Editorial: ହେ ରାମ!

7 hours ago 1
ARTICLE AD BOX

ପ୍ରତ୍ୟେକ ଧର୍ମର ଭିତ୍ତି ହେଉଛି ଆସ୍ଥା ବା ବିଶ୍ବାସ। ଆଉ ଅଯୋଧ୍ୟାରେ ବର୍ତ୍ତମାନ ଦଣ୍ଡାୟମାନ ରାମ ମନ୍ଦିର କିପରି ଦୀର୍ଘ କାଳ ଧରି ସୃଷ୍ଟି ହୋଇଥିବା ଏକ ବିଶ୍ବାସର ବନ୍ୟା ଓ ଆସ୍ଥାର ସଂଗ୍ରାମ ଉପରେ ପ୍ରତିଷ୍ଠିତ ହୋଇଛି, ତାହା ବିଷୟରେ ଅଧିକ କିଛି କହିବା ଅନାବଶ୍ୟକ। ସେଇ ବିଶ୍ବାସ ଦ୍ବାରା ଆକର୍ଷିତ ହୋଇ ବହୁ କଷ୍ଟ ସ୍ବୀକାର କରି ଦେଶର କୋଣ ଅନୁକୋଣରୁ ଅଯୋଧ୍ୟାକୁ ଆସୁଥିବା ଅଗଣିତ ଭକ୍ତମାନଙ୍କୁ ଏହା କିଭଳି ମାନସିକ ଆଘାତ ଦେଉଥିବ, ତାହା ଯେ କେହି ସହଜରେ ଅନୁମାନ କରିପାରିବ।

Editorial: ଅସ୍ତିତ୍ବ ସଂକଟ

ଦେଶର ଅଗଣିତ ରାମଭକ୍ତ ବର୍ତ୍ତମାନ ଅସହନୀୟ ହୃଦୟ ଜ୍ବାଳା ଭୋଗ କରୁଛନ୍ତି। ସେମାନେ ବିଶ୍ବାସ କରିପାରୁ ନାହାନ୍ତି ଯେ ପ୍ରଭୁ ଶ୍ରୀରାମଙ୍କ ପାଇଁ ତାଙ୍କର ଜନ୍ମସ୍ଥଳୀ ଅଯୋଧ୍ୟାରେ ଏକ ଭବ୍ୟ ମନ୍ଦିର ନିର୍ମାଣ ନିମିତ୍ତ ସେମାନେ ମୁକ୍ତ ହସ୍ତରେ ଦାନ କରିଥିବା ଅର୍ଥର ଏକ ବିଶେଷ ଅଂଶକୁ ଏହାର ପରିଚାଳନା ଦାୟିତ୍ବରେ ଥିବା କିଛି ଲୋକ ହଡ଼ପ କରି ଦେଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। କାରଣ ପୁରୁଷୋତ୍ତମ ଶ୍ରୀରାମ ଜନମାନସରେ ବ୍ୟକ୍ତିଗତ ସାଧୁତା ଓ ସୁଶାସନର ମୂର୍ତ୍ତିମନ୍ତ ପ୍ରତୀକ ରୂପେ ପୂଜା ପାଇଥାନ୍ତି।
ରାମାୟଣର ଅଯୋଧ୍ୟା କାଣ୍ଡରେ ବର୍ଣ୍ଣିତ ଅଛି କିପରି ପିତୃସତ୍ୟ ପାଳନ କରି ଶ୍ରୀରାମଚନ୍ଦ୍ର ଚଉଦ ବର୍ଷ ପାଇଁ ବନବାସରେ ବାହାରିବା ପୂର୍ବରୁ ନିଜର ସମଗ୍ର ବ୍ୟକ୍ତିଗତ ସଂପଦକୁ ରାଜ୍ୟବାସୀଙ୍କ ମଧ୍ୟରେ ଦାନ ସୂତ୍ରରେ ବଣ୍ଟନ କରିଦେଇଥିଲେ। ସେତିକି ନୁହେଁ, ସେ ମଧ୍ୟ ସୀତାମାତାଙ୍କୁ ନିଜର ସମସ୍ତ ବ୍ୟକ୍ତିଗତ ସଂପଦ ଦାନ କରିଦେବାକୁ ଅନୁରୋଧ କରିଥିଲେ ଏବଂ ସୀତାମାତା ଶ୍ରୀରାମଙ୍କର ଅନୁରୋଧ ରକ୍ଷାକରି ତାହା କରିଥିଲେ। ମନ୍ଦିରର ପରିଚାଳକମାନେ ପ୍ରଭୁ ଶ୍ରୀରାମଙ୍କ ଆଦର୍ଶର ଠିକ୍ ବିପରୀତ ଆଚରଣ ପ୍ରଦର୍ଶନ କରି ପ୍ରଭୁଙ୍କ ମନ୍ଦିର ନିର୍ମାଣ ଉଦ୍ଦେଶ୍ୟରେ କରାଯାଇଥିବା ଦାନକୁ ଆତ୍ମସାତ୍‌ କରିଦେବା ସମସ୍ତ ରାମପ୍ରେମୀଙ୍କୁ ତେଣୁ ହତଭମ୍ଭ କରିଦେଇଛି। ରାମରାଜ୍ୟରେ ରାବଣରାଜ୍ୟସୁଲଭ କାଣ୍ଡ ସେମାନଙ୍କ ମଧ୍ୟରେ ଘୋର ହତାଶା ସୃଷ୍ଟି କରିଛି। ସେଇଥିପାଇଁ ଯେତେବେଳେ ରାମ ମନ୍ଦିରକୁ ଦାନ କରାଯାଇଥିବା ଅର୍ଥରୁ କୋଟି କୋଟି ଟଙ୍କା ବାଟମାରଣା ହୋଇଥିବା ରିପୋର୍ଟ ପ୍ରଥମେ ପ୍ରକାଶ ପାଇଲା, ଭକ୍ତମାନେ ଏହାକୁ ଏକ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ଗୁଜବ ରୂପେ ଆଡ଼େଇ ଦେଲେ। ଏପରିକି ଯେତେବେଳେ ଏଇ ହଡ଼ପ ହୋଇଥିବା ରାଶିର ପରିମାଣ ୨୦୦ କୋଟି ଟଙ୍କା ହୋଇପାରେ ବୋଲି ଅନୁମାନ ପ୍ରକାଶ ପାଇଲା, ‌ତାହା ମଧ୍ୟ ଅବିଶ୍ବାସ୍ୟ ମନେ ହେଲା।
ମନ୍ଦିର କର୍ତ୍ତୃପକ୍ଷ ଅଭିଯୋଗର ଯାଞ୍ଚକୁ ସ୍ବାଗତ କରିବା ପରିବର୍ତ୍ତେ, ତାହାକୁ ଫୁତ୍କାରରେ ଉଡ଼ାଇ ଦେଇ ସବୁ ଠିକ୍ ଅଛି ବୋଲି ଦାବି କଲେ। ସେମାନଙ୍କ ପକ୍ଷରେ ଯାହା ଉଚିତ ହୋଇଥାନ୍ତା, ତାହା ହେଲା ତତ୍‌କ୍ଷଣାତ୍ ଏକ ଏଫ୍ଆଇଆର୍ ଦାଖଲ କରି ପୁଲିସ ଅନୁସନ୍ଧାନ ଆରମ୍ଭ କରାଇବା। ସଂପ୍ରତି ଦେଶରେ ହିନ୍ଦୁମାନଙ୍କର ପ୍ରସିଦ୍ଧତମ ପବିତ୍ର ପୀଠରେ ପରିଣତ ହୋଇଥିବା ଏଇ ମନ୍ଦିରର ପରିଚାଳନା ବିରୁଦ୍ଧରେ ହୋଇଥିବା ଏହି ଆପରାଧିକ ଅଭିଯୋଗକୁ ଘୋଡ଼ାଇବାକୁ ଚେଷ୍ଟା କରିବା ପ‌ରିବର୍ତ୍ତେ, ସଂପୂର୍ଣ୍ଣ ସ୍ବଚ୍ଛତା ଅବଲମ୍ବନ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ପାଇଁ ହୋଇଥାନ୍ତା ଏକମାତ୍ର ଉଚିତ ମାର୍ଗ। କିନ୍ତୁ ଏହା ପରିବର୍ତ୍ତେ ସେମାନେ ନିରବତା ଅବଲମ୍ବନକୁ ଏକ ଅଧିକ ନିରାପଦ ମାର୍ଗ ରୂପେ ବିଚାର କଲେ। ସେମାନଙ୍କର ନଛୋଡ଼ବନ୍ଦା ନିରବତା ଜନମାନସରେ ସନ୍ଦେହକୁ ଘନୀଭୂତ କରିବାକୁ ଆରମ୍ଭ କଲା।
ଏଇ ପୃଷ୍ଠଭୂମିରେ ଅତୀତରେ ଖୋଦ୍ ଏକ ପ୍ରମୁଖ ଧର୍ମାନୁଷ୍ଠାନର ପରିଚାଳନା ମୁଖ୍ୟ ରୂପେ ଅନୁଭୂତିସଂପନ୍ନ ହୋଇଥିବା ତଥା ନିଜର କଠୋର ସାଧୁତା ପାଇଁ ଖ୍ୟାତ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଅଭିଯୋଗର ନିରପେକ୍ଷ ଅନୁସନ୍ଧାନ ପାଇଁ ଏକ ତିନିଜଣିଆ କମିଟି ଗଠନ କରିବା ଘୋଷଣା କରିଦେଲେ। ସେଇ କମିଟି ଦ୍ବାରା କରାଯାଇଥିବା ଅନୁସନ୍ଧାନ ଦ୍ବାରା ଉନ୍ମୋଚିତ ତଥ୍ୟ ଉପରୋକ୍ତ ଅଭି‌େଯାଗକୁ ଅସ୍ବୀକାର କରିବା ପାଇଁ ହୋଇଥିବା ସମସ୍ତ ଉଦ୍ୟମକୁ ମାଟିରେ ମିଶାଇ ଦେଇଛି। ଅନୁସନ୍ଧାନକାରୀମାନେ ‘ସିସିଟିଭି’ ଫୁଟେଜ୍ ଯାଞ୍ଚ କରି ଦାନବାକ୍ସରୁ ଚୋରି ହେଉଥିବାର ଠୋସ୍ ପ୍ରମାଣ ଆବିଷ୍କାର କରିଥିଲେ। ଜଣେ ଅଭିଯୁକ୍ତଙ୍କ ଠାରୁ ୮୦ ଲକ୍ଷ ଟଙ୍କା ନଗଦ ରାଶି ଜବତ ହୋଇ ଏହି ଚୋରିକୁ ସତ୍ୟ ସାବ୍ୟସ୍ତ କରିଥିଲା। ଅଭିଯୁକ୍ତଙ୍କର ଜୀବନଶୈଳୀରେ ହଠାତ୍ ଚମକପ୍ରଦ ଉନ୍ନତି ଘଟିଛି ବୋଲି ସେମାନଙ୍କର ସଂପର୍କୀୟମାନେ ଦେଇଥିବା ବୟାନ ଏହାକୁ ଆହୁରି ଦୃଢ଼ୀଭୂତ କରିଛି। ମନ୍ଦିର ପରିଚାଳନା ଦାୟିତ୍ବରେ ଥିବା ‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ’ର କେତେକ ଶୀର୍ଷ କର୍ମକର୍ତ୍ତା ଇତିମଧ୍ୟରେ ଇସ୍ତଫା ଦେଇଥିବା ବେଳେ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ସହିତ ସେମାନଙ୍କର ଘନିଷ୍ଠ ସଂପର୍କ ଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ଜଣେ ଅଭିଯୁକ୍ତ ମଧ୍ୟ ଟ୍ରଷ୍ଟର ପୂର୍ବତନ ସାଧାରଣ ସଂପାଦକ ଚମ୍ପତରାୟଙ୍କର ଡ୍ରାଇଭର ରୂପେ କାର୍ଯ୍ୟ କରୁଥିଲା ବୋଲି ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି।
ଏଇ ସମସ୍ତ ପ୍ରକାଶିତ ତଥ୍ୟ ଅନେକଗୁଡ଼ିଏ ଅସ୍ବସ୍ତିକର ପ୍ରଶ୍ନ ସୃଷ୍ଟି କରିଥାଏ। ଉପରିସ୍ଥ କର୍ମକର୍ତ୍ତାଙ୍କ ସହଯୋଗ କିମ୍ବା ଅବହେଳା ବିନା ଏଇ ଅଭିଯୁକ୍ତ ତଳିଆ କର୍ମଚାରୀମାନେ କ’ଣ ଏତେ ଦୀର୍ଘ ସମୟ ଧରି ମନ୍ଦିରର ଦାନ ଅର୍ଥକୁ ଲୁଟ୍ କରିଚାଲିବା ସମ୍ଭବ? କେହି କ’ଣ ‘ସିସିଟିଭି’ ଚିତ୍ରକୁ କେବେହେଲେ ନିରୀକ୍ଷଣ କରୁ ନ ଥିଲେ? ସଂସ୍ଥାର ଆଭ୍ୟନ୍ତରୀଣ ଅଡିଟ୍ ନିୟମିତ ଭାବରେ ସଂପାଦନ କରାଯାଉ ନ ଥିଲା କି? ଏ ସମସ୍ତର ଉତ୍ତରଦାୟିତ୍ବ କେବଳ କେତେଜଣ ତଳିଅା କର୍ମଚାରୀଙ୍କ ମୁଣ୍ଡରେ ଲଦି ଦିଆଯାଇ ପାରିବ ନାହିଁ। ଏବେ ଶୁଣାଯାଉଛି ଯେ ମନ୍ଦିରକୁ ଦିଅାଯାଉଥିବା ଦାନ ପାଇଁ ବିଧିବଦ୍ଧ ରସିଦ ପ୍ରଦାନ କରାଯାଇ ତାକୁ ଲିପିବଦ୍ଧ କରାଯିବାର କୌଣସି ସୁସଂହତ ବ୍ୟବସ୍ଥା ସେଠାରେ କାର୍ଯ୍ୟ କରୁ ନ ଥିଲା। ଏଭଳି ନିର୍ଭୁଲ୍‌ ରେକର୍ଡର ଅନୁପସ୍ଥିତିରେ ପ୍ରକୃତରେ କେତେ ଆକାରର ଦାନ ରାଶି ଚୋରି ‌େହାଇଛି ତାହା କେବେହେଲେ ଠିକ୍ ଭାବରେ ଜଣାପଡ଼ିବ ନାହିଁ। ବର୍ତ୍ତମାନ ସରକାର, ମନ୍ଦିର କର୍ତ୍ତୃପକ୍ଷ, ପୁଲିସ ଓ ନ୍ୟାୟାଳୟ ସମ୍ମୁଖରେ ଉପଲବ୍‌ଧ ଏକମାତ୍ର ବିକଳ୍ପ ହେଉଛି ସମୁଦାୟ ଅପରାଧର ଏକ ନିରପେକ୍ଷ ଓ ତ୍ବରିତ ଅନୁସନ୍ଧାନ କରି ଦୋଷୀଙ୍କୁ ଚିହ୍ନଟ କରି ତୁରନ୍ତ ଦଣ୍ଡିତ କରିବା, ସେମାନେ ଯେତେ ଉଚ୍ଚ ପଦପଦବିରେ ଅଧିଷ୍ଠିତ ହୋଇଥାନ୍ତୁ ନା କାହିଁକି।

Editorial: ଦଶାହାରୀ ଦର୍ଶନ

ମନେ ରଖିବା କଥା, ଏଇ ଅପରାଧୀମାନଙ୍କ ଦୃଷ୍ଟିକୋଣରୁ ସେମାନେ କେବଳ କିଛି ଅର୍ଥ ବା ସୁନାରୂପା ଚୋରି କରିଛନ୍ତି; କିନ୍ତୁ ଦେଶର କୋଟି କୋଟି ରାମଭକ୍ତଙ୍କ ଦୃଷ୍ଟିକୋଣରୁ ଚୋରମାନେ ସେମାନଙ୍କର ବିଶ୍ବାସକୁ ଚୋରି କରିଛନ୍ତି। ପ୍ରତ୍ୟେକ ଧର୍ମର ଭିତ୍ତି ହେଉଛି ଆସ୍ଥା ବା ବିଶ୍ବାସ। ଆଉ ଅଯୋଧ୍ୟାରେ ବର୍ତ୍ତମାନ ଦଣ୍ଡାୟମାନ ରାମ ମନ୍ଦିର କିପରି ଦୀର୍ଘ କାଳ ଧରି ସୃଷ୍ଟି ହୋଇଥିବା ଏକ ବିଶ୍ବାସର ବନ୍ୟା ଓ ଆସ୍ଥାର ସଂଗ୍ରାମ ଉପରେ ପ୍ରତିଷ୍ଠିତ ହୋଇଛି, ତାହା ବିଷୟରେ ଅଧିକ କିଛି କହିବା ଅନାବଶ୍ୟକ। ସେଇ ବିଶ୍ବାସ ଦ୍ବାରା ଆକର୍ଷିତ ହୋଇ ବହୁ କଷ୍ଟ ସ୍ବୀକାର କରି ଦେଶର କୋଣ ଅନୁକୋଣରୁ ଅଯୋଧ୍ୟାକୁ ଆସୁଥିବା ଅଗଣିତ ଭକ୍ତମାନଙ୍କୁ ଏହା କିଭଳି ମାନସିକ ଆଘାତ ଦେଉଥିବ, ତାହା ଯେ କେହି ସହଜରେ ଅନୁମାନ କରିପାରିବ।
ଯାହାଙ୍କୁ ହୃଦୟରେ ସ୍ଥାପନ କରି ମହାତ୍ମା ଗାନ୍ଧୀ ‘ରାମରାଜ୍ୟ’ର ପରିକଳ୍ପନା କରିଥିଲେ, ସେଇ ପ୍ରଭୁ ଶ୍ରୀରାମ ନିଜର ଚକ୍ଷୁ ସମ୍ମୁଖରେ ଘଟୁଥିବା ଭକ୍ତଙ୍କ ଦାନର ଚୋରିକୁ ଅସହାୟ ଭାବରେ ଚାହିଁ ରହିଛନ୍ତି। ବାପୁ ଶେଷ ନିଃଶ୍ବାସ ତ୍ୟାଗ କଲାବେଳେ ତାଙ୍କ ମୁଖରୁ ନିର୍ଗତ ଶେଷ ଶବ୍ଦ ଥିଲା- ‘ହେ ରାମ!’ ବାପୁ ଯଦି ଆଜି ଜୀବିତ ଥାନ୍ତେ, ତେବେ ଏସବୁ ଦେଖି ଜୀବିତାବସ୍ଥାରେ ସେ ନିଶ୍ଚିତ ରୂପେ ହତାଶ ହୋଇ କହିପକାଇଥାନ୍ତେ- ‘ହେ ରାମ!’

Read Entire Article
LEFT SIDEBAR AD

Hidden in mobile, Best for skyscrapers.