Cold Storage: ଶୀତଳଭଣ୍ଡାରର କଚ୍ଛପ ଗତି: ଗୋଟିଏ ବି ହୋଇପାରିଲାନି

2 hours ago 1
ARTICLE AD BOX

ଭୁବନେଶ୍ବର (ଚୌଧୁରୀ ଅମିତାଭ ଦାସ): ୨୦୨୪ ଜୁଲାଇରେ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ସବୁ ସବ୍‌ଡିଭିଜନରେ ଗୋଟିଏ ଗୋଟିଏ ଶୀତଳଭଣ୍ଡାର ନିଶ୍ଚିତ ହେବ। କୃଷି ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ ବି ବାରମ୍ବାର ଏହି କଥାକୁ ଦୋହରାଇଲେ। ଅର୍ଥାତ୍‌ ୫୮ଟି ଶୀତଳଭଣ୍ଡାର ନିଶ୍ଚିତ ହେବ। ଆବଶ୍ୟକ ପଡ଼ିଲେ ଅଧିକ ହେବ। ୨୦୨୫ ଜାନୁଆରିରେ ଶୀତଳଭଣ୍ଡାର ନିର୍ମାଣ ପାଇଁ ପ୍ୟାକେଜରେ କ୍ୟାବିନେଟ୍ ମୋହର ବାଜିଲା। ଘରୋଇ ଉଦ୍ୟୋଗୀଙ୍କୁ ଅନେକ ଆକର୍ଷଣୀୟ ଅଫର୍ ଦିଆଗଲା। ପରେ ତାରକା ହୋଟେଲରେ କନ୍‌କ୍ଲେଭ୍‌ କରାଯାଇ ପ୍ୟାକେଜ୍‌ ସମ୍ପର୍କରେ ଉଦ୍ୟୋଗୀମାନଙ୍କୁ ବୁଝାଗଲା।

୨୦୨୬ ନଭେମ୍ବରରେ ସ୍ଥିତି ହେଲା; ଏ ଯାଏଁ ଗୋଟିଏ ବି ନୂଆ ଶୀତଳଭଣ୍ଡାର ଖୋଲିପାରିଲା ନାହିଁ। ମାତ୍ର ଦୁଇଟିର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୫୮ଟିର କାମ ହେବା ଦୂରର କଥା। ଆବେଦନ ବି ୫୮ଟି ଆସି ନାହିଁ। ଆଉ ଅଚଳ ଶୀତଳଭଣ୍ଡାରଗୁଡ଼ିକ ଯେମିତି ଥିଲା ସେମିତି ପଡ଼ିଛି। ଶୀତଳଭଣ୍ଡାର ଓଡ଼ିଶା ରାଜନୀତିରେ କେବଳ ଏକ ବଡ଼ ପ୍ରସଙ୍ଗ ତା’ ନୁହେଁ; ଚାଷୀମାନଙ୍କ ଆର୍ଥିକ ମେରୁଦଣ୍ଡ ମଜଭୁତ ନ‌ହେବା ପଛରେ ଏହା ଏକ ବଡ଼ କାରଣ। ଏହାକୁ ନେଇ ସବୁବେଳେ ବୟାନବାଜି ହେଉଛି, ଅଥଚ ନିର୍ମାଣ ପ୍ରକ୍ରିୟା ଆଦୌ ତ୍ବରାନ୍ବିତ ହୋଇପାରୁ ନାହିଁ। ବର୍ତ୍ତମାନର ଧାରା ଦେଖିଲେ ଲାଗୁଛି ଏହି ପାଞ୍ଚ ବର୍ଷ ଭିତରେ ୧୦ ପ୍ରତିଶତ ଲକ୍ଷ୍ୟ ପୂରଣ ହେବାର ସମ୍ଭାବନା କ୍ଷୀଣ।

ସରକାର ୫୮ଟି ସବ୍‌ଡିଭିଜନରେ ଅତି କମ୍‌ରେ ଗୋଟିଏ ଲେଖାଏଁ ଶୀତଳଭଣ୍ଡାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଘରୋଇ ଉଦ୍ୟୋଗୀଙ୍କୁ ଆକର୍ଷିତ କରିବା ପାଇଁ ‘ଫାଇନାନ୍ସିଆଲ୍ ଆସିଷ୍ଟାନ୍ସ ଟୁ କୋଲ୍ଡ ଷ୍ଟୋରେଜ୍’ ବ୍ୟବସ୍ଥା କରାଯାଇଛି। ଏହି ସ୍କିମ୍ ଆପିକଲ୍ ମାଧ୍ୟମରେ ପରିଚାଳିତ ହୁଏ ଏବଂ ଏଥିପାଇଁ ୨୫୨ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି। ଲକ୍ଷ୍ୟ ରହିଛି ଯେ ୨୦୨୫-୨୬ରୁ ୨୦୨୯-୩୦ ମଧ୍ୟରେ ଏହା କାର୍ଯ୍ୟକାରୀ ହେବ। ଆପିକଲ୍ ପରିଚାଳନା ନିର୍ଦ୍ଦେଶକ ଶୁଭ୍ରାଂଶୁ ମିଶ୍ରଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଶୀତଳଭଣ୍ଡାର ଖୋଲିବାକୁ ୨୯ ଆବେଦନ ଆସିଛି। ସେଥିରୁ ୧୭ଟି ଆବେଦନକୁ ବିଚାରକୁ ନିଆଯାଇ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ କୁହାଯାଇଛି। ପୁରୀର ନିମାପଡ଼ା ଓ ସୋନପୁରରେ ଦୁଇଟି ଶୀତଳଭଣ୍ଡାରର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୁବ୍‌ଶୀଘ୍ର ତାହା ଉଦ୍‌ଘାଟିତ ହେବ।

ଆଗ୍ରହ ଦେଖାଉନାହାନ୍ତି ଘରୋଇ ଉଦ୍ୟୋଗୀ
ସବୁ ସବ୍‌ଡିଭିଜନରେ ହେବା ନେଇ ସନ୍ଦେହ
ମୂଳ ସମସ୍ୟାର ସମାଧାନ ପାଇଁ ଉଦାସୀନତା

ଅନ୍ୟପକ୍ଷରେ ରାଜ୍ୟରେ ଏବେ ପ୍ରାୟ ୪୦ଟି ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ଅଛି। ପାଖାପାଖି ୮୦ଟି ଅକାମୀ ହୋଇପଡ଼ିଛି, ୧୪ଟି ଜିଲ୍ଲାରେ ଆଦୌ ନାହିଁ। ରାଜ୍ୟରେ ସମବାୟ ବିଭାଗ ଅଧୀନରେ ଥିବା ୧୮ଟି ଶୀଳତଭଣ୍ଡାର ମଧ୍ୟରୁ ୧୬ଟି ଅଚଳ ହୋଇଯାଇଛି। ମାତ୍ର ଦୁଇଟି କାର୍ଯ୍ୟକ୍ଷମ ଅଛି। ସମବାୟ ବିଭାଗ ପକ୍ଷରୁ ଆଉ ଅଧିକ ଶୀତଳଭଣ୍ଡାର କରିବାକୁ ଯୋଜନା ନାହିଁ ବୋଲି ନିକଟରେ ସମବାୟ ମନ୍ତ୍ରୀ ବିଧାନସଭାରେ ସ୍ପଷ୍ଟ କରିଥିଲେ।

ପଡ଼ୋଶୀ ପଶ୍ଚିମବଙ୍ଗରେ ୪୫୦ରୁ ଅଧିକ ଶୀତଳଭଣ୍ଡାର ସଫଳତାର ସହ କାର୍ଯ୍ୟକ୍ଷମ ଅଛି। ସେଠାରେ ଉତ୍ପାଦନ-ସଂରକ୍ଷଣ-ବଜାର ବ୍ୟବସ୍ଥାକୁ ସମନ୍ବିତ ଢଙ୍ଗରେ କାର୍ଯ୍ୟକାରୀ କରାଯାଉଥିବାରୁ ଶୀତଳଭଣ୍ଡାରଗୁଡ଼ିକ ଠିକ୍ ଭାବେ ଚାଲିପାରୁଛି। କିନ୍ତୁ ଓଡ଼ିଶାରେ ସେହି ଦିଗ ପ୍ରତି ସରକାରଙ୍କ ସଂପୃକ୍ତ ବିଭାଗମାନେ ଆଖି ବୁଜି ଦେଉଛନ୍ତି। ଶୀତଳଭଣ୍ଡାର ନଥିବାରୁ ଚାଷୀମାନେ ଅମଳ ପରବର୍ତ୍ତୀ କ୍ଷତିର ଶିକାର ହେଉଛନ୍ତି। ତଥାପି, ଶୀତଳଭଣ୍ଡାର କରିବାକୁ ଉଦ୍ୟୋଗୀଙ୍କ ମଧ୍ୟରେ ସେତେଟା ଆଗ୍ରହ ନାହିଁ। ଏହାର ମୁଖ୍ୟ କାରଣ ‌ହେଲା ଶୀତଳଭଣ୍ଡାରଗୁଡ଼ିକ ଲାଭପ୍ରଦ ହେଉନାହିଁ। ଯଦିଓ ସରକାର ଶୀତଳଭଣ୍ଡାର ପାଇଁ ଆର୍ଥିକ ସବ୍‌ସିଡିର ବ୍ୟବସ୍ଥା କରୁଛନ୍ତି, ସେଗୁଡ଼ିକ କିପରି ବ୍ୟବସ୍ଥିତ ଢଙ୍ଗରେ ପରିଚାଳିତ ହେବ ସେଥିପାଇଁ କିନ୍ତୁ ସ୍ପଷ୍ଟ ନିୟମ ନାହିଁ। ଶୀତଳଭଣ୍ଡାରର ପରିଚାଳନାଗତ କ୍ଷତିକୁ ରୋକିବା ପାଇଁ ସରକାରଙ୍କ ନିର୍ଦ୍ଦିଷ୍ଟ ଯୋଜନା ନାହିଁ ବୋଲି ମଧ୍ୟ ଅଭିଯୋଗ ଉଠେ। ଓଡ଼ିଶା କୋଲ୍ଡ ଷ୍ଟୋରେଜ୍ ଆସୋସିଏସନ୍ ଏକାଧିକ ଥର ଏହି ପ୍ରସଙ୍ଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି ସେଥି ପ୍ରତି ଗୁରୁତ୍ବ ଦିଆଯାଇ ନାହିଁ। ସଂଘର କହିବା କଥା, ଓଡ଼ିଶାରେ ଶୀତଳଭଣ୍ଡାର ପାଇଁ କୋଠାବାଡ଼ି ଓ ଯନ୍ତ୍ରପାତି ସମସ୍ୟା ନୁହେଁ। ବରଂ ସମନ୍ବିତ ଉତ୍ପାଦ ଲିଙ୍କେଜ୍, ଉତ୍ପାଦନ ମ୍ୟାପିଂ, ବ୍ୟବସାୟୀଙ୍କ ଅଂଶଗ୍ରହଣ ଏବଂ କୃଷକ-କୈନ୍ଦ୍ରିକ ସଂରକ୍ଷଣ ବ୍ୟବସ୍ଥାର ଅଭାବ ହିଁ ଶୀତଳଭଣ୍ଡାର ନିର୍ମାଣରେ ମୁଖ୍ୟ ବାଧକ ସାଜିଛି। ବର୍ତ୍ତମାନ ଥିବା ଶୀତଳଭଣ୍ଡାରଗୁଡ଼ିକ ପୂର୍ଣ୍ଣମାତ୍ରାରେ ବ୍ୟବହାର ହୋଇପାରୁ ନାହିଁ। ଅଧିକାଂଶ ପରିଚାଳନାଗତ କ୍ଷତିର ସାମ୍ନା କରୁଛନ୍ତି। ସଂଘ ଦାବି କରିଛି ଯେ ବର୍ତ୍ତମାନର ଶୀତଳଭଣ୍ଡାଗୁଡ଼ିକ କାଁ ଭାଁ ପରିଚାଳନାଗତ ଖର୍ଚ୍ଚ ଉଠାଇବାକୁ ସକ୍ଷମ ହେଉଛନ୍ତି। ଅମଳ ପରବର୍ତ୍ତୀ ଭିତ୍ତିଭୂମି, ପରିବହନ ପ୍ରୋତ୍ସାହନ, ସଂରକ୍ଷଣ ପ୍ରୋତ୍ସାହନ, ଉତ୍ପାଦନ ସଂଯୋଗ ବ୍ୟବସ୍ଥା ଆଦି ସଂକ୍ରାନ୍ତୀୟ ରାଜ୍ୟ ଓ କେନ୍ଦ୍ର ଯୋଜନାର ଗାଇଡ୍‌ଲାଇନ୍ ସମ୍ପର୍କରେ ସ୍ପଷ୍ଟ କରାଯାଉନି। ଏଦିଗରେ ସରକାର ପଦକ୍ଷେପ ନେବାର ଆବଶ୍ୟକତା ଅଛି ବୋଲି ସଂଘ ଦାବି କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.