Editorial: ଡିଜିଟାଲ ଉପନିବେଶ

1 day ago 3
ARTICLE AD BOX

ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଥାଆନ୍ତି ଯେ କୌଣସି ଭୂ-ରାଜନୈତିକ ବା ଭୂ-ରଣନୈତିକ କାରଣରୁ ଯଦି ଆମେରିକା ଦ୍ବାରା ଭାରତକୁ ‘ଜିପିଏସ’ ସେବାରୁ ବଞ୍ଚିତ କରି ଦିଆଯାଏ; ତେବେ ଭାରତ ଦିଗହରା ହୋଇଯାଇପାରେ! ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପରିପ୍ରେକ୍ଷୀରେ ରୁଷିଆ ଏଭଳି ଡିଜିଟାଲ ବାସନ୍ଦର ସାମନା କରି ସାରିଛି। କହିବାର ମର୍ମ ହେଲା, ମୌଳିକ ‘ଡିଜିଟାଲ ଆର୍କିଟେକ୍‌ଚର’ ସୃଷ୍ଟି ସକାଶେ ଭାରତ ପକ୍ଷରୁ ନିରନ୍ଧ୍ର ଉଦ୍ୟମର ଆବଶ୍ୟକତା ଅତ୍ୟନ୍ତ ଜରୁରି, ଯେଉଁ କ୍ଷେତ୍ରରେ ଲମ୍ବା ଲମ୍ଫ ସହିତ ଚୀନ ଭାରତଠାରୁ ଅନେକ ଆଗରେ!

ଗଲା ଶୁକ୍ରବାର ଦିନ, ଟେକ୍‌ କଂପାନି ‘ମାଇକ୍ରୋସଫ୍‌ଟ’ରେ ଉପୁଜିଥିବା କେତେକ ପ୍ରାବିଧିକ ଅଚଳତା ହେତୁ ପୃଥିବୀର ଏକ ବୃହତ୍‌ ଅଂଶ, ଅର୍ଥାତ୍‌ ଆମେରିକା, ୟୁରୋପ, ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ୭୬ଟି ଦେଶ, ସହସା ଓ ଦୀର୍ଘ ୧୭ ଘଣ୍ଟା ଧରି ‘ଡିଜିଟାଲ ସଂସାର’ରୁ ବାହାରେ ରହି ଯାଇଥିଲା। ଏହି କାରଣରୁ ଅନଲାଇନ ଅର୍ଥ ନେଣଦେଣ, ବାର୍ତ୍ତା ପ୍ରେରଣ ଓ ସଂଚାରଣ ଭଳି କାର୍ଯ୍ୟ ବନ୍ଦ ହୋଇଯିବାରୁ ସରକାରୀ ଓ ବେସରକାରୀ ଦପ୍ତର, ଡାକ୍ତରଖାନା, ସ୍କୁଲ, ହୋଟେଲ ଆଦି ସଂପୂର୍ଣ୍ଣ ନିଶ୍ଚଳ ହୋଇଯାଇଥିଲେ, ଯହିଁରେ ‘ଫରଚ୍ୟୁନ ୫୦୦’ କଂପାନିଗୁଡ଼ିକ ମଧ୍ୟରୁ ପ୍ରାୟ ୯୦% କ୍ଷତିଗ୍ରସ୍ତ ହୋଇଥିବା କଥା କୁହାଯାଉଛି। ଭାରତ ଉପରେ ମଧ୍ୟ ଏହାର ଦୁଷ୍ପ୍ରଭାବ ପଡ଼ିଛି। ଏହା ଫଳରେ ଇଣ୍ଟରନେଟ ଦ୍ବାରା ଛନ୍ଦା ପୃଥିବୀର ସ୍ଥିତି ଓ ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିବାରେ ଲାଗିଛି। ପୃଥିବୀର ଯାବତୀୟ କାରବାର, ସଂପ୍ରତି, ‘ଡେଟା ସଂଚାଳନ’ ଓ ‘ଡେଟା ପ୍ରବାହ’ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ହୋଇ ଉଠିଥିବାରୁ ଏହା ହୃଦ୍‌ବୋଧ ମଧ୍ୟ ହେଲାଣି ଯେ ପ୍ରାୟ ସମସ୍ତ ଦେଶ, ଇତିମଧ୍ୟରେ, କିଛି ମୁଷ୍ଟିମେୟ ଅତିକାୟ ଟେକ୍‌ କଂପାନିଗୁଡ଼ିକର ଡିଜିଟାଲ ଉପନିବେଶରେ ପରିଣତ ହୋଇସାରିଛନ୍ତି! ତେଣୁ ଏହା ଘୋର ଉଦ୍‌ବେଗ ମଧ୍ୟ ସୃଷ୍ଟି କଲାଣି।
ମାଇକ୍ରୋସଫ୍‌ଟର ଏହି ସମସ୍ୟା ‘ସାଇବର ଆକ୍ରମଣ’ଜନିତ ନୁହେଁ ବୋଲି ପ୍ରଥମରୁ କଂପାନି ପକ୍ଷରୁ ସ୍ପଷ୍ଟ କରିଦିଆଯାଇସାରିଛି। ତେବେ, ପ୍ରାପ୍ତ ସୂଚନା ଅନୁଯାୟୀ ‘ମା‌ଇକ୍ରୋସଫ୍‌ଟ ୩୬୫’ର କେତେକ ‘ସର୍ଭର’ ଡାଉନ ହୋଇଯିବାରୁ ସେହି ସର୍ଭରଗୁଡ଼ିକୁ ପ୍ରବାହିତ ହେଉଥିବା ‘ଡେଟା’କୁ ଅନ୍ୟ ‘ସର୍ଭର’କୁ ଦେଇ ଦିଆଯାଇଥିଲା, ଯାହା ଫଳରେ ସେହି ସବୁ ସର୍ଭରରେ ଏକ ପ୍ରକାର ଉତ୍କଟ ‘ଟ୍ରାଫିକ ଜାମ’ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ତହିଁରେ ସର୍ଭରଗୁଡ଼ିକ ଚାପଗ୍ରସ୍ତ ହୋଇ ଅଚଳ ହୋଇ ପଡ଼ିଥିଲେ। ଉଲ୍ଲେଖଯୋଗ୍ୟ ଯେ କ୍ରମବର୍ଦ୍ଧିଷ୍ଣୁ ଡେଟା ସୃଷ୍ଟି, ସଂଚାଳନ ଓ ପ୍ରକ୍ରିୟାକରଣକୁ ଦୃଷ୍ଟିରେ ରଖି ଟେକ୍‌ କଂପନିଗୁଡ଼ିକ ବିଶାଳ ଡେଟା ସେଣ୍ଟରମାନ ନିର୍ମାଣ କରୁଥିଲେ ହେଁ ‘ସର୍ଭର’ଗୁଡ଼ିକ ଉପରେ ଚାପ ବୃଦ୍ଧି ପାଇବାରେ ଲାଗିଛି। ଏବଂ ସଂପ୍ରତି, ‘ଏ.ଆଇ.’ର ବହୁଳ ବ୍ୟବହାର ହେତୁ ‘ଡେଟା ପ୍ରକ୍ରିୟାକରଣ’ ଓ ‘ସଂପ୍ରେଷଣ’ ଆଦି ଅଧିକ ସଘନ ହୋଇ ‘ସର୍ଭର’ଗୁଡ଼ିକୁ ନୟାନ୍ତ କଲାଣି। ଅନେକ ପର୍ଯ୍ୟବେକ୍ଷକ କହନ୍ତି ଯେ ଟେକ୍‌ କଂପାନିଗୁଡ଼ିକ ନିଜ ମାନବ ସମ୍ବଳର ବଡ଼ ଅଂଶକୁ ‘ଏ.ଆଇ.’ ଦ୍ବାରା ବିସ୍ଥାପିତ କରୁଥିବାରୁ ‘ସର୍ଭର’ଗୁଡ଼ିକ ଅଧିକ ଭାରାକ୍ରାନ୍ତ ହେବା ସ୍ବାଭାବିକ, ଯଦ୍ଦ୍ବାରା ଏଭଳି ସ୍ଥିତି ହୁଏତ ଅଧିକ ସଂଖ୍ୟାରେ ଘଟିବ। ପ୍ରକାଶ ଥାଉ କି ମାଇକ୍ରୋସଫ୍‌ଟ ସମେତ, ଅନ୍ୟ ଟେକ୍‌ କଂପାନିଗୁଡ଼ିକ କେବଳ ୨୦୨୬ ମସିହାରେ ପ୍ରାୟ ୨ ଲକ୍ଷ ୬୦ ହଜାର ସଂଖ୍ୟକ କର୍ମଚାରୀଙ୍କୁ ଛଟେଇ କରି ସାରିଲେଣି। 
ଉଲ୍ଲେଖଯୋଗ୍ୟ ଯେ ପୃଥିବୀରେ ସୃଷ୍ଟ, ସଂଗୃହୀତ ଓ ସଂଚାଳିତ ସମସ୍ତ ‘ଡେଟା’ର ବହୁଳାଂଶ ଯେଉଁ ତିନିଟି ଅତିକାୟ ଟେକ୍‌ କଂପାନି ଦ୍ବାରା ହୋଇଥାଏ, ସେଗୁଡ଼ିକ ହେଲେ ଆମାଜନ ୱେବ ସର୍ଭିସ ବା ‘ଏ.ଡବ୍ଲ୍ୟୁ.ଏସ.’ (୨୮%), ମାଇକ୍ରୋସଫ୍‌ଟ ଆଜ୍ୟୁର (୨୧%) ଏବଂ ଗୁଗଲ କ୍ଲାଉଡ୍‌ (୧୪%); ସମଷ୍ଟିଗତ ଭାବେ ଯାହା ହେଉଛି ୬୩ ପ୍ରତିଶତ। କହିବାର ତାତ୍ପର୍ଯ୍ୟ ହେଲା, ଏହି ତିନିଟି କଂପାନି ମଧ୍ୟରୁ ଯେ କୌଣସି ଗୋଟିକ‌େର ପ୍ରାବିଧିକ ସମସ୍ୟା ଉତ୍ପନ୍ନ ହେଲେ, ତଦ୍ଦ୍ବାରା ପୃଥିବୀର ସମସ୍ତ ଅଂଶରେ ପ୍ରାୟ ସବୁ କ୍ଷେତ୍ର ଆକ୍ରାନ୍ତ ହେବା ଅବଧାରିତ। ବିଶେଷଜ୍ଞମାନେ କହିଥାଆନ୍ତି ଯେ ଏଭଳି ସ୍ଥଳେ ସାଇବର ଅପରାଧ, ହ୍ୟାକିଂ ଓ ‘ଡେଟା’ ଚୋରି ସକାଶେ ଅନୁକୂଳ ପରିବେଶ ସୃଷ୍ଟି ହୋଇଥାଏ। ପ୍ରକାଶ ଥାଉ କି କେବଳ ଚଳିତ ବର୍ଷ, ମାଇକ୍ରୋସଫ୍‌ଟ ତିନି ଥର ପ୍ରାବିଧିକ ସମସ୍ୟାର ସମ୍ମୁଖୀନ ହୋଇଛି, ଯଦ୍ଦ୍ବାରା ‘ଡିଜିଟାଲ’ ବିଚରଣ ବାଧାପ୍ରାପ୍ତ ହୋଇ ପୃଥିବୀବ୍ୟାପୀ ଅସଂଖ୍ୟ ବ୍ୟକ୍ତି, ଅସୁମାରି ଅନୁଷ୍ଠାନ ଓ ଅନେକ ରାଷ୍ଟ୍ରଙ୍କୁ ପ୍ରଭାବିତ କରିଛି। ତା’ ପୂର୍ବରୁ ୨୦୨୪, ଜୁଲାଇ ୧୯ରେ ଏବଂ ୨୦୨୫, ଅକ୍‌ଟୋବର ୨୯ରେ ଦୁଇଟି ବଡ଼ ଧରଣର ପ୍ରଯୁକ୍ତିଗତ ସଂକଟ ହେତୁ ମାଇକ୍ରୋସଫ୍‌ଟ ଅଧୀନସ୍ଥ ଅନଲାଇନ କାରବାର ଏକ ବ୍ୟାପକ ଅଞ୍ଚଳରେ ବେଶ୍‌ କିଛି ଘଣ୍ଟା ଯାଏ ଅଚଳାବସ୍ଥାର ଶିକାର ହୋଇଥିଲା। ଏଭଳି ସ୍ଥିତି‌େର ପୃଥିବୀ ଯେଉଁ ଆୟ ହାନିର ସମ୍ମୁଖୀନ ହୋଇଥାଏ, ତାହାର ପରିମାଣ ୨୦୨୪ ମସିହାରେ ‘ଦ ଗାର୍ଡିଆନ’ରେ ପ୍ରକାଶିତ ଏହି ସମ୍ବାଦରୁ ଆକଳନ କରି ହେବ ଯେ ୨୦୨୪ ମସିହାରେ ମାଇକ୍ରୋସଫ୍‌ଟ ଅଚଳାବସ୍ଥା ହେତୁ କେବଳ ଆମେରିକାର ‘ଫର୍ଚ୍ୟୁନ ୫୦୦’ କଂପାନିଗୁଡ଼ିକ ୫.୪ ବିଲିଅନ ଡଲାରର କ୍ଷତି ସହିଥିଲେ। 
ଏଭଳି ସ୍ଥିତିରେ ଯାହା ଘୋର ଉଦ୍‌ବେଗର କାରଣ ହୋଇଥାଏ, ତାହା ହେଲା କୌଣସି ରାଷ୍ଟ୍ରର ସମସ୍ତ ‘ଡେଟା’ ଓ ‘ଅନଲାଇନ’ କାରବାର, ଆମେରିକାରେ ଅବସ୍ଥିତ ମାତ୍ର ତିନି ଚାରିଟି ଟେକ୍‌ କଂପାନିର କରାୟତ୍ତ ହୋଇ ରହିଛି। ଏହି କାରଣରୁ ଭାରତୀୟ ପ୍ରଯୁକ୍ତି ବିଶେଷଜ୍ଞମାନେ, ଏବେ, ‘ଟେକ ସଭେରନ୍‌ଟି’ ବା ‘ପ୍ରଯୁକ୍ତି ସାର୍ବଭୌମତ୍ବ’ କଥା କହନ୍ତି, ଯହିଁରେ ଭାରତ ପକ୍ଷରୁ ନିଜସ୍ବ ଡିଜିଟାଲ ‘ଆର୍କିଟେକ୍‌ଚର’ ବା ‘ଢାଞ୍ଚା’ ସୃଷ୍ଟି ବିଶେଷ ମହତ୍ତ୍ବ ଲାଭ କରିଥାଏ। କିନ୍ତୁ ଅବସୋସର ବିଷୟ, ଏ କ୍ଷେତ୍ରରେ ଭାରତର ଅଗ୍ରଗତି ଅତ୍ୟନ୍ତ ମନ୍ଥର। ଉଦାହରଣଟିଏ ଦେଖାଯାଉ: ଭାରତର ନିଜସ୍ବ ‘ଜି.ପି.ଏସ୍.’ ସିଷ୍ଟମର ପ୍ରଥମ ପରିକଳ୍ପନା ହୋଇଥିଲା ୧୯୯୯ ମସିହାରେ, କାରଗିଲ ଯୁଦ୍ଧ ପରେ। ତା’ର ସାତ ବର୍ଷ ପରେ, ୨୦୦୬ରେ ପରିକଳ୍ପନାକୁ ବାସ୍ତବ ରୂପ ଦେବା ଦିଗରେ ଉଦ୍ୟମ ଆରମ୍ଭ ହେଲା। ଏହି ପ୍ରକ୍ରିୟାରେ ପ୍ରଥମ ଉପଗ୍ରହ ଭାବେ ୨୦୧୩ ମସିହାରେ, ‘ଆଇ.ଆର.ଏନ.ଏସ.ଏସ.-୧ଏ’କୁ ଅନ୍ତରୀକ୍ଷରେ ସ୍ଥାପନ କରାଗଲା। ‘ନାଭିକ’କୁ କାର୍ଯ୍ୟକ୍ଷମ କରିବା ଲାଗି ତା’ ପରଠାରୁ ପ୍ରାୟ ଦଶଟି ଉପଗ୍ରହ ଅନ୍ତରୀକ୍ଷକୁ ପ୍ରେରିତ ହୋଇଥିଲେ ହେଁ ପ୍ରଯୁକ୍ତିଗତ ପ୍ରମାଦ ହେତୁ ବ୍ୟବସ୍ଥାଟି ବସ୍ତୁୁତଃ ଅଚଳ ହୋଇ ପଡ଼ି ରହିଲା। ତେବେ, ଗଲା ଅକ୍‌ଟୋବର ୩୧ ତାରିଖରେ, ଭାରତ ଦ୍ବାରା ସଦ୍ୟ ପ୍ରେରିତ ଏକ ଉପଗ୍ରହ ସହାୟତାରେ ‘ନାଭିକ’ ଆଂଶିକ କାର୍ଯ୍ୟକ୍ଷମ ହୋଇଛି; ଅର୍ଥାତ୍‌ ଦୀର୍ଘ ୨୭ ବର୍ଷର ଏକ ଶୁଷ୍କ ବ୍ୟବଧାନ। ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଥାଆନ୍ତି ଯେ କୌଣସି ଭୂ-ରାଜନୈତିକ ବା ଭୂ-ରଣନୈତିକ କାରଣରୁ ଯଦି ଆମେରିକା ଦ୍ବାରା ଭାରତକୁ ‘ଜିପିଏସ’ ସେବାରୁ ବଞ୍ଚିତ କରି ଦିଆଯାଏ; ତେବେ ଭାରତ ଦିଗହରା ହୋଇଯାଇପାରେ! ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପରିପ୍ରେକ୍ଷୀରେ ରୁଷିଆ ଏଭଳି ଡିଜିଟାଲ ବାସନ୍ଦର ସାମନା କରି ସାରିଛି। କହିବାର ମର୍ମ ହେଲା, ମୌଳିକ ‘ଡିଜିଟାଲ ଆର୍କିଟେକ୍‌ଚର’ ସୃଷ୍ଟି ସକାଶେ ଭାରତ ପକ୍ଷରୁ ନିରନ୍ଧ୍ର ଉଦ୍ୟମର ଆବଶ୍ୟକତା ଅତ୍ୟନ୍ତ ଜରୁରି, ଯେଉଁ କ୍ଷେତ୍ରରେ ଲମ୍ବା ଲମ୍ଫ ସହିତ ଚୀନ ଭାରତଠାରୁ ଅନେକ ଆଗରେ!
ଭବିଷ୍ୟତରେ ସାମରିକ ଶକ୍ତି ପରିବର୍ତ୍ତେ ‘ଡେଟା’ ପରିଚାଳନା ସାମର୍ଥ୍ୟ ହୋଇପାରେ ରାଷ୍ଟ୍ର ଶକ୍ତିର ଚିହ୍ନ। ସେଭଳି ସ୍ଥିତିରେ ସାଇବର ଆକ୍ରମଣ ହୋଇପାରେ ଯୁଦ୍ଧ ଜିଣିବାର ବ୍ରହ୍ମାସ୍ତ୍ର। ଏହି କାରଣରୁ ବିଦେଶୀ ଟେକ୍‌ କଂପାନିଗୁଡ଼ିକର ପରାଧୀନତାରୁ ମୁକ୍ତି ଓ ଡିଜିଟାଲ ଉପନିବେଶବାଦର ଅବସାନ ଏକାନ୍ତ ଜରୁରି। ଏଥି ଲାଗି ଲୋଡ଼ା ଆଉ ଏକ ସ୍ବାଧୀନତା ସଂଗ୍ରାମ, ଯାହାର ମୂଳମନ୍ତ୍ର ହେବ ସ୍ବୀୟ ଉଦ୍ୟମରେ ପ୍ରଯୁକ୍ତିିଗତ ଉତ୍କର୍ଷ ପ୍ରତିଷ୍ଠା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.