ARTICLE AD BOX
ଭଞ୍ଜନଗର (ବିଶ୍ବମ୍ବର ଜେନା): ବାତ୍ୟା ଅର୍ଣ୍ଣବ ହେଉ ଅବା ଅକଭାନ ଏଭଳି ପ୍ରାକୃତିକ ବିପର୍ଯୟ ଗଞ୍ଜାମ ଜିଲ୍ଲାକୁ ବହୁ ମାତ୍ରାରେ ପ୍ରଭାବିତ କରୁଛି। ଜିଲ୍ଲାବାସୀ ଆର୍ଥିକ କ୍ଷେତ୍ର ଠାରୁ ଆରମ୍ଭ କରି ବ୍ୟକ୍ତିଗତ ସ୍ତରରେ ଅନେକ କ୍ଷତି ସାମ୍ନା କରୁଛନ୍ତି। ବାତ୍ୟା ପ୍ରଭାବରେ ହେଉଥିବା ବର୍ଷା ପାଇଁ ଚାଷ କ୍ଷେତ୍ର ଅନେକ ମାତ୍ରାରେ କ୍ଷତିଗ୍ରସ୍ତ ହେଉଥିବା ବେଳେ ବର୍ଷ ସାରାର ଆହାର ଫଳାଇବା ପାଇଁ ଚାଷୀକୂଳ ଦିନରାତି ପରିଶ୍ରମ କରି ଫସଲ କରିଥିବା ସମୟରେ ଅମଳ ବେଳକୁ ତାହା ପାଣିରେ ଲୋଟିଥିବା ଦେଖି ନିଜ କୋହକୁ ଆଉ ସମ୍ଭାଳି ପାରୁନାହି। ଅନେକ ଲୋକଙ୍କ ବ୍ୟବସାୟିକ କ୍ଷେତ୍ରରେ ମଧ୍ୟ ବହୁ ଆସବାପତ୍ର ନଷ୍ଟ ହୋଇଛି।
ଅର୍ଣ୍ଣବ ସମୟରେ ହୋଇଥିବା ବନ୍ୟା ଜିଲ୍ଲାର ଅଧିକାଂଶ ବ୍ଳକରେ ଛାରଖାର ସ୍ଥିତି ସୃଷ୍ଟି କରିଥିଲା। ଯାହାର କ୍ଷତ ଆଜି ମଧ୍ୟ ଭରଣା ହୋଇ ପାରିନାହିଁ। ଅନେକ ବାସହରା ହୋଇ ଆଜି ବି ଅନ୍ୟତ୍ର ଆଶ୍ରୟ ନେଇ ରହିଛନ୍ତି। ଏହାର ଭିତରେ ଆକଭାନ ସ୍ଥିତିକୁ ଆହୁରି ଜଟିଳ କରିଦେଇଛି। ଏହାରି ଭିତରେ କୁନି ପିଲାଙ୍କ ଭବିଷ୍ୟତ ବହୁ ମାତ୍ରାରେ ପ୍ରଭାବିତ ହୋଇଥିବା ଅନୁମାନ କରାଯାଉଛି। ଗତ ଦଶହରା ସମୟରୁ ବିଦ୍ୟାଳୟ ଗୁଡିକ ଛୁଟି ହୋଇଥିବା ବେଳେ ଅର୍ଣ୍ଣବ ଆଉ ମୁରାସୁ ବାତ୍ୟା ପାଇଁ ଛୁଟିକୁ ପ୍ରଶାସନ ପକ୍ଷରୁ ବୃଦ୍ଧି କରାଯାଇଥିଲ। କିଛି ଦିନ ସ୍କୁଲ ଖୋଲିବା ପରେ ପୁଣି ଅକାଭାନ ବାତ୍ୟା ପାଇଁ ବନ୍ଦ କରାଯାଇଛି। ଏହାରି ଭିତରେ ପିଲାଙ୍କ ପାଠପଢା ଢେର ପରିମାଣରେ ପ୍ରଭାବିତ ହୋଇଥିବା ଲକ୍ଷ୍ୟ କରାଯାଉଛି। ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିିକ ବିପର୍ଯ୍ୟୟ ସାଧାରଣ ଜନଜୀବନ ସାଙ୍ଗକୁ କିଭଳି ପିଲାଙ୍କ ଭବିଷ୍ୟତକୁ ଦୃଢ ମାତ୍ରାରେ ପ୍ରଭାବିତ କରିଛି ତାହା ଗଞ୍ଜାମ ଜିଲ୍ଲାର ପାଠପଢା ସ୍ଥିତିରୁ ସ୍ପଷ୍ଟ ଅନୁମେୟ।
ବନ୍ୟା ସମୟରେ ଜିଲ୍ଲାର ଅଧିକାଂଶ ବିଦ୍ୟାଳୟ ଭିତରକୁ ବନ୍ୟା ପାଣି ମାଡିବା ସହ ପଟୁ ମାଟି ମଧ୍ୟ ପ୍ରବେଶ କରି ବିଦ୍ୟାଳୟ ସ୍ଥିତି ଦୁର୍ବିସହ ହୋଇ ପଡିଥିଲା। ତଥାପି ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ କର୍ତ୍ତୁପକ୍ଷ ଓ ପ୍ରଶାସନିକ ଟିମ୍ ସଫେଇକୁ ଗୁରୁତ୍ବ ଦେଇ କାର୍ଯ୍ୟ କରିବାରୁ ସ୍କୁଲ ଗୁଡିକ ଖୋଲିଥିଲା। ହେଲେ ବନ୍ୟା ପାଣିରେ ଅନେକ ବହି ଖାତାପତ୍ର ଧୋଇ ନଷ୍ଟ ହୋଇଥିବାର ବିକଳ ଚିତ୍ର ମଧ୍ୟ ସାମ୍ନାକୁ ଆସିଥିଲା। କେବଳି ଏତିକି ଏହି ଚିତ୍ର ସୀମିତ ନଥିଲା। ଅନେକ ପିଲାଙ୍କ ଘର ଭିତରେ ବନ୍ୟା ପାଣି ପଶିଥିବାରୁ ସେମାନଙ୍କ ବହିଖାତା ଆଦି ଧୋଇ ହୋଇଯାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା।
Cyclone: କ୍ଷୟକ୍ଷତି ହୋଇଥିଲେ ବାତ୍ୟା ଅର୍ଣ୍ଣବ ଭଳି କ୍ଷତିପୂରଣ ମିଳିବ: ରାଜସ୍ବ ମନ୍ତ୍ରୀ
ବର୍ଷ ଯାକର ପାଠପଢା ବର୍ଷ ଶେଷ ଆଡକୁ ବାଧାପ୍ରାପ୍ତ ହୋଇଥିବା ବେଳେ ପିଲା ମାନେ ଆଗକୁ ହେବାକୁ ଥିବା ବାର୍ଷିକ ପରୀକ୍ଷା ପାଇଁ କେତେ ପ୍ରସ୍ତୁତ ତାହା ଆକଳନ କରିବା ଜରୁରୀ ହୋଇପଡିଛି। ଶିକ୍ଷା ବିଭାଗ ପକ୍ଷରୁ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ସ୍କୁଲ ଗୁଡିକ ଚିହ୍ନଟ କରି ନୂଆଁ ବହି ପଠାଇବା ବ୍ୟବସ୍ଥା ଗ୍ରହଣ କରାଯାଉଛି। ତେବେ ପୁଣି ଥରେ କିଭଳି ଅଧାରେ ରହିଥିବା ପାଠପଢାକୁ ଆଗକୁ ନେବେ ତଥା ଯେଉଁ ଲୟରେ ସେମାନଙ୍କ ପାଠପଢା ଚାଲିଥିଲା ସେହି ଧାରାକୁ ଫେରିବାକୁ କିଭଳି ଭାବେ ପିଲାମାନେ ମାନସିକ ଭାବେ ପ୍ରସ୍ତୁତ ତାହା କଳନା କରିବା ଜରୁରୀ ହୋଇପଡିଛି।
ଏହି ପରିପ୍ରେକ୍ଷିରେ ଭଞ୍ଜନଗର ବ୍ଳକ ଶିକ୍ଷା ବିଭାଗ ପକ୍ଷରୁ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ସାନକୋଦଣ୍ଡା ପଞ୍ଚାୟତର ବାହାଡାପର ହାଇସ୍କୁଲ,ଗମ୍ଭାରିଗୋଚ୍ଛା ପ୍ରାଥମିକ ବିଦ୍ୟାଳୟ,ପୌର ପରିଷଦର ଟାଉନ ପ୍ରାଥମିକ ବିଦ୍ୟାଳୟ,ଡି.କଇଠପଲ୍ଲୀ ସ୍କୁଲ,ଗାମୁଣ୍ଡି ସ୍କୁଲ,ନାହାତୁଠ ସାହି ସ୍କୁଲ,ଶ୍ରୀବତ୍ସ ଉଚ୍ଚ ବିଦ୍ୟାଳୟକୁ ନୂତନ ବହି ପଠାଯାଇଥିବା କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ୨୭୪୦ ବହି ଆସିଥିବା ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂର୍ଯ୍ୟ ନାୟକ କହିଛନ୍ତି।

1 hour ago
1


