Brass Industry in Crisis: ସଂକଟରେ ବାଳକାଟି କଂସା ପିତ୍ତଳ ଶିଳ୍ପ: କଞ୍ଚାମାଲର ଅଭାବ ଶାଳ ପାଇଁ ସମସ୍ୟା

23 hours ago 1
ARTICLE AD BOX

ବାଲିଅନ୍ତା: ଓଡ଼ିଶାର ପାରମ୍ପରିକ କୁଟୀର ଶିଳ୍ପ ମଧ୍ୟରେ କଂସା ଓ ପିତ୍ତଳ ବାସନ ଶିଳ୍ପର ରହିଛି ସ୍ୱତନ୍ତ୍ର ପରିଚୟ। ଖୋର୍ଦ୍ଧାଜିଲ୍ଲା ବାଲିଅନ୍ତା ବ୍ଲକ୍‌ ବାଳକାଟି (ରଥିଜମା) କଂସା ଓ ପିତ୍ତଳ ସାମଗ୍ରୀ ନିର୍ମାଣ ପାଇଁ ବେଶ୍ ପ୍ରସିଦ୍ଧ। ଏଠାକାର କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ କଂସାପିତ୍ତଳ ସାମଗ୍ରୀ କେବଳ ଓଡ଼ିଶାର ଗଞ୍ଜାମ, ବ୍ରହ୍ମପୁର, ପୁରୀ, କଟକ, ଖୋର୍ଦ୍ଧା ଜିଲ୍ଲା ଭଳି ରାଜ୍ୟର ଅନ୍ୟ ଜିଲ୍ଲାରେ ଯେ ପ୍ରସିଦ୍ଧି ଲାଭ କରିଛି ତାହା ନୁହେଁ, ସୁଦୂର ଦିଲ୍ଲୀ, କର୍ଣ୍ଣାଟକ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଏବଂ କଲିକତା ଭଳି ସହରରେ ମଧ୍ୟ ବେଶ୍‌ ଚାହିଦା ରହିଛି। 

ଘରେ ବ୍ୟବହାର ପାଇଁ ବେଲା, ଥାଳି, ଗିନା, ଢାଳ, ହାଣ୍ଡି ଭଳି କଂସାବାସନଠାରୁ ଆରମ୍ଭ କରି ଦେବଦେବୀଙ୍କ ମୂର୍ତ୍ତି, ଘଣ୍ଟଘଣ୍ଟି, ଘର ଭିତରର ସାଜସଜ୍ଜା ସାମଗ୍ରୀ, ଫୁଲଦାନି ହେଉ କିମ୍ବା  ମୋବାଇଲ, ପେନ୍‌ଷ୍ଟାଣ୍ଡ ଭଳି ବିଭିନ୍ନ ଉପଯୋଗୀ ସାମଗ୍ରୀ ଏଠାରେ ତିଆରି ହୋଇଥାଏ। ସକାଳ ହେବା ମାତ୍ରେ ଗାଁର ବିଭିନ୍ନ କାରିଗରଙ୍କ ଘରୁ ଶୁଭେ ଠନ୍ ଠନ୍ ଓ ଝନ୍ ଝନ୍ ଶବ୍ଦ। କିଏ  ଚୂଲାରେ କଞ୍ଚାମାଲ ପକାଇ ତରଳାଏ ତ କିଏ ଏକାଧିକ କାରିଗରଙ୍କ ମିଶି ହାତୁଡ଼ା ସାହାଯ୍ୟରେ ପିଟିପିଟି ତରଳା ଧାତୁ ଟାଣ ହେବା ପରେ ତାକୁ ପିଟିପିଟି ପ୍ଲେଟ୍‌ ତିଆରି କରିଥାଏ, ଆଉ ୫ରୁ ଅଧିକ କାରିଗର ଫାଇଲ ସାହାଯ୍ୟରେ ଘଷି ଘଷି କଂସା ପିତ୍ତଳକୁ ଚିକ୍‌କଣ କରିଥାନ୍ତି। କିଏ ବଡ଼ ବଡ଼ ପତିକୁ କାଟି ମେସିନରେ ପୂରାଇ ଢାଳ, ଗିନା ଆଦି ସାମଗ୍ରୀ ତିଆରି କରିଥାଏ ତ ପୁଣି ଆଉ କେଉଁ କାରିଗର ଥାଳି ଉପରେ ଜଗନ୍ନାଥ, ଲକ୍ଷ୍ମୀ, ଗଣେଶ ଚିତ୍ର ଆଙ୍କେ।

କଞ୍ଚାମାଲର ଅଭାବ ଶାଳ ପାଇଁ ସମସ୍ୟା
କାରିଗରଙ୍କୁ ମିଳୁନି ସରକାରୀ ପ୍ରୋତ୍ସାହନ

ଆଉ କିଏ ଅର୍କକ୍ଷେତ୍ର କୋଣାର୍କର ଚିତ୍ର ଆଙ୍କିବା ପରେ ତା’ ଉପରେ ରଙ୍ଗ ଦେଇଥାଏ। ଏହି ଶବ୍ଦ ହିଁ ଗ୍ରାମର ପାରମ୍ପରିକ କୁଟୀର ଶିଳ୍ପର ପରିଚୟ ବୋଲି ଯେ କେହି ପ୍ରଥମେ ଗାଁରେ ପଶୁ ପଶୁ ଅନୁମାନ କରିପାରିବ। ତେବେ ବର୍ତ୍ତମାନ ଏହି ପାରମ୍ପରିକ କୁଟୀର ଶିଳ୍ପ ନାନା ସମସ୍ୟା ଦେଇ ଗତି କରୁଥିବାରୁ ଶାଳ ସଂଖ୍ୟା ବହୁତ କମିଗଲାଣି। ପାଖାପାଖି ୨୦ରୁ ୩୦ ବର୍ଷ ତଳେ ଗାଁରେ ୧ଶହରୁ ଅଧିକ ଶାଳ ଚାଲିଥିବା ବେଳେ ଏବେ ୧୫ରୁ ୨୦ଟି ଶାଳ ଚାଲିଛି। ଏସବୁ ସାମଗ୍ରୀ ତିଆରି ପାଇଁ ବ୍ୟବହୃତ ବିଭିନ୍ନ କଞ୍ଚାମାଲ, ତଥା ରଙ୍ଗ ଭଳି ସାମଗ୍ରୀର ଅଧିକ ମୂଲ୍ୟବୃଦ୍ଧି, ଉତ୍ପାଦନ ଖର୍ଚ୍ଚ ବୃଦ୍ଧି, ବଜାରରେ ଉପଯୁକ୍ତ ଚାହିଦା ଓ ବିକ୍ରିବଟା ଅଭାବ କାରିଗରମାନଙ୍କ ଜୀବନଜୀବିକାକୁ ପ୍ରଭାବିତ କରୁଛି। ଲୁହ-ରକ୍ତ ବୁହାଇ କଂସାପିତ୍ତଳ ଜିନିଷ ତିଆରି କରୁଥିବା କାରିଗର ପରିବାର ଚଳାଇବା କଷ୍ଟକର ହୋଇପଡୁଛି। ସେମାନଙ୍କୁ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଉପଯୁକ୍ତ ପ୍ରୋତ୍ସାହନ ମିଳିପାରୁନାହିଁ। ଏବେ ସୁଦ୍ଧା ପକ୍କା ଘର ଖଣ୍ଡେ ପାଇବାରୁ ଅନେକ କାରିଗର ବଞ୍ଚିତ। ସରକାରୀ ପ୍ରୋତ୍ସାହନ ଓ ଆର୍ଥିକ ସହାୟତାର ଅଭାବ ଯୋଗୁ ଅନେକ କାରିଗର ଆର୍ଥିକ ଦୁର୍ଦ୍ଦଶାରେ ରହିଛନ୍ତି।

କାରିଗରମାନଙ୍କ କହିବା ଅନୁଯାୟୀ, ସରକାର ଯଦି କଞ୍ଚାମାଲ ଯୋଗାଣ, ସହଜ ଋଣ, ଆଧୁନିକ ଯନ୍ତ୍ରପାତି, ବଜାର ସୁବିଧା ଓ ଉତ୍ପାଦିତ ସାମଗ୍ରୀର ବିକ୍ରି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରନ୍ତେ, ତେବେ ଏହି ଶିଳ୍ପର ବିକାଶ ସହ କାରିଗରମାନଙ୍କ ଜୀବନଧାରଣର ମାନରେ ଉନ୍ନତି ଆସିପାରନ୍ତା। ଅନ୍ୟପକ୍ଷରେ, କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ କଂସାପିତ୍ତଳ ଜିନିଷପତ୍ର ସବୁକୁ ବେପାରୀ ବହୁତ ଶସ୍ତାରେ କିଣି ଅଧିକ ମୁନାଫା ଉଠାଉଛନ୍ତି। ଓଡ଼ିଶାର ଏହି ପାରମ୍ପରିକ କଳା ଓ କାରିଗରୀକୁ ବଞ୍ଚାଇ ରଖିବା ପାଇଁ କାରିଗରମାନଙ୍କ ଜୀବନ ଜୀବିକା ସୁରକ୍ଷା ପାଇଁ ସରକାରୀ ସ୍ତରରେ ଆଖିଦୃଶିଆ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ନଚେତ୍ ଧୀରେ ଧୀରେ ଏହି ପୁରାତନ କୁଟୀର ଶିଳ୍ପ ତା’ର ଗୌରବ ହରାଇବାର ଆଶଙ୍କା ରହିଛି ବୋଲି ବୁଦ୍ଧିଜୀବୀ ମହଲ ଅନୁମାନ କରିଛନ୍ତି। ଅପରପକ୍ଷରେ, ଏନେଇ କଂସାରୀ ପରିବାର ବିକାଶ ପରିଷଦ ସଭାପତି ବୈଷବ ମହାରଣାଙ୍କୁ ଯୋଗାଯୋଗ କରାଯିବାରେ, ଏହି ବୃତ୍ତିରେ କଞ୍ଚାମାଲ ସମସ୍ୟା ଲାଗି ରହିଛି; କାରିଗରଙ୍କ ଦକ୍ଷତା ବୃଦ୍ଧି ଲାଗି ସରକାରଙ୍କ ପକ୍ଷରୁ କର୍ମଶାଳା ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦିଆଯିବା ସହ ପ୍ରୋତ୍ସାହନ ରାଶିର ଆବଶ୍ୟକତା ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.