ARTICLE AD BOX
ଚିନ୍ମୟ ହୋତା
ମଣିଷ ଜୀବନରେ ଶୁଭାକାଙ୍କ୍ଷୀଙ୍କର ଅଭାବ ବିଲକୁଲ ନାହିଁ। ଏମିତିରେ ତ ଆତ୍ମୀୟସ୍ୱଜନ, ବନ୍ଧୁବାନ୍ଧବ, ପାଖ ପଡ଼ୋଶୀମାନେ ରହିଛନ୍ତି। ପୁଣି ଆଜିକାଲି ଏକ ନୂଆ ପ୍ରଜାତିର ଶୁଭାକାଙ୍କ୍ଷୀଙ୍କର ଆବିର୍ଭାବ ହୋଇଛି, ଯାହାଙ୍କ ସାଙ୍ଗରେ ଆମର କୌଣସି ପୂର୍ବ ପରିଚିତି ନାହିଁ, କୌଣସି ଅତ୍ମୀୟତା ନାହିଁ, ଏମିତିକି କିଛି ପ୍ରକାରର ସାମାଜିକ ଯୋଗାଯୋଗ ବି ନାହିଁ। ଅଥଚ ସେମାନେ ଆମର ଭଲମନ୍ଦକୁ ନେଇ ଏତେଟା ଚିନ୍ତିତ ଯେ, ଦିନ ଭିତରେ କେତେଥର ଫୋନ କରି କିମ୍ବା ହ୍ବାଟ୍ସଆପରେ ବାର୍ତ୍ତା ପଠାଇ ଆମ ଜୀବନକୁ ସୁସ୍ଥ, ସୁନ୍ଦର ଓ ସମୃଦ୍ଧ କରି ଗଢ଼ି ତୋଳିବାର ନିରଳସ ଚେଷ୍ଟା ଚଳେଇ ଯାଉଛନ୍ତି। ଏମାନେ ସମସ୍ତେ କୌଣସି ନା କୌଣସି ବାଣିଜ୍ୟ ସଂସ୍ଥାର ମାର୍କେଟିଂ ବିଭାଗର ପ୍ରତିନିଧି। ନିଜର ପରିଚୟ ସେମାନେ ଯାହା ଦିଅନ୍ତୁ ନା କାହିଁକି, ମୋର ମନେ ହୁଏ, ଏମାନେ ପ୍ରକୃତରେ ମାନବକଲ୍ୟାଣ କ୍ଷେତ୍ରରେ ନିବେଦିତ ଏକ ଆନ୍ତର୍ଜାତିକ ଶୁଭେଚ୍ଛୁବାହିନୀ।
ଧରା ଯାଉ, ଖରାଦିନ ଦି’ପହର ବେଳେ ଟିକେ ତନ୍ଦ୍ରାଚ୍ଛନ୍ନ ହୋଇ ଶୋଇବାକୁ ଚେଷ୍ଟା କରୁଛନ୍ତି। ହଠାତ୍ ଏକ ଅଚିହ୍ନା ନମ୍ୱରରୁ ଫୋନ! ଧରିବେ କି ଧରିବେନି, ଏଇ ଦ୍ବିଧା ଭିତରେ ଭାବିବାକୁ ଲାଗିଲେ, ହୁଏତ କିଛି ଜରୁରି ଖବର, ପୁରୁଣା କୋଉ ବନ୍ଧୁ କିମ୍ବା କୌଣସି ଆତ୍ମୀୟ ବିପଦରେ ପଡିଛନ୍ତି। ଫୋନ ଧରିବା ମାତ୍ରେ ସେପଟୁ ଗୋଟେ ମିଠା କଣ୍ଠସ୍ୱର, ‘‘ସାର୍, ଆପଣଙ୍କ ଗାଡ଼ିର ଇନ୍ସୁରାନ୍ସର ମିଆଦ ଶେଷ ହେବା ଉପରେ। ଆମେମାନେ କ’ଣ ଏହା ରିନିଉ କରିବାରେ କିଛି ସାହାଯ୍ୟ କରିପାରୁ?’’ ଏଭଳି ତନ୍ଦ୍ରାଚ୍ଛନ୍ନ ମୁହୂର୍ତ୍ତରେ ଆପଣ ହୁଏତ ଭୁଲି ଯାଇଥିଲେ ଆପଣଙ୍କର ଗୋଟେ ଗାଡ଼ି ଅଛି ବୋଲି, କିନ୍ତୁ ସେମାନଙ୍କର ସ୍ମୃତିଶକ୍ତି ପ୍ରଖର। ଆପଣଙ୍କ ଗାଡ଼ିର ବୀମା ନବୀକରଣର ଚିନ୍ତା ଯେମିତି ସେମାନଙ୍କର ନିଦ ହଜେଇ ଦେଇଛି।
ପରେ ପରେ ପୁଣି ଏକ ଫୋନ। ଏଥର ଆପଣଙ୍କ ସ୍ୱାସ୍ଥ୍ୟକୁ ନେଇ ଉଦ୍ବେଗ। ‘‘ସାର୍, ଆପଣ ଏ ବର୍ଷ ଫୁଲ୍ ବଡି ଚେକଅପ କରିଲେଣି? ଆମ ପାଖରେ ଗୋଟେ ନୂଆ ଆକର୍ଷଣୀୟ ପ୍ୟାକେଜ ଅଛି ସାର୍, ପୁଣି ବରିଷ୍ଠ ନାଗରିକମାନଙ୍କ ପାଇଁ ଖାସ୍ ରିହାତି ସହ।’’ ଆପଣ କହିଲେ, ଭଗବାନଙ୍କ କୃପାରୁ ଶରୀର ଭଲ ଅଛି, ହେଲେ ସେମାନେ ଆଶ୍ୱସ୍ତ ହୋଇପାରନ୍ତି ନାହିଁ। ଦେହ ଭଲ ଅଛି ବୋଲି ତ ଯାଞ୍ଚ କରାଇନେବା ଆହୁରି ଜରୁରି ହୋଇପଡ଼େ। କିଏ ଜାଣେ, ଶରୀରର ଅଭ୍ୟନ୍ତରରେ କୌଣସି ଅଶୁଭ ଶକ୍ତି ନିଃଶବ୍ଦରେ ବସା ବାନ୍ଧିଲାଣି କି ନାହିଁ। ସେମାନଙ୍କର ପ୍ୟାକେଜ ନେଲେ ଅନ୍ତତଃ ସେହି ଅଶୁଭ ଶକ୍ତିକୁ ଭୟଙ୍କର ରୂପ ନେବା ପୂର୍ବରୁ ଖୋଜି ବାହାର କରିବାର ଏକ ସୁଯୋଗ ପାଇଯିବେ।
ଏ ଭିତରେ ଆଉ ଜଣେ ଫୋନ କରି ଜଣାଇଲେ, ସହରରେ ଗୋଟେ ନୂଆ ଆପାର୍ଟମେଣ୍ଟ ପ୍ରକଳ୍ପ ଆରମ୍ଭ ହୋଇଛି। ଆପଣ ସେଥିରୁ ଗୋଟିଏ ଆପାର୍ଟମେଣ୍ଟ ବୁକ୍ କରିବାକୁ ଚାହାନ୍ତି କି? ଆପଣଙ୍କର ସହରରେ ଆଉ ଦୁଇଟି ଘର ଥିଲେ ବି କିଛି ଅସୁବିଧା ନାହିଁ, ବିନିଯୋଗ ପାଇଁ ଆଉ ଗୋଟିଏ କିଣି ପାରନ୍ତି। ଆପଣଙ୍କର ସାମର୍ଥ୍ୟ ବିଷୟରେ ଜାଣିବା ପୂର୍ବରୁ ସେମାନେ ଆପଣଙ୍କର ଭବିଷ୍ୟତ ସମ୍ପତ୍ତି ଓ ଏହାର ବର୍ଦ୍ଧିତ ଫାଇଦା କଳନା କରିସାରିଲେଣି। ପୁଣି କିଏ କହିଲାଣି ସେଆର ବଜାରରେ ଏବେ ଯାଏଁ ନିବେଶ ନ କରି ଆପଣ ଜୀବନର ଏକ ବିରାଟ ସୁଯୋଗକୁ ହାତଛଡ଼ା କରିଦେଉଛନ୍ତି। ଆଉ ଜଣେ ମନେ ପକାଇଦେଲା ଯେ ଆପଣଙ୍କର କ୍ରେଡିଟ କାର୍ଡର ଖର୍ଚ୍ଚ ସୀମା ବଢ଼ାଯିବାର ନିଷ୍ପତ୍ତି ନିଆଯାଇଛି, ଆପଣ ଖାଲି ହଁ ଭରିଲେ ନୂଆ କାର୍ଡଟି ପଠାଇ ଦିଆଯିବ। ଅର୍ଥାତ୍ ଆପଣ ଯେତେ ଖର୍ଚ୍ଚ କରନ୍ତି, ତା’ଠାରୁ ଅଧିକ ଖର୍ଚ୍ଚ କରିବାର ସୁଯୋଗ କରିଦେବା ସତେ ଯେମିତି ସେହି ହିତୈଷୀଜଣକର ଜୀବନର ଏକମାତ୍ର ଲକ୍ଷ୍ୟ।
ଏମାନଙ୍କର କଲ୍ୟାଣକାରୀ ଉଦ୍ୟୋଗ ଯେମିତି ଅନ୍ତହୀନ। କିଏ ଆପଣଙ୍କ ଘରେ ଜଳ ପରିଶୋଧନ କରିବାକୁ ଚାହୁଁଛି, ଆଉ କିଏ ଏହାର ବାୟୁ ସଂଚାଳନକୁ ବିଶୁଦ୍ଧ କରିବାକୁ। କିଏ ଆପଣଙ୍କର ଦାନ୍ତର ଯତ୍ନ ନେବାକୁ ଆଗ୍ରହୀ ତ କିଏ ଆପଣଙ୍କ ଚୂଳର। କିଏ ପୁଣି ଆପଣଙ୍କ ସନ୍ତାନର ଭବିଷ୍ୟତକୁ ନେଇ ଏତେ ଚିନ୍ତିତ ଯେ ପିଲାଟି କ’ଣ ହେବାକୁ ଚାହେ, ତାହା ବୁଝିବା ପୂର୍ବରୁ ତାକୁ ବିଦେଶରେ ପାଠ ପଢ଼ାଇବାର ପରିକଳ୍ପନା ସବୁ କରିସାରିଲେଣି। ଆପଣଙ୍କର ଇଂରେଜୀ ଉଚ୍ଚାରଣ ଭଲ ନୁହେଁ? ଅନଲାଇନ କୋର୍ସ ସବୁ ଅଛି ଆମ ପାଖରେ। ଏମିତି କି ଆପଣଙ୍କୁ ଯଦି ଜୀବନରେ ନିର୍ମଳ ସୁଖ ମିଳୁନି, ତେବେ ସୁଖୀ ହେବାର ପ୍ୟାକେଜ ବି ସେମାନଙ୍କ ପାଖରେ ଅଛି।
ଶୁଭେଚ୍ଛୁମାନଙ୍କ ଗହଣରେ ରହିବା ତ ବେଶ୍ ଭଲ କଥା, ଏଥିରେ ପୁଣି ଅସୁବିଧା କ’ଣ? ଅସୁବିଧା କେବଳ ଗୋଟିଏ- ଏହି ବିପୁଳ ଶୁଭାକାଙ୍କ୍ଷୀ ବାହିନୀ ନିକଟରେ ଆମ ବ୍ୟକ୍ତିଗତ ସମୟର କାଣିଚାଏ ବି ମୂଲ୍ୟ ନାହିଁ। ଆମେ ବ୍ୟସ୍ତ କି ନାହିଁ, ଶୋଇଛୁ କି ନାହିଁ, ଡାକ୍ତରଖାନାରେ ଅଛୁ ନା ଭିଡ଼ ରାସ୍ତାରେ, ଏସବୁ ସେମାନଙ୍କ ପାଇଁ ବିବେଚନାର ବିଷୟ ନୁହେଁ। ତାଙ୍କ ପାଖରେ ଆମ ଜୀବନଟା ଗୋଟେ ଅସମାପ୍ତ ପ୍ରକଳ୍ପ, ଯେଉଁଥିରେ ପ୍ରତିନିୟତ କିଛି ନା କିଛି ଉନ୍ନତି ଅଣାଯିବା ପ୍ରୟୋଜନ। ସେମାନେ ଯେମିତି ଭାବନ୍ତି ଆମେ ନିଜ ନିଜର ଜୀବନ ପରିଚାଳନା କରିବାକୁ ଅଯୋଗ୍ୟ। ତେଣୁ କେହି ଆମର ସ୍ୱାସ୍ଥ୍ୟ କଥା ବୁଝିବେ, କିଏ ଆମର ସମ୍ପତ୍ତି, କିଏ ଆମର ଭବିଷ୍ୟତ, ଆଉ ବାକି ଅନ୍ୟମାନେ ଦାୟିତ୍ୱ ନେବେ ଆମର ଆଧ୍ୟାତ୍ମିକ ଉନ୍ନତିର। ତେବେ ଏସବୁ ଭିତରେ ଗୋଟିଏ ଆଶ୍ୱାସନା ଲୁଚି ରହିଛି- ଏତେବଡ଼ ପୃଥିବୀରେ ଆମେ ସମ୍ପୂର୍ଣ୍ଣ ଏକୁଟିଆ ନୋହୁଁ। ଆମର ସ୍ୱାସ୍ଥ୍ୟ, ଘରଦ୍ୱାର, ଅର୍ଥାଗତ ସମସ୍ୟା, ଏମିତିକି ଆମର ପରକାଳ ବିଷୟରେ କିଏ ନ କିଏ ଚିନ୍ତା କରୁଛି। କେବଳ ଗୋଟିଏ ସମସ୍ୟା: ଏହି ଶୁଭାକାଙ୍କ୍ଷୀମାନେ କେବେବି ଜାଣିବାକୁ ଚାହାନ୍ତି ନାହିଁ, ଆମେ ତାଙ୍କର ସାହାଯ୍ୟ ଚାହୁଛୁ କି ନାହିଁ!
ହୁଏତ ଦିନେ ଏମିତି ଫୋନ ବି ଆସିପାରେ, ‘‘ସାର୍, ଆପଣ କ’ଣ ଏବେବି ନିଜ ଜୀବନ ନିଜେ ଚଳାଉଛନ୍ତି? କାହିଁକି ସେ ଜଞ୍ଜାଳ ଧରି ବସିଛନ୍ତି ଆଜ୍ଞା? ଆମ ପାଖରେ ଗୋଟେ ବିଶେଷ ପ୍ୟାକେଜ ଅଛି। ଆପଣଙ୍କର ସମ୍ପୂର୍ଣ୍ଣ ଜୀବନର ପରିଚାଳନାର ଦାୟିତ୍ୱ ଆମେ ନେଇ ପାରିବୁ।’’ ସେତେବେଳେ ଆପଣ କହିବେ, ‘‘ଅବଶ୍ୟ, ସତକଥା। ତେବେ ପ୍ରଥମେ ଟିକେ ଭଲରେ ଶୋଇପଡ଼େ। ନିଦରୁ ଉଠି ପୁଣି ଆପଣଙ୍କ ସାଙ୍ଗରେ କଥା ହେବି।’’ ଆଉ ଠିକ୍ ପରେ ପରେ ଆଉ ଗୋଟେ ଫୋନ ଆସିବ ଓ ଜଣେ କହିବେ, ‘‘ସାର୍, ଆପଣଙ୍କ ନିଦର ମାନ ସନ୍ତୋଷଜନକ ତ? ଆମର ସ୍ଲିପ ମେନେଜମେଣ୍ଟ ପ୍ୟାକେଜ ଟିକେ ଆପଣେଇ ଦେଖନ୍ତୁ ନା! ପ୍ରଥମ ମାସ ପାଇଁ ଅଫରଟି ସମ୍ପୂର୍ଣ୍ଣ ମାଗଣା।’’
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୮୯୬୫୫

1 hour ago
1


