Bank: ବିରଳ ବ୍ୟାଙ୍କ୍‌: ଏଠି ଅର୍ଥ ନୁହେଁ, ମିଳେ ଅମୃତ

1 hour ago 1
ARTICLE AD BOX

ନବଜାତ ଶିଶୁ ପାଇଁ ମା’ କ୍ଷୀର ହେଉଛି ଅମୃତତୁଲ୍ୟ, ଯାହା ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଜୀବନରକ୍ଷା କରିଥାଏ। ଜନ୍ମରୁ ୧୦୦୦ ଦିନ ପର୍ଯ୍ୟନ୍ତ ମା’ କ୍ଷୀର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ତେବେ ଅନେକ ସମୟରେ ମାଆର ଅସୁସ୍ଥତା, ମୃତ୍ୟୁ କିମ୍ବା ଅକାଳ ପ୍ରସବ ଯୋଗୁଁ କିଛି ଅସହାୟ ଶିଶୁ ଏହି ପୋଷଣରୁ ବଞ୍ଚିତ ହୁଅନ୍ତି। ଏହିଭଳି ଜଟିଳ ସମସ୍ୟାର ସମାଧାନ ପାଇଁ ‘ମା’ କ୍ଷୀର ବ୍ୟାଙ୍କ୍’ ଏକ ବୈପ୍ଳବିକ ପଦକ୍ଷେପ ସଦୃଶ କାର୍ଯ୍ୟ କରୁଛି। ଯେପରି ରକ୍ତ ବ୍ୟାଙ୍କ୍ ରକ୍ତ ଦେଇ ଜୀବନ ବଞ୍ଚାଏ, ଠିକ୍ ସେହିପରି ଏହି ବ୍ୟାଙ୍କ୍ ସ୍ବେଚ୍ଛାକୃତ ଭାବେ ସଂଗୃହୀତ ମାତୃଦୁଗ୍ଧକୁ ବୈଜ୍ଞାନିକ ପଦ୍ଧତିରେ ସୁରକ୍ଷିତ ରଖି ଶିଶୁମାନଙ୍କ ଜୀବନ ରକ୍ଷା କରିଥାଏ। ଓଡ଼ିଶା ସରକାର ମଧ୍ୟ ଶିଶୁ ମୃତ୍ୟୁହାର ହ୍ରାସ କରିବା ଲକ୍ଷ୍ୟରେ ଏଭଳି ଏକ ବ୍ୟାଙ୍କ୍ ପ୍ରତିଷ୍ଠା କରିଛନ୍ତି। ଏହି ବ୍ୟାଙ୍କ୍‌କୁ ନେଇ ଏଥରର ପ୍ରଚ୍ଛଦ ପ୍ରସଙ୍ଗ।
ଉପସ୍ଥାପନା: ପ୍ରଗତି ସାହୁ

ନବଜାତ ଶିଶୁ ପାଇଁ ମା’ କ୍ଷୀର କେବଳ ଏକ ଖାଦ୍ୟ ନୁହେଁ, ଏହା ହେଉଛି ମା’ର ଅଫୁରନ୍ତ ପ୍ରେମ, ସୁରକ୍ଷା ଓ ପୃଥିବୀରେ ବଞ୍ଚି ରହିବାର ପ୍ରଥମ ସାଧନ। ସ୍ତନ୍ୟପାନ କେବଳ ଶାରୀରିକ ପୋଷଣ ନୁହେଁ ବରଂ ଏହା ମା’ ଓ ସନ୍ତାନ ମଧ୍ୟରେ ଥିବା ଅତି ପବିତ୍ର ଓ ଭାବପୂର୍ଣ୍ଣ ବନ୍ଧନ। ଶିଶୁଟିଏ ଜନ୍ମ ହେବାପରେ ମା’ର ପ୍ରଥମ ହଳଦିଆ କ୍ଷୀର ଶିଶୁର ସୁରକ୍ଷା କବଚ। ଜଣେ ମା’ ଯେତେବେଳେ ନିଜ ସନ୍ତାନକୁ ଛାତିରେ ଲଗାଇ ସ୍ତନ୍ୟପାନ କରାଏ, ତା’ର ହୃଦ୍‌ସ୍ପନ୍ଦନ ଶୁଣି ଶିଶୁଟି ସୁରକ୍ଷିତ ଅନୁଭବ କରିଥାଏ। ଏହି ସମୟରେ ଉଭୟଙ୍କ ମଧ୍ୟରେ ଯେଉଁ ଭାବଗତ ଆଦାନପ୍ରଦାନ ହୁଏ, ତାହା ପୃଥିବୀରେ ଅନ୍ୟ କୌଣସି ସମ୍ପର୍କରେ ମିଳେନାହିଁ। ମା’ କ୍ଷୀର ଶିଶୁର କେବଳ ଶରୀର ଗଠନ କରେନାହିଁ, ବରଂ ମା’ର ମମତା ଓ ଆଶୀର୍ବାଦକୁ ଶିଶୁର ପ୍ରତିଟି କୋଷରେ ସଞ୍ଚରିତ କରାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଦତ୍ତ ତଥ୍ୟ ଅନୁସାରେ, ମା’ କ୍ଷୀର ଖାଇ ବଡ଼ ହୋଇଥିବା ଶିଶୁର ବୁଦ୍ଧିମତ୍ତା ଅନ୍ୟ ଶିଶୁଠାରୁ ଅଧିକ। ଜନ୍ମ ହେବାର ପ୍ରଥମ ୬ ମାସ ପର୍ଯ୍ୟନ୍ତ ମା’ କ୍ଷୀର ଶିଶୁ ପାଇଁ ନିହାତି ଜରୁରି। ହେଲେ, ପରିତାପର ବିଷୟ ବିଭିନ୍ନ କାରଣ ହେତୁ ଓଡ଼ିଶା ସମେତ ଦେଶର ଅନ୍ୟ ରାଜ୍ୟରେ ଏବେ ସ୍ତନ୍ୟପାନ ହାର ଧୀରେ ଧୀରେ ଖସିବାରେ ଲାଗିଛି। ବହୁ ଶିଶୁ ମା’ କ୍ଷୀର ପା‌ଇବାରୁ ବଞ୍ଚିତ ହେଉଛନ୍ତି। ଏହି ଅଭାବକୁ ପୂରଣ କରିବା ଲାଗି ସରକାରୀ ଓ ବେସରକାରୀ ଉଦ୍ୟମରେ ଖୋଲା ଯାଇଛି ମା’ କ୍ଷୀର ବ୍ୟାଙ୍କ୍‌। ଏଠାରେ ସଂଗୃହୀତ  କ୍ଷୀର ସେଇ ଶିଶୁମାନଙ୍କ ଲାଗି ଉଦ୍ଦିଷ୍ଟ ଯେଉଁମାନେ ବଞ୍ଚିବା ଲାଗି ମା’କ୍ଷୀର ଆବଶ୍ୟକ କରୁଥିଲେ ହେଁ ପାଇପାରନ୍ତି ନାହିଁ।    

 
ମା’ କ୍ଷୀର ବ୍ୟାଙ୍କ୍‌ କାହିଁକି ଜରୁରି?
ଆମେ ସମସ୍ତେ ବ୍ଲଡ୍‌ ବ୍ୟାଙ୍କ୍‌ ବା ରକ୍ତଭଣ୍ଡାର ବିଷୟରେ ଭଲ ଭାବେ ଅବଗତ। ଏଠାରେ ଯେଭଳି ଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରାଯାଇ ସଂରକ୍ଷିତ ହୋଇ ରଖାଯାଇଥାଏ ଏବଂ ଆବଶ୍ୟକ କରୁଥିବା ରୋଗୀଙ୍କୁ ଦିଆଯାଏ, ଠିକ୍‌ ସେଇ ଢାଞ୍ଚାରେ ମା’ କ୍ଷୀର ବ୍ୟାଙ୍କ୍‌ ବି କାମ କରେ। କିନ୍ତୁ ରକ୍ତ ସଂପର୍କରେ ସଚେତନତା ବ୍ୟାପକ ହୋଇଥିବା ବେଳେ ମା’କ୍ଷୀର ସଂଗ୍ରହ ଓ ସଂରକ୍ଷଣ ବାବଦରେ ସାଧାରଣ ଲୋକ ଭଲ ଭାବେ ଅବଗତ ନୁହନ୍ତି। ଡାକ୍ତରଙ୍କ କହିବା ଅନୁସାରେ, ଯେଉଁ ମା’ମାନଙ୍କର ପର୍ଯ୍ୟାପ୍ତ କ୍ଷୀର ହୁଏନାହିଁ କିମ୍ବା ଶିଶୁ ଜନ୍ମପରେ ଶାରୀରିକ ଅସୁସ୍ଥତା ହେତୁ ମା’ କ୍ଷୀର ପାଇପାରେ ନାହିଁ, ଅଥବା ପିଲା ଜନ୍ମ ଦେବା ପରେ ମା’ର ମୃତ୍ୟୁ ହୋଇଥାଏ, ସେଭଳି କ୍ଷେତ୍ରରେ ମା’ କ୍ଷୀର ବ୍ୟାଙ୍କ୍‌ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଏ। ନବଜାତ ଶିଶୁ ପାଇଁ ମା’କ୍ଷୀର ନିହାତି ଜରୁରୀ, କାରଣ ଶିଶୁର ବଞ୍ଚିବା ଓ ବଢ଼ିବା ଏହା ଉପରେ ନିର୍ଭରଶୀଳ। କେତେକ କର୍ମଜୀବୀ ମହିଳା କାର୍ଯ୍ୟବ୍ୟସ୍ତତା ପାଇଁ ଶିଶୁକୁ ସମୟାନୁସାରେ ସ୍ତନ୍ୟପାନ କରାଇପାରି ନଥାନ୍ତି। ସେମାନେ କ୍ଷୀରକୁ ଫ୍ରିଜର୍‌ରେ ସଂରକ୍ଷିତ କରି ପିଆଇ ଥାଆନ୍ତି। ଏହାକୁ ଏକ୍ସପ୍ରେସ୍‌ ବ୍ରେଷ୍ଟ୍‌ମିଲ୍‌କ୍‌ କୁହାଯାଏ। ଏଥିପାଇଁ ମା’ କ୍ଷୀରକୁ ବାହାର କରି ସଫା ଷ୍ଟିଲ୍‌ପାତ୍ରରେ ଭର୍ତ୍ତି କରି ସିଲ୍‌ କରି ରଖାଯାଏ। ଏହାକୁ ଘରର ତାପମାତ୍ରା ଅନୁଯାୟୀ ୪ରୁ ୬ ଘଣ୍ଟା ଭିତରେ ପିଲାକୁ ଖାଇବାକୁ ଦିଆଯାଇପାରିବ। ଏଭଳି ବ୍ୟବସ୍ଥା ଯେଉଁଠି ସମ୍ଭବ ହୁଏନାହିଁ, ସେଠାରେ ପିଲାକୁ ମିଲ୍କ୍‌ ବ୍ୟାଙ୍କ୍‌ର ସହାୟତାରେ ମା’ କ୍ଷୀର ଦେବା ନିହାତି ଦରକାର ବୋଲି କହନ୍ତି ପିଜିଆଇଏମ୍‌ଇଆର୍‌ ଓ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ର ପୂର୍ବତନ ସହକାରୀ ପ୍ରଫେସର ତଥା ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଆଶା ପ୍ରକାଶ ମହାପାତ୍ର। ତାଙ୍କ ମତାନୁସାରେ, ମସ୍ତିଷ୍କ ବିକାଶ ହେବାର ସମୟ ଅର୍ଥାତ୍ ଜନ୍ମରୁ ୧୦୦୦ ଦିନ ପର୍ଯ୍ୟନ୍ତ ମା’ କ୍ଷୀର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ମା’ କ୍ଷୀର ଶିଶୁକୁ ଠିକ୍‌ ଭାବରେ ନ ଦିଆଗଲେ ଶିଶୁର ୨୫% ବିକାଶ ହୋଇଥାଏ। ମା’ କ୍ଷୀରରେ ଆଇରନ୍, ଭିଟାମିନ୍‌-ଡି-୩ ଓ ଭିଟାମିନ୍-କେ ପର୍ଯ୍ୟାପ୍ତ ପରିମାଣରେ ନ ଥାଏ। ଏଥିରେ ସନ୍ତୁଳନ ରକ୍ଷା କରିବା ପାଇଁ ଶିଶୁକୁ ଜନ୍ମ ହେବା ପରେ ଭିଟାମିନ୍-କେ ଇଞ୍ଜେକ୍‌ସନ୍‌, ଭିଟାମିନ୍-ଡି-୩ ଡ୍ରପ୍ ଓ ଆଇରନ୍ ଡ୍ରପ୍ ଦିଆଯାଏ।

adgdgddgd

କ୍ଷୀର ବ୍ୟାଙ୍କ୍‌ର ଜନ୍ମ କାହାଣୀ
ମିଲ୍‌କ ବ୍ୟାଙ୍କ୍‌ ଦୀର୍ଘ ଦଶନ୍ଧି ଧରି ସ୍ୱାସ୍ଥ୍ୟସେବାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେବାରେ ଲାଗିଛି। ବିଭିନ୍ନ କାରଣରୁ ମା’ କ୍ଷୀର ପାଇପାରୁ ନଥିବା ଶିଶୁ ପାଇଁ ଏହି ବ୍ୟାଙ୍କ୍‌ରେ ମା’ କ୍ଷୀର ସଂଗ୍ରହ, ପ୍ରକ୍ରିୟାକରଣ ଓ ସଂରକ୍ଷଣ କରାଯାଇଥାଏ। ମାତୃଦୁଗ୍ଧ ବ୍ୟାଙ୍କ୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ସମୟ ପୂର୍ବରୁ ଜନ୍ମିତ ଓ ଅସୁସ୍ଥ ଶିଶୁଙ୍କୁ ମା’ କ୍ଷୀରରେ ଥିବା ଆବଶ୍ୟକ ପୁଷ୍ଟିକର ଉପାଦାନ ଯୋଗାଇଦେବା। ଏହାବ୍ୟତୀତ ଶିଶୁ କିଭଳି ଆଣ୍ଟିବଡି ଗ୍ରହଣ କରିପାରିବ ତାହାକୁ ସୁନିଶ୍ଚିତ କରିବା। ତଥ୍ୟ କହେ, ୧୯୦୯ ମସିହାରେ ଅଷ୍ଟ୍ରିଆରେ ଡାକ୍ତର ଫ୍ରାଞ୍ଜ୍‌ ଫ୍ରେହେର୍‌ ଭନ୍ ରୋଷ୍ଟ୍‌ହର୍ଣ୍ଣଙ୍କ ଦ୍ୱାରା ବିଶ୍ବର ପ୍ରଥମ ମିଲ୍‌କ ବ୍ୟାଙ୍କ୍‌ ପ୍ରତିଷ୍ଠିତ ହୋଇଥିଲା।

ଯେଉଁ ଶିଶୁମାନେ ସେମାନଙ୍କ ମାଆଙ୍କଠାରୁ ସ୍ତନ୍ୟପାନ କରିବାରୁ ବଞ୍ଚିତ ହେଉଥିଲେ ସେମାନଙ୍କୁ ନିରାପଦ ଓ ପ୍ରକ୍ରିୟାକୃତ କ୍ଷୀର ଯୋଗାଇବା ପାଇଁ ଏହା ସୃଷ୍ଟି କରାଯାଇଥିଲା। ଏହାର ସଫଳତା ପରେ ଅନେକ ଦେଶ ନିଜସ୍ୱ ମାତୃଦୁଗ୍ଧ ବ୍ୟାଙ୍କ୍‌ ପ୍ରତିଷ୍ଠା ଆରମ୍ଭ କଲେ। ଯୁକ୍ତରାଷ୍ଟ୍ର ଆମେରିକାରେ ୧୯୧୯ ମସିହାରେ ମା’କ୍ଷୀର ବ୍ୟାଙ୍କ୍‌ ଖୋଲିଥିଲା। ଏହା ପରେ ଫ୍ରାନ୍ସ, କାନାଡା ଓ ଅନ୍ୟାନ୍ୟ ବହୁ ଦେଶ ଏହାକୁ ଆପଣାଇଥିଲେ। ଅଧ୍ୟୟନରୁ ଜଣାପଡ଼ିଛି, ମା’ କ୍ଷୀର ପ୍ରି-ଟର୍ମ ବା ସମୟ ପୂର୍ବରୁ ଜନ୍ମିତ ଶିଶୁଙ୍କ ବୃଦ୍ଧି ଓ ବିକାଶ ପାଇଁ ଅତ୍ୟାବଶ୍ୟକ। ଏହା ରୋଗ ସଂକ୍ରମଣକୁ ମଧ୍ୟ ହ୍ରାସ କରିପାରେ। ଆଜିର ସମୟରେ ମିଲ୍‌କ୍‌ ବ୍ୟାଙ୍କ୍‌ରେ ଉପଲବ୍ଧ କ୍ଷୀରର ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ମାତୃଦୁଗ୍ଧ ବ୍ୟାଙ୍କ୍‌ଗୁଡ଼ିକ ଦାତାଙ୍କ ଯାଞ୍ଚ ଓ କ୍ଷୀର ପ୍ରକ୍ରିୟାକରଣ ପାଇଁ କଡ଼ା ନିର୍ଦ୍ଦେଶାବଳୀ ଅନୁସରଣ କରୁଛନ୍ତି। ଭାରତର ପ୍ରଥମ ମାନବ ଦୁଗ୍ଧ ବ୍ୟାଙ୍କ୍‌ ପ୍ରକୃତରେ ୧୯୮୯ ମସିହାରେ ମୁମ୍ବାଇର ସିଅନ୍ ହସ୍ପିଟାଲ୍‌ରେ ପ୍ରତିଷ୍ଠିତ ହୋଇଥିଲା। ଇଣ୍ଡିଆନ୍ ଏକାଡେମି ଅଫ୍ ପେଡିଆଟ୍ରିକ୍‌ସ (ଆଇଏପି) ପକ୍ଷରୁ ଦେଶରେ ମାନବ ଦୁଗ୍ଧ ବ୍ୟାଙ୍କ୍‌ଗୁଡ଼ିକର ପରିଚାଳନା ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଛି। ମାନକୀକରଣ ଓ ଗୁଣବତ୍ତା ନିୟନ୍ତ୍ରଣକୁ ପ୍ରୋତ୍ସାହିତ କରିବା ପାଇଁ ଆଇଏପି ଏକ ଜାତୀୟ ଦୁଗ୍ଧ ବ୍ୟାଙ୍କ୍‌ ପଞ୍ଜିକା ମଧ୍ୟ ପ୍ରକାଶ କରିଛି। କିଛିବର୍ଷ ପୂର୍ବରୁ ଦେଶରେ ମାତ୍ର ୩୪ଟି ଦୁଗ୍ଧ ବ୍ୟାଙ୍କ୍‌ ଥିବାବେଳେ ବର୍ତ୍ତମାନ ଏହାର ସଂଖ୍ୟା ବୃଦ୍ଧି ପାଇ ୨୦୦ରୁ ଅଧିକ ହୋଇଛି। ମାତୃଦୁଗ୍ଧ ବ୍ୟାଙ୍କ୍‌କୁ  ଦୁଇ ଶ୍ରେଣୀ‌େର ବିଭକ୍ତ କରାଯାଇପାରେ- ସିଏଲ୍ଏମ୍‌ସି ଓ ଏଲ୍ଏମ୍‌ୟୁ।  

ସିଏଲ୍ଏମ୍‌ସିରେ ଯେକୌଣସି ମହିଳା ନିଜର କ୍ଷୀର ଦାନ କରିପାରିବେ। ଏହି କ୍ଷୀରକୁ ପାଶ୍ଚରାଇଜ୍ କରାଯିବା ପରେ ଶୀଘ୍ର ଥଣ୍ଡା କରାଯାଇଥାଏ। ଏହି କ୍ଷୀରକୁ ମାଇନସ୍ -୨୦ ଡିଗ୍ରି ତାପମାତ୍ରାର ଡିପ୍‌ ଫ୍ରିଜ୍‌ରେ ୬ମାସ ପର୍ଯ୍ୟନ୍ତ ସୁରକ୍ଷିତ ଭାବେ ସଂରକ୍ଷଣ କରାଯାଇପାରିବ। ଏଲ୍ଏମ୍‌ୟୁ(ସ୍ତନ୍ୟପାନ ପରିଚାଳନା ୟୁନିଟ୍‌)ରେ କେବଳ ଜଣେ ମାଆଙ୍କର ନିଜସ୍ୱ କ୍ଷୀର ସଂଗ୍ରହ କରାଯାଇ ସିଧାସଳଖ ତାଙ୍କରି ନିଜ ଶିଶୁକୁ ଦିଆଯାଇଥାଏ। ତେବେ ସବୁ ସମୟରେ ମାତୃସ୍ତନ୍ୟ ଦୁଗ୍ଧ ଯେ ସୁରକ୍ଷିତ ହୋଇଥାଏ ସେଭଳି ନୁହେଁ। କ୍ଷୀରଦାନ କରୁଥିବା ମହିଳାଙ୍କର ସ୍ବାସ୍ଥ୍ୟ ସମସ୍ୟା ଥିଲେ ତାହା ଶିଶୁ ଶରୀରକୁ ଚାଲିଯାଇଥାଏ। ତେଣୁ ମା’ଠାରୁ କ୍ଷୀର ସଂଗ୍ରହ ପୂର୍ବରୁ ଯାଞ୍ଚ କରାଯାଏ। ଦାତାଙ୍କର ଡାକ୍ତରୀ ଇତିହାସ ଅନୁଶୀଳନ ସହ ରକ୍ତ ପରୀକ୍ଷା ବି ହୋଇଥାଏ। କ୍ଷୀର ସଂଗ୍ରହ ପରେ କ୍ଷତିକାରକ ବ୍ୟାକ୍ଟେରିଆ ନଷ୍ଟ କରିବା ପାଇଁ ଏହାକୁ ପ୍ରକ୍ରିୟାକରଣ ଓ ପାଶ୍ଚୁରାଇଜ୍ କରାଯାଇଥାଏ। ଏହାପରେ ଏହି ମା’ କ୍ଷୀରକୁ ଶିଶୁ ପାଇଁ ଆବଶ୍ୟକ ନ ହେବା ପର୍ଯ୍ୟନ୍ତ ଏକ ଫ୍ରିଜ୍‌ରେ ସଂରକ୍ଷଣ କରାଯାଇଥାଏ।

ଓଡ଼ିଶାର ମିଲ୍‌କ ବ୍ୟାଙ୍କ୍‌
ଓଡ଼ିଶାରେ ଅଳ୍ପସଂଖ୍ୟକ ହେଲେ ବି ମାତୃଦୁଗ୍‌ଧ ବ୍ୟାଙ୍କ୍‌ ରହିଛି। ୨୦୨୨ ମସିହାରେ ଭୁବନେଶ୍ବରସ୍ଥିତ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ପ୍ରଥମେ ମିଲ୍‌କ ବ୍ୟାଙ୍କ୍‌ ଖୋଲାଯାଇଥିଲା। ଏବେ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ୨୦୦ଟି ସିଏଲ୍‌ଏମ୍‌ସି କାର୍ଯ୍ୟ କରୁଛି ଏବଂ ବର୍ତ୍ତମାନ ଏହାର କ୍ଷମତା ୧୫୬ ଲିଟର୍‌। ପୂର୍ବ ଅପେକ୍ଷା ମା’ କ୍ଷୀରର ଷ୍ଟୋରେଜ୍‌ ବଢ଼ିଛି ଓ ଶିଶୁମାନେ ଏହାର ସୁବିଧା ମଧ୍ୟ ପାଉଛନ୍ତି। ଏଠାରେ ପାଶ୍ଚୁରାଇଜ୍‌ କ୍ଷୀରକୁ କେବଳ ୩ ମାସ ପର୍ଯ୍ୟନ୍ତ ସଂରକ୍ଷଣ କରାଯାଇପାରୁଛି। ଯେଉଁ ଶିଶୁଙ୍କ ମା’ ବଡ଼ଧରଣର ଅସ୍ତ୍ରୋପଚାର ଦେଇ ଗତି କରିଛନ୍ତି କିମ୍ବା ଯେଉଁମାନଙ୍କର ମୃତ୍ୟୁ ହୋଇଛି, ଅଥବା ପରିତ୍ୟକ୍ତ ଶିଶୁ ଓ ଆଇନସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ କ୍ଷେତ୍ରରେ ଏହି ମିଲ୍‌କ ବ୍ୟା‌ଙ୍କ୍‌ର ସହାୟକ ହୋଇପାରୁଛି। କେବଳ ଭୁବନେଶ୍ବର ନୁହେଁ, କଟକସ୍ଥିତ ଏସ୍‌ସିବି ମେଡିକାଲ୍‌ କଲେଜ୍‌ ଓ ହସ୍ପିଟାଲ୍‌‌େର ମଧ୍ୟ ମାତୃଦୁଗ୍ଧ ବ୍ୟାଙ୍କ୍‌ ରହିଛି। ଏହାବ୍ୟତୀତ ଆଗାମୀ ଦିନରେ ବ୍ରହ୍ମପୁର, ବୁର୍ଲା, କୋରାପୁଟ, ବାଲାଙ୍ଗୀର ଓ ବାଲେଶ୍ୱର ଆଦି ୫ଟି ମେଡିକାଲ୍‌ରେ ଦୁଗ୍ଧ ବ୍ୟାଙ୍କ୍‌ ଆରମ୍ଭ କରାଯିବା ପ୍ରସ୍ତାବ ରହିଛି ବୋଲି କହିଛନ୍ତି କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ମିଲ୍‌କ ବ୍ୟାଙ୍କ୍‌ ମୁଖ୍ୟ ଡାକ୍ତର ଆଲୋକ କୁମାର ସ୍ବାଇଁ।

କଟକ ବଡ଼ ଡାକ୍ତରଖାନାରେ ଖୋଲିଥିବା ମିଲ୍‌କ୍‌ ବ୍ୟାଙ୍କ୍‌ରେ ୨୦୨୪ ଓ ୨୦୨୫ ବର୍ଷରେ ୧୨୧୪ ଲିଟର୍‌ କ୍ଷୀର ସଂଗ୍ରହ ହୋଇଛି। ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗରେ ଚିକିତ୍ସିତ ହେଉଥିବା ମା’ମାନେ ସ୍ବଇଚ୍ଛାରେ ଦୁଗ୍ଧ ଦାନ କରୁଛନ୍ତି। ବଡ଼ ଡାକ୍ତରଖାନାରେ ରକ୍ତଦାନ ଶୈଳୀରେ କ୍ଷୀରଦାନ ଚାଲୁଛି। ସୂଚନା ଅନୁସାରେ ଏଯାବତ୍‌ ମୋଟ ୧୫ ହଜାର ୯୨୦ ଜଣ ମା’ ନିଜର ବଳକା କ୍ଷୀର ଦୁଗ୍ଧ ବ୍ୟାଙ୍କ୍‌କୁ ଦାନ କରିଛନ୍ତି। ଯେଉଁ ପ୍ରସୂତିଙ୍କ ସ୍ତନ୍ୟପାନରେ ସମସ୍ୟା ହେଉଛି ସେମାନଙ୍କ ଶିଶୁଙ୍କୁ ଏହି କେନ୍ଦ୍ରରୁ କ୍ଷୀର ସମ୍ପୂର୍ଣ୍ଣ ମାଗଣାରେ ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ମୋଟ ୭ ହଜାର ୬୯୨ ଶିଶୁ ମାଗଣାରେ କ୍ଷୀର ପାଇଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କଟକ ବଡ଼ ଡାକ୍ତରଖାନାର ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗରେ ଶିଶୁ ରୋଗ ବିଭାଗ ପକ୍ଷରୁ ‘ବ୍ୟାପକ ସ୍ତନ୍ୟପାନ ପରିଚାଳନା କେନ୍ଦ୍ର’ ୨୦୨୩ ଅଗଷ୍ଟରୁ କାର୍ଯ୍ୟକ୍ଷମ ହୋଇଥିଲା। ଏହି  ବିଭାଗରେ ଭର୍ତ୍ତି ହେଉଥିବା ମା’ମାନଙ୍କ ନିକଟରୁ ପ୍ରତିଦିନ ହାରାହାରି ୩ ଲିଟର କ୍ଷୀର ସଂଗ୍ରହ କରାଯାଉଛି। ହାରାହାରି ୧୫ ଜଣ ମା’ ନିଜର କ୍ଷୀର ଦାନ କରୁଛନ୍ତି। ଦାନ ହେଉଥିବା କ୍ଷୀରରୁ ଦେଢ଼ଲିଟର୍‌ କ୍ଷୀର ଶିଶୁରୋଗ ନିୟୁବର୍ନ ଆଇସିୟୁରେ ଗୁରୁତର ଅସୁସ୍ଥ ଶିଶୁଙ୍କୁ ପ୍ରଦାନ କରାଯାଉଛି। ବଳକା ଦେଢ଼ଲିଟର୍‌ କ୍ଷୀର ବ୍ୟାଙ୍କ୍‌ରେ ଗଚ୍ଛିତ ରହୁଛି। ଏଠାରେ ଥିବା ଫ୍ରିଜ୍‌ରର ୩୦୦ ଲିଟର୍‌ ପର୍ଯ୍ୟନ୍ତ କ୍ଷୀର ସଂଗ୍ରହ କରି ରଖାଯିବାର କ୍ଷମତା ରହିଛି। ପ୍ରତି କ୍ଷୀରରେ ତାରିଖ ଓ ବ୍ୟାଚ୍‌ ନମ୍ବର୍‌ ମଧ୍ୟ ରହୁଛି। ସଂଗୃହୀତ କ୍ଷୀର ୬ ମାସରୁ ଅଧିକ ସମୟ ରହିଲେ ଏହାକୁ ନଷ୍ଟ କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି। ଏଠାରେ ସଂଗ୍ରହ ହେଉଥିବା କ୍ଷୀରକୁ ବିକ୍ରି କରାଯାଇପାରିବ ନାହିଁ ବୋଲି କଡ଼ା ନିୟମ ରହିଛି।

ବେସରକାରୀ ଦୁଗ୍ଧ ବ୍ୟାଙ୍କ୍‌ର ଆବଶ୍ୟକତା ପଡ଼ିଲାଣି
ରକ୍ତଦାନ ପରି କ୍ଷୀରଦାନ ପାଇଁ ସାଧାରଣରେ ସଚେତନତା ନାହିଁ। ଅନେକ ମା’ କ୍ଷୀର ଦାନ କରିବାକୁ କୁଣ୍ଠାବୋଧ କରନ୍ତି। ଆଜିକାଲି ସିଜରିୟାନ୍ ପ୍ରସବ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ଯନ୍ତ୍ରଣା ଓ ସିଡେସନ୍ ପ୍ରଭାବରେ ହର୍‌ମୋନାଲ୍ ସିକ୍ରେସନ୍ ପ୍ରାକୃତିକ ଭାବେ ହୋଇପାରୁ ନାହିଁ। କାର୍ଯ୍ୟରତ ମହିଳା, ଆଇ.ଭି.ଏଫ୍. ଓ ଯାଆଁଳା ଶିଶୁ ମାମଲାରେ ସମୟ ପୂର୍ବରୁ ଶିଶୁ ଜନ୍ମ ହେବାର ସମ୍ଭାବନା ଅଧିକ। ପ୍ରିମ୍ୟାଚ୍ୟୁୟର୍ ବା ଅପରିପକ୍ବ ଶିଶୁକୁ ଏନ୍‌ଆଇସିୟୁରେ ରଖାଯାଉଥିବାରୁ ମା’ ଓ ଶିଶୁ ମଧ୍ୟରେ ବଣ୍ଡିଂ ବା ସ୍ନେହବନ୍ଧନ କମିଯାଏ ଯାହା ଲ୍ୟାକ୍ଟେସନ୍ ଫେଲ୍ୟୁୟର୍‌ର କାରଣ ସାଜେ। ୧.୫ କେ.ଜି.ରୁ କମ୍ ଓଜନବିଶିଷ୍ଟ ପ୍ରିମ୍ୟାଚ୍ୟୁୟର୍ ଶିଶୁଙ୍କୁ ଡବା କ୍ଷୀର ଦେଲେ ‘ନେକ୍ରୋଟାଇଜିଂ ଏଣ୍ଟେରୋକୋଲାଇଟିସ୍’ ଭଳି ସଂକ୍ରମଣ ହେବାର ଆଶଙ୍କା ଥାଏ। ଏଣୁ ସେମାନଙ୍କ ପାଇଁ ମା’ କ୍ଷୀର ଅତ୍ୟାବଶ୍ୟକ। ଏହି କ୍ଷେତ୍ରରେ ଶିଶୁଟିକୁ ଦୁଗ୍ଧ ବ୍ୟାଙ୍କ୍‌ରୁ କ୍ଷୀର ଆଣି ଦେବାକୁ ପଡ଼ିଥାଏ। ବେସରକାରୀ ଡାକ୍ତରଖାନାରେ ଦୁଗ୍ଧ ବ୍ୟାଙ୍କ୍‌ ନାହିଁ। କାରଣ ସଂଗୃହିତ କ୍ଷୀରକୁ ନିରାପଦରେ ରଖିବା ପାଇଁ ବ୍ରେଷ୍ଟ୍‌ ପମ୍ପ୍‌, ପାଶ୍ଚୁରାଇଜର, ଲାମିନାର୍‌ ଫ୍ଲୋ ଓ କୋଲ୍ଡ୍‌ଷ୍ଟୋରେଜ୍ ଭଳି ଦାମୀ ମେସିନ୍‌ ଦରକାର ପଡ଼ିଥାଏ। ସେଥିପାଇଁ ସରକାରୀ ମିଲ୍‌କ ବ୍ୟାଙ୍କ୍‌ କିମ୍ବା ବାହାରୁ ‘ଡୋନର୍ ହ୍ୟୁମାନ୍ ମିଲ୍‌କ’ ମଗାଇବାକୁ ପଡ଼ିଥାଏ। କିନ୍ତୁ ଏହାର ଦାମ୍ ପ୍ରାୟ ୧୨-୨୫ ମି.ଲି. ଲିଟରକୁ ୨୫୦ଟଙ୍କାରୁ ୩୦୦ ଟଙ୍କା। ପୁଣି ସିଲ୍ ଖୋଲିବାର ୨୪ ଘଣ୍ଟା ମଧ୍ୟରେ ଏହାକୁ ବ୍ୟବହାର କରିବାକୁ ପଡ଼ିଥାଏ। ଶିଶୁର ଆବଶ୍ୟକତା ବଢ଼ିବା ସହ ଏହାର ଖର୍ଚ୍ଚ ଏତେ ଅଧିକ ହୋଇଯାଏ ଯେ ସାଧାରଣ ଲୋକଙ୍କ ପାଇଁ ଏହା ବହନ କରିବା ଅସମ୍ଭବ ହୋଇପଡ଼େ। ଘରୋଇ ସେକ୍ଟର୍‌ରେ ଏହାର ବ୍ୟୟଭାର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ସରକାରୀ ସ୍ତରରେ ଆହୁରି ଅଧିକ ମା’ କ୍ଷୀର ବ୍ୟାଙ୍କ୍‌ ସ୍ଥାପନ କରିବା ସହ ସମାଜରେ କ୍ଷୀର ଦାନ ନେଇ ବ୍ୟାପକ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି।
-ଡାକ୍ତର ବିଭୁଦତ୍ତ ମିଶ୍ର, ଶିଶୁରୋଗ ବିଶେଷଜ୍ଞ, ଜଗନ୍ନାଥ ହସ୍‌ପିଟାଲ୍‌, ଭୁବନେଶ୍ବର

dfshfhsfh

ଏନ୍‌ଏଫ୍‌ଏଚ୍‌ଏସ୍‌ ରିପୋର୍ଟରେ ଓଡ଼ିଶାରେ ସ୍ତନ୍ୟପାନର ସ୍ଥିତି
ଓଡ଼ିଶାରେ ସ୍ତନ୍ୟପାନ ହାରରେ ଏକ ବଡ଼ ପରିବର୍ତ୍ତନ ନଜରକୁ ଆସିଛି। କେନ୍ଦ୍ର ସରକାରଙ୍କ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏନ୍ଏଫ୍ଏଚ୍ଏସ୍‌)-୬ ରିପୋର୍ଟରେ ଦର୍ଶାଯାଇଥିବା ତଥ୍ୟ ଅନୁସାରେ ଓଡ଼ିଶାରେ ଆଶ୍ଚର୍ଯ୍ୟଜନକ ଭାବେ ସ୍ତନ୍ୟପାନ ହାରରେ ହ୍ରାସ ଘଟିଛି। ଗୋଟିଏପଟେ ସ୍ବାସ୍ଥ୍ୟାନୁଷ୍ଠାନରେ ପ୍ରସବ ହାର ବଢୁଥିବା ବେଳେ ସ୍ତନ୍ୟପାନ ହାରରେ ହ୍ରାସ ଚିନ୍ତାଜନକ। ତେବେ କେଉଁ କାରଣ ପାଇଁ ସ୍ତନ୍ୟପାନ ହାରରେ ହ୍ରାସ ଘଟିଛି ରିପୋର୍ଟରେ ତାହା ଦର୍ଶାଯାଇନାହିଁ। ଶିଶୁର ବିକାଶ, ରୋଗ ପ୍ରତିରୋଧକ ଶକ୍ତିରେ ବୃଦ୍ଧି ପାଇଁ ମା’ କ୍ଷୀର ସର୍ବୋତ୍ତମ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍ଓ) ଓ ୟୁନିସେଫ୍‌ର ନିର୍ଦ୍ଦେଶାବଳୀରେ ଶିଶୁକୁ ଅତିକମ୍‌ରେ ୬ମାସ ପାଇଁ ସ୍ତନ୍ୟପାନ ଜରୁରୀ ବୋଲି ଦର୍ଶାଯାଇଛି। ୨୦୧୫-୧୬ ମସିହାରେ ପ୍ରକାଶିତ ଏନ୍ଏଫ୍ଏଚ୍ଏସ୍-୪ ଅନୁସାରେ, ଓଡ଼ିଶାରେ ଜନ୍ମରୁ ୬ମାସ ଭିତରେ ସ୍ତନ୍ୟପାନ କରୁଥିବା ଶିଶୁଙ୍କ ହାର ୬୬% ଥିଲା। ରାଜ୍ୟରେ ସ୍ବାସ୍ଥ୍ୟସେବାରେ ଉନ୍ନତି ଓ ସଚେତନତା ବୃଦ୍ଧି କାରଣରୁ ଆଗାମୀ ଦିନରେ ଏହି ହାର ବଢ଼ିବ ବୋଲି ଆଶା କରାଯାଉଥିଲା। ୨୦୨୦-୨୧ ମସିହା ରିପୋର୍ଟରେ ଏହା ପ୍ରତିଫଳିତ ହୋଇଥିଲା। ଏନ୍ଏଫ୍ଏଚ୍ଏସ୍-୫ରେ ସ୍ତନ୍ୟପାନ ହାର ବୃଦ୍ଧି ପାଇ ୭୩%ରେ ପହଞ୍ଚିଥିଲା। ଏଥିରେ ଯଦି ସହରାଞ୍ଚଳ ଓ ଗ୍ରାମାଞ୍ଚଳର ମହିଳାଙ୍କୁ ବିଚାରକୁ ନିଆଯାଏ ତା’ହେଲେ ସହରାଞ୍ଚଳରେ ୬୮% ଓ ଗ୍ରାମାଞ୍ଚଳରେ ୭୪% ମା’ ନିଜ ଶିଶୁଙ୍କୁ ସ୍ତନ୍ୟପାନ କରାଉଥିଲେ। ମାତ୍ର ନିକଟରେ ପ୍ରକାଶ ପାଇଥିବା ସର୍ଭେ ରିପୋର୍ଟରେ ଓଡ଼ିଶାରେ ନିମ୍ନଗାମୀ ସ୍ତନ୍ୟପାନ ହାର ସାମ୍ନାକୁ ଆସିଛି। ଜନ୍ମରୁ ୬ମାସ ଭିତରେ ସ୍ତନ୍ୟପାନ କରୁଥିବା ଶିଶୁଙ୍କ ହାର ନୂଆ ସର୍ଭେରେ ୬୭%କୁ ଖସି ଆସିଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଜନ୍ମର ୧ଘଣ୍ଟା ଭିତରେ ସ୍ତନ୍ୟପାନ କରୁଥିବା ଶିଶୁକୁ କ୍ଷୀର ଜରିଆରେ ଏକ ପ୍ରାକୃତିକ ଟିକା ମିଳିଥାଏ। ଏହାସହ ଆଗକୁ ମା’ କ୍ଷୀର ଖାଇବା ମଧ୍ୟ ଅଭ୍ୟାସରେ ପଡ଼ିଥାଏ।  

ଉଲ୍ଲେଖଯୋଗ୍ୟ, ଏନ୍ଏଫ୍ଏଚ୍ଏସ୍-୫ରେ ଜନ୍ମରୁ ଘଣ୍ଟାଏ ଭିତରେ ସ୍ତନ୍ୟପାନ କରୁଥିବା ଶିଶୁଙ୍କ ହାର ୬୮.୫% ଥିବା ବେଳେ ଏନ୍ଏଫ୍ଏଚ୍ଏସ୍-୬ରେ ଏହା ୬୧%କୁ ଖସି ଆସିଛି। ସହରାଞ୍ଚଳର ମହିଳାଙ୍କ ତୁଳନାରେ ଗ୍ରାମାଞ୍ଚଳର ମହିଳାମାନେ ନିଜ ଶିଶୁକୁ ଜନ୍ମ ହେବାର ୧ଘଣ୍ଟା ଭିତରେ ଅଧିକ ସଂଖ୍ୟାରେ ସ୍ତନ୍ୟପାନ କରାଉଥିବା ନଜରକୁ ଆସିଛି। ନୂଆ ସର୍ଭେରେ ଗ୍ରାମାଞ୍ଚଳର ୬୧.୨% ଶିଶୁ ଜନ୍ମର ୧ଘଣ୍ଟା ଭିତରେ ସ୍ତନ୍ୟପାନ କରୁଥିବା ବେଳେ ସହରାଞ୍ଚଳରେ ଏହା ୫୮.୬% ଦର୍ଶାଯାଇଛି। ଦେଶରେ ସ୍ତନ୍ୟପାନ ହାର ହ୍ରାସର କାରଣ ଜାଣିବା ଲାଗି ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ କଲେରା ଏଣ୍ଡ ଏଣ୍ଟେରିକ୍ ଡିଜିଜ୍ (ଏନ୍ଆଇସିଇଡି) ଓ ଇଣ୍ଡିଆନ୍ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ (ଆଇସିଏମ୍ଆର)ର ମିଳିତ ଅନୁଧ୍ୟାନ ହୋଇଥିଲା। ରିପୋର୍ଟରେ କୁହାଯାଇଛି ଯେ, ନିଜ ଶିଶୁକୁ ସ୍ତନ୍ୟପାନ କରାଇବାରେ ମା’ଙ୍କଠାରେ ଆତ୍ମବିଶ୍ବାସର ଅଭାବ, ପରିବାର ସଦସ୍ୟଙ୍କ ପ୍ରଭାବ ଓ ବିଭିନ୍ନ ସାଂସ୍କୃତିକ-ସାମାଜିକ ପ୍ରତିବନ୍ଧକ, ପରିବାର ପ୍ରଭାବ ଏବଂ ଗାଈ ଓ ଡବା କ୍ଷୀର ଦେବା କାରଣରୁ ଦେଶରେ ସ୍ତନ୍ୟପାନ ହାର ହ୍ରାସ ପାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.