Editorial: ଜିରୋ ହିଁ ହିରୋ

1 hour ago 1
ARTICLE AD BOX

ବିଭିନ୍ନ ଅନୁତ୍ପାଦକ ମାଗଣା ବଣ୍ଟନ ଯୋଜନାରେ ଅପର୍ଯ୍ୟାପ୍ତ ସମ୍ବଳ ଖର୍ଚ୍ଚ କରୁଥିବା ସରକାର ‘ୟୁପିଆଇ’ ପରି ଏକ ଅତ୍ୟାବଶ୍ୟକ ଉତ୍ପାଦନଶୀଳ ବ୍ୟବସ୍ଥାକୁ ଦେୟହୀନ ରହି ଅବାଧ ବ୍ୟବହାରକ୍ଷମ ହେବା ପାଇଁ ଆବଶ୍ୟକ ସହାୟତା ଯୋଗାଇବା ଲାଗି ସମସ୍ତ କୁଣ୍ଠା ତ୍ୟାଗ କରନ୍ତୁ। ସଂଶୋଧିତ ଆଇନ ଦ୍ବାରା କ୍ଷମତାପ୍ରାପ୍ତ ହୋଇଥିଲେ ହେଁ ସରକାର ‘ଜିରୋ ଏମ୍‌ଡିଆର୍’ ପ୍ରତ୍ୟାହାର ପରି ଆତ୍ମଘାତୀ ପଦକ୍ଷେପ ଗ୍ରହଣରୁ ନିବୃତ୍ତ ରହନ୍ତୁ; ତାଙ୍କର ସୁପରହିଟ୍ ନାଟକର ହିରୋକୁ ମଞ୍ଚରୁ ବିତାଡ଼ିତ ନ କରନ୍ତୁ!

ଗତ ଗୁରୁବାର ଲୋକସଭାରେ ପାରିତ କରାଯାଇଥିବା ଏକ ବିଲ୍‌କୁ ଦେଖିଲେ ଅନେକଙ୍କ ମନରେ ନିଶ୍ଚିତ ରୂପେ ଏକ ଧାରଣା ସୃଷ୍ଟି ହେଉଥିବ ଯେ ଯେମିତି ବେଳେବେଳେ ଅପରିପକ୍ବ କିଶୋରକିଶୋରୀମାନେ ଆତ୍ମଘାତୀ ଅନ୍‌ଲାଇନ ଖେଳ (ଯେମିତି ‘ବ୍ଲୁ ହ୍ବେଲ୍’) ଖେଳିଥାନ୍ତି, ବର୍ତ୍ତମାନର କ୍ଷମତାସୀନ ସରକାର ସେମିତି କୌଣସି ଆବେଶର ବଶବର୍ତ୍ତୀ ହୋଇ ଗୋଟିକ ପରେ ଗୋଟିଏ ଏମିତି ପଦକ୍ଷେପ ନେବାରେ ଲାଗିଛନ୍ତି, ଯାହା ନିଜ ପାଇଁ ଘୋର କ୍ଷତିକାରକ ଜନ ଅସନ୍ତୋଷ ସୃଷ୍ଟି କରିବାର କ୍ଷମତା ବହନ କରିଥାଏ।
ଉଦାହରଣ ସ୍ବରୂପ ପରକୁ ପର ଆବିର୍ଭୂତ ହୋଇଥିବା ଦୁଇଟି ପ୍ରବଳ ତଥା ବ୍ୟାପକ ପ୍ରତିକୂଳ ପ୍ରତିକ୍ରିୟା ସୃଷ୍ଟିକାରୀ ପ୍ରସଙ୍ଗ - ‘ନିଟ୍’ ପ୍ରଶ୍ନପତ୍ର ଲିକ୍ ପ୍ରତି ପ୍ରଦର୍ଶିତ ଦୀର୍ଘ ସମ୍ବେଦନହୀନତା ଓ ପେଟ୍ରୋଲ୍‌ରେ ୨୦ ଶତାଂଶ ଅନୁପାତରେ ଇଥାନଲ୍ ମିଶ୍ରଣ - ର ତାତି ପ୍ରଶମିତ ହୋଇ ନ ଥିବା ବେଳେ, ସରକାର ଲୋକସଭାରେ ଏଇ ‘ପେମେଣ୍ଟସ ଆଣ୍ଡ ସେଟ୍‌ଲମେଣ୍ଟ ସିଷ୍ଟମ୍‌ସ (ଆମେଣ୍ଡମେଣ୍ଟ) ବିଲ୍’ ଆଗତ କରିବାକୁ ଆଗେଇ ଆସିଛନ୍ତି। ଏଇ ସଂଶୋଧିତ ଆଇନ ବଳରେ ସରକାର ଏବେ ଦେଶରେ ବ୍ୟାପକ ଭାବରେ ବ୍ୟବହୃତ ‘ୟୁପିଆଇ’ ପେମେଣ୍ଟ ବ୍ୟବସ୍ଥା ପ୍ରତି ଲାଗୁ ହେଉଥିବା ଶୂନ୍ୟ ବା ଜିରୋ ‘ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍’ (‘ଏମ୍‌ଡିଆର୍’) ସୁବିଧା ପ୍ରତ୍ୟାହାର କରି ‘ୟୁପିଆଇ’ ମାଧ୍ୟମରେ ପେମେଣ୍ଟ ଗ୍ରହଣ କରୁଥିବା ବ୍ୟବସାୟୀମାନଙ୍କ ଠାରୁ ମାହାସୁଲ ଆଦାୟ କରାଯିବା ପାଇଁ ଅନୁମତି ପ୍ରଦାନ କରିପାରିବେ।
ସରକାରଙ୍କର ଏଇ ନିଷ୍ପତ୍ତି ବିଚିତ୍ର ମନେ ହୁଏ, କାରଣ ‘ଏନ୍‌ଡିଏ’ ସରକାରଙ୍କର ଚରମ ବିରୋଧୀମାନେ ମଧ୍ୟ ଅକୁଣ୍ଠ ଭାବରେ ସ୍ବୀକାର କରିବେ ଯେ ଏଇ ସରକାରଙ୍କର କୌଣସି ଏକ ପଦକ୍ଷେପ ଯଦି ଉଭୟ କ୍ରେତା ଓ ବିକ୍ରେତା ରୂପରେ ଭାରତୀୟମାନଙ୍କ ଅର୍ଥନୈତିକ ଜୀବନରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥାଏ ଏବଂ ଏ କ୍ଷେତ୍ରରେ ପୃଥିବୀରେ ଭାରତକୁ ଏକ ନେତୃସ୍ଥାନୀୟ ମର୍ଯ୍ୟାଦା ପ୍ରଦାନ କରିଥାଏ, ତାହା ହେଉଛି- ‘ୟୁପିଆଇ’ର ନିଃଶୁଳ୍‌କ ପ୍ରବର୍ତ୍ତନ।
ଇତିମଧ୍ୟରେ ‘ୟୁପିଆଇ’ର ଦ୍ରୁତ ପ୍ରସାର ଘଟି ତାହା ବର୍ତ୍ତମାନ ପୃଥିବୀର ବୃହତ୍ତମ ତାତ୍‌କାଳିକ ପଇଠ ବା ‘ରିଅଲ୍‌ ଟାଇମ୍ ପେମେଣ୍ଟ’ ବ୍ୟବସ୍ଥାରେ ପରିଣତ ହୋଇଛି, ଯାହାର ପ୍ରମାଣ ସ୍ବରୂପ ବର୍ତ୍ତମାନ ସାରା ପୃଥିବୀରେ ଯେତିକି ସଂଖ୍ୟକ ଏଇ କିସମର ପେମେଣ୍ଟ କାରବାର ଘଟିଥାଏ, ତାହାର ପ୍ରାୟ ଅର୍ଦ୍ଧେକ ସଂଘଟିତ ହେଉଛି ଭାରତରେ। ୨୦୨୫-୨୬ ବିତ୍ତ ବର୍ଷରେ ଭାରତରେ ‘ୟୁପିଆଇ’ ବ୍ୟବହାରକାରୀଙ୍କର ସଂଖ୍ୟା ଥିଲା ୫୫ କୋଟିରୁ ଅଧିକ, ଯେଉଁମାନେ ଏଇ ସମୟରେ ୨୪,୦୦୦ କୋଟିରୁ ଅଧିକ ସଂଖ୍ୟକ ଥର ଏହାର ବ୍ୟବହାର କରି ମୋଟ ୩୧୪ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର କାରବାର ସଂଘଟିତ କରିଥିଲେ। ଏହାର ବିଶାଳତା ହୃଦୟଙ୍ଗମ କରିବାକୁ ତୁଳନା ପାଇଁ ଉଲ୍ଲେଖ କରାଯାଇପାରେ ଯେ ଏଇ ବିତ୍ତ ବର୍ଷରେ ଭାରତର ମୋଟ ଜାତୀୟ ଉତ୍ପାଦ ବା ‘ଜିଡିପି’ର ଆକାର ଥିଲା ୩୪୬ ଲକ୍ଷ କୋଟି ଟଙ୍କାରୁ ସାମାନ୍ୟ ଅଧିକ।
ଭାରତ ହାସଲ କରିଥିବା ଏଇ ଅତୁଳନୀୟ ମୋବାଇଲ୍ ଫୋନ୍‌ଭିତ୍ତିକ ବ୍ୟାବସାୟିକ କାରବାର ସଂପାଦନ ସଫଳତାକୁ ସାଧାରଣତଃ ଏକ ପ୍ରାବିଧିକ ଚମତ୍କାରିତା ରୂପେ ପ୍ରଦର୍ଶିତ କରାଯାଇଥାଏ। ଏହା କିନ୍ତୁ ଭ୍ରମାତ୍ମକ। କାରଣ ‘ୟୁପିଆଇ’ ନିଶ୍ଚିତ ରୂପେ ହେଉଛି ଏକ ଆଶ୍ଚର୍ଯ୍ୟଜନକ ପ୍ରାବିଧିକ ପ୍ରୟୋଗ, ଏଥିରେ କୌଣସି ସନ୍ଦେହ ନାହିଁ; କିନ୍ତୁ ଭାରତରେ ‘ୟୁପିଆଇ’ ହାସଲ କରିଥିବା ଦାବାନଳସମ ବିସ୍ତାର କେବଳ ଏହାର ଯାଦୁକରୀ ପ୍ରବିଧି ଯୋଗୁଁ ସମ୍ଭବ ହୋଇନାହିଁ। ଏହା ସମ୍ଭବ ହେବା ପଛରେ ଯାହାର ଏକ ସମାନ ଭାବରେ ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି, ତାହା ହେଉଛି ଅତୀତରେ ସରକାର ଗ୍ରହଣ କରିଥିବା ଏକ ଦୂରଦର୍ଶୀ ନୀତିଗତ ନିଷ୍ପତ୍ତି: ‘ୟୁପିଆଇ’ କାରବାରଗୁଡ଼ିକୁ ସଂପୂର୍ଣ୍ଣ ରୂପେ ‘ଏମ୍‌ଡିଆର୍’-ମୁକ୍ତ ଅର୍ଥାତ୍ ଦେୟମୁକ୍ତ ରଖାଯିବା। ସରକାରଙ୍କର ଏଇ ଗୋଟିକ ନିଷ୍ପତ୍ତି ଦେଶର ଅଗଣିତ କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ଦୈନନ୍ଦିନ କାରବାରକୁ ଯେଉଁଭଳି ସହଜ ଓ ସୁଗମ କରିଦେଇଛି, ସରକାରଙ୍କର ଅନ୍ୟ କୌଣସି ପଦକ୍ଷେପ ତା’ ସହିତ ତୁଳନୀୟ ନୁହେଁ। ଅନ୍ୟ ଭାଷାରେ କହିଲେ, ‘ୟୁପିଆଇ’ର ଏଇ ସଫଳତା ନାଟକରେ ଯିଏ ହେଉଛି ଅସଲ ହିରୋ, ସିଏ ହେଲା- ‘ଜିରୋ ଏମ୍‌ଡିଆର୍’। କେତେ ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ପକୁଡ଼ି ବିକ୍ରେତାଙ୍କୁ ଜଣେ ଉଦ୍ୟୋଗୀ ରୂପେ ପ୍ରଦର୍ଶିତ କରି ଉପହସିତ ହୋଇଥିଲେ, ରାସ୍ତାକଡ଼ରେ ପକୁଡ଼ି ଛାଣି ବ୍ୟବସାୟ କରୁଥିବା ସେଇ କ୍ଷୁଦ୍ର ଉଦ୍ୟୋଗୀଙ୍କ ଠେଲାଗାଡ଼ିରେ ବର୍ତ୍ତମାନ ଏକ ‘କ୍ୟୁଆର୍ କୋଡ୍’ ଲାଗିଥିବା ଫଳକ ଶୋଭାପାଉଛି, ଯାହା ତାଙ୍କୁ ନଗଦ ବା କ୍ୟାସ୍ କାରବାରଜନିତ ବିଭିନ୍ନ ଝଞ୍ଜଟ ଓ ସମୟ ନଷ୍ଟରୁ ତ୍ରାହି ଦେଇ ନିଜର ଅସଲ ବ୍ୟବସାୟରେ ମନୋନିବେଶ କରିବାରେ ସହାୟକ ହେଉଛି। ‘ଜିରୋ ଏମ୍‌ଡିଆର୍’ ନୀତି ଯୋଗୁଁ ସେ ‘ୟୁପିଆଇ’ ମାଧ୍ୟମରେ ଶହେ ଟଙ୍କାର ପକୁଡ଼ି ବିକ୍ରି କଲେ ସେଥିରୁ ଗୋଟିଏ ପଇସା ବି ନ କଟି ତାଙ୍କୁ ପୂରାପୂରି ଶହେ ଟଙ୍କା ମିଳୁଛି।
କେବଳ ପକୁଡ଼ି ବିକ୍ରେତା ନୁହନ୍ତି, ପରିବା ବିକାଳିଙ୍କ ଠାରୁ ଘରୋଇ ସହାୟିକାଙ୍କ ପର୍ଯ୍ୟନ୍ତ, ଟ୍ୟାକ୍‌ସି ଚାଳକଙ୍କ ଠାରୁ ଛୋଟ ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ- ଦେୟଶୂନ୍ୟ ‘ୟୁପିଆଇ’ ସମସ୍ତଙ୍କୁ ବ୍ୟବସାୟ କରିବା ପାଇଁ ଏକ ଅବାଧ ରାଜପଥ ଯୋଗାଇ ଦେଇଛି। ଅତ୍ୟନ୍ତ କ୍ଷୀଣ ଲାଭ ସନ୍ଧାନରେ ବ୍ୟାପୃତ ଥିବା ଯେଉଁ ଛୋଟଛୋଟ ବ୍ୟବସାୟମାନ ବ୍ୟୟସାପେକ୍ଷ ‘ପଏଣ୍ଟ ଅଫ୍ ସେଲ୍’ (‘ପିଓଏସ୍’) ବା କାର୍ଡ ଟର୍ମିନାଲ୍ ବ୍ୟବହାର କରି ଡିଜିଟାଲ ପେମେଣ୍ଟ ଗ୍ରହଣ କରିବାକୁ କୁଣ୍ଠିତ ହେଉଥିଲେ, ସେମାନେ ଦେୟହୀନ ‘ୟୁପିଆଇ’ ପେମେଣ୍ଟ ବ୍ୟବସ୍ଥାକୁ ସାଦରେ ସ୍ବାଗତ କରିଛନ୍ତି। ଦେଶର ଯେଉଁ ଅସଂଖ୍ୟ ଅତି କ୍ଷୁଦ୍ର ବ୍ୟବସାୟମାନଙ୍କ ନଗଦଭିତ୍ତିକ କାରବାର ସମ୍ବନ୍ଧରେ ପୂର୍ବରୁ କୌଣସି ସୂଚନା ଉପଲବ୍‌ଧ ହେଉ ନ ଥିଲା, ‘ୟୁପିଆଇ’ର ପ୍ରବେଶ ପରେ ତାହା ତତ୍‌କ୍ଷଣାତ୍ ବିଧିବଦ୍ଧ ଭାବରେ ଲିପିବଦ୍ଧ ହୋଇ ବିତ୍ତୀୟ ମୁଖ୍ୟସ୍ରୋତର ଅଂଶ ପାଲଟି ଯାଉଛି। ଏହା ସରକାରଙ୍କର ପ୍ରଶଂସନୀୟ ବିତ୍ତୀୟ ଅନ୍ତର୍ଭୁକ୍ତୀକରଣ ଉଦ୍ୟମକୁ ଆଗେଇ ନେବାରେ ବିଶେଷ ସହାୟକ ହୋଇଛି।
‘ୟୁପିଆଇ’ ଭାରତର ସାର୍ବଜନୀନ ଡିଜିଟାଲ ଭିତ୍ତିଭୂମିର ଏକ ଗୁରୁତ୍ବପୂର୍ଣ୍ଣ ଅଂଶରେ ପରିଣତ ହୋଇଛି, ଯେମିତି ‘ଆଧାର’ ବା ‘ଡିଜି ଲକର୍’, ଯାହାର ଅଶେଷ ସୁଫଳ କେବଳ ତା’ ଦ୍ବାରା ସଂପାଦିତ ହେଉଥିବା ପେମେଣ୍ଟରେ ସୀମିତ ନୁହେଁ। ଅର୍ଥଶାସ୍ତ୍ରର ‘ନେଟ୍‌ୱର୍କ ଇଫେକ୍ଟ’ ନିୟମ ଅନୁସାରେ ‘ୟୁପିଆଇ’ର ବ୍ୟବହାରକାରୀ ସଂଖ୍ୟାରେ ଯେତେ ବୃଦ୍ଧି ଘଟିବ, ତାହାର ଉପଯୋଗିତା ସେତେ ବୃଦ୍ଧି ପାଇବ। ସରକାର କିନ୍ତୁ ରାଜପଥର ରକ୍ଷଣାବେକ୍ଷଣ ପାଇଁ ସମ୍ବଳ ସଂଗ୍ରହ ଉଦ୍ଦେଶ୍ୟରେ ଠାଏ ଠାଏ ଟଲ୍‌ଗେଟ୍ ସ୍ଥାପନ କରିବା ଭଳି ବର୍ତ୍ତମାନ ‘ୟୁପିଆଇ’ ରାସ୍ତାରେ ‘ଏମ୍‌ଡିଆର୍’ ରୂପକ ଟଲ୍‌ଗେଟ୍‌ମାନ ସ୍ଥାପନ କରିବାକୁ ଯାଉଛନ୍ତି, ଯେଉଁଠି ବ୍ୟାଙ୍କ୍ ଓ ‘ପେମେଣ୍ଟ ସର୍ଭିସ୍ ପ୍ରୋଭାଇଡର୍’ମାନେ (ଯେମିତି ‘ଫୋନ୍ ପେ’, ‘ଗୁଗ୍‌ଲ ପେ’ ଆଦି) ସଂପୃକ୍ତ ବ୍ୟବସାୟର ପ୍ରାପ୍ୟର କିୟଦଂଶ କାଟି ରଖିବେ। ଶହେ ଟଙ୍କାର ପକୁଡ଼ି ବିକ୍ରି କରିଥିବା ଉପରୋକ୍ତ କ୍ଷୁଦ୍ର ବ୍ୟବସାୟୀଙ୍କ ହାତକୁ ଆସିବ ଶହେ ଟଙ୍କାରୁ କମ୍।
‘ୟୁପିଆଇ’ ବ୍ୟବସ୍ଥାର ଉପଯୁକ୍ତ ରକ୍ଷଣାବେକ୍ଷଣ ଖର୍ଚ୍ଚ ଭରଣା କରିବା ଉଦ୍ଦେଶ୍ୟରେ ସରକାର ନିଜର ଏହି ସଫଳ ସନ୍ତାନ ଉପରେ ଏଇ ଟିକସ ବସାଇବାକୁ ଯାଉଛନ୍ତି ବୋଲି କୁହାଯାଇପାରେ। ଏହା କିନ୍ତୁ ଓଲଟା ଫଳ ପ୍ରଦାନ କରି ଅଗଣିତ କ୍ଷୁଦ୍ର ବ୍ୟବସାୟୀଙ୍କୁ ‘ୟୁପିଆଇ’ ପ୍ରତି ବିମୁଖ କରି ପୁଣି ନଗଦ ଦିଗରେ ମୁହଁାଇବାକୁ ପ୍ରବୃତ୍ତ କରିପାରେ। ନଗଦର ପ୍ରଚଳନ ରିଜର୍ଭ ବ୍ୟାଙ୍କ୍, ଅନ୍ୟ ବ୍ୟାଙ୍କ୍ ଓ ସରକାରଙ୍କ ଉପରେ ନୋଟ୍ ଛାପା ଓ ତା’ର ପରିବହନ, ରକ୍ଷଣାବେକ୍ଷଣ ଆଦି ଜନିତ ବିଶାଳ ଆର୍ଥିକ ବୋଝ ସୃଷ୍ଟି କରିଥାଏ। ‘ୟୁପିଆଇ’ର ପ୍ରସାର ଯୋଗୁଁ ସେଇ ବୋଝରେ ଉଲ୍ଲେଖନୀୟ ହ୍ରାସ ଘଟି ସଞ୍ଚିତ ହେଉଥିବା ସମ୍ବଳକୁ ଏଇ ବ୍ୟବସ୍ଥାର ରକ୍ଷଣାବେକ୍ଷଣରେ କାହିଁକି ନି‌େୟାଜିତ କରାଯାଇ ନ ପାରିବ, ଯାହାକୁ ସରକାର ସବ୍‌ସିଡି ଆକାରରେ ସଂପୃକ୍ତ ସଂସ୍ଥାମାନଙ୍କୁ ପ୍ରଦାନ କରିପାରିବେ? ଉଦାହରଣ ସ୍ବରୂପ ଗତ ବିତ୍ତ ବର୍ଷରେ ରିଜର୍ଭ ବ୍ୟାଙ୍କ୍ ସରକାରଙ୍କୁ ଯେଉଁ ରେକର୍ଡ ୨.୮୭ ଲକ୍ଷ କୋଟି ଟଙ୍କାର ଡିଭିଡେଣ୍ଡ ହସ୍ତାନ୍ତର କରିଥିଲା, ତାହାର ଏକ ଅଂଶ ଏଭଳି ସଞ୍ଚୟ ସୂତ୍ରରୁ ଉପଲବ୍‌ଧ ହୋଇଥିବା ନିଶ୍ଚିତ। ବିଭିନ୍ନ ଅନୁତ୍ପାଦକ ମାଗଣା ବଣ୍ଟନ ଯୋଜନାରେ ଅପର୍ଯ୍ୟାପ୍ତ ସମ୍ବଳ ଖର୍ଚ୍ଚ କରୁଥିବା ସରକାର ‘ୟୁପିଆଇ’ ପରି ଏକ ଅତ୍ୟାବଶ୍ୟକ ଉତ୍ପାଦନଶୀଳ ବ୍ୟବସ୍ଥାକୁ ଦେୟହୀନ ରହି ଅବାଧ ବ୍ୟବହାରକ୍ଷମ ହେବା ପାଇଁ ଆବଶ୍ୟକ ସହାୟତା ଯୋଗାଇବା ଲାଗି ସମସ୍ତ କୁଣ୍ଠା ତ୍ୟାଗ କରନ୍ତୁ। ସଂଶୋଧିତ ଆଇନ ଦ୍ବାରା କ୍ଷମତାପ୍ରାପ୍ତ ହୋଇଥିଲେ ହେଁ ସରକାର ‘ଜିରୋ ଏମ୍‌ଡିଆର୍’ ପ୍ରତ୍ୟାହାର ପରି ଆତ୍ମଘାତୀ ପଦକ୍ଷେପ ଗ୍ରହଣରୁ ନିବୃତ୍ତ ରହନ୍ତୁ; ତାଙ୍କର ସୁପରହିଟ୍ ନାଟକର ହିରୋକୁ ମଞ୍ଚରୁ ବିତାଡ଼ିତ ନ କରନ୍ତୁ!

Read Entire Article
LEFT SIDEBAR AD

Hidden in mobile, Best for skyscrapers.