Editorialବିଦାୟର ବ୍ୟବଚ୍ଛେଦ

3 days ago 1
ARTICLE AD BOX

ଇତି ମଧ୍ୟରେ ଏଲନ ମସ୍କଙ୍କ ଏକ୍‌ସ ହାଣ୍ଡଲରୁ ବାର୍ତ୍ତାଟିଏ ଆସି ସାରିଲାଣି ଯେ ଜେନ‌େସନ ହୁଆଙ୍ଗଙ୍କୁ ନିଯୁକ୍ତି ଦେବା ତାଙ୍କ ସକାଶେ ଗୌରବର ବିଷୟ ହେବ। ଏଣୁ ଅନେକ ପର୍ଯ୍ୟବେକ୍ଷକ ଅନୁମାନ କରନ୍ତି ଯେ ହୃତ ସମ୍ମାନ ଫେରି ପାଇବା ସକାଶେ ଜେନସେନ ହୁଆଙ୍ଗ ହୁଏତ ଏଭଳି ଏକ କମ୍ପାନି ଗଢ଼ି ପାରନ୍ତି, ଯାହା ‘ଏନଭିଡିଆ’ର ପ୍ରତିଦ୍ବନ୍ଦ୍ବୀ ହୋଇ ଛିଡ଼ା ହେବ।

ଗଲା ଗୁରୁବାର ଦିନ ‘ଏନଭିଡିଆ’ର ପ୍ରତିଷ୍ଠାତା ଓ ମୁଖ୍ୟ ସଂଚାଳକ ଜେନସେନ ହୁଆଙ୍ଗ, ଏକ ଅପ୍ରୀତିକର ପରିସ୍ଥିତିରେ, ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ଏହା ସହିତ କଂପାନିର ନିର୍ଦ୍ଦେଶକ ବୋର୍ଡରୁ ମଧ୍ୟ ସେ ହଟି ଯାଇଛନ୍ତି। ଏହି ସ୍ତମ୍ଭର ପାଠକପାଠିକାମାନେ ନିଶ୍ଚିତ ଭାବେ ଅବଗତ ଥିବେ ଯେ ଜେନସେନ ହୁଆଙ୍ଗଙ୍କ ପରକୀୟା ପ୍ରେମର କଥା, ତହିଁରେ ପ୍ରେମିକା ରୂପୀ ସନ୍ଦିଗ୍‌ଧ ଚୀନା ଗୁପ୍ତଚରଙ୍କ ମଧୁ-ଛନ୍ଦରେ ବନ୍ଧନ ଏବଂ ତଦ୍ଦ୍ବାରା ‘ଏନଭିଡିଆ’ ଚିପ୍‌ର ଅତ୍ୟନ୍ତ ସୂକ୍ଷ୍ମ ଓ ଦୁର୍ଭେଦ୍ୟ ପ୍ରଯୁକ୍ତିର ରୂପରେଖ ସନ୍ତର୍ପଣରେ ଚୀନ ହାତକୁ ଚାଲି ଯାଇଥିବାର ଭୟ ଇତ୍ୟାଦି ମିଶି ଯାଇ ଗଲା ସପ୍ତାହଟିକୁ ତୁମୂଳ ଆଲୋଚନା-ଉତ୍ତପ୍ତ କରି ରଖିଛି। ପ୍ରକାଶ ଥାଉ କି ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ଏ.ଆଇ. ଉତ୍କର୍ଷ ପ୍ରତିପାଦନର ତୀବ୍ର ପ୍ରତିଦ୍ବନ୍ଦ୍ବିତାରେ ‘ଏନଭିଡିଆ’ ଚିପ୍‌ ହିଁ ହୋଇଥାଏ ବ୍ରହ୍ମାସ୍ତ୍ର, ଯାହା ଜେନସେନ ହୁଆଙ୍ଗଙ୍କ କୀର୍ତ୍ତି ଏବଂ ଯଦ୍ଦ୍ବାରା ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିଦ୍ବନ୍ଦ୍ବିତାରେ ଚୀନଠାରୁ ଆଗୁଆ ହୋଇ ରହିଛି। ସେହି ଦୃଷ୍ଟିରୁ ଜେନସେନ ହୁଆଙ୍ଗଙ୍କ ଅକସ୍ମାତ୍ ବିଦାୟକୁ ଟେକ୍ ଦୁନିଆରେ ଘଟିଥିବା ଭୀଷଣତମ ଭୂଚଳନ ରୂପେ ଦେଖାଯାଇଥାଏ। ଏଭଳି ସ୍ଥିତିରେ ଜେନସେନ ହୁଆଙ୍ଗ ଓ ‘ଏନଭିଡିଆ’ର ସ୍ଥିତି ଓ ଭବିଷ୍ୟତ୍ ନେଇ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି। 
ପ୍ରକାଶ ଥାଉ କି, ୧୯୯୩ ମସିହାରେ ସ୍ଥାପିତ ‘ଏନଭିଡିଆ’ର ବଜାର ମୂଲ୍ୟ, ୨୦୨୬ ମସିହା ବେଳକୁ, ଏକ ଈର୍ଷଣୀୟ ପ୍ରାୟ ୫ ଟ୍ରିଲିଅନ ଡଲାରରେ ପହଞ୍ଚି ଯାଇଥିଲା, ଯାହା ଭାରତର ‘ଜିଡିପି’ ଠାରୁ ମଧ୍ୟ ଅଧିକ। ଏହି ଅକଳ୍ପନୀୟ ସଫଳତାର ନେତୃତ୍ବ, ଗଲା ୩୩ ବର୍ଷ ଧରି ନେଇ ଆସିଥିଲେ କେବଳ ଜେନସେନ ହୁଆଙ୍ଗ,‌ ଯାହାଙ୍କ ପରେ ଦ୍ବିତୀୟ ଧାଡ଼ିର ନେତୃତ୍ବ ଅନୁପସ୍ଥିତ ଏବଂ ‘ଏନଭିଡିଆ’ରେ ନିଯୁକ୍ତ ତାଙ୍କ ଦୁଇ ସନ୍ତାନଙ୍କୁ ମଧ୍ୟ ସେ ଉତ୍ତରାଧିକାରୀ ରୂପେ ଗଢ଼ି ନାହାନ୍ତି। ଏଭଳି ସ୍ଥଳେ, କଂପାନିର ନେତୃତ୍ବ ଚିଫ ଫାଇନାନ୍‌ସ ଅଫିସର କୋଲେଟ କ୍ରେସଙ୍କ ହାତକୁ (ଅନ୍ତରୀଣ ବ୍ୟବସ୍ଥା ଭାବେ) ଯାଇଛି ଏବଂ ଏଭଳି ନୂତନ ସ୍ଥିତିରେ, କଂପାନିର ଅଗ୍ରଗତି, ସହସା, ପୂର୍ବ ଭଳି ସାବଲୀଳ ହେବା ହୁଏତ ଅସମ୍ଭବ! ଅବଶ୍ୟ, ଏହା ସତ ଯେ ନିରନ୍ତର ଭାବେ ନୂଆ ନୂଆ ସଂସ୍କରଣର ଅଦ୍ବିତୀୟ ଏ.ଆଇ. ଚିପ୍‌ମାନ ଦେଇ ଚାଲିଥିବା କଂପାନି ‘ଏନଭିଡିଆ’କୁ ତା’ର ଗ୍ରାହକମାନେ ପରିତ୍ୟାଗ କରିବେ ନାହିଁ, କିନ୍ତୁ, କଂପାନିର ଷ୍ଟକ ମୂଲ୍ୟରେ ହ୍ରାସ ଘଟିବା ଏବଂ ଅନୁଷ୍ଠାନର ମଙ୍ଗୁଆଳ ରୂପେ ଜେନସେନ ହୁଆଙ୍ଗଙ୍କ ଅନୁପସ୍ଥିତି ଜନିତ ଶୂନ୍ୟତା କଂପାନି ଲାଗି ଆହ୍ବାନଯୁକ୍ତ ହୋଇପାରେ!
ପରକୀୟା ପ୍ରେମକୁ ଜେନସେନ ହୁଆଙ୍ଗ ସ୍ବୀକାର କରିବା ଏବଂ ତହିଁରେ ଚୀନା ଗୁପ୍ତଚରଗିରିର ସଂଦର୍ଭ ଯୋଡ଼ି ହୋଇଯିବା ଭଳି ଘଟଣାକ୍ରମରେ, ମାତ୍ର ତିନି ଦିନ ମଧ୍ୟରେ, କଂପାନିର ଷ୍ଟକ ମୂଲ୍ୟରେ ୧୦% ସ୍ଖଳନ ଘଟିଥିଲା, ଯହିଁରେ କଂପାନି ପ୍ରାୟ ୮୦୦ ବିଲିଅନ ଡଲାରର କ୍ଷତି ସହିଥିଲା। ସେହି ଦୃଷ୍ଟିରୁ, କଂପାନି ଲାଗି, ଅକସ୍ମାତ୍‌, ଏକ ବୋଝରେ ପରିଣତ ହୋଇ ଯାଇଥିବା ଜେନସେନ ହୁଆଙ୍ଗଙ୍କ ବିଦାୟ ଅନିବାର୍ଯ୍ୟ ହୋଇ ଉଠିଥିଲା। ଏଭଳି ସ୍ଥିତିରେ କଂପାନିରେ ମାତ୍ର ୩.୫୮% ଅଂଶଧନର ମାଲିକ ଜେନେସେନ ହୁଆଙ୍ଗକୁ ହଟାଇ ଦିଆଯିବା ଆଦୌ କଷ୍ଟସାଧ୍ୟ ମଧ୍ୟ ନ ଥିଲା! ତେବେ, ବିଶେଷଜ୍ଞମାନଙ୍କ ମତରେ ତାଙ୍କ ପ୍ରସ୍ଥାନକୁ ସମ୍ମାନଜନକ କରିବା ଏଥି ଲାଗି ଜରୁରି ହୋଇଥିବ ଯେ ଏକ ବିବଦମାନ ସ୍ଥିତିରେ ତାଙ୍କ ବିତାଡ଼ନ କଂପାନିର ଷ୍ଟକ ମୂଲ୍ୟକୁ ହୁଏତ ଆହୁରି ଅଧିକ ନିମ୍ନଗାମୀ କରନ୍ତା। ସୁତରାଂ, ଜେନସେନ ହୁଆଙ୍ଗଙ୍କୁ ଇସ୍ତଫା ପ୍ରଦାନର ସୁଯୋଗ ଦିଆଯାଇଥିବ! ଆଉ କେତେକଙ୍କ ଅନ୍ଦାଜ ଯେ ଶୂନରୁ ଉଠାଇ ଏକ କଂପାନିକୁ ଅତୁଳନୀୟ ସଫଳତା ପ୍ରଦାନ କରିବା ସହିତ ତା’ର ଅସଂଖ୍ୟ ଅଂଶୀଦାରଙ୍କୁ ବିପୁଳ ଭାବେ ଲାଭବାନ କରିଥିବ‌ା ଜେନସେନ ହୁଆଙ୍ଗଙ୍କ ପ୍ରତି ଏହା ମଧ୍ୟ ‌େହାଇପାରେ କୃତଜ୍ଞତା ଜ୍ଞାପନର ଏକ ଚିହ୍ନ! 
ଏକ ଦୁର୍ଭାଗ୍ୟପୂର୍ଣ୍ଣ ସ୍ଥିତିରେ ଜେନସେନ ହୁଆଙ୍ଗ ତାଙ୍କ ସମ୍ମାନ, ପାରିବାରିକ ସଂପ୍ରୀତି ଏବଂ ତାଙ୍କ ପ୍ରିୟ କଂପାନିକୁ ଅଗତ୍ୟା ହରାଇଛନ୍ତି; କିନ୍ତୁ ‘ଏନଭିଡିଆ’ରେ ତାଙ୍କ ୩.୫୮%ର ଅଂଶଧନରୁ ସେ ୮୭ କୋଟି ଡଲାରର ଅଧିକାରୀ ହୋଇ ରହିବେ! ତେବେ, ଏହା ପରେ ତାଙ୍କ ଭବିଷ୍ୟତ ଯୋଜନା କ’ଣ ହେବ, ସେ ନେଇ ଅନ୍ଦାଜ ଲଗାଇବା କଷ୍ଟକର। ତେବେ, ଏହି ସଂଦର୍ଭରେ ତିନିଟି ପ୍ରସିଦ୍ଧ କଂପାନିରୁ ବହିଷ୍କୃତ ତିନି ଜଣ ପ୍ରତିଷ୍ଠାତା ଓ ମୁଖ୍ୟ ସଂଚାଳକଙ୍କ ଦୃଷ୍ଟାନ୍ତ ଉପରେ ଏକ କ୍ଷିପ୍ର ଦୃଷ୍ଟିପାତ କରାଯାଉ। ୧୯୮୫ ମସିହାରେ, ଆପଲ କଂପାନିର ପ୍ରତିଷ୍ଠାତା ଷ୍ଟିଭ ଜବ୍‌ସଙ୍କୁ ବହିଷ୍କାର କରାଯାଇଥିଲା, ଯାହାର କାରଣ ଥିଲା ଜବ୍‌ସଙ୍କ କାର୍ଯ୍ୟ ଶୈଳୀ ଓ ଭବିଷ୍ୟତ ପରିକଳ୍ପନା ସହିତ ତାଙ୍କ ଦ୍ବାରା ନିଯୁକ୍ତ ସି.ଇ.ଓ. ଜନ ସ୍କଲିଙ୍କ ମତା‌େନୖକ୍ୟ। ସ୍କଲିଙ୍କ ଉଦ୍ୟମରେ ପରିଚାଳନା ବୋର୍ଡ ଦ୍ବାରା ଜବ୍‌ସ ବିତାଡ଼ିତ ହୋଇଥିଲେ। ସୁତରାଂ, ଭଗ୍ନ ହୃଦୟ ସହିତ ଷ୍ଟିଭ ଜବ୍‌ସ ‘ନେକ୍‌ଷ୍ଟ’ ନାମକ ଆଉ ଏକ କଂପାନି ଗଢ଼ିଲେ। ଏଣେ, ଜବ୍‌ସଙ୍କ ପରେ, ସ୍କଲିଙ୍କ ନେତୃତ୍ବରେ ‘ଆପଲ’ କଂପାନିର ତୀବ୍ର ପତନର ଧାରା ସୃଷ୍ଟି ହେଲା। ତେଣୁ, ଦଶ ବର୍ଷ ପରେ, ଅର୍ଥାତ୍ ୧୯୯୬-୯୭ ମସିହାରେ, କଂପାନି ପକ୍ଷରୁ ପୁନର୍ବାର ଷ୍ଟିଭ ଜବ୍‌ସଙ୍କୁ ଲୋଡ଼ା ଯାଇଥିଲା। ଜବ୍‌ସଙ୍କ ଦ୍ବିତୀୟ ପାଳିରେ ମାକ୍‌ବୁକ, ଆଇପ୍ୟାଡ ଓ ଆଇଫୋନ ଆଦିର ବଜାର ପ୍ରବେଶ ଘଟି ‘ଆପଲ’କୁ ଏକ ଅସାମାନ୍ୟ ଉଚ୍ଚତା ଆଣି ଦେଇଥିଲା, ଯାହା ଅଦ୍ୟାପି ଅବ୍ୟାହତ ରହିଛି। ସେହିଭଳି ଏକ ଘଟଣାରେ, ୨୦୧୭ ମସିହାରେ ‘ଉବର’ କଂପାନିର ପ୍ରତିଷ୍ଠାତା ଓ ମୁଖ୍ୟ ସଞ୍ଚାଳକ ଟ୍ରାଭିସ କାଲେନିକଙ୍କୁ ବହିଷ୍କାର କରାଯାଇଥିଲା। କାଲେନିକ ‘ଉବର’ରେ ଥିବା ନିଜ ଅଂଶଧନକୁ ବିକ୍ରି କରି ଦେଇ ସେହି ଅର୍ଥରେ ଏକ ‘କ୍ଲାଉଡ୍ କିଚେନ’ କଂପାନି ପ୍ରାରମ୍ଭ କଲେ, ଯାହା ସଂପ୍ରତି ‘ଆଟମ’ ଭାବେ ନୂଆ ବ୍ରାଣ୍ଡ୍‌ ନାମ ଲାଭ କରିଛି। କାଲେନିକ ‘ଉବର’ ଠାରୁ ସଂପୂର୍ଣ୍ଣ ରୂପେ ଦୂରେଇ ଯାଇଛନ୍ତି। ତୃତୀୟ ଉଦାହରଣ ହେଉଛନ୍ତି ପ୍ରସିଦ୍ଧ ଏ.ଆଇ. କଂପାନି ‘ଓପେନ ଏ.ଆଇ.’ର ସୁବିଖ୍ୟାତ ପ୍ରତିଷ୍ଠାତା ଓ ମୁଖ୍ୟ ସଂଚାଳକ ସାମ ଅଲ୍‌ଟମାନ। ୨୦୨୩ ମସିହାରେ ସାମ ଅଲ୍‌ଟମାନଙ୍କୁ ବହିଷ୍କାର କରାଯାଇଥିଲା। କିନ୍ତୁ, ଏହା ଘଟିବାର ତୁରନ୍ତ ବାଦ ‘ଓପେନ ଏ.ଆଇ.’ର ପ୍ରାୟ ୭୦୦ ସରିକି ବିଚକ୍ଷଣ ଇଂଜିନିଅର ଏକ ସ୍ମାରକ ପତ୍ର ମାଧ୍ୟମରେ ଅଲ୍‌ଟମାନଙ୍କୁ ତାଙ୍କ ପଦରେ ପୁନଃ-ସଂସ୍ଥାପନ କରିବା ନେଇ ଦାବି ଜଣାଇଲେ ଏବଂ ଦାବି ପୂରଣ ନ ହେଲେ ସମୂହ କଂପାନି ପରିତ୍ୟାଗ କରିବାର ଧମକ ମଧ୍ୟ ଦେଲେ। ସୁତରାଂ, ମାତ୍ର ପାଞ୍ଚ ଦିନ ମଧ୍ୟରେ ସାମ ଅଲ୍‌ଟମାନ ‘ଓପେନ ଏ.ଆଇ.’କୁ ପ୍ରତ୍ୟାବର୍ତ୍ତନ କଲେ। ଏବେ, ଜେନସେନ ହୁଆଙ୍ଗଙ୍କ କ୍ଷେତ୍ରରେ କ’ଣ ଘଟିବ, ତାହା ଦେଖିବା ବାକି ରହିଲା। 
ଜେନସେନ ହୁଆଙ୍ଗ ଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ଅତ୍ୟନ୍ତ ପ୍ରିୟପାତ୍ର। ପୃଥିବୀର ତୁଙ୍ଗ ନେତା ଓ ଉଦ୍ୟୋଗପତିଙ୍କ ସହିତ ତାଙ୍କର ସୁସଂପର୍କ ରହିଛି, ଯେଉଁମାନେ ତାଙ୍କ ବିଚକ୍ଷଣତା ଓ ଦକ୍ଷତାକୁ ଅତି ଉଚ୍ଚ ସ୍ଥାନ ଦେଇଥାଆନ୍ତି। ଇତି ମଧ୍ୟରେ ଏଲନ ମସ୍କଙ୍କ ଏକ୍‌ସ ହାଣ୍ଡଲରୁ ବାର୍ତ୍ତାଟିଏ ଆସି ସାରିଲାଣି ଯେ ଜେନ‌େସନ ହୁଆଙ୍ଗଙ୍କୁ ନିଯୁକ୍ତି ଦେବା ତାଙ୍କ ସକାଶେ ଗୌରବର ବିଷୟ ହେବ। ଏଣୁ ଅନେକ ପର୍ଯ୍ୟବେକ୍ଷକ ଅନୁମାନ କରନ୍ତି ଯେ ହୃତ ସମ୍ମାନ ଫେରି ପାଇବା ସକାଶେ ଜେନସେନ ହୁଆଙ୍ଗ ହୁଏତ ଏଭଳି ଏକ କମ୍ପାନି ଗଢ଼ି ପାରନ୍ତି, ଯାହା ‘ଏନଭିଡିଆ’ର ପ୍ରତିଦ୍ବନ୍ଦ୍ବୀ ହୋଇ ଛିଡ଼ା ହେବ। ଦୈବାତ୍, ଯଦି ସେଭଳି କିଛି ହୁଏ, ତେବେ ଉପର ବର୍ଣ୍ଣିତ ତିନି ପ୍ରତିଷ୍ଠାତା ସି.ଇ.ଓ.ଙ୍କ ସହିତ ଆଉ ଏକ ଭିନ୍ନ ଉଦାହରଣ ଯୋଡ଼ି ହୋଇଯିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.