Editorial: ଅନ୍ତରଙ୍ଗ ଦାନବ

1 hour ago 1
ARTICLE AD BOX

ଏବେ ଟେକ୍‌ନୋଲୋଜି ପରିସରରେ ଏକ ଚର୍ଚ୍ଚା ଜୋର ଧରିବା ଦେଖାଯାଇଛି ଯେ ଆଉ ଅଳ୍ପଦିନ ମଧ୍ୟରେ ‘ଏଆଇ’ ସର୍ବାଧିକ ବୁଦ୍ଧିମାନ ମନୁଷ୍ୟଠାରୁ ମଧ୍ୟ ଅଧିକ ବୁଦ୍ଧମତ୍ତାର ଅଧିକାରୀ ହେବା ନିଶ୍ଚିତ। କିନ୍ତୁ ଜେନସେନ ହୁଆଙ୍ଗଙ୍କ କାହାଣୀ ଦେଖିଲେ ମନେହୁଏ, ତାହା ସତେ ଯେମିତି ଘଟି ସାରିଲାଣି। କାରଣ ଯଦି ଜେନସେନ ହୁଆଙ୍ଗଙ୍କ ସ୍ଥାନରେ ଏକ ‘ଏଆଇ’ ସତ୍ତା ଥାନ୍ତା, ସେ ବୋଧହୁଏ କେବେହେଲେ ଏଭଳି ନିର୍ବୋଧ ଆଚରଣ ପ୍ରଦର୍ଶନ କରି ନଥାନ୍ତା।

ପୃଥିବୀର ସର୍ବାଧିକ ମୂଲ୍ୟବାନ କଂପାନି, କୃତ୍ରିମ ବୁଦ୍ଧିମତ୍ତା (‘ଏଆଇ’) ପାଇଁ ଅପରିହାର୍ଯ୍ୟ ହୋଇଥିବା ଉଚ୍ଚ କ୍ଷମତାସଂପନ୍ନ ‘ସେମିକଣ୍ଡକ୍ଟର’ ବା ‘ଚିପ୍’ ନିର୍ମାଣ କରୁଥିବା ‘ଏନ୍‌ଭିଡିଆ’ର ପ୍ରତିଷ୍ଠାତା ମାଲିକ ଆମେରିକୀୟ ଇଞ୍ଜିନିଅର ଶିଳ୍ପୋଦ୍ୟୋଗୀ ଜେନସେନ ହୁଆଙ୍ଗଙ୍କର ଚାଞ୍ଚଲ୍ୟ ସୃଷ୍ଟିକାରୀ ସ୍ଖଳନ ବହନ କରୁଥିବା ବିଡ଼ମ୍ବନାକୁ ଅସାଧାରଣ କହିଲେ ଅତ୍ୟୁକ୍ତି ହେବ ନାହିଁ। ତାହା ହେଲା, ଯେଉଁ ବିଚକ୍ଷଣ ବ୍ୟକ୍ତିଙ୍କର କଂପାନି ସମଗ୍ର ପୃଥିବୀକୁ ବର୍ତ୍ତମାନ କବଳିତ କରିଥିବା କୃତ୍ରିମ ବୁଦ୍ଧିମତ୍ତା ବିପ୍ଳବ ଆବଶ୍ୟକ କରୁଥିବା କମ୍ପ୍ୟୁଟିଙ୍ଗ ଶକ୍ତି ଯୋଗାଇ ତାକୁ ଆଗେଇ ନେବାରେ ଏକ ମୁଖ୍ୟ ଭୂମିକା ନିର୍ବାହ କରିଚାଲିଛି, ସେଇ ବ୍ୟକ୍ତିଙ୍କର ପ୍ରାକୃତିକ ବୁଦ୍ଧିମତ୍ତା ଏପରି ଏକ ଶକ୍ତି ନିକଟରେ ହାର ମାନି ଧରାଶାୟୀ ହୋଇଛି, ପ୍ରାଚୀନ କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯାହା ନିକଟରେ କୌଣସି ବୁଦ୍ଧିମାନ କିମ୍ବା ଶକ୍ତିମାନ ତିଷ୍ଠି ପାରିନାହାନ୍ତି। ସେ ଶକ୍ତି ହେଉଛି- ମାନବୀୟ ଅନ୍ତରଙ୍ଗତା। ଅଧିକ ନିର୍ଦ୍ଦିଷ୍ଟ ଭାବରେ କହିଲେ- ସୁନ୍ଦରୀ ନାରୀର ଅନ୍ତରଙ୍ଗ ସାନ୍ନିଧ୍ୟ ପାଇଁ ଶକ୍ତିଶାଳୀ ପୁରୁଷମାନଙ୍କର ବ୍ୟାକୁଳତା।
ଅତୀତର ମାତା ହାରିଙ୍କଠାରୁ ବର୍ତ୍ତମାନର ଆଲିସ ହୁଆଙ୍ଗଙ୍କ ପର୍ଯ୍ୟନ୍ତ ହେଉଛନ୍ତି ଏଇ ଅସାଧାରଣ ଶକ୍ତିର ଅଧିକାରିଣୀ। ଉଲ୍ଲେଖ ନିଷ୍ପ୍ରୟୋଜନ, ଏଇ ଶେଷୋକ୍ତ ସୁନ୍ଦରୀ ବୁଦ୍ଧିମତୀ ଆଲିସ ହୁଆଙ୍ଗ (ସେ ଜେନସେନଙ୍କର କୌଣସି ସଂପର୍କୀୟା ନୁହନ୍ତି)ଙ୍କ ନିକଟରେ ତାଙ୍କର ଗୋପନ ଆତ୍ମସମର୍ପଣ ହିଁ ଆଜି ଜେନସେନ ହୁଆଙ୍ଗଙ୍କ ପାଇଁ କାଳ ହୋଇଛି। ଏଇ ହୁଆଙ୍ଗ ଯୋଡ଼ିଙ୍କର ବର୍ତ୍ତମାନ ଅନାବୃତ ହୋଇଥିବା କାହାଣୀରେ ଯେଉଁସବୁ ସେକ୍‌ସ, ଗୁପ୍ତଚର ବୃତ୍ତି, କର୍ପୋରେଟ କାରବାର, ସେମିକଣ୍ଡକ୍ଟର ରପ୍ତାନି, ଏବଂ ଚୀନ-ଆମେରିକା ବଳ କଷାକଷି ମସଲା ଭରି ହୋଇ ରହିଛି, ତା’ ପାଖରେ ପ୍ରସିଦ୍ଧ ଗୁପ୍ତଚର ଉପନ୍ୟାସ ରଚୟିତା ଜନ ଲେ କାରେଙ୍କର କାହାଣୀମାନ ମଧ୍ୟ ଫିକା ପଡ଼ିଯିବା ଭଳି ମନେ ହୋଇଥାଏ।
ତେବେ ଅତୀତର ମାତା ହାରି (ଅସଲ ନାମ- ମାର୍ଗାରେଥା ମାକ୍‌ଲିଅଡ)ଙ୍କ ଭଳି ଆଜିର ଆଲିସ ହୁଆଙ୍ଗମାନଙ୍କୁ କୌଣସି ଛଦ୍ମନାମ ଧାରଣ କରିବାକୁ ପଡ଼ି ନ ଥାଏ, କିମ୍ବା ହାତରେ ଗୁପ୍ତ ଅସ୍ତ୍ର ସ୍ବରୂପ ଏକ ଫ୍ୟାନ୍ ଧରିବାକୁ ହୋଇ ନ ଥାଏ କିମ୍ବା ହାତ ବ୍ୟାଗ୍‌ରେ ଏକ ଛୋଟ ପିସ୍ତଲ ଲୁଚାଇ ରଖିବାକୁ ପଡ଼ି ନ ଥାଏ। ଆଜିର ଏଇ ସୁନ୍ଦରୀ ଗୁପ୍ତଚରମାନଙ୍କ ପାଇଁ ଯାହା ଯଥେଷ୍ଟ, ତାହା ହେଲା- କୌଣସି ଜଣେ ଶକ୍ତିଶାଳୀ କର୍ପୋରେଟ ବସ୍‌ଙ୍କର ବ୍ୟକ୍ତିଗତ ପରିସର ମଧ୍ୟକୁ ପ୍ରବେଶ, ତାଙ୍କ ସହିତ ଏକ ବ୍ୟାବସାୟିକ ସଂପର୍କ ସ୍ଥାପନ ଏବଂ ତାଙ୍କର ବିଭିନ୍ନ ଦୋଷଦୁର୍ବଳତା ସଂପର୍କରେ ଅବଗତି।
ଜେନସେନ ହୁଆଙ୍ଗ ହେଉଛନ୍ତି ଏଇଭଳି ଜଣେ କର୍ପୋରେଟ ବସ୍। ସେ ହେଉଛନ୍ତି ଆମ ସମୟର ପୃଥିବୀର କତିପୟ ସର୍ବାଧିକ ପ୍ରଭାବଶାଳୀ କର୍ପୋରେଟ ବସ୍‌ମାନଙ୍କ ମଧ୍ୟରୁ ଅନ୍ୟତମ ତଥା ଅଗ୍ରଗଣ୍ୟ। ଅତ୍ୟାଧୁନିକ ‘ଏଆଇ’ ସିଷ୍ଟମମାନ କାର୍ଯ୍ୟ କରିବା ପାଇଁ ଏବଂ ସେମାନଙ୍କର ତାଲିମ ପାଇଁ ଯେଉଁ ଉନ୍ନତ ‘ଗ୍ରାଫିକ୍ ପ୍ରସେସିଙ୍ଗ ୟୁନିଟ୍‌ସ’ (‘ଜିପିୟୁ’) ବ୍ୟବହୃତ ହୋଇଥାଏ, ହୁଆଙ୍ଗଙ୍କ କଂପାନି ‌ହିଁ ସେଗୁଡ଼ିକର ନିର୍ମାଣ କରିଥାଏ। ସିଲିକନ ଭ୍ୟାଲିରୁ ବେଜିଙ୍ଗ ପର୍ଯ୍ୟନ୍ତ, ଗବେଷଣାଗାରରୁ ସାମରିକ ସଂସ୍ଥାମାନଙ୍କ ପର୍ଯ୍ୟନ୍ତ ଏହି ‘ଏନ୍‌ଭିଡିଆ’ ଚିପ୍‌ସମାନ ଏବେ ଅପରିହାର୍ଯ୍ୟ ଉପାଦାନରେ ପରିଣତ ହୋଇସାରିଲେଣି। ‘ଏନ୍‌ଭିଡିଅା’ ଉପଭୋଗ କରୁଥିବା ଏଇ ପ୍ରାୟ ଏକଚାଟିଆ କ୍ଷମତା ଜେନସେନ ହୁଆଙ୍ଗଙ୍କୁ ଆନ୍ତର୍ଜାତିକ ସ୍ତରରେ ଏକ ଅତ୍ୟନ୍ତ ପ୍ରଭାବଶାଳୀ ଚରିତ୍ରରେ ପରିଣତ କରିଥାଏ। ବର୍ତ୍ତମାନ ତାଙ୍କର ଏଇ ଚରିତ୍ରରେ କଳଙ୍କ ସ୍ବରୂପ ଧରା ପଡ଼ିଯାଇଛି ଆଲିସ ହୁଆଙ୍ଗଙ୍କ ସହିତ ତାଙ୍କର ଗୋପନ ଅବୈଧ ସଂପର୍କ, ଯାହା ସେ ସ୍ବୀକାର କରିବାକୁ ବାଧ୍ୟ ହୋଇଛନ୍ତି ଏବଂ ଯେଉଁଥିପାଇଁ ସେ ତାଙ୍କର ପରିବାର, ସହକର୍ମୀ ଓ କଂପାନିର ସେଆର୍‌ହୋଲ୍‌ଡରମାନଙ୍କ ନିକଟରେ କ୍ଷମାପ୍ରାର୍ଥନା କରିଛନ୍ତି।
ଆଲିସ ହୁଆଙ୍ଗ ହେଉଛନ୍ତି ଜଣେ ଚୀନା ନାଗରିକ, ଯିଏ ସିଙ୍ଗାପୁରସ୍ଥିତ କମ୍ପ୍ୟୁଟିଙ୍ଗ ଓ ଡେଟା ସେଣ୍ଟର କଂପାନି ‘ମେଗାସ୍ପିଡ୍ ଇଣ୍ଟରନେସନାଲ’ରେ ଜଣେ କାର୍ଯ୍ୟନିର୍ବାହୀ ଅଧିକାରୀ ଥିଲେ। ‘ମେଗାସ୍ପିଡ୍ ଇଣ୍ଟରନେସନାଲ’ ହେଉଛି ‘ଏନ୍‌ଭିଡିଆ’ର ଏକ ପ୍ରମୁଖ ଗ୍ରାହକ, ଯାହା ଆଲିସ ଓ ଜେନସେନଙ୍କ ମଧ୍ୟରେ ସଂପର୍କ ପ୍ରତିଷ୍ଠାରେ ସହାୟକ ହୋଇଥିଲା। ସେମାନଙ୍କ ମଧ୍ୟରେ ବ୍ୟାବସାୟିକ ସଂପର୍କ ଅବଲୀଳାକ୍ରମେ ବ୍ୟକ୍ତିଗତ ପ୍ରେମ ସଂପର୍କରେ ପରିଣତ ହୋଇଥିଲା। ଆମେରିକୀୟ ଗୁଇନ୍ଦା ସୂତ୍ରରୁ ପ୍ରକାଶ ପାଇଛି ଯେ ଆଲିସ ହେଉଛନ୍ତି ଜଣେ ଚୀନା ଗୁପ୍ତଚର। ରିପୋର୍ଟ ଅନୁସାରେ ‘ମେଗାସ୍ପିଡ୍’ ବିପୁଳ ପରିମାଣରେ ‘ଏନ୍‌ଭିଡିଆ’ ପ୍ରସେସର କ୍ରୟ କରୁଥିଲା। ଏଥିରେ ଅନ୍ତର୍ଭୁକ୍ତ ଥିଲା ଉନ୍ନତ ଅତ୍ୟାଧୁନିକ ପ୍ରସେସରମାନ, ନିଜର ଜାତୀୟ ନିରାପତ୍ତା ସୁରକ୍ଷିତ ରଖିବା ପାଇଁ ଚୀନକୁ ଯାହାର ରପ୍ତାନି ଉପରେ ଆମେରିକା ନିଷେଧାଦେଶ ଲାଗୁ କରିଛି। ସନ୍ଦେହ କରାଯାଉଛି ‘ମେଗାସ୍ପିଡ୍’ ଏହି ନିଷେଧାଦେଶ ଅମାନ୍ୟ କରି ଗୋପନରେ ଏଗୁଡ଼ିକୁ ଚୀନକୁ ଚୋରାରେ ଚାଲାଣ କରିଚାଲିଥିଲା।
ଏହା ମଧ୍ୟ ତାତ୍ପର୍ଯ୍ୟପୂର୍ଣ୍ଣ ଯେ ଜେନସେନ ହୁଆଙ୍ଗ ହେଉଛନ୍ତି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କର ଜଣେ ଘନିଷ୍ଠ ବ୍ୟକ୍ତି ଏବଂ ଚୀନ ଉପରେ ଉପରୋକ୍ତ କଟକଣା କୋହଳ କରିବା ପାଇଁ ହୁଅାଙ୍ଗ ସର୍ବଦା ଟ୍ରମ୍ପଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା ଚଳାଇବା ଦେଖାଯାଇଛି। ବର୍ତ୍ତମାନ ସନ୍ଦେହ ହେଉଛି ଯେ ଜେନସେନ ନିଜେ ଏଥିପାଇଁ ଆଲିସଙ୍କ ଦ୍ବାରା ପ୍ରଭାବିତ ହୋଇପାରିଥାନ୍ତି।
ଏବେ ଟେକ୍‌ନୋଲୋଜି ପରିସରରେ ଏକ ଚର୍ଚ୍ଚା ଜୋର ଧରିବା ଦେଖାଯାଇଛି ଯେ ଆଉ ଅଳ୍ପଦିନ ମଧ୍ୟରେ ‘ଏଆଇ’ ସର୍ବାଧିକ ବୁଦ୍ଧିମାନ ମନୁଷ୍ୟଠାରୁ ମଧ୍ୟ ଅଧିକ ବୁଦ୍ଧମତ୍ତାର ଅଧିକାରୀ ହେବା ନିଶ୍ଚିତ। କିନ୍ତୁ ଜେନସେନ ହୁଆଙ୍ଗଙ୍କ କାହାଣୀ ଦେଖିଲେ ମନେହୁଏ, ତାହା ସତେ ଯେମିତି ଘଟି ସାରିଲାଣି। କାରଣ ଯଦି ଜେନସେନ ହୁଆଙ୍ଗଙ୍କ ସ୍ଥାନରେ ଏକ ‘ଏଆଇ’ ସତ୍ତା ଥାନ୍ତା, ସେ ବୋଧହୁଏ କେବେହେଲେ ଏଭଳି ନିର୍ବୋଧ ଆଚରଣ ପ୍ରଦର୍ଶନ କରି ନଥାନ୍ତା। ତାଙ୍କର ଏଇ ଆଚରଣଜନିତ କ୍ଷତିକୁ ସୀମିତ କରିବା ଆଶାରେ ବର୍ତ୍ତମାନ ତାଙ୍କ କଂପାନିର ପରିଚାଳନା ବୋର୍ଡ ଏହାର ଏକ ଅନୁସନ୍ଧାନ ଆରମ୍ଭ କରିଛି। ଆମେରିକା ସରକାରଙ୍କ ତରଫରୁ ‘ଏଫ୍‌ବିଆଇ’ ମଧ୍ୟ ନିଜର ଅନୁସନ୍ଧାନ ଆରମ୍ଭ କରିଛି ବୋଲି ସୂଚନା ପ୍ରକାଶ ପାଇଛି। (ତେବେ ଏକ ବିରଳ ସ୍ବୀକାରୋକ୍ତି ସ୍ବରୂପ ରାଷ୍ଟ୍ରପତି ଟ୍ରମ୍ପ ହୁଆଙ୍ଗଙ୍କ ପ୍ରତି ଏକ ନରମ ଆଭିମୁଖ୍ୟ ପ୍ରଦର୍ଶନ କରି କହିଛନ୍ତି ଯେ ସମସ୍ତେ ଏପରି କରିଥାନ୍ତି।)
ତଥାପି ଜେନସେନ ହୁଆଙ୍ଗଙ୍କ କାର୍ଯ୍ୟର ସମ୍ଭାବ୍ୟ ପରିଣାମମାନ ସମ୍ବନ୍ଧରେ ଏକ ଅନୁମାନ କରାଯାଇପାରେ। ଅନୁସନ୍ଧାନରୁ ଯଦି ତାଙ୍କର କାର୍ଯ୍ୟ ଯୋଗୁଁ କୌଣସି ସ୍ବାର୍ଥ ସଂଘାତ ଘଟିଥିବା ଆବିଷ୍କୃତ ହୁଏ ତେବେ କଂପାନିରୁ ଜେନସେନଙ୍କୁ ପଦ ତ୍ୟାଗ କରିବାକୁ ପଡ଼ିପାରେ (ଅବଶ୍ୟ ତାଙ୍କର ପୁତ୍ରକନ୍ୟା ସେଠାରେ ଉଚ୍ଚ ପଦରେ ଅଧିଷ୍ଠିତ)। ଆାମେରିକାର କଂଗ୍ରେସ ଓ କମର୍ସ ଡିପାର୍ଟମେଣ୍ଟ ଚୀନକୁ ଉନ୍ନତ ସେମିକଣ୍ଡକ୍ଟର ଚୋରା ଚାଲାଣ ବନ୍ଦ କରିବା ପାଇଁ ଅଧିକ କଠୋର ନିୟନ୍ତ୍ରଣମାନ ଲାଗୁ କରିପାରନ୍ତି। ଆମେରିକା ଓ ଚୀନ ମଧ୍ୟରେ ଶକ୍ତି ପ୍ରତିଯୋଗିତାର ସୂକ୍ଷ୍ମ ସନ୍ତୁଳନ ଏହାଦ୍ବାରା ହଲଚଲ ହୋଇ ବିଶ୍ବ ଶାନ୍ତି ପ୍ରତି ବିପଦ ସୃଷ୍ଟି କରିପାରେ।
ଶେଷରେ କ’ଣ ଘଟିବ ତାହା ଭବିଷ୍ୟତ ହିଁ କହିବ। କିନ୍ତୁ ଆଲିସଙ୍କ ଅନ୍ତରଙ୍ଗ ସାନ୍ନିଧ୍ୟ ସନ୍ଧାନ କରି ଏଇ ବିପର୍ଯ୍ୟୟ ସୃଷ୍ଟି କରିଥିବା ଜେନସେନ ପ୍ରମାଣିତ କରିଛନ୍ତି ତାଙ୍କ ଅନ୍ତରର ନିଭୃତ କୋଣରେ ଛପି ରହି ଏଇ ସାନ୍ନିଧ୍ୟ କାମନା କରୁଥିବା ତାଙ୍କର ଅନ୍ତରଙ୍ଗ ଦାନବକୁ ଦମନ କରିବା କ୍ଷମତା କୌଣସି କୃତ୍ରିମ ବୁଦ୍ଧିମତ୍ତାର ନାହିଁ କି ସେ କେବେହେଲେ ହାସଲ କରିପାରିବ ନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.