Attack: ହର୍ମୁଜ ପ୍ରଣାଳୀରେ ଆମେରିକୀୟ ‘ଏମ୍‌କ୍ୟୁ-୯’ ଡ୍ରୋନ୍ ଖସାଇଲା ଇରାନ

3 hours ago 1
ARTICLE AD BOX

ତେହରାନ: ହର୍ମୁଜ ପ୍ରଣାଳୀ ଉପରେ ଉଡ଼ୁଥିବା ଆମେରିକା ସେନାର ଏକ ‘ଏମ୍‌କ୍ୟୁ-୯’ ଡ୍ରୋନ୍‌କୁ ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆର୍‌ଜିସି) ଶନିବାର ଖସାଇ ଦେଇଥିବା ଦାବି କରିଛି। ନୂଆକରି ମୁତୟନ ହୋଇଥିବା ଏକ ଉନ୍ନତ ବାୟୁ ପ୍ରତିରକ୍ଷା ପ୍ରଣାଳୀ ବ୍ୟବହାର କରି ଏହାର ଏରୋସ୍ପେସ୍ ଫୋର୍ସ ଏହି ଡ୍ରୋନ୍‌କୁ ଅଟକାଇବା ସହ ନଷ୍ଟ କରିଦେଇଥିବା ଆଇଆର୍‌ଜିସି ପକ୍ଷରୁ କୁହାଯାଇଛି। ଆଇଆର୍‌ଜିସି ବିବୃତିକୁ ଆଧାର କରି ‘ପ୍ରେସ୍ ଟିଭି’ ରିପୋର୍ଟ କରିଛି ଯେ ଇରାନ ସେନା ଦ୍ୱାରା ନଷ୍ଟ ହୋଇଥିବା ଏହା ହେଉଛି ୫୮ତମ ‘ଏମ୍‌କ୍ୟୁ-୯’ ଡ୍ରୋନ୍। ତେବେ ଏହି ଅଭିଯାନ ସମ୍ପର୍କରେ ଇରାନ ପକ୍ଷରୁ ଅଧିକ ସବିଶେଷ ତଥ୍ୟ ପ୍ରଦାନ କରାଯାଇନାହିଁ।

ଇରାନ କର୍ତ୍ତୃପକ୍ଷ ବାରମ୍ବାର କହିଆସୁଛନ୍ତି ଯେ ଏହି ରଣନୈତିକ ଗୁରୁତ୍ୱପୂର୍ଣ୍ଣ ଜଳପଥ ଉପରେ ହେଉଥିବା ସମସ୍ତ ସାମରିକ ଓ ଆକାଶମାର୍ଗ ଗତିବିଧି ଉପରେ ସେମାନେ କଡ଼ା ନଜର ରଖିଛନ୍ତି ଏବଂ ଦେଶର ଆକାଶସୀମା ଉଲ୍ଲଂଘନ ହେଲେ ଦୃଢ଼ ଜବାବ ଦିଆଯିବ। ସୂଚନାଯୋଗ୍ୟ ‘ଏମ୍‌କ୍ୟୁ-୯ ରିପର’ ହେଉଛି ଆମେରିକା ସେନା ଦ୍ୱାରା ଗୁଇନ୍ଦା ତଥ୍ୟ ସଂଗ୍ରହ, ନିରୀକ୍ଷଣ, ଅନୁସନ୍ଧାନ ଏବଂ ନିର୍ଦ୍ଦିଷ୍ଟ ଲକ୍ଷ୍ୟଭେଦୀ ଆକ୍ରମଣ ପାଇଁ ବ୍ୟବହୃତ ହେଉଥିବା ଏକ ମଧ୍ୟମ ଉଚ୍ଚତା ଓ ଦୀର୍ଘ ସମୟ ଧରି ଉଡ଼ିପାରୁଥିବା ମାନବବିହୀନ ବିମାନ (ୟୁଏଭି)। ତେହରାନ ଏବଂ ୱାସିଂଟନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଇରାନ ଅଧିକାରୀମାନେ ପୁଣିଥରେ ସାମରିକ ସଂଘର୍ଷ ନେଇ ଚେତାବନୀ ଦେଇଛନ୍ତି।

ଗୁରୁବାର ଆଇଆର୍‌ଜିସି ମୁଖପାତ୍ର ବ୍ରିଗେଡିୟର ଜେନେରାଲ ହୋସେନ ମୋହେବି କହିଥିଲେ ଯେ ଇରାନ ସମସ୍ତ ସମ୍ଭାବ୍ୟ ସାମରିକ ପରିସ୍ଥିତି ପାଇଁ ପ୍ରସ୍ତୁତ ଅଛି ଏବଂ ଦୀର୍ଘସ୍ଥାୟୀ ସଂଘର୍ଷ କିମ୍ବା ‘ନା ଯୁଦ୍ଧ ନା ଶାନ୍ତି’ ଭଳି ଅନିର୍ଦ୍ଦିଷ୍ଟ ସ୍ଥିତିକୁ କେବେହେଲେ ଗ୍ରହଣ କରିବ ନାହିଁ। ‘ପ୍ରେସ୍ ଟିଭି’ ଅନୁଯାୟୀ ମୋହେବି ସ୍ପଷ୍ଟ କରିଛନ୍ତି ଯେ ଏହି ବିବାଦର ସମାଧାନ ଯୁଦ୍ଧକ୍ଷେତ୍ରରେ ହେବ ନଚେତ ଆମେରିକାକୁ ଇରାନର ସର୍ତ୍ତ ମାନିବାକୁ ପଡ଼ିବ। ଏହା ପୂର୍ବରୁ ନଭେମ୍ବର ୧୫ ତାରିଖରେ ମଧ୍ୟ ଆଇଆର୍‌ଜିସି ଦାବି କରିଥିଲା ଯେ ଏହାର ସେନା ୬ଟି ଡ୍ରୋନ୍ ବ୍ୟବହାର କରି ବାହାରିନସ୍ଥିତ ଅଲ୍-ରିଫା ହେଲିକପ୍ଟର ଘାଟିରେ ଥିବା ଆମେରିକାର ଏକ ବାୟୁ ପ୍ରତିରକ୍ଷା ରାଡାର ପ୍ରଣାଳୀକୁ ଟାର୍ଗେଟ କରିଥିଲା।

ଅନ୍ୟପକ୍ଷରେ ହର୍ମୁଜର ନିଷିଦ୍ଧ ସାମୁଦ୍ରିକ ଅଞ୍ଚଳରେ ନୌସେନା ମାଇନ୍ ସଂସ୍ପର୍ଶରେ ଆସି ତୈଳ ଟ୍ୟାଙ୍କରଗୁଡ଼ିକରେ ନିଆଁ ଲାଗିବା ଖବର ପରେ ସେଠାରେ ଉତ୍ତେଜନା ଆହୁରି ବଢ଼ିଯାଇଛି। ନିର୍ଦ୍ଧାରିତ ନିଷିଦ୍ଧ ଅଞ୍ଚଳ ମଧ୍ୟକୁ ପ୍ରବେଶ ନକରିବା ପାଇଁ ଇରାନ ନୌସେନା ପକ୍ଷରୁ ଜାହାଜ ଚଳାଚଳକାରୀ ସଂସ୍ଥାଗୁଡ଼ିକୁ କଡ଼ା ଚେତାବନୀ ଦିଆଯାଇଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.