Cricket: ରୋ-କୋ ଯୋଡ଼ିଙ୍କୁ ନେଇ ହରଭଜନଙ୍କ ବଡ଼ ବୟାନ; କହିଲେ ବୟସ ନୁହେଁ, ପରଫର୍ମାନ୍ସ ଦେଖ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ୨୦୨୭ ଦିନିକିଆ ବିଶ୍ୱକପ୍‌ରେ ଖେଳିବେ କି ରୋହିତ ଶର୍ମା ଓ ବିରାଟ କୋହଲି? ଏହି ପ୍ରଶ୍ନ ଭିତରେ ଏବେ ଦୁଇ ବଡ଼ ଖେଳାଳିଙ୍କ ସପକ୍ଷରେ ବଡ଼ ବୟାନ ଦେଇଛନ୍ତି ପୂର୍ବତନ ଭାରତୀୟ ଷ୍ଟାର ସ୍ପିନର୍ ହରଭଜନ ସିଂହ। ତାଙ୍କ କହିବା କଥା—ବୟସ ନୁହେଁ, ପ୍ରଦର୍ଶନ ଓ ଫିଟନେସ୍ ହିଁ ଚୟନର ମାପକାଠି ହେବା ଉଚିତ। ଏପରିକି ଲିଓନେଲ୍ ମେସିଙ୍କ ଉଦାହରଣ ଦେଇ ରୋହିତ-ବିରାଟଙ୍କ ପାଇଁ ଯୁକ୍ତି ରଖିଛନ୍ତି ଭଜ୍ଜି।

ବୟସ ବଢ଼ୁଛି, କିନ୍ତୁ ଯଦି ବ୍ୟାଟ୍‌ରେ ରନ୍ ଆସୁଛି ଏବଂ ଶରୀର ସାଥ୍ ଦେଉଛି... ତାହେଲେ ବିଶ୍ୱକପ୍‌ରୁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବାଦ୍ ଦିଆଯିବା ଉଚିତ ନୁହେଁ। ଏଭଳି ମତ ରଖିଛନ୍ତି ଭାରତୀୟ କ୍ରିକେଟ୍‌ର ଦିଗ୍ଗଜ ହରଭଜନ ସିଂହ।

୨୦୨୭ ଓଡିଆଇ ବିଶ୍ୱକପ୍ ସମୟରେ ରୋହିତଙ୍କ ବୟସ ୪୦ ଏବଂ ବିରାଟଙ୍କ ବୟସ ୩୯ ପାଖାପାଖି ହେବ। କିନ୍ତୁ ହରଭଜନଙ୍କ ପାଇଁ ଜନ୍ମ ତାରିଖ ନୁହେଁ, ମଇଦାନର ପ୍ରଦର୍ଶନ ହିଁ ସବୁଠାରୁ ବଡ଼ କଥା। ଏହି ଯୁକ୍ତିକୁ ମଜବୁତ କରିବାକୁ ହରଭଜନ ଦେଇଛନ୍ତି ଫୁଟବଲ୍ ଲିଜେଣ୍ତ ଲିଓନେଲ୍ ମେସିଙ୍କ ଉଦାହରଣ। ତାଙ୍କ କହିବା କଥା ବୟସ ବଢ଼ିଲେ ମଧ୍ୟ ଯଦି ଜଣେ ଖେଳାଳିଙ୍କ ଫିଟନେସ୍, ଦକ୍ଷତା ଓ ପ୍ରଭାବ ବଜାୟ ରଖେ, ତେବେ ତାଙ୍କୁ ଅଣଦେଖା କରିବାର ପ୍ରଶ୍ନ ଉଠେନାହିଁ।

IND vs SL Test: ପଡିକ୍କଲଙ୍କ ଶତକ, ପ୍ରଥମ ଦିନରେ ଶ୍ରୀଲଙ୍କା ଉପରେ ଟିମ୍ ଇଣ୍ଡିଆର ରାଜୁତି

ହରଭଜନଙ୍କ ମତରେ ରୋହିତ ଓ ବିରାଟଙ୍କ ପାଖରେ ରହିଛି ଏମିତି ଅଭିଜ୍ଞତା, ଯାହା ନୂଆ ପିଢ଼ିର ଖେଳାଳିଙ୍କ ପାଇଁ ଏବେ ସମ୍ଭବ ନୁହେଁ। ଶତାଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ଏହି ଦୁଇ ତାରକା ବଡ଼ ଟୁର୍ଣ୍ଣାମେଣ୍ଟର ଚାପକୁ ଭଲ ଭାବେ ବୁଝନ୍ତି। କେବଳ ରୋହିତ ଓ ବିରାଟଙ୍କ ଅଭିଜ୍ଞତା ନୁହେଁ, ଭାରତୀୟ କ୍ରିକେଟ୍‌ରେ ବିରାଟ କୋହଲି ଆଣିଥିବା ଫିଟନେସ୍ ବିପ୍ଳବକୁ ମଧ୍ୟ ହରଭଜନ ପ୍ରଶଂସା କରିଛନ୍ତି। ତାଙ୍କ କହିବା ଅନୁସାରେ, ବିରାଟଙ୍କ ଅଧିନାୟକତ୍ୱ ସମୟରେ ଦଳରେ ଆସିଥିଲା ନୂଆ ‘ୱିନିଂ ମେଣ୍ଟାଲିଟି’।

ତେବେ ହରଭଜନ ଗୋଟିଏ କଥା ମଧ୍ୟ ସ୍ପଷ୍ଟ କରିଛନ୍ତି। କୌଣସି ଖେଳାଳି ସବୁଦିନ ଖେଳିପାରିବେ ନାହିଁ। ଶରୀର ଯେତେବେଳେ ସାଥ୍ ଦେବା ବନ୍ଦ କରିବ, ସେତେବେଳେ ଜଣେ ଖେଳାଳି ନିଜେ ବୁଝିପାରିବେ ଯେ କ୍ୟାରିୟର୍‌ରେ କେବେ ବିରାମ ଦେବାର ସମୟ ଆସିଛି।

ଏବେ ବିଶ୍ୱକପ୍‌କୁ ଆହୁରି ଏକ ବର୍ଷରୁ ଅଧିକ ସମୟ ବାକି। ତେଣୁ ଏବେଠାରୁ ଚୂଡ଼ାନ୍ତ ଦଳ ବାଛିବା ବଦଳରେ ଆଗାମୀ ମାସଗୁଡ଼ିକର ପ୍ରଦର୍ଶନ ଉପରେ ନଜର ରଖିବାକୁ ହରଭଜନ ପରାମର୍ଶ ଦେଇଛନ୍ତି। ତେବେ ବିଶ୍ୱକପ୍‌ର ପ୍ରାୟ ୬ ମାସ ପୂର୍ବରୁ ଦଳର ମୂଳ ଲକ୍ଷ୍ୟ ଓ ପ୍ରତ୍ୟେକ ଖେଳାଳିଙ୍କ ଭୂମିକା ସ୍ପଷ୍ଟ ହୋଇଯିବା ଦରକାର ବୋଲି ସେ କହିଛନ୍ତି। ରୋହିତ ଓ ବିରାଟଙ୍କ ଭବିଷ୍ୟତ ନେଇ ଚର୍ଚ୍ଚା ଜାରି ରହିଛି। କିନ୍ତୁ ହରଭଜନଙ୍କ ବାର୍ତ୍ତା ସ୍ପଷ୍ଟ ଯେ ବିଶ୍ୱକପ୍‌ର ଟିକେଟ୍ ବୟସ ନୁହେଁ, ପ୍ରଦର୍ଶନ ଓ ଫିଟନେସ୍ ନିର୍ଦ୍ଧାରଣ କରୁ। ଏବେ ନଜର ରହିବ ଏହି ଦୁଇ ମହାତାରକାଙ୍କ ଆଗାମୀ ଦିନିକିଆ ପ୍ରଦର୍ଶନ ଉପରେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.