1.78 lakh families: ଆବାସ ଅପେକ୍ଷାରେ ୧.୭୮ ଲକ୍ଷ ପରିବାର: ନୂଆ ଟାର୍ଗେଟରେ କୋରାପୁଟର ୧୦% ପାଇବେ ଘର

1 day ago 3
ARTICLE AD BOX

କୋରାପୁଟ: ମୁଣ୍ଡ ଉପରେ ପକ୍କା ଛାତ ଖଣ୍ଡେ ପାଇଁ ଅପେକ୍ଷାର ଅନ୍ତ ହେଉନାହିଁ। ବର୍ଷ ପରେ ବର୍ଷ ବିତୁଛି, ହେଲେ ଗରିବ ପରିବାରଙ୍କ ପକ୍କା ଘର ସ୍ବପ୍ନ ଅଧୁରା ରହିଛି। କୋରାପୁଟ ଜିଲ୍ଲାରେ ୧ ଲକ୍ଷ ୭୮ ହଜାର ୯୮୬ ଜଣ ଯୋଗ୍ୟ ହିତାଧିକାରୀ ଏବେ ବି ଆବାସ ଅପେକ୍ଷାରେ ଅଛନ୍ତି। ଅଥଚ ଚଳିତ ଆର୍ଥିକ ବର୍ଷରେ ଜିଲ୍ଲାକୁ ପ୍ରାୟ ୧୭ ହଜାର ଘର ନିର୍ମାଣ ଲକ୍ଷ୍ୟ ମିଳିପାରେ। ଅର୍ଥାତ୍‌ ଅପେକ୍ଷାରତ ହିତାଧିକାରୀଙ୍କ ମଧ୍ୟରୁ ମାତ୍ର ୧୦ ପ୍ରତିଶତଙ୍କ ଭାଗ୍ୟରେ ଜୁଟିପାରେ ପକ୍କା ଘର। ଅବଶିଷ୍ଟ ପରିବାରଙ୍କ ଅପେକ୍ଷା କେବେ ସରିବ, ତାହା ଏବେ ବଡ଼ ପ୍ରଶ୍ନ।

୨୦୧୬-୧୭ରୁ ୨୦୨୪-୨୫ ମଧ୍ୟରେ କୋରାପୁଟ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାୟ ୯୯ ହଜାର ୨୯୮ଟି ଘର ଆବଣ୍ଟନ କରାଯାଇଛି। ଏହି ସମୟରେ ମିଳିଥିବା ଲକ୍ଷ୍ୟ ଶେଷ ହୋଇଯିବାରୁ ୨୦୨୪-୨୫ରେ ପୁଣିଥରେ ଆବାସ ପାଇଁ ସର୍ଭେ କରାଯାଇଥିଲା। ଗତବର୍ଷ ଶେଷ ହୋଇଥିବା ସର୍ଭେରେ ଜିଲ୍ଲାରୁ ୧ ଲକ୍ଷ ୮୯ ହଜାର ୫୬୩ ଜଣ ଆବେଦନ କରିଥିଲେ। ଯାଞ୍ଚ ପରେ ସେଥିରୁ ୧ ଲକ୍ଷ ୮୪ ହଜାର ୭୬୦ ପରିବାର ଯୋଗ୍ୟ ବିବେଚିତ ହୋଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଶାସନର ପୁନଃଯାଞ୍ଚରୁ କେବଳ ଗ୍ରାମାଞ୍ଚଳରେ ୧ ଲକ୍ଷ ୭୮ ହଜାର ୯୮୬ ଜଣ ଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ବୋରିଗୁମ୍ମା, ବୈପାରିଗୁଡ଼ା, ଜୟପୁର ଓ କୋଟପାଡ଼ ବ୍ଲକରେ ସର୍ବାଧିକ ଆବେଦନକାରୀ ରହିଛନ୍ତି। ଗତ ଦୁଇବର୍ଷ ଧରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ନୂଆ ଲକ୍ଷ୍ୟ ଆସିନଥିଲା। ତେବେ ଗତବର୍ଷ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଜିଲ୍ଲାର ୭ ହଜାରରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା। ଚଳିତବର୍ଷ ପୁଣି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ନୂଆ ଲକ୍ଷ୍ୟ ମିଳିଛି। ଏଥିରେ ପ୍ରାୟ ୫ ଲକ୍ଷ ଘର ନିର୍ମାଣ ପାଇଁ ଟାର୍ଗେଟ ଆସିଥିବା ବେଳେ ଗତକାଲିଠାରୁ ଜିଲ୍ଲାୱାରୀ କାର୍ଯ୍ୟାଦେଶ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। କୋରାପୁଟ ଜିଲ୍ଲା ପାଇଁ ପ୍ରାୟ ୧୭ ହଜାର ଘର ନିର୍ମାଣ ଲକ୍ଷ୍ୟ ମିଳିପାରେ ବୋଲି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ବେଣୁଧର ଶବର ଗଣମାଧ୍ୟମକୁ କହିଛନ୍ତି।

ଅନ୍ୟପଟେ ଆବାସ ନିର୍ମାଣ ପାଇଁ ମିଳୁଥିବା ଅର୍ଥରେ ଘର ସମ୍ପୂର୍ଣ୍ଣ କରିବା ପାହାଡ଼ିଆ ଅଞ୍ଚଳର ହିତାଧିକାରୀଙ୍କ ପାଇଁ କଷ୍ଟକର ହୋଇପଡ଼ୁଛି। ଦୁର୍ଗମ ଅଞ୍ଚଳକୁ ବାଲି, ଲୁହାଛଡ଼, ଇଟା, ସିମେଣ୍ଟ ଭଳି ନିର୍ମାଣ ସାମଗ୍ରୀ ନେବାରେ ଅଧିକ ଖର୍ଚ୍ଚ ହେଉଛି। ଫଳରେ ସ୍ବଳ୍ପ ଅର୍ଥରେ ଘର ନିର୍ମାଣ ଶେଷ କରିବା ସମ୍ଭବ ହେଉନାହିଁ। ଅନେକ ଘର ଅଧାପନ୍ତରିଆ ହୋଇ ରହିଯାଉଥିବା ହିତାଧିକାରୀମାନେ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.