ARTICLE AD BOX
‘କାର୍ତ୍ତିକ ମାହାତ୍ମ୍ୟ’ରେ ଅଛି ଜଳନ୍ଧର ଦୈତ୍ୟର ବୃତ୍ତାନ୍ତ। ପୃଥୁ ରାଜାଙ୍କ ପ୍ରଶ୍ନରେ ଦେବର୍ଷି ନାରଦ ତାଙ୍କୁ ଏହି କାହାଣୀ କହିଛନ୍ତି। ପୃଥୁ ପ୍ରଶ୍ନ କରିଛନ୍ତି, କାହିଁକି ଏହି ମାସରେ ତୁଳସୀ ମୂଳରେ ଦୀପଦାନ ପରମ ପୁଣ୍ୟପ୍ରଦ? ତୁଳସୀ ସେବନରେ କାହିଁକି ପୁଣ୍ୟ ହୁଏ? ତୁଳସୀ କିପରି ଏପରି ପବିତ୍ର ବୃକ୍ଷ ହେଲା? ତାହାର ଉତ୍ତରରେ ନାରଦ ଯେଉଁ କାହାଣୀ କହିଛନ୍ତି, ତାହା ଅତ୍ୟନ୍ତ ରୋଚକ।
ସେହି କାହାଣୀ ଅନୁସାରେ, ଦେବଦେବ ମହାଦେବଙ୍କ ଶରୀରର ତାପରୁ ଯେଉଁ ଅଗ୍ନି ଜାତ ହୋଇଥିଲା, ତାହାକୁ ସେ ଗଙ୍ଗା ଓ ସାଗରର ସଂଗମରେ ନିକ୍ଷେପ କରିଥିଲେ। ସେଥିରୁ ଏକ ପୁତ୍ର ଜାତ ହୋଇଥିଲା। ସେ ଜନ୍ମରୁ ରୋଦନ କରୁଥିଲା। ସାଗରରାଜ ବରୁଣ ତାହାକୁ ନିଜର ପୁତ୍ର ରୂପେ ପାଳିଲେ ଏବଂ ତାହାର ରୋଦନ ବନ୍ଦ କରିବା ପାଇଁ ବ୍ରହ୍ମାଙ୍କୁ ପ୍ରାର୍ଥନା କଲେ। ବ୍ରହ୍ମା ତାହାକୁ ଆଶୀର୍ବାଦ କରି କହିଲେ, ରୋଦନ ବନ୍ଦ କର। ତୁମେ ସଂସାରରେ ମହାରାଜା ହେବ। ନିଜ ଇଚ୍ଛାରେ ମହୀ ଭୋଗ କରିବ। ଜଳରୁ ଜାତ ହୋଇଥିବାରୁ ତୁମର ନାଆଁ ହେଲା ଜଳନ୍ଧର।
ବଡ଼ ହୋଇ ଜଳନ୍ଧର ମହାପ୍ରତାପୀ ହେଲା। ମହାଦେବଙ୍କ ତେଜରୁ ଜାତ ହୋଇଥିବାରୁ ଏବଂ ବ୍ରହ୍ମାଙ୍କ ବରରୁ ସେ ଅବଧ୍ୟ ହେଲା। ସେ ବିବାହ କରିଥିଲା ବୃନ୍ଦାବତୀଙ୍କୁ। ବୃନ୍ଦାବତୀ ତାଙ୍କର ସତୀବ୍ରତ ଯୋଗୁଁ ବର ପାଇଥିଲେ ଯେ ତାଙ୍କର ସତୀତ୍ବ ଅକ୍ଷୁଣ୍ଣ ଥିବା ପର୍ଯ୍ୟନ୍ତ ଜଳନ୍ଧରର ବିନାଶ ହେବ ନାହିଁ। ତେଣୁ ଭଗବାନ ବିଷ୍ଣୁ ମାୟାରେ ଜଳନ୍ଧରର ରୂପ ଧରି ଯାଇ ବୃନ୍ଦାବତୀଙ୍କ ସତୀତ୍ବ ହରଣ କଲେ। ତାହା ଜାଣି ବୃନ୍ଦାବତୀ ବିଷ୍ଣୁଙ୍କୁ ଅଭିଶାପ ଦେଲେ। କହିଲେ- ମୋର ହତ୍ୟାଦୋଷ ତୁମ୍ଭଙ୍କୁ ଲାଗୁ। ଏହା କହି ସେ ଅନଳରେ ଝାସ ଦେଲେ। ବିଷ୍ଣୁଙ୍କର କୌଣସି ବାରଣ ମାନିଲେ ନାହିଁ।
ବୃନ୍ଦାବତୀ ଆତ୍ମବିସର୍ଜନ କରିବା ଘଟଣାରେ ବିଷ୍ଣୁ ହତବାକ୍ ହୋଇଗଲେ। ବୃନ୍ଦାବତୀଙ୍କର ଚିତାଭସ୍ମକୁ ଦେହରେ ବୋଳି ଚିନ୍ତିତ ହୋଇ ବସିରହିଲେ। ଅଚଳ ମହାଗିରି ପରି ସେ ସ୍ଥାଣୁ ପାଲଟିଗଲେ। ତେଣେ ଯୁଦ୍ଧରେ ଜଳନ୍ଧର ନିହତ ହେଲା। ତା’ର ଜ୍ୟୋତି ଯାଇ ଶିବଙ୍କ ଜ୍ୟୋତି ସହ ମିଶିଗଲା। କିନ୍ତୁ ଦେବଗଣ ବିଷ୍ଣୁଙ୍କର ସ୍ଥାଣୁ ରୂପ ଯୋଗୁଁ ଚିନ୍ତିତ ହେଲେ। ତାହାର ନିରାକରଣର ଉପାୟ ମହାଦେବଙ୍କୁ ପଚାରିବାରୁ, ସେ କହିଲେ, ଯୋଗମାୟାଙ୍କୁ ସ୍ତୁତି କର। ଦେବତାମାନେ ସ୍ତୁତି କରିବାରୁ ଯୋଗମାୟା ପ୍ରସନ୍ନ ହେଲେ ଏବଂ ତିନି ନାରୀମୂର୍ତ୍ତି ରୂପେ ଉଭା ହେଲେ। ସେହି ତ୍ରିମୂର୍ତ୍ତି ଦେବଗଣଙ୍କୁ ତିନିମୁଠି ବୀଜ ଦେଲେ। ସେହି ତିନିମୁଠି ବୀଜରୁ ତିନି ବୃକ୍ଷ ଜାତ ହେଲେ। ସତ୍ତ୍ବଗୁଣରେ ଗୌରୀଙ୍କ ଅଂଶରେ ତୁଳସୀ, ରଜଗୁଣରେ ସରସ୍ବତୀଙ୍କ ଅଂଶରେ ଧାତ୍ରୀ (ଅଁଳା) ଓ ତମୋଗୁଣରେ ଲକ୍ଷ୍ମୀଙ୍କ ଅଂଶରେ ମାଳତୀ। ସେହି କାରଣରୁ ତୁଳସୀ, ଅଁଳା ଓ ମାଳତୀ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ। ଏଥିମଧ୍ୟରୁ ପବିତ୍ର ତୁଳସୀ ବୃକ୍ଷର ପବନ ବାଜିବାରୁ ବିଷ୍ଣୁ ସ୍ଥାଣୁତ୍ବରୁ ମୁକ୍ତ ହୋଇଥିଲେ। ଏଥିପାଇଁ ମଧ୍ୟ କାର୍ତ୍ତିକ ମାସରେ ତୁଳସୀ ଓ ଅଁଳା ବୃକ୍ଷ ପୂଜନର ବିଧି ଅଛି। ତୁଳସୀ ମୂଳରେ ଦୀପଦାନ ପରମ ପୁଣ୍ୟପ୍ରଦ ରୂପେ ବିବେଚିତ ହେଉଛି।

51 minutes ago
1


