ARTICLE AD BOX
ସରକାରଙ୍କର ଇଥାନଲ ନୀତି ଦେଶର ଅଗଣିତ ମଟରଗାଡ଼ି ମାଲିକମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଓ ବିରୋଧ ସୃଷ୍ଟି କରିଥିବାବେଳେ, ଏ ସମସ୍ତ ଖାଦ୍ୟଦ୍ରବ୍ୟର ଦରଦାମରେ ବୃଦ୍ଧି ଦେଶର ଅସଂଖ୍ୟ ସାଧାରଣ ଖାଉଟିମାନଙ୍କ ମଧ୍ୟରେ ଅସନ୍ତୋଷର ବହ୍ନି ପ୍ରଜ୍ଜ୍ବଳିତ କରିବ। ବର୍ତ୍ତମାନ ପ୍ରକାଶିତ ମୁଦ୍ରାସ୍ଫୀତି ସୂଚନାକୁ ତେଣୁ ଏକ ସତର୍କ ଘଣ୍ଟି ରୂପେ ଗ୍ରହଣ କରି ସରକାର ତୁରନ୍ତ ତାଙ୍କର ଇଥାନଲ ନୀତିର ପୁନର୍ବିଚାର କରିବା ବିଜ୍ଞତାର ପରିଚାୟକ ହେବ।
ସପ୍ତାହକ ତଳେ ଦେଶରେ ଅଗଷ୍ଟ ମାସରେ ଦେଖାଯାଇଥିବା ଖାଉଟି ମୁଦ୍ରାସ୍ଫୀତି ଓ ପାଇକାରୀ ମୁଦ୍ରାସ୍ଫୀତି ସମ୍ବନ୍ଧରେ ସୂଚନା ବହନ କରୁଥିବା ‘ସିପିଆଇ’ ଓ ‘ଡବ୍ଲ୍ୟୁପିଆଇ’ ସୂଚକାଙ୍କମାନ ପ୍ରକାଶ ପାଇଛି। ଏ ଉଭୟ ସୂଚକାଙ୍କ ମୁଦ୍ରାସ୍ଫୀତିର ଗତିବିଧି ସଂପର୍କରେ ଯେଉଁ ଚିତ୍ର ଉପସ୍ଥାପନ କରିଛନ୍ତି, ତାହା ହେଲା ଏକ ବର୍ଦ୍ଧିଷ୍ଣୁ ଧାରା। ଉଦାହରଣ ସ୍ବରୂପ ଚଳିତ କ୍ୟାଲେଣ୍ଡର ବର୍ଷ ଆରମ୍ଭରେ ‘ସିପିଆଇ’ ମୁଦ୍ରାସ୍ଫୀତି ଅର୍ଥାତ୍ ଖାଉଟି ଦ୍ରବ୍ୟମାନଙ୍କର ଦରଦାମରେ ଘଟିଥିବା ବୃଦ୍ଧି ହାର ଜାନୁଆରିରେ ୨.୭ ଶତାଂଶ ଥିବାବେଳେ, ଅଗଷ୍ଟରେ ତାହା ହୋଇଛି ୪.୮ ଶତାଂଶ। ଏଇ ସମୟ କାଳରେ ‘ଡବ୍ଲ୍ୟୁପିଆଇ’ ମୁଦ୍ରାସ୍ଫୀତି ଅର୍ଥାତ୍ ପାଇକାରୀ ଦରଦାମରେ ଘଟିଥିବା ବୃଦ୍ଧି ହାର ଅାହୁରି ଅଧିକ ଚିନ୍ତାଜନକ ମନେ ହୋଇଥାଏ: ତାହା ୧.୨ ଶତାଂଶରୁ ବୃଦ୍ଧି ପାଇ ହୋଇଛି ୯.୯ ଶତାଂଶ।
ଏ ଉଭୟ ମୁଦ୍ରାସ୍ଫୀତିକୁ ଯାହା ଇନ୍ଧନ ଯୋଗାଇଛି, ତାହା ହେଉଛି ଏଇ ସମୟରେ ଖାଦ୍ୟଦ୍ରବ୍ୟମାନଙ୍କର ଦରଦାମରେ ଘଟିଥିବା ବୃଦ୍ଧି ବୋଲି ଉପଲବ୍ଧ ପରିସଂଖ୍ୟାନରୁ ଜଣାପଡୁଛି। ଉପରୋକ୍ତ ସମୟ କାଳରେ ଖାଉଟି ଦ୍ରବ୍ୟ ମୁଦ୍ରାସ୍ଫୀତି ହାର ୨.୧ ଶତାଂଶରୁ ବୃଦ୍ଧି ପାଇ ୬ ଶତାଂଶ ହୋଇଥିବାବେଳେ ପାଇକାରୀ ଖାଦ୍ୟ ମୁଦ୍ରାସ୍ଫୀତି ହାରରେ ଏକ ତୀକ୍ଷ୍ଣ ବୃଦ୍ଧି ଦେଖାଦେଇ ତାହା (-)୦.୪ ଶତାଂଶ ସ୍ଥାନରେ ହୋଇଛି ୭ ଶତାଂଶ। ଏଥିରୁ ଯାହା ସ୍ପଷ୍ଟ ହୋଇଥାଏ, ତାହା ହେଲା, ଦେଶରେ ଏବେ ଖାଦ୍ୟ ମୁଦ୍ରାସ୍ଫୀତିର ବେଗ ସାମଗ୍ରିକ ମୁଦ୍ରାସ୍ଫୀତି ବେଗକୁ ପଛରେ ପକାଇ ଦେଇଛି।
ମୁଦ୍ରାସ୍ଫୀତିର ଏତାଦୃଶ ସାଂପ୍ରତିକ ଆଚରଣରେ ଅବଶ୍ୟ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ: ଲାଗି ରହିଥିବା ପଶ୍ଚିମ ଏସିଆ ଯୁଦ୍ଧଜନିତ ଅସ୍ଥିରତା ଓ ତୈଳ ସଂକଟ ସହିତ ଏକ ନିଅଣ୍ଟିଆ ମୌସୁମୀ ବୃଷ୍ଟିପାତ କୃଷି ଉତ୍ପାଦନ ପାଇଁ ସୃଷ୍ଟି କରିଥିବା ଆଶଙ୍କା ମିଳିତ ହୋଇ ଏଭଳି ଏକ ପରିସ୍ଥିତି ସୃଷ୍ଟି କରିବା ସ୍ବାଭାବିକ ମନେହୁଏ। ଏହା ମଧ୍ୟ ଅବଶ୍ୟ ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ଦେଖାଦେଇଥିବା ଏହି ମୁଦ୍ରାସ୍ଫୀତି ହାର ରିଜର୍ଭ ବ୍ୟାଙ୍କ୍ର ୨-୬ ଶତାଂଶ ସହନ ବଳୟ ମଧ୍ୟରେ ସୀମିତ ରହିଛି, କିନ୍ତୁ ଯାହା ହେଉଛି ଚିନ୍ତାଜନକ ତାହା ହେଲା, ଯଦି ଏଇ ଧାରା ଅବ୍ୟାହତ ରହେ, ତେବେ ନିକଟ ଭବିଷ୍ୟତରେ ଅନତି ବିଳମ୍ବେ ଦେଶରେ ମୁଦ୍ରାସ୍ଫୀତି ଏଇ ସହନ ସୀମା ଅତିକ୍ରମ କରିବାର ସମ୍ଭାବନା।
ବିଶେଷ କରି ଖାଦ୍ୟ ମୁଦ୍ରାସ୍ଫୀତି ଯଦି ଅଣାୟତ୍ତ ହୁଏ, ତାହା ଏକ ଗଭୀର ଅସନ୍ତୋଷ ଓ ଅସ୍ଥିରତାର କାରଣ ହୋଇ ଉଭା ହୋଇପାରେ। ଖାଦ୍ୟ ମୁଦ୍ରାସ୍ଫୀତିର ପ୍ରଭାବ ଯେ କେବଳ ଖାଦ୍ୟ କ୍ଷେତ୍ରରେ ଆବଦ୍ଧ ହୋଇ ରହେ ନାହିଁ, ତାହା ବେଶ୍ ଜଣାଶୁଣା। ତାହା ସେ କ୍ଷେତ୍ରରୁ ଉଛୁଳି ପଡ଼ି ଅନ୍ୟ ସମସ୍ତ ଦ୍ରବ୍ୟ ଓ ସେବାର ଦରଦାମକୁ ସଂକ୍ରମିତ କରିଥାଏ, ଯାହା ଅବଲୀଳାକ୍ରମେ ମଞ୍ଜି ମୁଦ୍ରାସ୍ଫୀତିର ବୃଦ୍ଧିରେ ପ୍ରତିଫଳିତ ହୋଇଥାଏ। ଆଉ ଯାହା ବିଶେଷ ଚିନ୍ତାଜନକ ହୋଇଥାଏ, ତାହା ହେଲା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ସଦ୍ୟ ଜାତିସଂଘର ସାଧାରଣ ପରିଷଦରେ ଘୋଷଣା କରିଥିବା ଅନୁସାରେ ଆସନ୍ତା ନଭେମ୍ବରରେ ଆମେରିକାରେ ମଧ୍ୟବର୍ତ୍ତୀ ନିର୍ବାଚନ ସମାପ୍ତ ହେବା ପରେ ଯାଇ ସେ ଯୁଦ୍ଧରେ ସମାପ୍ତି ଘଟାଇବା ପାଇଁ ଇରାନ ସହିତ ଆଲୋଚନା କରିବେ ଅର୍ଥାତ୍ ସେଥିଯୋଗୁଁ ସୃଷ୍ଟି ହୋଇଥିବା ଅସ୍ଥିରତାରେ ତୁରନ୍ତ ପ୍ରଶମନ ଘଟିବାର କୌଣସି ସମ୍ଭାବନା ଦେଖାଯାଉନାହିଁ।
ସେଇ ଯୁଦ୍ଧ ଯୋଗୁଁ ବର୍ତ୍ତମାନ ଆନ୍ତର୍ଜାତିକ ତୈଳ ଦରରେ ଦେଖାଦେଇଥିବା ତୀକ୍ଷ୍ଣ ବୃଦ୍ଧି ଦ୍ବାରା ସମସ୍ତେ ଜର୍ଜରିତ ହେବାକୁ ଆରମ୍ଭ କରିଥିବାବେଳେ ସେପ୍ଟେମ୍ବର ୧୫ ସୁଦ୍ଧା ଦେଶରେ ମୌସୁମୀ ବୃଷ୍ଟିପାତରେ ଦେଖାଯାଇଥିବା ୧୫ ଶତାଂଶ ନିଅଣ୍ଟ, ଆମ ପାଇଁ ବର୍ତ୍ତମାନ ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ପୁଣି ଏଇ ନିଅଣ୍ଟ ମଧ୍ୟ ଦେଶସାରା ସମାନ ଭାବରେ ବାଣ୍ଟିହୋଇ ଅନୁଭୂତ ହୋଇନାହିଁ; ଦେଶର ଅର୍ଦ୍ଧାଧିକ ଅଞ୍ଚଳରେ ଏଇ ନିଅଣ୍ଟ ଅଧିକ ଗୁରୁତର ରୂପ ଧାରଣ କରିଥିବା ଜଣାଯାଇଛି। ଏହା କେବଳ କୃଷିକାର୍ଯ୍ୟକୁ ବ୍ୟାହତ କରିଛି, ତାହା ନୁହେଁ, ଏହାଦ୍ବାରା ଅମଳ ମଧ୍ୟ ଗୁରୁତର ଭାବରେ ବାଧାପ୍ରାପ୍ତ ହେବାର ଦୃଢ଼ ସମ୍ଭାବନା ରହିଛି।
ଆନ୍ତର୍ଜାତିକ ସଂସ୍ଥା ‘ଫୁଡ୍ ଆଣ୍ଡ ଏଗ୍ରିକଲ୍ଚର ଅର୍ଗାନାଇଜେସନ’ (‘ଏଫ୍ଏଓ’) ପୃଥିବୀର ଖାଦ୍ୟଦ୍ରବ୍ୟର ଦରଦାମର ଗତିବିଧି ଉପରେ ନଜର ରଖିଥାଏ। ଏଇ ସଂସ୍ଥା ଦ୍ବାରା ପ୍ରକାଶିତ ସୂଚନା ଅନୁସାରେ ଫେବ୍ରୁଆରି ୨୦୨୬ ଯାଏ ଲଗାତାର ୩୬ ମାସ ଧରି ଖାଦ୍ୟଶସ୍ୟ ଦରଦାମରେ ବୃଦ୍ଧି ଋଣାତ୍ମକ ହୋଇ ରହିବା ପରେ ଅଗଷ୍ଟରେ ସେଥିରେ ଏକ ତୀକ୍ଷ୍ଣ ୧୦ ଶତାଂଶ ବୃଦ୍ଧି ଦେଖାଯାଇଛି। ‘ଏଫ୍ଏଓ’ ମଧ୍ୟ ଖାଇବା ତେଲ ଓ ଚିନିର ଦରଦାମରେ ତୀକ୍ଷ୍ଣ ବୃଦ୍ଧି ଘଟିଥିବାର ସୂଚନା ଦେଇଛି।
ଯେଉଁ ଉପରବର୍ଣ୍ଣିତ ଦ୍ବିବିଧ କାରଣ ଯୋଗୁଁ ଦେଶରେ ମୁଦ୍ରାସ୍ଫୀତି ବର୍ତ୍ତମାନ ମୁଣ୍ଡ ଟେକିଛି, ତାହାର ନିରାକରଣ କରିବା ପାଇଁ ସରକାରଙ୍କ ପାଖରେ କୌଣସି ଫଳପ୍ରଦ ଉପାୟ ଉପଲବ୍ଧ ନାହିଁ: ସରକାର ପଶ୍ଚିମ ଏସିଆରେ ଯୁଦ୍ଧ ବନ୍ଦ କରିପାରିବେ ନାହିଁ କିମ୍ବା ମୌସୁମୀ ବୃଷ୍ଟିପାତକୁ ପ୍ରଭାବିତ କରିଥିବା ‘ଏଲ୍ ନିନୋ’କୁ ନିୟନ୍ତ୍ରଣ କରିପାରିବେ ନାହିଁ। ମୁଦ୍ରାନୀତିରେ ପରିବର୍ତ୍ତନ ଦ୍ବାରା ମଧ୍ୟ ଖାଦ୍ୟ ଉତ୍ପାଦନରେ ବୃଦ୍ଧି ହାସଲ କରାଯାଇ ପାରିବ ନାହିଁ। ତେବେ ତଥାପି ଖାଦ୍ୟ ମୁଦ୍ରାସ୍ଫୀତି ଚାପରେ ହ୍ରାସ ଘଟାଇବା ପାଇଁ ସରକାରଙ୍କ ପାଖରେ ବର୍ତ୍ତମାନ କେତେକ ସୀମିତ ଉପାୟ ଉପଲବ୍ଧ ଅଛି।
ସଂପ୍ରତି ସରକାରଙ୍କ ଦ୍ବାରା ଅନୁସୃତ ବିବଦମାନ ଇଥାନଲ ଇନ୍ଧନ ନୀତି ଯୋଗୁଁ ଦେଶରେ ଉତ୍ପାଦିତ ଆଖୁ ଓ ମକା ଖାଦ୍ୟ ବଜାରରେ ପ୍ରବେଶ ନ କରି ଇନ୍ଧନ ବଜାରରେ ପ୍ରବେଶ କରିବା ଦ୍ବାରା ଉଭୟ ଚିନି ଓ ପଶୁଖାଦ୍ୟ ଦରଦାମରେ ବୃଦ୍ଧି ଘଟିବା ଦେଖାଯାଇଛି। ପଶୁଖାଦ୍ୟ ଯୋଗାଣରେ ନିଅଣ୍ଟ ଯୋଗୁଁ ଅଣ୍ଡା, ଦୁଧ, ମାଂସ ଆସି ଖାଦ୍ୟଦ୍ରବ୍ୟର ଦରଦାମରେ ବୃଦ୍ଧି ଘଟିବା ଅନିବାର୍ଯ୍ୟ। ସରକାରଙ୍କର ଇଥାନଲ ନୀତି ଦେଶର ଅଗଣିତ ମଟରଗାଡ଼ି ମାଲିକମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଓ ବିରୋଧ ସୃଷ୍ଟି କରିଥିବାବେଳେ, ଏ ସମସ୍ତ ଖାଦ୍ୟଦ୍ରବ୍ୟର ଦରଦାମରେ ବୃଦ୍ଧି ଦେଶର ଅସଂଖ୍ୟ ସାଧାରଣ ଖାଉଟିମାନଙ୍କ ମଧ୍ୟରେ ଅସନ୍ତୋଷର ବହ୍ନି ପ୍ରଜ୍ଜ୍ବଳିତ କରିବ। ବର୍ତ୍ତମାନ ପ୍ରକାଶିତ ମୁଦ୍ରାସ୍ଫୀତି ସୂଚନାକୁ ତେଣୁ ଏକ ସତର୍କ ଘଣ୍ଟି ରୂପେ ଗ୍ରହଣ କରି ସରକାର ତୁରନ୍ତ ତାଙ୍କର ଇଥାନଲ ନୀତିର ପୁନର୍ବିଚାର କରିବା ବିଜ୍ଞତାର ପରିଚାୟକ ହେବ।

4 days ago
5


