ARTICLE AD BOX
ବୈଶିଙ୍ଗା: ଭତ୍ତା ଟଙ୍କା ନେଇ ହସଖୁସିରେ ଘରକୁ ଫେରୁଥିଲେ। ହେଲେ ଘରେ ପହଞ୍ଚିବା ପୂର୍ବରୁ ଘଟିଗଲା ମର୍ମନ୍ତୁଦ ଦୁର୍ଘଟଣା। ଦ୍ରୁତଗତିରେ ଆସିଥିବା ଏକ ଟ୍ରକ୍ ପଛପଟୁ ଧକ୍କା ଦେବାରୁ ଜୀବନ ହାରିଲେ ଜଣେ ୬୫ ବର୍ଷୀୟ ବୃଦ୍ଧ। ଘଟଣାଟି ଘଟିଛି ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥର ରଙ୍ଗାମାଟିଆ ଛକ ନିକଟରେ। ମୃତକ ହେଲେ ସ୍ଥାନୀୟ ରଙ୍ଗାମାଟିଆ ଗ୍ରାମର ବାସୁ ସିଂ। ସୂଚନା ଅନୁଯାୟୀ, ଆଜି ପ୍ରାୟ ସାଢ଼େ ୧୧ଟା ସମୟରେ ବାସୁ ନିଜ ଭତ୍ତା ଟଙ୍କା ନେବା ପାଇଁ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ। ଭତ୍ତା ଟଙ୍କା ନେଇ ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ରଙ୍ଗାମାଟିଆ ଛକ ଡ଼ାଇଭର୍ଶନ ନିକଟରେ ପଛପଟୁ ଏକ ଦ୍ରୁତଗାମୀ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା।
ଆହୁରି ପଢନ୍ତୁ: IndiGo: ଇଣ୍ଡିଗୋ ୱେବସାଇଟ୍ରେ ପୁଣି ବିଭ୍ରାଟ, ବିମାନ ଟିକେଟ୍ ବୁକିଂ ପ୍ରଭାବିତ
ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ବାସୁ ରାସ୍ତା ଉପରେ ପଡ଼ି ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ଟି ଘଟଣାସ୍ଥଳରେ ନରହି ବାଲେଶ୍ୱର ଦିଗକୁ ଦ୍ରୁତଗତିରେ ପଳାଇ ଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ ତୁରନ୍ତ ଗୁରୁତର ବାସୁଙ୍କୁ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନାକୁ ନେଇଥିଲେ। ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ଡାକ୍ତରମାନେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବାରିପଦାସ୍ଥିତ ପିଆରଏମ୍ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବାସୁଙ୍କ ମୃତ୍ୟୁ ଘଟିଥିଲା।
ଆହୁରି ପଢନ୍ତୁ: Sri Sri Ravi Shankar: ଯୁବପିଢ଼ିର ପ୍ରଶ୍ନ, ଗୁରୁଦେବଙ୍କ ଉତ୍ତର ସିଚୁଏସନ୍ସିପ୍ ନୁହେଁ, ସମ୍ପର୍କରେ ରହୁ ନିଷ୍ଠା’
ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇ ଫେରାର ହୋଇଥିବା ଟ୍ରକ୍କୁ ଠାବ କରିବା ପାଇଁ ପୁଲିସ ତଦନ୍ତ ଚଳାଇଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଉଛି। ଭତ୍ତା ଟଙ୍କା ନେଇ ଘରକୁ ଫେରୁଥିବା ଜଣେ ବୃଦ୍ଧଙ୍କ ଏଭଳି ମୃତ୍ୟୁ ବୈଶିଙ୍ଗା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଏହି ରାସ୍ତାରେ ଡ଼ାଇଭର୍ଶନ ନିକଟରେ ଦ୍ରୁତଗତି ଯାନବାହନ ଚଳାଚଳ ଉପରେ ନିୟନ୍ତ୍ରଣ ସହ ଦୁର୍ଘଟଣା ଘଟାଇ ଫେରାର ହେଉଥିବା ଗାଡ଼ିକୁ ଠାବ କରିବା ନେଇ ଦାବି ଜୋର ଧରିଛି।

42 minutes ago
1


