ARTICLE AD BOX
ଅତୀତରେ ଦକ୍ଷିଣ କୋଶଳ ବା ରାୟପୁର ଓ ବିଳାସପୁର ଇତ୍ୟାଦି ଅଞ୍ଚଳରୁ ପୁରସ୍ତମ ଆସୁଥିବା ଧୂଳିଆ ଯାତ୍ରୀମାନେ ଖିଞ୍ଜିଳି ମଣ୍ଡଳର ଧୃତିପୁର ବା ଆଜିର ବୌଦ୍ଧ ପହଞ୍ଚିବା ଆଗରୁ ସେମାନଙ୍କୁ ଯଜମାନ ମାନ୍ୟତାରେ ବାଟ ଦେଖାଇ ଆଣୁଥିବା ବାଟଗୁମାସ୍ତା ଜଣେଇ ଦିଏ ଯେ ସେମାନେ ଜଗନ୍ନାଥ ସଡ଼କ ଧରି ସାରିଲେଣି।
/sambad/media/media_files/2026/10/03/fshfshfhfxvb-2026-10-03-01-19-51.jpg)
ମାଧବ ଚନ୍ଦ୍ର ମିଶ୍ର
ଅତୀତରେ ଦକ୍ଷିଣ କୋଶଳ ବା ରାୟପୁର ଓ ବିଳାସପୁର ଇତ୍ୟାଦି ଅଞ୍ଚଳରୁ ପୁରସ୍ତମ ଆସୁଥିବା ଧୂଳିଆ ଯାତ୍ରୀମାନେ ଖିଞ୍ଜିଳି ମଣ୍ଡଳର ଧୃତିପୁର ବା ଆଜିର ବୌଦ୍ଧ ପହଞ୍ଚିବା ଆଗରୁ ସେମାନଙ୍କୁ ଯଜମାନ ମାନ୍ୟତାରେ ବାଟ ଦେଖାଇ ଆଣୁଥିବା ବାଟଗୁମାସ୍ତା ଜଣେଇ ଦିଏ ଯେ ସେମାନେ ଜଗନ୍ନାଥ ସଡ଼କ ଧରି ସାରିଲେଣି। ପୁରୀ ପଣ୍ଡାମାନଙ୍କର ଦୁଇ ପ୍ରକାର ଗୁମାସ୍ତା ଥିଲେ- ପାଦଚଲା ବାଟଗୁମାସ୍ତା ଓ ନଦୀପଥ ଧରୁଥିବା ଘାଟଗୁମାସ୍ତା। ମଧ୍ୟଭାରତରୁ ଆସୁଥିବା ଏହି ଯଜମାନଙ୍କୁ ଉଭୟ ପଥ ଦେଇ ଗୁମାସ୍ତାମାନେ ପୁରସ୍ତମ ଆଣିଥାଆନ୍ତି।
ବୌଦ୍ଧରୁ ପଦ୍ମତୋଳା ଘାଟି ଦେଇ ମହାନଦୀ କୂଳେ କୂଳେ ସାତକୋଶିଆ ଗଣ୍ଡ ଓ ବଡ଼ମୂଳର ନିଘଞ୍ଚ ଅରଣ୍ୟ ପଥରେ ଗଣିଆ ପହଞ୍ଚିବା ପରେ ସେଠାରେ ପଶ୍ଚିମାଯାତ୍ରୀଙ୍କୁ ଗଣତି କରାଯାଏ। ସେ ସ୍ଥାନର ନଁା ଆପେଆପେ ଗଣିଆ ହୋଇଗଲା। ସେଠାରୁ କଣ୍ଟିଲୋ ନୀଳମାଧବ କ୍ଷେତ୍ର, ଏକାମ୍ର କ୍ଷେତ୍ର ଓ ପୁରସ୍ତମ। ତେଣୁ ଦକ୍ଷିଣ କୋଶଳରୁ, ଖିଞ୍ଜିଳି ମଣ୍ଡଳ ଦେଇ କଳିଙ୍ଗ ରାଜଧାନୀ ତୋଷାଳୀ (ଧଉଳି) ପର୍ଯ୍ୟନ୍ତ ଏହି ଜଗନ୍ନାଥ ସଡ଼କର ବ୍ୟାପ୍ତି।
ବୌଦ୍ଧ ପରେ ଏହି ସଡ଼କର ଭୟସଂକୁଳ ଘନ ଅରଣ୍ୟ ଭିତରକୁ ପ୍ରବେଶ ଦ୍ବାର ହେଉଛି ଦଶପଲ୍ଲାର ପଦ୍ମତୋଳା ଘାଟି। ପ୍ରାକୃତିକ ଭାବେ ଏହା ବିଷଧର ସରୀସୃପ ଓ ଭୟଙ୍କର ପଶୁପକ୍ଷୀଙ୍କ ଆବାସ ସ୍ଥଳ। ଐତିହାସିକ ଭାବେ ମଧ୍ୟଯୁଗୀୟ ସୈନ୍ୟସାମନ୍ତଙ୍କ ବିଶ୍ରାମ ସ୍ଥଳ ଓ ପଳାୟନ ସ୍ଥଳ ମଧ୍ୟ। ଉପକୂଳରୁ ପଶ୍ଚିମ ଓଡ଼ିଶାକୁ ଯାଉଥିବା ଦ୍ରବ୍ୟର ମାହାସୁଲ ଏଠାରେ ଅସୁଲ କରାଯାଉଥିଲା। ପୂର୍ବ ଓ ପଶ୍ଚିମ ଓଡ଼ିଶାର ସାମରିକ, ରାଜନୈତିକ ଓ ଅର୍ଥନୈତିକ ନିୟନ୍ତ୍ରଣ କେନ୍ଦ୍ର ଭାବେ ଏହା ବିବେଚିତ।
ମହାକୋଶଳ ଶାସକମାନଙ୍କର ମହାନଦୀ ଅବବାହିକା ସହ ଦୀର୍ଘ ସ୍ଥଳପଥ ଇତିହାସ ରହିଛି। ପୁରୀର ଯାତ୍ରୀପାଞ୍ଜିରେ ଉଲ୍ଲେଖ ଅଛି ମଧ୍ୟଭାରତର ପୁରସ୍ତମ ଯାତ୍ରୀମାନେ ମହାନଦୀ ଅବବାହିକା ଦେଇ ପୁରୀ ଆସୁଥିଲେ। ଐର ଖାରବେଳଙ୍କ ବିଦର୍ଭ ଯାତ୍ରା ଏହି ବାଟଦେଇ ହୋଇଥିଲା। ସୋମବଂଶୀ ଶାସକମାନେ ମହାକୋଶଳରୁ ମହାନଦୀ ଭେଲ୍ଲି ଦେଇ ଓଡ଼ିଶା ଆସିଥିଲେ। ସୁବର୍ଣ୍ଣପୁର ଓ ଧୃତିପୁରରୁ ପୁରୀକୁ ଏହି ରାସ୍ତାର ନାମ ‘ଜଗନ୍ନାଥ ସଡ଼କ’ ହୋଇଥିବାବେଳେ ସମ୍ବଲପୁର-ଅନୁଗୋଳ-ଢେଙ୍କାନାଳ-କଟକ ସଡ଼କ ନାମ ‘ବାଦଶାହୀ ପଥ’ ବା ‘ବାଦଶା ସଡ଼କ’।
ଦଶପଲ୍ଲା ଗଡ଼ଜାତ ପ୍ରତିଷ୍ଠାର ସୂତ୍ରପାତ ଏହି ଜଗନ୍ନାଥ ସଡ଼କର ପଦ୍ମତୋଳା ଘାଟି ଓ ବଡ଼ମୂଳ ଭିତରେ ୧୪୯୮ ମସିହାରେ ସଂଗଠିତ ହୋଇଥିଲା। ବୌଦ୍ଧ ରାଜାଙ୍କ ସାନଭାଇ ଶାଳଭଞ୍ଜ ବୌଦ୍ଧର ଅରଣ୍ୟଭରା ପୂର୍ବାଞ୍ଚଳ ଦାବି କରି ଗଜପତିଙ୍କୁ ଭେଟିବାକୁ ଏହି ରାସ୍ତାରେ ଯାଉଥିବାବେଳେ ନୟାଗଡ଼ ରାଜା ତାଙ୍କର ସହାୟତା ଲାଗି ପଦ୍ମତୋଳାରେ ଭେଟି ଦଶପଲ୍ଲା ଗଡ଼ଜାତ ପ୍ରତିଷ୍ଠା ସହ ତାଙ୍କୁ ରାଜା ବୋଲି ଘୋଷଣା କଲେ। ବଡ଼ମୂଳ ହେଲା ପ୍ରଥମ ରାଜଧାନୀ। ପରେ ବୌଦ୍ଧ ରାଜା ସାନଭାଇର ଏହି ପ୍ରତିଷ୍ଠାକୁ ସ୍ବୀକାର କଲେ।
ଦ୍ବିତୀୟ ଘଟଣାଟି ଘଟିଥିଲା ଅଷ୍ଟାଦଶ ଶତାବ୍ଦୀ ମଧ୍ୟଭାଗରେ, ଯାହା ଉଲ୍ଲେଖ ରହିଛି ମାଦଳା ପାଞ୍ଜିର ଏକ ଚିଠିରେ। କଟକର ମୋଗଲ ଶାସକ ଆଲବର୍ଦ୍ଦି ଖଁାର ପ୍ରତିଶୋଧ ନେବାକୁ ମୀର୍ ହବିବ୍କୁ ସହାୟତା କରି ବାହାଦୂର ଖଁା ନାଗପୁରରୁ ମରହଟ୍ଟାମାନଙ୍କୁ ଓଡ଼ିଶା ଡାକି ଆଣିବା ଲାଗି ଏହି ରାସ୍ତାରେ ଯାଇଥିଲା। ରଘୁଜୀ ଭେଁାସେଲାଙ୍କୁ ରାୟପୁରର ଫୁଲଝରଠାରେ ଭେଟି ପଦାତିକ ଓ ଅଶ୍ବାରୋହୀ ସୈନ୍ୟଙ୍କ ସହ ଏହି ଜଗନ୍ନାଥ ସଡ଼କରେ ପଦ୍ମତୋଳା ଓ ବଡ଼ମୂଳ ଦେଇ ଓଡ଼ିଶା ପ୍ରବେଶ କରାଇଥିଲା। ଗଣିଆର ବେଲପଡ଼ା ଘାଟରେ ତାଙ୍କୁ ମହାନଦୀ ପାର କରାଇ ନରସିଂହପୁର ପଦାମାଳ ଗଁାରୁ ମରହଟ୍ଟାଙ୍କ ଦ୍ବାରା ଜଗନ୍ନାଥଙ୍କ ନିରାପତ୍ତା ପ୍ରତିଶ୍ରୁତି ଦେଇ ପୁରୀ ସେବାୟତଙ୍କୁ ଚିଟାଉ ଲେଖିଥିଲା। ବିଧର୍ମୀ ମୋଗଲଙ୍କୁ ହଟାଇ ବର୍ଗୀ ମରହଟ୍ଟା ୧୭୫୧ରେ କଟକ ଅଧିକାର କଲେ।
ତୃତୀୟ ଐତିହାସିକ ଘଟଣାଟି ୧୮୦୩ର। ପୁରୁଣା ଇମ୍ପେରିଆଲ ଗେଜେଟିଅର ଓ ବୌଦ୍ଧ ଜିଲ୍ଲା ରେକର୍ଡରେ ଉଲ୍ଲେଖ ଅଛି ଯେ ଇଂରେଜମାନେ କଟକ ଦଖଲ କରିବା ପରେ ଶଙ୍କର ବାପୁ ନେତୃତ୍ବରେ କିଛି ମରହଟ୍ଟା ସୈନ୍ୟ ବୌଦ୍ଧରେ ଆଶ୍ରୟ ନେଇଥିଲେ। ପଛରେ ୫୦୦ ମରାଠା ଘୋଡ଼ା ଓ ୩୦୦ ପଦାତିକ ବାଲାଜୀ କୁନାର ନେତୃତ୍ବରେ କଟକରୁ ଏହି ସଡ଼କ ଦେଇ ପଳାୟନ କରୁଥିଲେ। ଏହି ଜଗନ୍ନାଥ ସଡ଼କ ଦେଇ ମରାଠାମାନେ କଟକ ପ୍ରବେଶ କରିଥିବା ଜାଣି ମେଜର ଫୋର୍ବସ୍ ସେମାନଙ୍କୁ ପିଛା କରିଥିଲେ। ବଡ଼ମୂଳରେ ସେମାନେ ମୁହଁାମୁହିଁ ହେଲେ ଏବଂ ୧୮୦୩ ନଭେମ୍ବର ୨ ତାରିଖରେ ମେଜର ଫୋର୍ବସ୍ ବଡ଼ମୂଳ ଅଧିକାର କଲେ।
ଏବେ ଏହି ସଡ଼କର ପୌରାଣିକ ପ୍ରାଚୀନତାକୁ ଦେଖାଯାଉ। କିଂବଦନ୍ତି, ପୁରାଣ ଓ ନୟାଗଡ଼ ଗେଜେଟିଅରରୁ ଜଣାଯାଏ ଯେ ଦଶପଲ୍ଲା ଅନ୍ତର୍ଗତ ମହାନଦୀ ଅବବାହିକାର ପାର୍ବତ୍ୟାଞ୍ଚଳକୁ ଗୋସିଂହ ଦୈତ୍ୟ ପର୍ବତମାଳା କୁହାଯାଏ। ଏଠାରେ ମଣିଭଦ୍ରା ପର୍ବତ ଅବସ୍ଥିତ। ଏହା ଆରଣ୍ୟକ ଋଷିଙ୍କର ତପସ୍ଥଳ। ଶ୍ରୀକୃଷ୍ଣ ଗୋସିଂହ ଦୈତ୍ୟକୁ ଏଠାରେ ବଦ୍ଧ କରିଥିଲେ। ସାରଳା ମହାଭାରତରେ ଅଛି, ବନବାସ କାଳରେ ଅର୍ଜୁନଙ୍କୁ କୃଷ୍ଣ ତାଙ୍କର ନବଗୁଞ୍ଜର ରୂପ ମଣିଭଦ୍ରା ପର୍ବତରେ ପ୍ରଦର୍ଶନ କରିଥିଲେ। ଏହି ଜଗନ୍ନାଥ ସଡ଼କରେ ମଧ୍ୟଭାରତରୁ ଆସୁଥିବା ସିଦ୍ଧ ସନ୍ନ୍ୟାସୀମାନେ କଣ୍ଟିଲୋ ନୀଳମାଧବ କ୍ଷେତ୍ର ପୂର୍ବରୁ ଅବସ୍ଥିତ ମହାନଦୀ କୂଳ ମଣିକର୍ଣ୍ଣିକା ପର୍ବତ ତଳେ ଯେଉଁଠି ମେଳହୋଇ ବିଶ୍ରାମ ନିଅନ୍ତି ତାହାର ନଁା ଥିଲା ସିଦ୍ଧମେଳା। ଆଜି ତାହା ଗୋକୁଳାନନ୍ଦ କ୍ଷେତ୍ର ସିଧାମୂଳା ନାମରେ ଜଣା। ସିଦ୍ଧମାନେ ମହାନଦୀରେ ସ୍ନାନଶୌଚ ସାରି ଏଠାରୁ ମାତ୍ର ଛଅ କିଲୋମିଟର ଦୂରେର ଥିବା ନୀଳମାଧବଙ୍କୁ ଦର୍ଶନ କରି ପୁରସ୍ତମ ଯାତ୍ରା କରନ୍ତି।
ସ୍କନ୍ଦ ପୁରାଣର ପୁରୁଷୋତ୍ତମ ମହାତ୍ମ୍ୟରେ ଅଛି ଯେ ପୁରସ୍ତମ ଆସିବା ବେଳେ ଇନ୍ଦ୍ରଦ୍ୟୁମ୍ନ ଚର୍ଚ୍ଚିକାଙ୍କୁ ପୂଜା କରିଥିଲେ। ନୀଳମାଧବ ଓ ଚର୍ଚ୍ଚିକାଙ୍କ ପୀଠ ପାଖାପାଖି। ଇନ୍ଦ୍ରନୀଳମଣି ପୁରାଣ ଅନୁସାରେ ମହାନଦୀ କୂଳରେ ନାରଦ ଇନ୍ଦ୍ରଦ୍ୟୁମ୍ନଙ୍କୁ ମାଧବ ରହସ୍ୟ ବ୍ୟାଖ୍ୟା କରିଥିଲେ। ତେଣୁ ନୀଳମାଧବ କ୍ଷେତ୍ର କଣ୍ଟିଲୋ ଉପରେ ଅଧିକ ଗବେଷଣା ପାଇଁ ଏହି ଜଗନ୍ନାଥ ସଡ଼କ ସହାୟକ ହୋଇପାରେ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୪୩୧୦୨୦
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

44 minutes ago
2


