ARTICLE AD BOX
ସଂଗଠିତ ଛଳନାର ସଂସ୍କୃତି
ଅବଶ ପରିଡ଼ା
“ସାର୍ବଜନୀନ ଭାଷଣର ପ୍ରକୃତ ମଜା ସେତେବେଳେ ଆସେ ଯେତେବେଳେ ଶ୍ରୋତାମାନେ ଜାଣିପାରନ୍ତି ଯେ ବକ୍ତାଟି ଅର୍ଥହୀନ କଥା କହୁଛନ୍ତି, ଏବଂ ବକ୍ତା ନିଜେ ମଧ୍ୟ ସଚେତନ ଯେ ସେ ଭିତ୍ତିହୀନ କଥା କହୁଛନ୍ତି।’’ ଏହି ପ୍ରସିଦ୍ଧ ଧାଡ଼ିଟି ଶ୍ରୀଲାଲ ଶୁକ୍ଳଙ୍କ ଦ୍ୱାରା ଲିଖିତ ‘ରାଗ ଦରବାରୀ’ ନାମକ ଉପନ୍ୟାସର। ଏହା ଏମିତି ଏକ ପରିସ୍ଥିତିକୁ ବୁଝାଏ ଯେଉଁଠାରେ ସମସ୍ତେ ବାସ୍ତବତା କ’ଣ ଜାଣନ୍ତି, କିନ୍ତୁ ସାମୂହିକ ଭାବେ ଛଳନା କରି ପରିସ୍ଥିତିକୁ ପରିବର୍ତ୍ତନ କରିବା ପରିବର୍ତ୍ତେ ଉପଭୋଗ କରି ଚାଲିଥାନ୍ତି।
ସମ୍ଭବତଃ ଆମ ସାମାଜିକ ଓ ପ୍ରଶାସନିକ ବ୍ୟବସ୍ଥା ମଧ୍ୟ ଏପରି ଏକ ପର୍ଯ୍ୟାୟରେ ପ୍ରବେଶ କରିସାରିଛି, ଯେଉଁଠାରେ ସତ କ’ଣ ଆମେ ଜାଣିଛୁ। କିନ୍ତୁ ବିଡ଼ମ୍ବନା ଯେ ଏହାକୁ ସାର୍ବଜନୀନ ଭାବରେ ଅଣଦେଖା କରାଯାଉଛି। ଶାସକ ଓ ପ୍ରଶାସକମାନେ ଜାଣନ୍ତି ଯେ ସେମାନେ ନାଗରିକଙ୍କୁ ଭ୍ରମିତ କରୁଛନ୍ତି। ଏପଟେ ଆମେ ସାଧାରଣ ନାଗରିକମାନେ ଭଲଭାବରେ ଜାଣୁ ଯେ ଆମେ ଭ୍ରମିତ ହେଉଛୁ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଏହି ସୁପରିକଳ୍ପିତ ଚକ୍ରରେ ଆମେ ସମସ୍ତେ ଜଣେ ଜଣେ ସକ୍ରିୟ ଅଂଶଗ୍ରହଣକାରୀ ହୋଇସାରିଛୁ।
ପ୍ରାୟ ଅଧିକାଂଶ ପ୍ରଶାସନ, ଶାସନ ଓ ସାଙ୍ଗଠନିକ ବ୍ୟବସ୍ଥା ଭିତରେ ଏମିତି ଚକ୍ର ଅଛି। ଅନେକ ଏହାକୁ ସଂଗଠିତ ଛଳନା ବା ‘ଅର୍ଗାନାଇଜ୍ଡ ହିପୋକ୍ରେସି’ ବୋଲି କୁହନ୍ତି। ଉଦାହରଣ ସ୍ୱରୂପ, ବିଦ୍ୟାଳୟ ପାଠ୍ୟପୁସ୍ତକରେ ମାଳ ମାଳ ତ୍ରୁଟି ହେଉ ବା ଭତ୍ତାରେ ବିଳମ୍ଭ ହେଉ, ଉଭୟ କ୍ଷେତ୍ରରେ କର୍ତ୍ତୃପକ୍ଷ ଏପରି ସ୍ପଷ୍ଟୀକରଣ ଦେଇଥିଲେ ଯାହା ସ୍ପଷ୍ଟ ଭାବରେ ସନ୍ତୋଷଜନକ ନଥିଲା। ଏହା ସତ୍ତ୍ବେ ଜନସାଧାରଣ ଓ କର୍ତ୍ତୃପକ୍ଷ ଉଭୟଙ୍କ ଦ୍ୱାରା ତାହା ଗ୍ରହଣୀୟ ହୋଇଥିଲା।
ଆହୁରି ପଢ଼ନ୍ତୁ- Nitin Gadkari: ନୀତିନ ଗଡକରୀଙ୍କ ବଡ଼ ବିଜୟ, ମେଟା, ଏକ୍ସ ଏବଂ ଗୁଗୁଲ୍ ବିରୋଧରେ ମାମଲା ରୁଜୁ କରିବାକୁ ଅନୁମତି
ଏହି ପରିପ୍ରେକ୍ଷୀରେ ଏକ ସାମାଜିକ ପରୀକ୍ଷଣ କଥା ଆଲୋଚନା କରିବା। କିଛି ବ୍ୟକ୍ତିଙ୍କୁ ସରଳ ପ୍ରଶ୍ନ ଦିଆଯାଇଥିଲା ଯାହାର ଉତ୍ତର ସେମାନେ ଜାଣିଥିଲେ। କିନ୍ତୁ ସେହି ପରୀକ୍ଷଣରେ ସାମିଲ ହୋଇଥିବା ଅଧିକାଂଶ ଅଂଶ ଗ୍ରହଣକାରୀ ଜାଣିଶୁଣି ଭୁଲ୍ ଉତ୍ତର ଦେଲେ। ଏହା ଦେଖି ଠିକ୍ ଉତ୍ତର ଜାଣିଥିବା ବ୍ୟକ୍ତିମାନେ ମଧ୍ୟ ଭୁଲ୍ ଉତ୍ତର ଦେଲେ। ଏହାର କାରଣ ଥିଲା ଯେ ପରୀକ୍ଷଣରେ ସାମିଲ ଥିବା ବ୍ୟକ୍ତି ସଂଖ୍ୟାଗରିଷ୍ଠ ଗୋଷ୍ଠୀର ବିରୋଧୀ ହେବା ଓ ମତଭେଦକୁ ଏଡ଼ାଇବାକୁ ପସନ୍ଦ କଲେ। କିନ୍ତୁ ଜାଣି ରଖନ୍ତୁ, ଏହିପରି ଅଭ୍ୟାସ ପ୍ରଥମେ ଏକ ଆପୋସ ବୁଝାମଣା ଭଳି ଲାଗେ। କିନ୍ତୁ ଧୀରେ ଧୀରେ ଏହା ପାରସ୍ପରିକ ଅବିଶ୍ୱାସ ଆଡ଼କୁ ଗତି କରିଥାଏ।
ସଂଗଠିତ ଛଳନା ଦ୍ୱାରା ସମାଜ ଉପରେ ଗଭୀର ପ୍ରଭାବ ପଡ଼ିଥାଏ। ଏହାର ତିନିଟି ଦୃଷ୍ଟିକୋଣ ଅଛି। ସାମାଜିକ ପ୍ରଭାବ ଅନୁଯାୟୀ ସାଧାରଣ ଲୋକଙ୍କ ବିଶ୍ୱାସ ହ୍ରାସ ପାଏ। ଫଳସ୍ୱରୂପ ରାଜନୈତିକ ଉଦାସୀନତା ଓ ନିମ୍ନ ଆଶାର ଏକ ସଂସ୍କୃତି ସୃଷ୍ଟି ହୁଏ। ଅନ୍ୟ ପଟେ ପ୍ରଶାସନିକ ଜୀବନରେ, ଏହି ସଂଗଠିତ କପଟାଚରଣ ଦ୍ୱାରା ଉତ୍ତରଦାୟିତ୍ୱ ଦୁର୍ବଳ ହୁଏ। ଅଧିକାରୀମାନେ ସମସ୍ୟା ସମାଧାନ କରିବା ପରିବର୍ତ୍ତେ ଲୋକଦେଖାଣିଆ ପରିଚାଳନା କରିବାରେ ଅଧିକ ଲିପ୍ତ ରୁହନ୍ତି। ନିୟମ ସବୁ କାଗଜରେ ସୀମିତ ରହିଯାଏ। ସାମୂହିକ ଛଳନାର ଯଦି ନିୟମିତ ହୁଏ ତେବେ ଅନେକ ଶାସନ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୁଏ।
ମନରେ ପ୍ରଶ୍ନ ଆସିବା ସ୍ବାଭାବିକ ଯେ ଆମ ନିରବତା ଯୋଗୁଁ ଏସବୁ ହେଉଛି କି? ଯଦି ହଁ, ତା’ହେଲେ ଆମେ କାହିଁକି ନିରବ ରହୁଛେ? ଭୟ ହେଉଛି ଏହାର ପ୍ରମୁଖ କାରଣ। ଭୟର ଭୂମିକା ଏଠାରେ ଦୁଇ ପ୍ରକାରର। ପ୍ରଥମଟି ହେଉଛି ଭୟ ଯୋଗୁଁ ନିରବତା। ଦଣ୍ଡ, ପ୍ରତ୍ୟାଖାନ, ଚାପ, ଉପହାସ କିମ୍ବା ସୁଯୋଗ ହରାଇବାର ଭୟ ଯୋଗୁଁ ଲୋକେ ନିରବ ରହିବାକୁ ପସନ୍ଦ କରନ୍ତି। ଏହା ନିରବତାର ଚକ୍ର ଭାବେ ବେଶ୍ ଜଣାଶୁଣା।
ଦ୍ବିତୀୟଟି ହେଉଛି ନିରବତାଜନିତ ଭୟ। ଏହାର ଅର୍ଥ ହେଲା ଯେହେତୁ ଚାରିପାଖରେ ସମସ୍ତେ ନିରବ ରହୁଛନ୍ତି, ତେଣୁ ବ୍ୟକ୍ତିଟିଏ ଭାବେ ଯେ ବ୍ୟବସ୍ଥାଟି ସମସ୍ତଙ୍କ ଦ୍ୱାରା ଆଦୃତ ହୋଇଯାଇଛି। ସେଥିପାଇଁ ଏହାକୁ ପ୍ରଶ୍ନ କରିବା ହିଁ ଏକ ପ୍ରକାର ବିପଦ।
ଆହୁରି ପଢ଼ନ୍ତୁ- Odisha PG Admission 2026 ପିଜି ଆଡ଼ମିଶନ ବିଜ୍ଞପ୍ତି, ୨୭ ଜୁଲାଇରୁ ଲକିଂ, ଅଗଷ୍ଟ ୭ରେ ମେଧା ତାଲିକା
ଯଦି କର୍ତ୍ତୃପକ୍ଷ ଓ ଜନସାଧାରଣ ଛଳନାକୁ ନେଇ ସହନଶୀଳ ହେବେ, ଭବିଷ୍ୟତରେ ଏହା ଏକ ଭିନ୍ନ ବ୍ୟବସ୍ଥା ସୃଷ୍ଟି କରିବ। ଗୋଟିଏ ପଟେ ଶାସନ ବ୍ୟବସ୍ଥା କଠୋର ଅନୁଶାସନର ଏକ ଛବି ବଜାୟ ରଖିବାକୁ ଚେଷ୍ଟା କରିବ। କିନ୍ତୁ ଅନ୍ୟପଟେ ନାଗରିକମାନେ ଏହି ବ୍ୟବସ୍ଥାଗୁଡ଼ିକର ଗଳାବାଟ ପାଇଁ ଉପାୟ ଖୋଜିବେ। ସବୁ କଥା ଜାଣି ମଧ୍ୟ କେହି ଖୋଲାଖୋଲି ଭାବରେ ଏହି ପରିସ୍ଥିତିକୁ ବିରୋଧ କରିବେ ନାହିଁ। କାରଣ କଙ୍କଡ଼ାକୁ ଗୋଳି ପାଣି ପରି ଏହି ବ୍ୟବସ୍ଥା ଉଭୟ ପକ୍ଷକୁ ଦ୍ୱନ୍ଦ୍ୱ ଏଡ଼ାଇବା ଓ କାର୍ଯ୍ୟ ଜାରି ରଖିବାରେ ସାହାଯ୍ୟ କରିବ। ସମାଜବିଜ୍ଞାନୀଙ୍କ ମତରେ ଯଦି ଦୀର୍ଘ ସମୟ ଧରି ଏଭଳି ସାମାଜିକ ପରିସ୍ଥିତି ରହିବ ତେବେ ପାରସ୍ପରିକ ବିନାଶର ‘ନାସ୍ ଇକ୍ଵିଲିବ୍ରିଅମ’ ନାମକ ଅବସ୍ଥା ସୃଷ୍ଟି ହୋଇପାରେ। ଏହି ସ୍ଥିତିରେ ପ୍ରତାରଣା ଉଭୟ ପକ୍ଷ ପାଇଁ ଏକ ରଣନୀତି ହୋଇଯାଏ।
ପରିଶେଷରେ ଏହି ଆଲୋଚନାକୁ ନେଇ ଚାରିଟି କାଳ୍ପନିକ ସମ୍ଭାବନା ସୃଷ୍ଟି ହୋଇପାରେ। ଧରନ୍ତୁ, ଜନସାଧାରଣ ସହଯୋଗ କଲେ କିନ୍ତୁ ପ୍ରଶାସନ ଠକିବା ଆରମ୍ଭ କରିବ, ତେବେ କ’ଣ ହେବ? ଏହା ଦ୍ୱାରା ଏକ ଶୋଷଣକାରୀ ଓ ଅତ୍ୟାଚାରୀ ଶାସନ ବ୍ୟବସ୍ଥା ସୃଷ୍ଟି ହେବାର ଆଶଙ୍କା ବଢ଼ିଯାଏ। ଦ୍ବିତୀୟରେ ଯଦି ଜନସାଧାରଣ ଠକିଲେ କିନ୍ତୁ ପ୍ରଶାସନ ସହଯୋଗ କରିବ ତେବେ ଅସନ୍ତୁଷ୍ଟ ନାଗରିକମାନଙ୍କୁ ପାଣ୍ଠି ଯୋଗାଇବାକୁ ଯାଇ ରାଷ୍ଟ୍ର ଦେବାଳିଆ ହୋଇଯିବ ଏବଂ ମାଗଣାଖୋର ସଙ୍କଟ ଦେଖାଦେବ। ତୃତୀୟ ପରିଣାମ କଥା ଚିନ୍ତା କରନ୍ତୁ। ଯଦି ଜନସାଧାରଣ ଓ ପ୍ରଶାସନ ଉଭୟ ଉଭୟଙ୍କୁ ଠକିଲେ? ତେବେ ବ୍ୟବସ୍ଥାଗତ ପତନ ସୁନିଶ୍ଚିତ। ଚତୁର୍ଥରେ ଯଦି ଜନସାଧାରଣ ଓ ପ୍ରଶାସନ ଉଭୟ ଉଭୟଙ୍କୁ ସହଯୋଗ କରିବେ ତେବେ ପାରସ୍ପରିକ ବିଶ୍ୱାସ, ସମୃଦ୍ଧ ଅର୍ଥନୀତି ଓ ବିକଶିତ ଜନସେବାରେ ଭରପୂର ଏକ ଆଦର୍ଶ ସମାଜ ଗଢ଼ିଉଠିବ। ଆମେ କେଉଁ ଫଳାଫଳକୁ ବାଛିବା ସେ ନିଷ୍ପତ୍ତି ଆମର।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୮୪୫୬୮୭୯୫୨୨
ଅଧିକ ଦେଖନ୍ତୁ-

1 hour ago
1


