍ଚୁଆଲ୍ କ୍ଲାସରୁମ୍ ସ୍ଥାପନ କରାଯିବ। ଏଥିମଧ୍ୟରୁ ୩୧୩ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (୬ରୁ ୮ ଶ୍ରେଣୀ) ଥିବାବେଳେ ୨୦୮ଟି ମାଧ୍ୟମିକ (ନବମରୁ ଦଶମ) ବିଦ୍ୟାଳୟ ଅନ୍ତର୍ଭୁକ୍ତ।
ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ ହେଉଛି ଆକର୍ଷଣୀୟ ଡିଜିଟାଲ୍ ବିଷୟବସ୍ତୁ ଓ ଏଆଇ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଷୟ ଖୁବଶୀଘ୍ର ଓ ଦକ୍ଷତାର ସହ ଶିଖାଇବା। ଏହି ଭର୍ଚୁଆଲ୍ କ୍ଲାସରୁମ୍ଗୁଡ଼ିକୁ ଭୁବନେଶ୍ୱର ଓ କଟକରେ ଥିବା ୪ଟି ମୁଖ୍ୟ ପ୍ରସାରଣ (ବ୍ରୋଡକାଷ୍ଟିଂ) ଷ୍ଟୁଡିଓ ଏବଂ ରାଜ୍ୟର ୪ଟି ଜୋନାଲ୍ ମୁଖ୍ୟାଳୟରେ ଥିବା ୮ଟି ଆଞ୍ଚଳିକ ଷ୍ଟୁଡିଓ ସହିତ ସଂଯୋଗ କରାଯିବ।
ମୁଖ୍ୟ ଓ ଆଞ୍ଚଳିକ ପ୍ରସାରଣ ଷ୍ଟୁଡିଓଗୁଡ଼ିକ ଛାତ୍ରଛାତ୍ରୀମାନଙ୍କ ପାଇଁ ଦୂରରୁ ପରସ୍ପର ସହ ଆଲୋଚନାଭିତ୍ତିକ ଶିକ୍ଷା ଗ୍ରହଣର ସୁବିଧା ଯୋଗାଇବ। ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ କ୍ଲାସ୍ ପାଇଁ ଓଡ଼ିଆ ଓ ଇଂରାଜୀ ଉଭୟ ଭାଷାରେ ଡିଜିଟାଲ୍ ବିଷୟବସ୍ତୁ ପ୍ରଦାନ କରାଯିବ। ଏଥିରେ ଦ୍ୱିପାକ୍ଷିକ ଯୋଗାଯୋଗ ବ୍ୟବସ୍ଥା ରହିବ, ଯଦ୍ୱାରା ଛାତ୍ରଛାତ୍ରୀ ନିଜ ସ୍କୁଲରେ ବସି ମଧ୍ୟ ଦୂରରେ ଥିବା ଶିକ୍ଷକଙ୍କୁ ସେହି ସମୟରେ ପ୍ରଶ୍ନ ପଚାରି ନିଜର ସନ୍ଦେହ ଦୂର କରିପାରିବେ। ଏହି ଆଧୁନିକ ବ୍ୟବସ୍ଥାର ଅନେକ ଗୁରୁତ୍ୱପୂର୍ଣ୍ଣ ସୁଫଳ ରହିଛି।
ବିଶେଷକରି, ଏହାଦ୍ବାରା ଶିକ୍ଷକ ସଙ୍କଟର ସମାଧାନ କରାଯାଇପାରିବ। ଉଲ୍ଲେଖଯୋଗ୍ୟ, ଏହି ଭର୍ଚୁଆଲ୍ କ୍ଲାସରୁମ୍ ବ୍ୟବସ୍ଥା ରାଜ୍ୟରେ ପ୍ରଥମଥର ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ଆରମ୍ଭ ହୋଇଥିଲା। ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ପାଣ୍ଠି ସହାୟତାରେ କୋଭିଡ୍ ମହାମାରୀ ପୂର୍ବରୁ, ଅର୍ଥାତ୍ ୨୦୧୯ ମସିହାରେ ସୁନ୍ଦରଗଡ଼ ଜିଲ୍ଲାରେ ଭର୍ଚୁଆଲ୍ କ୍ଲାସରୁମ୍ ବା ଆଭାସୀ ଶ୍ରେଣୀଗୃହ ପ୍ରକଳ୍ପ ଆରମ୍ଭ ହୋଇଥିଲା। ସୁନ୍ଦରଗଡ଼ ସହରରେ ସ୍ଥାପିତ ଏକ ଅତ୍ୟାଧୁନିକ ଷ୍ଟୁଡିଓରୁ ଭିସାଟ୍ ସାଟେଲାଇଟ୍ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ସିଧାସଳଖ ଶିକ୍ଷାଦାନ ପ୍ରସାରିତ କରାଯାଇଥିଲା। ବର୍ତ୍ତମାନ ମୋଟ୍ ୪୦୨ ଟି ଭର୍ଚୁଆଲ୍ କ୍ଲାସରୁମ୍ରେ ଶିକ୍ଷାଦାନ ଚାଲିଛି।

1 hour ago
1


