ARTICLE AD BOX
ନୂଆଦିଲ୍ଲୀ: ଭାରତ ସରକାର ବୈଦେଶିକ ସଚିବ ବିକ୍ରମ ମିସ୍ରିଙ୍କ କାର୍ଯ୍ୟକାଳ ବଢ଼ାଇଛନ୍ତି। ସେ ଜୁଲାଇ ୧୪ରେ ଅବସର ନେବାର ଥିଲା। କିନ୍ତୁ ସାମ୍ପ୍ରତିକ ଆବଶ୍ୟକତା ଦୃଷ୍ଟିରୁ ତାଙ୍କୁ ସେବାରେ ବଜାୟ ରଖିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କର୍ମଚାରୀ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ପକ୍ଷରୁ ଜାରି ଆଦେଶ ଅନୁଯାୟୀ, ଅଗଷ୍ଟ ୩୧ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସେ ବୈଦେଶିକ ସଚିବ ଭାବେ କାର୍ଯ୍ୟ କରିବେ।
ବିକ୍ରମ ମିସ୍ରିଙ୍କ କାର୍ଯ୍ୟକାଳ ବୃଦ୍ଧିକୁ କୂଟନୈତିକ ମହଲରେ ବେଶ ଗୁରୁତ୍ୱ ଦିଆଯାଉଛି। କାରଣ, ଚଳିତ ମାସରେ ନୂଆଦିଲ୍ଲୀରେ ବ୍ରିକ୍ସ ନେତାମାନଙ୍କ ଶିଖର ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ଏହି ଉଚ୍ଚସ୍ତରୀୟ ଆନ୍ତର୍ଜାତିକ ସମ୍ମିଳନୀର ପ୍ରସ୍ତୁତି ଓ ବିଭିନ୍ନ କୂଟନୈତିକ ଆଲୋଚନାରେ ତାଙ୍କର ଅଭିଜ୍ଞତା ଦେଶ ପାଇଁ ସହାୟକ ହେବ ବୋଲି ସରକାର ମନେ କରୁଛନ୍ତି।
ଆହୁରି ପଢନ୍ତୁ: Tamil Nadu Gas Leak Tragedy ତାମିଲନାଡ଼ୁ ଗ୍ୟାସ୍ଲିକ୍ ଘଟଣା: ୧୪ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଦଲାଲ ଉପରେ କାର୍ଯ୍ୟାନୁଷ୍ଠାନ କେବେ?
୧୯୮୯ ବ୍ୟାଚ୍ର ଭାରତୀୟ ବୈଦେଶିକ ସେବା (ଆଇଏଫ୍ଏସ୍) ଅଧିକାରୀ ବିକ୍ରମ ମିସ୍ରି ୨୦୨୪ ଜୁଲାଇ ୧୫ରେ ବୈଦେଶିକ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ପୂର୍ବରୁ ସେ ଚୀନ୍, ସ୍ପେନ୍ ଓ ମ୍ୟାମାରରେ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିଲେ। ଏହାଛଡ଼ା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ। ବିଦେଶ ନୀତି ଓ କୂଟନୈତିକ ବ୍ୟବସ୍ଥାପନା କ୍ଷେତ୍ରରେ ତାଙ୍କର ଦୀର୍ଘ ଅନୁଭବ ରହିଛି। ତାଙ୍କ କାର୍ଯ୍ୟକାଳରେ ଭାରତ ଅନେକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପରିସ୍ଥିତିର ସାମ୍ନା କରିଛି। ବିଶେଷକରି ‘ଅପରେସନ ସିନ୍ଦୂର’ ସମୟରେ ଭାରତର ଆଭିମୁଖ୍ୟକୁ ଆନ୍ତର୍ଜାତିକ ସ୍ତରରେ ସ୍ପଷ୍ଟ କରିବାରେ ସେ ସକ୍ରିୟ ଭୂମିକା ନିଭାଇଥିଲେ। ବିଭିନ୍ନ ଦେଶ ସହ ସମନ୍ୱୟ ରକ୍ଷା ଏବଂ ଭାରତର କୂଟନୈତିକ ସ୍ୱାର୍ଥକୁ ସୁରକ୍ଷିତ ରଖିବାରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଳନ କରିଛନ୍ତି।

1 hour ago
1


