Girl: ଝିଅଙ୍କ ବାଜିମାତ, ପଛରେ ପୁଅ

46 minutes ago 1
ARTICLE AD BOX

ସୁଧାଂଶୁ ଷଡ଼ଙ୍ଗୀ

ପରୀକ୍ଷାଫଳ ବାହାରିଲେ ଗଣମାଧ୍ୟମରେ ଶିରୋନାମା ହୁଏ ‘ଝିଅଙ୍କ ବାଜିମାତ’। ଗଲା ଦଶ ବର୍ଷ ହେଲା କ୍ରମାଗତ ଭାବେ ଓଡ଼ିଶାରେ ମାଟ୍ରିକ ପରୀକ୍ଷାରେ ଝିଅଙ୍କ ପାସ୍ ସଂଖ୍ୟା ଓ ହାର ପୁଅଙ୍କଠାରୁ ଅଧିକା। ଏହା ନିଶ୍ଚିତ ଭାବରେ ସମାଜ ପାଇଁ ଗୋଟିଏ ଭଲ ସୂଚନା। ଝିଅଙ୍କ ବାଜିମାତ ହେବାକୁ ଲାଗିଛି ହଜାର ହଜାର ବର୍ଷ। ରେବତୀ ଏବେ ମୁକ୍ତ। ତେବେ ଏଭଳି ସ୍ଥିତି କେବଳ ଓଡ଼ିଶାରେ ନା ସାରା ପୃଥିବୀରେ?
ବିଶ୍ୱର ୩୮ଟି ବିକଶିତ ଦେଶଙ୍କୁ ନେଇ ‘ଅର୍ଗାନାଇଜେସନ୍ ଫର୍ ଇକୋନମିକ୍ କୋଅପରେସନ୍ ଆଣ୍ଡ୍‌ ଡେଭଲୋପ୍‌ମେଣ୍ଟ’ (ଓଇସିଡି) ଗଠିତ। ତା’ର ସଦସ୍ୟ ଦେଶ ଫିନ୍‌ଲାଣ୍ଡକୁ ସ୍କୁଲ ଶିକ୍ଷାରେ ଅଗ୍ରଣୀ ରାଷ୍ଟ୍ର ଭାବେ ପରିଗଣିତ କରାଯାଏ। ଚାରିଆଡୁ ଲୋକ ଫିନ୍‌ଲାଣ୍ଡ ଯାଆନ୍ତି ଶିକ୍ଷା ବ୍ୟବସ୍ଥା କିଭଳି ହେବା ଉଚିତ ଜାଣିବା ପାଇଁ। ‘ଓଇସିଡି’ର ସଦସ୍ୟ ଦେଶମାନଙ୍କରେ ପନ୍ଦର ବର୍ଷର ପିଲାଙ୍କ ପଠନ, ବିଜ୍ଞାନ ଓ ଗଣିତର ଜ୍ଞାନ ଆକଳନ କରିବାକୁ ‘ପିଆଇସିଏ’ ପରୀକ୍ଷା ପ୍ରତି ବର୍ଷ କରାଯାଏ। ଏହି ମାନକରେ ଫିନ୍‌ଲାଣ୍ଡର ପିଲାମାନେ ପ୍ରାୟତଃ ଭଲ କରନ୍ତି। କିନ୍ତୁ ଦେଶର କୋଡ଼ିଏ ଭାଗ ଝିଅ ସର୍ବାଧିକ ଗ୍ରେଡ ପାଇଲାବେଳେ, ମାତ୍ର ଦଶ ଭାଗ ପୁଅ ସେଭଳି ସ୍ତରକୁ ପହଞ୍ଚନ୍ତି। ଆମେରିକାରେ ବୋର୍ଡ ପରୀକ୍ଷା ହୁଏନି। ସ୍କୁଲ ପରୀକ୍ଷାରେ ହାରାହାରି ଗ୍ରେଡ ପଏଣ୍ଟ (ଜି.ପି.ଏ.) ଦେଖିଲେ, ସର୍ବାଧିକ ଦଶ ପ୍ରତିଶତ ଗ୍ରେଡ ପାଉଥିବା ପିଲାଙ୍କ ଭିତରେ ଦୁଇ-ତୃତୀୟାଂଶ ଝିଅ। ସର୍ବନିମ୍ନ ଦଶ ପ୍ରତିଶତରେ ଦୁଇ-ତୃତୀୟାଂଶ ପୁଅ। ଅନ୍ୟ ଦେଶମାନଙ୍କରେ ବୋର୍ଡ ପରୀକ୍ଷାରେ ସେହି ସମାନ ସ୍ଥିତି। ଏଠାରେ ଦୁଇଟି ଉଦାହରଣ କେବଳ ଦୃଷ୍ଟାନ୍ତ ଭାବେ ଦିଆଗଲା। ଏବେ ମଧ୍ୟ, ବୃତ୍ତିଗତ ପାଠ୍ୟକ୍ରମରେ ପୁଅମାନେ ଝିଅମାନଙ୍କଠୁ ଆଗରେ ଅଛନ୍ତି; ଯେମିତି ଇଂଜିନିଅରିଂ, ଡାକ୍ତରୀ ପ୍ରବେଶିକା ପରୀକ୍ଷା। ସେଥିରେ ମଧ୍ୟ ବ୍ୟବଧାନ କମିବାକୁ ଲାଗିଛି। କିଛି ବର୍ଷ ତଳେ, ପ୍ରଥମ କରି ଆଇ.ଆଇ.ଏମ. ସମ୍ବଲପୁରରେ ଝିଅଙ୍କ ସଂଖ୍ୟା ପୁଅଙ୍କଠାରୁ ଅଧିକା ହେଲା। ଏହି ପ୍ରତିଷ୍ଠାନରେ ମୁଁ ଗୋଟିଏ ବିଷୟ ଦୁଇ ବର୍ଷ ପଢ଼ାଉଥିଲି। ସବୁବେଳେ ଝିଅମାନେ ପୁଅଙ୍କଠୁ ଅଧିକା ନମ୍ବର ରଖୁଥିଲେ। ଏହି ଅନୁଭୂତି ପ୍ରାୟ ଶିକ୍ଷା ସମ୍ବନ୍ଧିତ ସମସ୍ତଙ୍କର। ଦେଖିବାକୁ ବାକି ରହିଲା, କେବେ ଆଇ.ଆଇ.ଟି.ରେ ଝିଅଙ୍କ ସଂଖ୍ୟା ପୁଅଙ୍କଠୁ ଅଧିକା ହେବ? ଏବେ ଏହା ପାଖାପାଖି ଏକ-ତୃତୀୟାଂଶ ଅଛି। 

Smart Bazaar: ସ୍ମାର୍ଟ ବଜାରର ତ୍ୟୋହାର ରେଡି ସେଲ୍‌

୧୯୭୨ ମସିହା ବେଳକୁ ଆମେରିକାରେ କଲେଜ ଯାଉଥିବା ଛାତ୍ରଛାତ୍ରୀଙ୍କ ଭିତରେ ଝିଅଙ୍କ ସଂଖ୍ୟା ପୁଅଙ୍କଠାରୁ ତେର ପ୍ରତିଶତ କମ୍ ଥିଲା। ୧୯୮୨ ମସିହା ବେଳକୁ ଏ ବ୍ୟବଧାନ ଦୂର ହେଲା। ଏବେ ଏହି ବ୍ୟବଧାନ ଓଲଟିଯାଇଛି। ବିଭିନ୍ନ ଦେଶରେ ଉଚ୍ଚଶିକ୍ଷାରେ ମହିଳାଙ୍କ ସଂଖ୍ୟା ପୁରୁଷଙ୍କଠାରୁ ପନ୍ଦରରୁ ପଚିଶ ପ୍ରତିଶତ ଅଧିକ। ଆମେ କଲେଜରେ ପଢ଼ିଲାବେଳକୁ ଝିଅଙ୍କ ସଂଖ୍ୟା ପ୍ରାୟତଃ ଏକ-ତୃତୀୟାଂଶ ଥିଲା। ଏବେ ଭାରତରେ ମଧ୍ୟ ଉଚ୍ଚଶିକ୍ଷାରେ ଝିଅଙ୍କ ସଂଖ୍ୟା ପୁଅଙ୍କଠାରୁ ଅଧିକ। ‘ଓଇସିଡି’ ଦେଶଗୁଡ଼ିକୁ ଦେଖିଲେ, ୨୫ରୁ ୩୪ ବର୍ଷ ବୟସ୍କଙ୍କ ମଧ୍ୟରେ, ପ୍ରତ୍ୟେକ ଦେଶରେ ମହିଳାମାନେ ଶିକ୍ଷା କ୍ଷେତ୍ରରେ ପୁରୁଷଙ୍କଠାରୁ ଆଗରେ ଅଛନ୍ତି। ‘ଷ୍ଟେମ୍’ (ସାଇନ୍‌ସ, ଟେକ୍‌ନୋଲୋଜି, ଇଂଜିନିଅରିଂ, ମାଥମେଟିକ୍‌ସ) ବିଷୟରେ ପୁରୁଷମାନେ ଏବେ ମଧ୍ୟ ଆଗରେ ଅଛନ୍ତି, କିନ୍ତୁ ବ୍ୟବଧାନ ଦ୍ରୁତ ଗତିରେ କମୁଚି। ତେଣୁ ପ୍ରାଥମିକ, ମାଧ୍ୟମିକ, ଉଚ୍ଚଶିକ୍ଷା, ବୃତ୍ତିଗତ ପାଠ୍ୟକ୍ରମ ଓ ପିଏଚଡି ଡିଗ୍ରି ଇତ୍ୟାଦି ପ୍ରତ୍ୟେକ କ୍ଷେତ୍ରରେ ବର୍ତ୍ତମାନ ଝିଅ ଓ ମହିଳାମାନେ ଆଗରେ। ଏହି ବାସ୍ତବତାକୁ ବୁଝିବା ଓ ପୁଅମାନଙ୍କୁ ସାହାଯ୍ୟ କରାଯିବା ଦରକାର କହିବା ଉପରଠାଉରିଆ ଭାବେ ଭାବିଲେ ଓଲଟା ଓ ରାଜନୈତିକ ଦୃଷ୍ଟିକୋଣରୁ ଅଡୁଆ ଲାଗୁଛି। ବିଲାତରେ ଏକ ବଡ଼ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ପଢୁଥିଲାବେଳେ, ମୋତେ ମିଶାଇ ଆମ ଶ୍ରେଣୀରେ ଥିଲେ ତିନି ଜଣ ପୁରୁଷ, ବାକି ଚଉଦ ଜଣ ମହିଳା। ବିଦେଶରେ କିଛି ବିଶ୍ୱବିଦ୍ୟାଳୟ ଅପ୍ରକାଶିତ ଭାବେ ପୁଅମାନଙ୍କୁ ଆରକ୍ଷଣ ଦେବା ଆରମ୍ଭ କଲେଣି, କାରଣ ଝିଅମାନେ ମଧ୍ୟ ଚାହୁଁଛନ୍ତି ଯେ ସେମାନେ ପଢ଼ୁଥିବା ଶିକ୍ଷା ଅନୁଷ୍ଠାନମାନଙ୍କରେ ଯଥେଷ୍ଟ ପୁଅ ରୁହନ୍ତୁ। ଏକ ଲିଙ୍ଗଗତ ସନ୍ତୁଳନ ରହୁ। ଆଗରୁ ନାରୀ ଶିକ୍ଷାକୁ ଆଗକୁ ନେବାପାଇଁ ପ୍ରତିଷ୍ଠିତ ବାଳିକା ସ୍କୁଲ ଓ ମହିଳା ବିଦ୍ୟାଳୟଗୁଡ଼ିକ ହୁଏତ ପ୍ରାସଙ୍ଗିକତା ହରାଇ ସାରିଲେଣି। ପୁଅଙ୍କୁ ଯେ ଦିନେ ଆରକ୍ଷଣ ଦରକାର ପଡ଼ିବ ତାହା କଳ୍ପନା ବାହାରେ ଥିଲା, କାରଣ ହଜାର ହଜାର ବର୍ଷ ଧରି ପୁରୁଷମାନେ ହାକିମାତି କରିଛନ୍ତି। ଏବେ ବି କର୍ମକ୍ଷେତ୍ରରେ ପୁରୁଷମାନେ ବହୁ ଆଗରେ ଅଛନ୍ତି। ଥରେ ମା’ ହେଲେ ଜଣେ ମହିଳା ହାରାହାରି ଅଢ଼େଇ ବର୍ଷ ହରାଏ। ପାରିବାରିକ ଦାୟିତ୍ୱ ଅନେକ ସମୟରେ ମହିଳାଙ୍କ ଜୀବନର ଗତିପଥ ବଦଳାଇ ଦିଏ, ପେସା ଗୌଣ ହୋଇଯାଏ। ଏହିଭଳି ଅନେକ ଢାଞ୍ଚାଗତ ସମସ୍ୟା ଯୋଗୁଁ ଗୋଟିଏ ପୁରୁଷ-ପ୍ରଧାନ ସମାଜରେ ମହିଳାକୁ ସଫଳ ହେବାପାଇଁ ସଂଘର୍ଷ କରିବାକୁ ପଡ଼େ। ତେଣୁ କାର୍ଯ୍ୟକ୍ଷେତ୍ରରେ ମହିଳାମାନଙ୍କ ସାମର୍ଥ୍ୟକୁ ସମ୍ପୂର୍ଣ୍ଣ ବ୍ୟବହାର କରିବା ପାଇଁ ଅନେକ ସଂସ୍କାର କରାଯିବା ଦରକାର। ସେହିଭଳି ପୁଅମାନେ ଯେଉଁଭଳି ପାଠରେ ପଛେଇ ଯିବେନି ସେଥିପାଇଁ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ପଡ଼ିବ।

Health budget: ଯେଉଁଠି ହସ୍ପିଟାଲ ନାହିଁ, ସେଠାରେ ରକ୍ଷଣାବେକ୍ଷଣ ପାଇଁ ଦିଆଗଲା ୧୪.୬୨ ଲକ୍ଷ ଟଙ୍କା

ଲିଙ୍ଗଗତ ବିଭେଦ ଏକ ସାମାଜିକ ବ୍ୟବସ୍ଥା ଓ ପୁରୁଷ-ପ୍ରାଧାନ୍ୟ ତନ୍ତ୍ର ଉପରେ ପର୍ଯ୍ୟବସିତ ଥିବା ଯୋଗୁଁ ଝିଅମାନେ ପଛରେ ଥିଲେ। ସମାନ ସୁଯୋଗ ମିଳିଲା ପରେ ଶିକ୍ଷା କ୍ଷେତ୍ରରେ ଚିତ୍ର ବଦଳିଲା। ଏବେ ନୂଆ ସ୍ଥିତି। ସ୍କୁଲ ସମୟରୁ ପାଠପଢ଼ାରେ ପୁଅ ପଛେଇବାର ମୂଳ କାରଣ ହେଲା ପୁଅଙ୍କ ମସ୍ତିଷ୍କ ଝିଅଙ୍କଠାରୁ ବିଳମ୍ବରେ ବିକଶିତ ହୁଏ। ଉଦାହରଣ ସ୍ବରୂପ, ଜଣେ ବାଳିକାଠାରୁ ବାଳକର ‘ପ୍ରିଫ୍ରଣ୍ଟାଲ୍ କର୍ଟେକ୍ସ’ ଦୁଇ ବର୍ଷ ପରେ ବିକଶିତ ହୁଏ। ‘ପ୍ରିଫ୍ରଣ୍ଟାଲ୍ କର୍ଟେକ୍ସ’ ଆମକୁ ଆତ୍ମନିୟନ୍ତ୍ରଣ, ଯୋଜନା କରିବା ଓ ଭବିଷ୍ୟତ ପାଇଁ ଚିନ୍ତା କରିବା ଶିଖାଏ। ସେହିଭଳି ସେରିବେଲମ୍ ଝିଅମାନଙ୍କଠାରେ ଏଗାର ବର୍ଷ ବେଳକୁ ବିକଶିତ ହେଲା ବେଳକୁ, ପୁଅଙ୍କୁ ଲାଗେ ପନ୍ଦର ବର୍ଷ। ସେଥିପାଇଁ ପୁଅମାନେ ଏହି ବୟସରେ ଅଧିକ ବିଚଳିତ ଓ ଅନିୟନ୍ତ୍ରିତ ରୁହନ୍ତି। ଝିଅଟି ଘରେ ବସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଲାବେଳକୁ, ପୁଅ ବାହାରେ ଧୂଧୂ ଖରାରେ କ୍ରିକେଟ ଖେଳେ। ଯେଉଁଠି ବାପା-ମା, ଶିକ୍ଷକ ଓ ସମାଜର ସହଯୋଗ ମିଳେ ସେଠି ପୁଅଟି ଏହି ସମୟରେ ବାଟବଣା ହୁଏନି। ବିଶେଷ କରି ଅର୍ଥନୈତିକ ଓ ସାମାଜିକ ସ୍ତରରେ ପଛୁଆ ପରିବାରର ପୁଅମାନେ ଏଭଳି ବାଟ ହୁଡ଼ିବାର ଆଶଙ୍କା ଅଧିକ, କାରଣ ପରିବାର ସେମାନଙ୍କ ଉପଯୁକ୍ତ ଯତ୍ନ ନେଇ ପାରେନି। ପୁଅଟି ପାଠ ପ୍ରତି ଆଗ୍ରହ ସୃଷ୍ଟି କରି ପାରେନି, ବୀତସ୍ପୃହ ହୋଇଯାଏ। ଜୀବନରେ ପଛେଇଯାଏ। ବୁଝିଲା ବେଳକୁ ଆଉ ସମୟ ନଥାଏ। ହୁଏତ, ପୁଅଟି ବର୍ଷେ ପରେ ପାଠ ଆରମ୍ଭ କରିଥିଲେ, ଏହି ସମସ୍ୟା ସମ୍ମୁଖୀନ ହୋଇ ନଥାନ୍ତା। ସେହି ସମାନ ପାଠକୁ ସହଜରେ ବୁଝି ପାରିଥାନ୍ତା। ଏ ସମୟରେ ଯଦି ଶିକ୍ଷା ବ୍ୟବସ୍ଥା ପୁଅମାନଙ୍କୁ ଯନ୍ତ୍ରପାତି ବ୍ୟବହାର କରି ଗବେଷଣା କରିବା, ଖେଳିବା ଇତ୍ୟାଦି ପାଇଁ ସୁଯୋଗ ଦେଇଥାନ୍ତା, ହୁଏତ ସେମାନେ ପାଠ ପ୍ରତି ଆଗ୍ରହୀ ହୋଇ ପାରିଥାନ୍ତେ। ଅନେକ ଦେଶରେ ସ୍କୁଲ ସ୍ତରରେ ଶିକ୍ଷୟିତ୍ରୀଙ୍କ ସଂଖ୍ୟା ଶିକ୍ଷକଙ୍କଠାରୁ ଅଧିକ ହେଲାଣି, ଯାହା ମଧ୍ୟ ସମସ୍ୟା ସୃଷ୍ଟି କରୁଛି। ଏହି ବୟସରେ ପୁଅଠାରୁ ଝିଅ ଭଳି ପରିପକ୍ବତା ବା ଆଚରଣ ଆଶା କରାଯିବା ଅନୁଚିତ। ପୁଅମାନେ ଗୋଟିଏ ସ୍ଥାନରେ ସ୍ଥିର ରହିବା କଷ୍ଟ। ସେମାନେ ସହଜରେ ପାଠରୁ ଧ୍ୟାନ ହରାନ୍ତି, ବିଚଳିତ ହୋଇ ଅନ୍ୟ କିଛି ଭାବନ୍ତି ବା କରନ୍ତି। ସେମାନଙ୍କ ଶାରୀରିକ ଶକ୍ତିକୁ ଅପଚୟ କରିବାକୁ ହୁଏ। ତେଣୁ ପୁଅଙ୍କ ସମସ୍ୟା ଅଲଗା ବୋଲି ବୁଝିବାକୁ ପଡ଼ିବ ଏବଂ ଯତ୍ନବାନ ହେବାକୁ ହେବ। ଏହି ବୟସ ପାର ହେଇଗଲେ, ପୁଅଟି ଆଉ ପଛେଇବ ନାହିଁ। 
ତେଣୁ ‘ଝିଅଙ୍କ ବାଜିମାତ’ କହିଲାବେଳେ ଆମକୁ ଚିନ୍ତା କରିବାକୁ ପଡ଼ିବ, ପୁଅମାନଙ୍କ ପାଇଁ ଶିକ୍ଷା ବ୍ୟବସ୍ଥାରେ କିଭଳି ପରିବର୍ତ୍ତନ ଆବଶ୍ୟକ ଯାହାଦ୍ୱାରା ସେମାନେ ପଛରେ ରହିବେନି। ଠିକ୍‌ ଯେମିତି, କାର୍ଯ୍ୟକ୍ଷେତ୍ରରେ ମହିଳାମାନଙ୍କ ପାଇଁ ଅଧିକ ସୁବିଧା ଦିଆଯିବା ଆବଶ୍ୟକ, କାରଣ ବ୍ୟବଧାନ କମିଥିଲେ ମଧ୍ୟ ମହିଳାମାନେ କାର୍ଯ୍ୟ କ୍ଷେତ୍ରରେ ଅନେକ ପଛରେ ଅଛନ୍ତି, ସେହିଭଳି ପୁଅଙ୍କ ପାଠପଢ଼ା ସମସ୍ୟା ବିଷୟରେ ଅଧିକ ଧ୍ୟାନ ଦେବାକୁ ହେବ। ପୃଥିବୀର ନବେ ପ୍ରତିଶତ ଜଘନ୍ୟ ଅପରାଧ ପୁରୁଷମାନେ କରନ୍ତି। ଶିକ୍ଷା ବ୍ୟବସ୍ଥା ବାଟହୁଡ଼ା ବାଳୁଙ୍ଗା ତିଆରି କଲେ, ଅନେକ ସମସ୍ୟାର ସମାଧାନ କଷ୍ଟ।
(ମତାମତ ଲେଖକଙ୍କ ନିଜସ୍ବ)

Read Entire Article
LEFT SIDEBAR AD

Hidden in mobile, Best for skyscrapers.