ARTICLE AD BOX
ଏଠାରେ ଉପରକୁ ଯାହା ଦେଖାଯାଇଥାଏ, ତାହା ହେଲା ‘ଓଲା’ ଆପ୍ ଗ୍ରାହକକୁ ‘ଟିପ୍’ ଦେବାକୁ ବାଧ୍ୟ କରି ନ ଥାଏ; ଗ୍ରାହକ ସ୍ବାଧୀନ ଭାବରେ ଏ ସଂପର୍କିତ ନିଷ୍ପତ୍ତି ଗ୍ରହଣ କରିଥାଏ। କିନ୍ତୁ ପ୍ରକୃତ ସତ୍ୟ ହେଲା- ଗ୍ରାହକ ‘ଟିପ୍’ ଦେବାକୁ ମନା କରିବାକୁ ସ୍ବାଧୀନ ହୋଇଥାଇପାରେ, କିନ୍ତୁ ଆପ୍ ସୂକ୍ଷ୍ମ ଇସାରା ଦେଇଥାଏ ଯେ ସେ ଯଦି ଟିପ୍ ନ ଦିଏ, ତେବେ ତାକୁ ଗାଡ଼ିଟିଏ ମିଳିବାରେ ବିଳମ୍ବ ଘଟିପାରେ କିମ୍ବା ଆଦୌ ନ ମିଳିପାରେ। ଗ୍ରାହକ ତେଣୁ ନିଜର ଅଗୋଚରରେ ନିଜର ପକେଟମାର ହେବା ପରି ଚୁପଚାପ ‘ଟିପ୍’ ଦେଇଦେବା ଦେଖାଯାଇଥାଏ।
ରାତ୍ରିର ବିଳମ୍ବିତ ପ୍ରହରରେ ଏକ ରେଳ ଷ୍ଟେସନ ବାହାରେ ରେଳରୁ ଓହ୍ଲାଇ ଛିଡ଼ା ହୋଇଥିବା ଜଣେ ଯାତ୍ରୀ, କିମ୍ବା ହସ୍ପିଟାଲରୁ ଚିକିତ୍ସା ଲାଭ ପରେ ଘରକୁ ଫେରିବା ପାଇଁ ଅପେକ୍ଷା କରିଥିବା ଜଣେ ରୋଗୀ, କିମ୍ବା ଦପ୍ତରରେ କାର୍ଯ୍ୟ ସାରି ଦିନ ଶେଷରେ ଘରକୁ ଫେରି ପିଲାଛୁଆଙ୍କ ପାଖରେ ପହଞ୍ଚିବା ପାଇଁ ଉଦ୍ଗ୍ରୀବ ଥିବା ଜଣେ କର୍ମଜୀବୀ ମହିଳା ନିଜର ଗନ୍ତବ୍ୟ ସ୍ଥଳୀ ଅଭିମୁଖେ ଯାତ୍ରା କରିବା ଉଦ୍ଦେଶ୍ୟରେ ଏକ ଗାଡ଼ି ଡକାଇବା ପାଇଁ ନିଜର ମୋବାଇଲ ଫୋନରେ ଏକ ଗାଡ଼ି-ଡାକରା ଆପ୍ ଖୋଲନ୍ତି। ସେଥିରେ ଯାତ୍ରା ଭଡ଼ା ପ୍ରଦର୍ଶିତ ହୋଇଥାଏ। ଯାତ୍ରୀଜଣକ ଏଥର ବୁକିଙ୍ଗ ବଟନ ଚାପିଦେଇ ଡ୍ରାଇଭରଙ୍କୁ ଅପେକ୍ଷା କରନ୍ତି।
ତା’ ପରେ ସେଇ ଆପ୍ରେ ଏକ ନିରୀହ ମନେ ହେଉଥିବା ଇସାରାର ଆବିର୍ଭାବ ଘଟେ: ‘‘ଏକ ‘ଟିପ୍’ (ବକ୍ସିସ) ପ୍ରଦାନ କଲେ ଶୀଘ୍ର ଗାଡ଼ି ଆସି ପହଞ୍ଚି ଯିବାର ସମ୍ଭାବନା ବୃଦ୍ଧି ପାଇପାରେ।’’ ଫୋନର ସ୍କ୍ରିନରେ ଏଇ ‘ଟିପ୍’ର କେତେକ ପୂର୍ବ-ନିର୍ଦ୍ଧାରିତ ଅଙ୍କର ଆବିର୍ଭାବ ଘଟେ: ଟ. ୧୦, ୨୦, ୩୦, ୪୦ ଇତ୍ୟାଦି। ଏଇ ଟିପ୍ ଦେବା ବାଧ୍ୟତାମୂଳକ ବୋଲି କେଉଁଠି ଉଲ୍ଲେଖ ନ ଥାଏ; କିନ୍ତୁ ଏହାର ଅନ୍ତର୍ନିହିତ ସନ୍ଦେଶ ସ୍ପଷ୍ଟ ହୋଇଥାଏ: ଯଦି ତୁମେ ଗାଡ଼ିଟିଏ ଶୀଘ୍ର ଆସି ପହଞ୍ଚିଯିବା ଚାହୁଁଛ, ତେବେ ଏକ ଉପଯୁକ୍ତ ଟିପ୍ ପ୍ରଦାନ ଦ୍ବାରା ତାହା ତ୍ବରାନ୍ବିତ ହୋଇଯିବ। ଏହା କେବଳ ଏକ ଚତୁର ମାର୍କେଟିଙ୍ଗ କୌଶଳ ନୁହେଁ; ଏହା ହେଉଛି ଗ୍ରାହକମାନେ ଯେଉଁ ମୁହୂର୍ତ୍ତରେ ଅତ୍ୟନ୍ତ ଆତୁରତାର ସହିତ ଏକ ସେବା ଉପରେ ନିର୍ଭର କରିଥାନ୍ତି, ସେତିକିବେଳେ ସେମାନଙ୍କଠାରୁ ପଇସା ଭିଡ଼ିବା ପାଇଁ ଆଚରଣ ମନସ୍ତତ୍ତ୍ବ (ବିହେଭିଅରିଆଲ ସାଇକୋଲୋଜି)ର ଏକ ନୀତିହୀନ ପ୍ରୟୋଗ।
ସୂଚନାଯୋଗ୍ୟ, ଏକ ‘ଟିପ୍’ ବା ବକ୍ସିସ ହେଉଛି ଏକ ସେବା ପ୍ରାପ୍ତ ହେବା ପରେ ସନ୍ତୋଷର ଚିହ୍ନ ସ୍ବରୂପ ସେବା ପ୍ରଦାନକାରୀଙ୍କୁ ସ୍ବେଚ୍ଛାରେ ପ୍ରଦାନ କରାଯାଇଥିବା ପୁରସ୍କାର। ଉପରୋକ୍ତ ଉଦାହରଣରେ ଉପଭୋକ୍ତାଙ୍କର ଉଦ୍ବେଗର ସୁଯୋଗ ନେଇ ତାଙ୍କଠାରୁ ଆଗତୁରା ଆଦାୟ କରାଯାଉଥିବା ଅର୍ଥକୁ ‘ଟିପ୍’ ବୋଲି କହିବା ସଂପୂର୍ଣ୍ଣ ଭ୍ରମାତ୍ମକ- ଏହାର ପ୍ରକୃତ ନାମ ହେଉଛି: ‘ବଟି’। ଭାରତରେ ଉପଭୋକ୍ତାମାନଙ୍କର ସ୍ବାର୍ଥ ସୁରକ୍ଷିତ ରଖିବା ପାଇଁ କାର୍ଯ୍ୟ କରୁଥିବା ‘ସେଣ୍ଟ୍ରାଲ କନସ୍ୟୁମର ପ୍ରୋଟେକ୍ସନ ଅଥରିଟି’ (‘ସିସିପିଏ’) ୧୦ ନଭେମ୍ବରରେ ‘ଏଏନ୍ଆଇ ଟେକ୍ନୋଲୋଜି’ କଂପାନି ଉପରେ ବସାଇଥିବା ୧୦ ଲକ୍ଷ ଟଙ୍କାର ଅର୍ଥଦଣ୍ଡ ହେଉଛି ସଂପୃକ୍ତ କଂପାନି ଦ୍ବାରା ଏଇ ମନସ୍ତାତ୍ତ୍ବିକ ଅପକୌଶଳ ବ୍ୟବହାର ପ୍ରତି ଉଦ୍ଦିଷ୍ଟ ଏକ ଭର୍ତ୍ସନା ଓ ଶାସ୍ତି। ଏଇ କଂପାନି ଅଧୀନସ୍ଥ ‘ଓଲା’ ଗାଡ଼ି-ଡାକରା ପ୍ଲାଟଫର୍ମ ହିଁ ଏଇ ଉପାୟ ଅବଲମ୍ବନ କରି ଉପଭୋକ୍ତାମାନଙ୍କୁ ଶୋଷଣ କରୁଥିବାରୁ ‘ସିସିପିଏ’ ଏହି ଦଣ୍ଡବିଧାନ କରିଛି। ଏଥିସହିତ ତୁରନ୍ତ ଏଥିରେ ଅନ୍ତ ଘଟାଇବା ପାଇଁ ‘ସିସିପିଏ’ ସେଇ କଂପାନିକୁ ନିର୍ଦ୍ଦେଶ ଦେଇଛି।
ଏଭଳି କୌଶଳ ଅବଲମ୍ବନକୁ ‘ସିସିପିଏ’ ବିଭ୍ରାନ୍ତକାରୀ ବିଜ୍ଞାପନ, ଅନ୍ୟାୟୋଚିତ ବାଣିଜ୍ୟ କାରବାର ଓ ଅନ୍ୟାୟୋଚିତ ଚୁକ୍ତି ରୂପେ ବିବେଚନା କରିଛି। ‘ସିସିପିଏ’ ଦ୍ବାରା କରାଯାଇଥିବା ଅନୁସନ୍ଧାନ ଦ୍ବାରା ମଧ୍ୟ ଏଥିରେ ଥିବା ଏକ ଗୁରୁତର ଅନ୍ତର୍ବିରୋଧ ଉନ୍ମୋଚିତ ହୋଇଛି। ‘ଓଲା’ ଯୁକ୍ତି ଉପସ୍ଥାପନ କରିଥିଲା ଯେ ଉପଭୋକ୍ତାମାନେ ଏଇ ଅତିରିକ୍ତ ପେମେଣ୍ଟ କରିବା ଦ୍ବାରା ସେମାନଙ୍କୁ ଗାଡ଼ି ମିଳିଯିବାର ସମ୍ଭାବନାରେ ବୃଦ୍ଧି ଘଟିଥାଏ। କିନ୍ତୁ ଏଇ ପ୍ଲାଟଫର୍ମ ସୂତ୍ରରୁ ଉପଲବ୍ଧ ପରିସଂଖ୍ୟାନରୁ ଜଣାପଡ଼ିଥାଏ ଯେ ଅତିରିକ୍ତ ପେମେଣ୍ଟ-ଯୁକ୍ତ ବୁକିଙ୍ଗ ତୁଳନାରେ ଅତିରିକ୍ତ ପେମେଣ୍ଟ-ରହିତ ବୁକିଙ୍ଗ ଅନୁପାତ ସର୍ବଦା ଅଧିକ ହୋଇଥାଏ। ଅର୍ଥାତ୍ ଅତିରିକ୍ତ ପେମେଣ୍ଟ ଦ୍ବାରା ଡ୍ରାଇଭରମାନେ ବୁକିଙ୍ଗ ପ୍ରତି ସେଭଳି ଆକର୍ଷିତ ହୋଇ ନଥାନ୍ତି, ଯେଉଁଭଳି ‘ଓଲା’ ଦାବି କରିଥାଏ। ଅପରପକ୍ଷେ ଯଦି ଡ୍ରାଇଭରମାନେ ଅତିରିକ୍ତ ପେମେଣ୍ଟ ଦ୍ବାରା ପ୍ରଭାବିତ ହୁଅନ୍ତି, ତେବେ ତାହା ଅତିରିକ୍ତ ପେମେଣ୍ଟ ନ ଦେଇ କେବଳ ନ୍ୟାଯ୍ୟ ଭଡ଼ା ଦେଉଥିବା ଉପଭୋକ୍ତାମାନଙ୍କ ପ୍ରତି ବିଦ୍ବେଷମୂଳକ ହେବ ବୋଲି ‘ସିସିପିଏ’ ଯଥାର୍ଥ ଭାବରେ ବିବେଚନା କରିଛି।
‘ଓଲା’ ପରି ଗାଡ଼ି-ଡାକରା ପ୍ଲାଟଫର୍ମମାନଙ୍କ ଦ୍ବାରା ଅନୁସୃତ ଏଇ ‘ଟିପ୍’ ଆଦାୟକାରୀ କୌଶଳର ଚାତୁର୍ଯ୍ୟ ଓ ଦୁରୁପଯୋଗ ଠିକ୍ ଭାବରେ ହୃଦୟଙ୍ଗମ କରିବାକୁ ହେଲେ ପରବର୍ତ୍ତୀ ସମୟରେ ୨୦୧୭ରେ ନୋବେଲ ପୁରସ୍କାରପ୍ରାପ୍ତ ଅର୍ଥନୀତିଜ୍ଞ ରିଚାର୍ଡ ଥେଲର୍ ଓ ଆଇନ ବିଶାରଦ କାସ୍ ସନ୍ଷ୍ଟାଇନ ସେମାନଙ୍କର ୨୦୦୮ରେ ପ୍ରକାଶିତ ପ୍ରଭାବଶାଳୀ ପୁସ୍ତକ ‘ନଜ୍’ରେ ମାନବୀୟ ଆଚରଣର ସୂକ୍ଷ୍ମ ସ୍ପର୍ଶକାତରତା ଉପରେ କରିଥିବା ଆଲୋକପାତ ଉପରେ ଏକ କ୍ଷିପ୍ର ଦୃଷ୍ଟି ନିକ୍ଷେପ ଅତ୍ୟନ୍ତ ଉପଯୋଗୀ ହେବ। ଲେଖକଦ୍ବୟଙ୍କ ଅନୁସାରେ ମନୁଷ୍ୟମାନେ ଅର୍ଥଶାସ୍ତ୍ରରେ ପ୍ରଦର୍ଶିତ କରାଯାଇଥିବା ଭଳି ପକ୍କା ହିସାବୀ ପ୍ରାଣୀ ନୁହନ୍ତି। ବାସ୍ତବରେ ଆମେ କୌଣସି ଏକ ନିଷ୍ପତ୍ତି ଗ୍ରହଣ କଲାବେଳେ ଯେଉଁ ସମସ୍ତ ଶକ୍ତି ଦ୍ବାରା ପ୍ରଭାବିତ ହୋଇଥାଉ, ତାହା ହେଲା- ଆମ ପାଇଁ ସୂଚନା କିପରି ଉପସ୍ଥାପିତ ହୋଇଥାଏ, କେଉଁ କ୍ରମରେ ବିକଳ୍ପମାନ ଆତ୍ମପ୍ରକାଶ କରିଥାନ୍ତି, କ’ଣ ସବୁ ଅନିବାର୍ଯ୍ୟ ମନେ ହୋଇଥାଏ, କେଉଁ ସମସ୍ତ ରଙ୍ଗ ଓ ଛାପା ବ୍ୟବହୃତ ହୋଇଥାଏ ଏବଂ ଏକ ସୁଯୋଗ ହରାଇ ବସିବାର ଭୟ ଆଦି।
‘ନଜ୍’ର ଅର୍ଥ ହେଉଛି- ଏକ ସୂକ୍ଷ୍ମ ଇସାରା। ଏଇ ସମସ୍ତ ଉପାଦାନମାନଙ୍କୁ ସୁଚିନ୍ତିତ ଭାବରେ ବ୍ୟବହାର କରି ବ୍ୟକ୍ତିବିଶେଷ କିମ୍ବା ଜନସାଧାରଣଙ୍କ ଆଚରଣରେ ବାଞ୍ଛନୀୟ, ମଙ୍ଗଳପ୍ରଦ ପରିବର୍ତ୍ତନ ହାସଲ କରାଯାଇ ପାରିବ ବୋଲି ଥେଲର୍ ଓ ସନ୍ଷ୍ଟାଇନ ଦର୍ଶାଇ ଥିଲେ, ଯେଉଁଥିପାଇଁ ସେମାନେ ସେମାନଙ୍କର ପୁସ୍ତକର ଉପ-ଶୀର୍ଷକ ରଖିଥିଲେ: ‘‘ଇମ୍ପ୍ରୁଭିଙ୍ଗ ଡିସିଜନ୍ସ ଏବାଉଟ୍ ହେଲ୍ଥ, ୱେଲ୍ଥ ଆଣ୍ଡ୍ ହାପିନେସ୍।’’ ଏହା ଏପରି ପ୍ରଭାବଶାଳୀ ଥିଲା ଯେ ଏହାଦ୍ବାରା ପ୍ରଭାବିତ ହୋଇ ତତ୍କାଳୀନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଡେଭିଡ୍ କ୍ୟାମେରନ୍ ୨୦୧୦ରେ ତାଙ୍କର ସରକାରରେ ଏକ ‘ନଜ୍’ ୟୁନିଟ ସ୍ଥାପନ କରିଥିଲେ।
‘ଓଲା’ ମାମଲାରୁ କିନ୍ତୁ ଜଣାପଡ଼ିଥାଏ ଯେ ‘ଟିପ୍’ ପ୍ରଦାନ ପାଇଁ ସେମାନେ ବ୍ୟବହାର କରୁଥିବା ‘ନଜ୍’ ଉପଭୋକ୍ତାଙ୍କ ମଙ୍ଗଳସାଧନ ପାଇଁ ଉଦ୍ଦିଷ୍ଟ ନ ହୋଇ ପ୍ରକୃତରେ ସେମାନଙ୍କର ବ୍ୟବସାୟର ଆୟବର୍ଦ୍ଧନ ପାଇଁ ଉଦ୍ଦିଷ୍ଟ ହୋଇଥାଏ। ଏଠାରେ ଉପରକୁ ଯାହା ଦେଖାଯାଇଥାଏ, ତାହା ହେଲା ‘ଓଲା’ ଆପ୍ ଗ୍ରାହକକୁ ‘ଟିପ୍’ ଦେବାକୁ ବାଧ୍ୟ କରି ନ ଥାଏ; ଗ୍ରାହକ ସ୍ବାଧୀନ ଭାବରେ ଏ ସଂପର୍କିତ ନିଷ୍ପତ୍ତି ଗ୍ରହଣ କରିଥାଏ। କିନ୍ତୁ ପ୍ରକୃତ ସତ୍ୟ ହେଲା- ଗ୍ରାହକ ‘ଟିପ୍’ ଦେବାକୁ ମନା କରିବାକୁ ସ୍ବାଧୀନ ହୋଇଥାଇପାରେ, କିନ୍ତୁ ଆପ୍ ସୂକ୍ଷ୍ମ ଇସାରା ଦେଇଥାଏ ଯେ ସେ ଯଦି ଟିପ୍ ନ ଦିଏ, ତେବେ ତାକୁ ଗାଡ଼ିଟିଏ ମିଳିବାରେ ବିଳମ୍ବ ଘଟିପାରେ କିମ୍ବା ଆଦୌ ନ ମିଳିପାରେ। ଗ୍ରାହକ ତେଣୁ ନିଜର ଅଗୋଚରରେ ନିଜର ପକେଟମାର ହେବା ପରି ଚୁପଚାପ ‘ଟିପ୍’ ଦେଇଦେବା ଦେଖାଯାଇଥାଏ। ଏଥିରୁ ବୁଝାପଡ଼ିଥାଏ ଯେ ପ୍ଲାଟଫର୍ମଟି ଗ୍ରାହକ ସମ୍ମୁଖରେ ଉପସ୍ଥାପିତ କରୁଥିବା ବିକଳ୍ପମାନ ନିରପେକ୍ଷ ନୁହେଁ।
ଟେକ୍ନୋଲୋଜି କଂପାନିମାନେ ଆଜି ଅଧିକରୁ ଅଧିକ ଉପଭୋକ୍ତାଙ୍କର ଚିନ୍ତନ, ଆଶା, ଆଶଙ୍କା ଇତ୍ୟାଦି ସଂପର୍କରେ ତଥ୍ୟ ସଂଗ୍ରହ ଓ ମହଜୁଦ କରିବାରେ ପ୍ରବୃତ୍ତ ଅଛନ୍ତି। ଏହାକୁ ବ୍ୟବହାର କରି ସେମାନେ ଏପରି ସୂକ୍ଷ୍ମ ଅଦୃଶ୍ୟପ୍ରାୟ ଇସାରା ସବୁ ପ୍ରୟୋଗ କରି ଉପଭୋକ୍ତାମାନଙ୍କର ଆଚରଣକୁ ନିଜର ସ୍ବାର୍ଥସାଧନ ପାଇଁ ନିୟନ୍ତ୍ରିତ କରିପାରିବେ, ଯାହା ସଂପର୍କରେ ଉପଭୋକ୍ତା ସଚେତନ ହୋଇପାରିବା ସମ୍ଭବ ନୁହେଁ। ‘ସିସିପିଏ’ ପରି ନିୟନ୍ତ୍ରକ ସଂସ୍ଥାମାନେ ତେଣୁ ଏଥିପ୍ରତି ନିରନ୍ତର ସତର୍କ ରହିବା ଜରୁରି। ‘ଓଲା’ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଏ ଦିଗରେ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ।

3 hours ago
2


