ARTICLE AD BOX
ନବରଙ୍ଗପୁର (ସୁରେଶ ନାଇଡୁ):ଜିଲ୍ଲା ଖଣିଜ ପାଣ୍ଠିରେ ସ୍ବାସ୍ଥ୍ୟ ବିଭାଗର ୪ଟି ପ୍ରକଳ୍ପର ଅନୁସଙ୍ଗକି ଭିତ୍ତିଭୂମି ପାଇଁ ୪୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଏଥିରୁ ମାତ୍ର ୨୫ଲକ୍ଷ ୩୯ହଜାର ୬୦୪ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦାଖଲ ହୋଇଛି। ୭ବର୍ଷ ପରେ ବି ଦାଖଲ ହୋଇନି। ୨୦୨୫ମସିହାରେ ଜିଲ୍ଲା ପରିଷଦ ପକ୍ଷରୁ କାମ ଗୁଡ଼ିକ ଯାଞ୍ଚ ହୋଇଥିବା ବେଳେ ଏବେ ଏଗୁଡିକର ରକ୍ଷଣାବେକ୍ଷଣ ଓ ଦେଖାରଖା ଅଭାବରୁ ଧୀରେ ଧୀରେ ଖରାପ ହେବାରେ ଲାଗିଛି। ଏହି କାମର ଫାଇଲ୍ ନାଲିପିତା ତଳକୁ ପଳାଇଛି।
୨୦୧୯-୨୦ ଆର୍ଥିକ ବର୍ଷ ୧୮ଜୁନ ୨୦୧୯ରେ ଚିଠି ନମ୍ବର ୨୧୯୦ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ୨୪ଘଣ୍ଟିଆ କ୍ୟାଣ୍ଟିନ୍ ଓ ଡିଏଚଏଚ ପରିସରରେ ପାର୍କିଂସ୍ଥାନର ଉନ୍ନୟନ ପାଇଁ ୨୫ଲକ୍ଷ ଟଙ୍କା ମଂଜୁର ହୋଇଥିଲା। ପୂର୍ତ୍ତବିଭାଗ ପକ୍ଷରୁ ଏହି କାମକୁ ସମ୍ପୂର୍ଣ୍ଣ କରିଥିଲେ। ଏବେ କେବଳ କ୍ୟାଣ୍ଟିନ୍ ଦଣ୍ଡାୟମାନ ରହିଛି, ତେବେ ତାହା ୨୪ଘଣ୍ଟିଆ ବଦଳରେ ସକାଳରୁ ସଂଧ୍ୟା ଯାଏଁ ଦୁଇ ଓଳି ଖୋଳୁଛି। ଏହାକୁ ମହିଳା ସ୍ବୟଂ ସହାୟକ ଦଳ ନାଁରେ ଜଣେ ଖାଦ୍ୟ ଠିକାଦାର ପରିଚାଳନା କରୁଛନ୍ତି।
ପାର୍କିଂସ୍ଥାନ କେଉଁ ଠାରେ ରହିଛି?
ଅପରପକ୍ଷରେ ଏହି ପାଣ୍ଠିରେ ନିର୍ମାଣ କରାଯାଇଥିବା ପାର୍କିଂସ୍ଥାନ କେଉଁ ଠାରେ ରହିଛି ତାହାର ଚିହ୍ନବର୍ଣ୍ଣ କିଛି ଦିଶୁନି। ଏହାରି ମଧ୍ୟରେ ଏନଏଚଏମ ପାଣ୍ଠିରୁ ପୁଣି ନୂଆରେ ପାର୍କିଂସ୍ଥାନର ନିର୍ମାଣ କରାଯାଇଛି। ଏହି କାମ ସରିଥିବା ପୂର୍ତ୍ତବିଭାଗ କାଗଜପତ୍ରରେ ଦର୍ଶାଉଥିବା ବେଳେ ଏଥିରୁ ୧୨ଲକ୍ଷ ୬୩ହଜାର ୯୩୨ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦାଖଲ କରିଛନ୍ତି।
ଏସବୁ କାମର ଚିହ୍ନବର୍ଣ୍ଣ ଦିଶୁନି
ସେହିପରି ଉମରକୋଟ ସିଏଚସି କୋଠା ସମ୍ମୁଖ ଗେଟ୍ ନିକଟରେ କଲଭର୍ଟ, ‘ଡି’ଟାଇପ୍ କ୍ବାର୍ଟସ ନିକଟରେ କଲଭର୍ଟ, ସିଏଚସି ପରିସରରେ ଡ୍ରେନ ନିର୍ମାଣ ପ୍ରତ୍ୟେକ ପ୍ରକଳ୍ପ ୫ଲକ୍ଷ ଲେଖାଏଁ ନିର୍ମାଣ କରାଯାଇଥିବା ସୂଚନା ମିଳିଛି। ତେବେ ଏସବୁ କାମର ଚିହ୍ନବର୍ଣ୍ଣ ଦିଶୁନି। ଅପରପକ୍ଷରେ ଏହି ୧୫ଲକ୍ଷରୁ ୧୨ଲକ୍ଷ୭୫ହଜାର ୬୭୨ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦାଖଲ ହୋଇଥିବା ସୂଚନା ମିଳିଛି।
Loot: ଜିଲ୍ଲା ଖଣିଜ ପାଣ୍ଠି ଲୁଟ୍-୫: ପାଣିଭଳି ଉଡ଼ାଇଛନ୍ତି ଟଙ୍କା
ତଦାରଖ ହେବାର ଆବଶ୍ୟକତା ନିହାତି
ଡିଏମଏଫ ପଣ୍ଡର ସମସ୍ତ କାମର ତଦାରଖ ହେବାର ଆବଶ୍ୟକତା ନିହାତି ରୁପେ ରହିଛି ବୋଲି କହିଛନ୍ତି ଜିଲ୍ଲାଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଗୌରୀଶଙ୍କର ମାଝୀ ଓ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ। କାହିଁକି କାମ ସରିବା ପରେ ବିନିଯୋଗ ପ୍ରମାଣପତ୍ର ସମ୍ପୁର୍ଣ୍ଣ ରୁପେ ଦାଖଲ ହୋଇନି , ଏବଂ କାମ ଗୁଡିକର ତଦାରଖ କରିବାକୁ ପଡିବ ବୋଲି କହିଛନ୍ତି ଜିଲ୍ଲାପରିଷଦ ମୁଖ୍ୟଉନ୍ନୟନ ଅଧିକାରୀ ବିରଚିଂନାରାୟଣ ଦରୱାନ।

4 hours ago
1


