ARTICLE AD BOX
ପୁରୀ: ମହାପ୍ରଭୁ ରସିକ ଠାକୁର। ନୃତ୍ୟ ଉପଭୋଗ କରନ୍ତି, ପୁଣି ଗୀତଗୋବିନ୍ଦ ଶୁଣି ନିଦ୍ରା ଯାଆନ୍ତି। ଦିନ ଥିଲା, ଶ୍ରୀବିଗ୍ରହଙ୍କ ଉଦ୍ଦେଶ୍ୟରେ ନୃତ୍ୟ ପରଷି ଦେଉଥିଲେ ଭିତରଗାଆଣୀ (ଦେବଦାସୀ)। ମହାପ୍ରଭୁଙ୍କ ସେବା ପାଇଁ ତ୍ୟାଗପୂତ ଜୀବନ ଜିଉଁଥିଲେ। ଶ୍ରୀମନ୍ଦିରରେ ଥିବା ୧୧୯ ସେବା ମଧ୍ୟରୁ ଏହି ଗୋଟିଏ ସେବା (୭୫ ନମ୍ବର) ଥିଲା ମହିଳାଙ୍କର। କାଳର କରାଳ ଗତିରେ ଏହି ପରମ୍ପରା ନିଶ୍ଚିହ୍ନ ହୋଇଗଲା। ପ୍ରତାପରୁଦ୍ର ଦେବଙ୍କ ସମୟରେ ଜୟ ବିଜୟ ଦ୍ବାରରେ ଥିବା ଗୀତଗୋବିନ୍ଦ ଶିଳାଲେଖରୁ ମାହାରୀ ପରମ୍ପରାର ପ୍ରମାଣ ମିଳେ। ଛାମୁ ଚିଟାଉରେ ମଧ୍ୟ ମାହାରୀମାନଙ୍କର ପାଳି ଥିବା ନେଇ ଉଲ୍ଲେଖ ରହିଛି। ସମଗ୍ର ଦେଶରେ ଶ୍ରୀମନ୍ଦିର ଏକମାତ୍ର ବିଷ୍ଣୁ ମନ୍ଦିର, ଯେଉଁଠି ମହିଳାମାନେ ନୃତ୍ୟ ସଂଗୀତ ସେବା ଦେବାକୁ ସୁଯୋଗ ପାଇଥିଲେ। ତ୍ୟାଗ, ସେବା ମନୋବୃତ୍ତି ଓ ଉତ୍ସର୍ଗୀକୃତ ଭାବନା ହିଁ ସେମାନଙ୍କୁ ଉଚ୍ଚ ସ୍ଥାନ ଦେଇଥିଲା। ବାହାର ଗାଆଣୀ, ଭିତର ଗାଆଣୀ, ନାଚୁଣି, ପଟୁଆର, ରାଜଅଙ୍ଗିଲା ଓ ରୁଦ୍ରଗଣିକା ଭଳି ୬ ପ୍ରକାରର ମାହାରୀ ସେବା ଦେଉଥିଲେ। ପ୍ରୋତ୍ସାହନ ଓ ତ୍ୟାଗପୂତ ଭାବନା ଅଭାବରୁ ମାହାରୀଙ୍କ ସଂଖ୍ୟା ହ୍ରାସ ପାଇଲା। ୧୯୫୬ ଓଡ଼ିଶା ଗେଜେଟ୍ ମୁତାବକ ସେତେବେଳେ ୯ଜଣ ଦେବଦାସୀ ସେବା ଦେଉଥିଲେ। ବାସେଳି ସାହିର କୁନ୍ଦମଣି ଦେବଦାସୀ, କୋକିଳପ୍ରଭା ଦେବଦାସୀ, ତାରାମଣି ଦେବଦାସୀ, ବସନ୍ତ ଦେବଦାସୀ, ପରଶମଣି ଦେବଦାସୀ, ବିନୋଦିନୀ ଦେବଦାସୀ, ଶ୍ରୀମତୀ ଦେବଦାସୀ, ସୁଭାଷିନୀ ଦେବଦାସୀ ଓ ମାର୍କଣ୍ଡେଶ୍ବର ସାହିର ଇନ୍ଦୁମତୀ ଦେବଦାସୀ ଜୀବିତ ଥିଲେ।
Meeting : ‘ଉତ୍ତମ ସମନ୍ୱୟ ଜରିଆରେ ବିଭାଗଗୁଡ଼ିକ ନିଜର ସଫଳତାକୁ ବାଣ୍ଟିବା ଉଚିତ’
ପରବର୍ତ୍ତୀ ସମୟରେ ଯୋଡ଼ି ହୋଇଥିବା ଦେବଦାସୀଙ୍କ ମଧ୍ୟରୁ ୧୯୮୦ ବେଳକୁ କେବଳ ୪ ଜଣ, ହରପ୍ରିୟା, କୋକିଳପ୍ରଭା, ପରଶମଣି ଓ ଶଶିମଣି ଜୀବିତ ଥିଲେ। ଏବେ ସମସ୍ତେ ଆରପାରିରେ। ୧୯୯୨ରେ କୋକିଳପ୍ରଭାଙ୍କ ମୃତ୍ୟୁ ପରେ ଭିତର ଗାଆଣୀ ସେବା ବନ୍ଦ ହୋଇଗଲା। ୨୦୧୫ରେ ଶଶିମଣି ଏବଂ ୨୦୨୧ରେ ପରଶମଣି ଇହଧାମରୁ ବିଦାୟ ନେଇଥିଲେ। ସେମାନେ ଜୀବିତ ଥିବା ଅବସ୍ଥାରେ ଏହି ପରମ୍ପରାକୁ ବଞ୍ଚାଇ ରଖିବା ଲାଗି ଆଲୋଚନା ହେଲା ନାହିଁ କି ପ୍ରୋତ୍ସାହନ ମିଳିଲା ନାହିଁ। ଗବେଷକଙ୍କ ମତରେ ଦେବଦାସୀ ପରମ୍ପରା ଆଗକୁ ବଢ଼ି ନପାରିବା ପଛରେ ଅନେକ କାରଣ ଥିଲା। ସମସ୍ତ ଦେବଦାସୀଙ୍କ ଶେଷ ସମୟ ଦାରିଦ୍ରୢରେ ବିତିଥିଲା। ଶଶିମଣି ମାତ୍ର ୩ଶହ ଟଙ୍କା ଭତ୍ତା ସହ ପ୍ରସାଦ ଖାଇବାକୁ ପାଉଥିଲେ। ପରଶମଣି ୧ହଜାରରୁ ଅଢ଼େଇ ହଜାର ଟଙ୍କା ମଧ୍ୟରେ ଭତ୍ତା ପାଉଥିଲେ। ଏକାକୀ ଜୀବନଯାପନ ସତ୍ତ୍ବେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ଅଧିକ ଭତ୍ତାର ବ୍ୟବସ୍ଥା ହେଲାନାହିଁ। ସେମାନଙ୍କ ଯତ୍ନ ନେବାକୁ ମଧ୍ୟ ପ୍ରଶାସନ ପକ୍ଷରୁ ଆନ୍ତରିକତା ଦେଖାଗଲା ନାହିଁ। କୋକିଳପ୍ରଭା ଜୀବିତ ଥିବା ବେଳେ, କିଛି ଯୁବତୀ ତାଙ୍କ ନିକଟରେ ଦେବଦାସୀ ହେବାର ଅଭିପ୍ସା ଜାହିର କରିଥିଲେ। ମାତ୍ର ସେ ସମୟରେ ସେମାନେ ଯେଉଁଭଳି ତ୍ୟାଗପୂତ ଓ ଅଭାବ ମଧ୍ୟରେ ବଞ୍ଚୁଥିଲେ ସେଥିପାଇଁ କୋକିଳପ୍ରଭା ଅନାଗ୍ରହ ପ୍ରକାଶ କରିଥିଲେ। ୧୯୯୩ରେ ଏହି ପରମ୍ପରାର ପୁନଃ ପ୍ରଚଳନ ପାଇଁ ଉଦ୍ୟମ ଆରମ୍ଭ ହେଲା। ସାକ୍ଷାତକାର ଦେବା ପାଇଁ ମହିଳା ନୃତ୍ୟଶିଳ୍ପୀଙ୍କୁ ଚୟନ କରାଗଲା। ଅଥଚ ଆରମ୍ଭରୁ ବିବାଦର ସୂତ୍ରପାତ ହେଲା। ୮ଶହ ବର୍ଷର ମାହାରୀ ପରମ୍ପରାରେ ଯବନିକା ପଡ଼ିଗଲା।
ଜଗମୋହନରେ ଗୀତ ଗାଇ କରୁଥିଲେ ନୃତ୍ୟ
ସକାଳ ଧୂପ ପଟୁଆର ବେଳେ ଜଗମୋହନରେ ନୃତ୍ୟ କରୁଥିଲେ। ବଡ଼ସିଂହାର ଭୋଗ ପରେ ଶୟନ ଠାକୁର ଭିତରକୁ ବିଜେ କଲେ କଳାହାଟ ଦ୍ବାର ଲଣ୍ଡାବର୍ତ୍ତଠାରେ ଠିଆ ହୋଇ ଗୀତ ଗୋବିନ୍ଦ ଗାଉଥିଲେ। ଶୟନ ଠାକୁରବିଜେ ହୋଇ ଆସିବା ପରେ ଆଗେଆଗେ ଗୀତଗୋବିନ୍ଦ ବୋଲୁଥିଲେ। ଠାକୁର ଭିତରକୁ ଯିବା ଯାଏ ଜୟ ବିଜୟ ଦ୍ବାରଠାରେ ଗୀତ ଗାଉଥିଲେ। କାର୍ତ୍ତିକ ମାସରେ ବାଳ ଧୂପ ବେଳେ ଗୀତ ବୋଲୁଥିଲେ। ଚନ୍ଦନ ଲାଗି ୪୨ ଦିନ ଭିତରେ ଖୁଣ୍ଟିଆ ମଣିମା ଡାକ ପକାଇବା ପରେ ଅଣସର ପିଣ୍ଡିରେ ଠିଆ ହୋଇ ଗୀତ ଗାଉଥିଲେ। ୪୨ ଦିନ ଚନ୍ଦନ ଲାଗି ସମୟରେ ଜଗମୋହନରେ ନୃତ୍ୟ ପରିବେଷଣ କରୁଥିଲେ। ୨୧ ଦିନ ଚାପରେ ମଦନମୋହନଙ୍କ ଚାପରେ ନୃତ୍ୟ କରୁଥିଲେ। ଋକ୍ମିଣୀ ବିବାହରେ ଲକ୍ଷ୍ମୀଙ୍କ ମନ୍ଦିରରେ ରାତିରେ ବିବାହ ବେଦିରେ ମଙ୍ଗଳ ଗାନ କରୁଥିଲେ। ଚମ୍ପକ ଦ୍ବାଦଶୀ ଦିନ ବର କନ୍ୟା ସହ ନଅରକୁ ଯାଉଥିଲେ। ନୀଳାଦ୍ରି ବିଜେ ଦିନ ଭେଟ ମଣ୍ଡପକୁ ଲକ୍ଷ୍ମୀଙ୍କ ସହ ଯାଉଥିଲେ। ଗୁଣ୍ଡିଚା ମଣ୍ଡପରେ ପ୍ରଥମ ଦିନ ନାଟ କରୁଥିଲେ। ଆଶ୍ବିନ ମାସ ୧୬ ପୂଜାରେ ମା’ ବିମଳାଙ୍କ ସକାଳ ଧୂପ ସମୟରେ ପଟୁଆର କରୁଥିଲେ। ବିମଳାଙ୍କ ପହୁଡ଼ ମାଜଣା ସମୟରେ ମାଳଶ୍ରୀ ବୋଲୁଥିଲେ। ଏହି ୧୬ ଦିନ ମା’ ବିମଳାଙ୍କ ମନ୍ଦିରକୁ ମହିଳାଙ୍କୁ ଯିବାରେ ବାରଣ ଥିଲେ ହେଁ କେବଳ ଏହି ଦେବଦାସୀମାନେ ଭିତରକୁ ଯାଉଥିବା କଥା ଶ୍ରୀମନ୍ଦିର ସ୍ବତ୍ବଲିପିରେ ରହିଛି। ଏଥିସହ ନଅରଠାରେ କନକ ଦୁର୍ଗା ପୂଜାରେ ପଟୁଆର କରୁଥିଲେ। ପୁଷ୍ୟାଭିଷେକ ଦିନ ମୁଦିରସ୍ତଙ୍କ ସହ ଯାଇ ବନ୍ଦାପନା କରୁଥିଲେ। ଫଗୁ ଦଶମୀଠାରୁ ଭୋଗ ବେଳେ ବେଦିରେ ସେବା କରୁଥିଲେ। ନବ ପତ୍ରିକାରେ ନଅରରେ ଦୁର୍ଗାଙ୍କ ସେବା କରନ୍ତି। ସ୍ନାନବେଦିଠାରେ ନୃତ୍ୟ କରନ୍ତି। ନବକଳେବରରେ ଦାରୁ ସହ ହୁଳହୁଳି ଦେଇ ଆସନ୍ତି।
Egypt The Octagon: ଇଜିପ୍ଟର ଦି ଅକ୍ଟାଗନ୍
ରହୁଥିଲେ ଅବିବାହିତ, ନାଚିଲେ ପାଉଥିଲେ ‘ମାଠପୁଳି’
ଦେବଦାସୀ ହେବା ପାଇଁ ନିର୍ଦ୍ଦିଷ୍ଟ ନିୟମ ଅନୁସରଣ କରାଯାଉଥିଲା। ନିୟମ ଅନୁସାରେ ସେମାନେ ବିବାହ କରିବା ବାରଣ ଥିଲା। ଗୀତ ଓ ନାଚ ଉଭୟ ଜାଣିଥିଲେ ହେଁ ଏହି ସେବାର ସୁଯୋଗ ପାଉଥିଲେ। ଶାଢ଼ି ବନ୍ଧାଇ ସେବା କରୁଥିଲେ। ସେମାନଙ୍କର ସମସ୍ୟା ହେଲେ ସମ୍ପ୍ରଦା ନିଯୋଗ ନାଚ କାର୍ଯ୍ୟ ତୁଲାଉଥିଲେ। ପ୍ରାପ୍ୟ ଭାବେ ସେମାନଙ୍କୁ ଦୈନିକ ୨ଟି ବଡ଼ କାକରା, ୨ଟି ସାନ କାକରା, ଗୋଟିଏ ତାଟ ଆରିସା ଏବଂ ନାଚପାଳି ଥିଲେ ୨ଟ ମାଠପୁଳି ପ୍ରାପ୍ୟ ସ୍ବରୂପ ପାଉଥିଲେ।

1 hour ago
1


