Doctors' protest: ଡାକ୍ତର ଆନ୍ଦୋଳନର ଦ୍ବିତୀୟ ଦିନ: ସଙ୍ଗିନ ସ୍ଥିତିକୁ ଗଲାଣି ସ୍ବାସ୍ଥ୍ୟସେବା

1 hour ago 1
ARTICLE AD BOX

ଭୁବନେଶ୍ବର: ଘୁମୁସର ଉଦୟଗିରି ବ୍ଲକ୍‌ ଗଦଗୁଡ଼ା ପଞ୍ଚାୟତର ଜଣେ ବୟସ୍କ ବ୍ୟକ୍ତି ପୋଖରୀରେ ବୁଡ଼ି ପ୍ରାଣ ହରାଇଥିଲେ। ଡାକ୍ତରଙ୍କ ଆନ୍ଦୋଳନ ପାଇଁ ମୃତକଙ୍କ ଶବ ବ୍ୟବଚ୍ଛେଦ କରିବା ଲାଗି ପରିବାର ଲୋକ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ତୁହାକୁତୁହା ବର୍ଷା ଭିତରେ ପରିବାର ଲୋକ ଶବ ବ୍ୟବଚ୍ଛେଦ ପାଇଁ ଏ ହସ୍ପିଟାଲ୍‌ରୁ ସେ ହସ୍ପିଟାଲ୍‌କୁ ଘୂରି ବୁଲିଛନ୍ତି। ସେହିପରି ମୟୂରଭଞ୍ଜରେ ବିଷ ପିଇ ପ୍ରାଣ ହରାଇଥିବା ୨ ଜଣ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ପାଇଁ ପରିବାର ଲୋକ ହଟହଟା ହୋଇଛନ୍ତି। ରାଜ୍ୟବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟସେବାର ଗୋଟିଏ ପରେ ଗୋଟିଏ ବିକଳ ଚିତ୍ର ସାମନାକୁ ଆସିବାରେ ଲାଗିଛି। ୧୦ ଦଫା ଦାବିରେ ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନ ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି। ଓଡ଼ିଶା ମେଡିକାଲ ସେବା ସଂଘ (ଓମ୍‌ସା)ର ଆହ୍ବାନରେ ରାଜ୍ୟବ୍ୟାପୀ ସରକାରୀ ଡାକ୍ତର ଏଥିରେ ସାମିଲ ହୋଇଛନ୍ତି। ଓପିଡି ସେବା ବନ୍ଦ ରଖିବା ସହ ଅନେକ ସ୍ଥାନରେ ଜରୁରି ସେବା ମଧ୍ୟ ବନ୍ଦ ହୋଇଗଲାଣି। ଡାକ୍ତରଙ୍କ ଆନ୍ଦୋଳନ ପାଇଁ କଟକରୁ କେନ୍ଦ୍ରାପଡ଼ା, ବାଲେଶ୍ବରରୁ ରାଉରକେଲା ଓ ମାଲକାନଗିରି ପର୍ଯ୍ୟନ୍ତ ସବୁଠି ସ୍ବାସ୍ଥ୍ୟସେବା ଭୁଶୁଡ଼ି ଗଲାଣି। ଯେଉଁଠି ଜରୁରିକାଳୀନ ଚିକିତ୍ସା ଚାଲିଛି ସେଠାରେ ମାତ୍ରାଧିକ ଚାପ ବଢ଼ିବାରେ ଲାଗିଛି। ଓମ୍‌ସାର ଦାବିକୁ ପୂରଣ କରିବାରେ ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଏଥିରେ କ୍ଷୁବ୍ଧ ହୋଇ ଚଳିତବର୍ଷ ଦ୍ବିତୀୟ ଥର ଲାଗି ଡାକ୍ତର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଅନିର୍ଦ୍ଦିଷ୍ଟ କାଳ ପାଇଁ ଡାକ୍ତର ଆନ୍ଦୋଳନ କରିବା ଲାଗି ନିଷ୍ପତ୍ତି ନେଇଥିବାରୁ ରାଜ୍ୟରେ ସ୍ବାସ୍ଥ୍ୟସେବା ଅତ୍ୟନ୍ତ ସଂଗିନ ସ୍ଥିତିରେ ପହଞ୍ଚିଗଲାଣି। 

ଡାକ୍ତର ଆନ୍ଦୋଳନର ଦ୍ବିତୀୟ ଦିନ
ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ୍‌ରୁ ହସ୍ପିଟାଲ୍‌ ବୁଲିଲେ ସଂପର୍କୀୟ
ଆଲୋଚନାକୁ ଆସ, ନଚେତ୍‌ କାର୍ଯ୍ୟାନୁଷ୍ଠାନ: ସ୍ବାସ୍ଥ୍ୟ ବିଭାଗ

ଅପରପକ୍ଷରେ ଆଜି ବିଳମ୍ବିତ ରାତିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଆନ୍ଦୋଳନରତ ଡାକ୍ତରମାନଙ୍କୁ ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହାର କରି ସରକାରଙ୍କ ସହ ଆଲୋଚନାରେ ସାମିଲ ହେବାକୁ ଅନୁରୋଧ କରାଯାଇଛି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଧର୍ମଘଟ ଆରମ୍ଭ ହେବା ପୂର୍ବରୁ ସ୍ବାସ୍ଥ୍ୟ ମନ୍ତ୍ରୀ, ସଚିବ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରମୁଖ ଓମ୍‌ସା ପ୍ରତିନିଧିଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ବିଭାଗ ତରଫରୁ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଜାରି ରହିଥିଲା। ସରକାର ପୂର୍ବରୁ ଡାକ୍ତରଙ୍କ ବହୁ ଦାବିକୁ ଗ୍ରହଣ କରି ସେମାନଙ୍କ କ୍ୟାଡର୍‌ ପୁନର୍ଗଠନ, ଡିଏସିପି, ସ୍ବତନ୍ତ୍ର ପ୍ରୋତ୍ସାହନ ଭତ୍ତା ଓ ସ୍ଥାନଭିତ୍ତିକ ଭତ୍ତା ପରି ବିଭିନ୍ନ ସୁବିଧା ଲାଗୁ କରିଛନ୍ତି। ଡାକ୍ତରଙ୍କ ଉଚ୍ଚଶିକ୍ଷା ପାଇଁ ସରକାର ଅନେକ ସୁବିଧା କରିଛନ୍ତି। 

ରାଜ୍ୟ ସରକାର ଡାକ୍ତରଙ୍କ ଯୁକ୍ତିସଙ୍ଗତ ଦାବି ପ୍ରତି ସମ୍ବେଦନଶୀଳ ଅଛନ୍ତି। କିନ୍ତୁ ରୋଗୀଙ୍କ ସ୍ୱାର୍ଥ ଓ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟ ସେବାକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି। ସେଥିପାଇଁ ଆନ୍ଦୋଳନରତ ଡାକ୍ତରଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ଜଣାଇ ଦିଆଯାଇଛି। ସେମାନେ କାର୍ଯ୍ୟରେ ଯୋଗଦେବା ପରେ ଦାବିଗୁଡ଼ିକ ଉପରେ ଗଠନମୂଳକ ଆଲୋଚନା କରିବାକୁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଆନ୍ଦୋଳନ ପ୍ରତ୍ୟାହାର କରି ଡାକ୍ତର ପୂର୍ବଭଳି ରୋଗୀ ସେବା ଜାରି ରଖନ୍ତୁ। ଯଦି ରୋଗୀଙ୍କ ସ୍ୱାର୍ଥ ଓ ସ୍ୱାସ୍ଥ୍ୟସେବା ବ୍ୟାଘାତ ହୁଏ, ତା’ ହେଲେ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ସରକାରଙ୍କ ଏଭଳି ଚେତାବନୀ ପରେ ଆଜି ସନ୍ଧ୍ୟାରେ ପୁଣିଥରେ ଏକ ଜରୁରି ବୈଠକ ଡାକିଛି ଓମ୍‌ସା। ପରବର୍ତ୍ତୀ କାର୍ଯ୍ୟପନ୍ଥା ବିଷୟରେ ଏହି ବୈଠକରେ ଆଲୋଚନା କରାଯିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.