ARTICLE AD BOX
ଘୁ. ଉଦୟଗିରି (ସମୀର କୁମାର ପାଢ଼ୀ):କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ ଗଦଗୁଡ଼ା ପଞ୍ଚାୟତର ନେଡିନାଯୁ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ବନ୍ଧରେ ପଡ଼ି ଗ୍ରାମର ପୁସାରା ପ୍ରଧାନ (୬୦)ଙ୍କ ମୃତ୍ୟୁ ଘଟିଛି। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁସାରେ, ମୃତ ପୁସାରା ପ୍ରଧାନଙ୍କ ସ୍ତ୍ରୀ ପୂର୍ବରୁ ପରଲୋକ କରିଥିବା ବେଳେ ତାଙ୍କର ତିନି ପୁଅ ଓ ଗୋଟିଏ ଝିଅ ଅଛନ୍ତି। ବୁଧବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ସେ ତାଙ୍କ ୬ ବର୍ଷର ନାତୁଣୀ ସହ ଶୌଚ ପାଇଁ ବାନ୍ଦାଗୁଡ଼ା ନିକଟସ୍ଥ ବିଲରେ ଥିବା ବନ୍ଧକୁ ଯାଇଥିଲେ। ତେବେ କେଉଁ ପରିସ୍ଥିତିରେ ସେ ପାଣିରେ ପଡ଼ି ବୁଡ଼ିଯାଇଥିଲେ, ତାହା ସ୍ପଷ୍ଟ ହୋଇପାରିନାହିଁ। ସନ୍ଧ୍ୟା ପ୍ରାୟ ୬ଟା ପର୍ଯ୍ୟନ୍ତ ସେମାନେ ଘରକୁ ଫେରିନଥିବାରୁ ନାତୁଣୀଙ୍କ ମା' ସନ୍ଦେହ କରି ବନ୍ଧ ନିକଟକୁ ଯାଇଥିଲେ। ସେଠାରେ ପୁସାରା ପ୍ରଧାନ ପାଣିରେ ପଡ଼ିଥିବା ଦେଖି ତୁରନ୍ତ ଗ୍ରାମବାସୀଙ୍କୁ ଖବର ଦେଇଥିଲେ।
ଗ୍ରାମବାସୀ ତାଙ୍କୁ ପାଣିରୁ ଉଦ୍ଧାର କରି ପ୍ରାଥମିକ ଚେଷ୍ଟା କରିଥିଲେ ଏବଂ ପରେ ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। Drawn: ନଦୀ ଓ ପୋଖରୀରେ ବୁଡ଼ି ଆଜି ୩ଜଣଙ୍କର ମୃତ୍ୟୁ
ଅନ୍ୟପକ୍ଷରେ, ଜିଲ୍ଲାର ଡାକ୍ତରମାନେ ଅନଶନରେ ଥିବାରୁ ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟମିତ ଡାକ୍ତର ଉପଲବ୍ଧ ନାହାନ୍ତି। ଫଳରେ ମୃତଦେହର ଶବ ବ୍ୟବଚ୍ଛେଦକୁ ନେଇ ସମସ୍ୟା ଉପୁଜିଛି। କାର୍ଯ୍ୟରତ ଆୟୁଷ ଡାକ୍ତରଙ୍କ ସୂଚନା ଅନୁଯାୟୀ, ଯଦି ଗୁରୁବାର ମଧ୍ୟ ଡାକ୍ତରଙ୍କ ଅନଶନ ଜାରି ରହେ, ତେବେ ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବାକୁ ପଡ଼ିପାରେ। ଖବର ଲେଖାଯିବା ସୁଦ୍ଧା ପୋଲିସ ଘଟଣାସ୍ଥଳରେ ପହଞ୍ଚିନଥିବା ସୂଚନା ମିଳିଛି। ଘଟଣାର ପ୍ରକୃତ କାରଣ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

1 hour ago
1


