ARTICLE AD BOX
ନୂଆଦିଲ୍ଲୀ : ଅଯୋଧ୍ୟାର ରାମ ମନ୍ଦିର ଆନ୍ଦୋଳନକୁ ନେଇ କଂଗ୍ରେସର ତତ୍କାଳୀନ ନେତୃତ୍ୱ ମଧ୍ୟ ରାଜନୈତିକ ହିସାବନିକାଶ କରିଥିଲା । କିନ୍ତୁ ଏହାର ଅଧିକ ରାଜନୈତିକ ଫାଇଦା ବିଜେପି ନେଇଥିଲା । କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିଜର ନୂଆ ଆତ୍ମଜୀବନୀ ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ୍ ଲଭ୍’ରେ ଅଯୋଧ୍ୟା ବିବାଦ ଓ ତାଙ୍କ ସ୍ୱାମୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ରାଜନୈତିକ ଆଭିମୁଖ୍ୟ ସମ୍ପର୍କରେ ଏଭଳି ଉଲ୍ଲେଖ କରିଛନ୍ତି । ଶୁକ୍ରବାର ଏହି ପୁସ୍ତକର ବିଷୟବସ୍ତୁକୁ ନେଇ ପ୍ରକାଶିତ ରିପୋର୍ଟରେ ଅଯୋଧ୍ୟା ଆନ୍ଦୋଳନର ରାଜନୈତିକ ପୃଷ୍ଠଭୂମି ପୁଣି ଚର୍ଚ୍ଚାକୁ ଆସିଛି ।
ସୋନିଆଙ୍କ ଅନୁଯାୟୀ, ୧୯୮୫ରେ ଶାହବାନୋ ମାମଲାରେ ସୁପ୍ରିମ୍କୋର୍ଟଙ୍କ ରାୟ ପରେ ଅଯୋଧ୍ୟା ପ୍ରସଙ୍ଗ ଅଧିକ ଜଟିଳ ହୋଇଥିଲା । ଛାଡ଼ପତ୍ର ପରେ ମୁସଲମାନ ମହିଳା ଶାହବାନୋଙ୍କୁ ଭରଣପୋଷଣ ଦେବା ପାଇଁ ସୁପ୍ରିମ୍କୋର୍ଟ ଆଦେଶ ଦେଇଥିଲେ । ଏହାକୁ ନେଇ କେତେକ ରକ୍ଷଣଶୀଳ ମୁସଲମାନ ସଂଗଠନ ବିରୋଧ କରିବାରୁ ରାଜୀବ ଗାନ୍ଧୀ ସରକାର ୧୯୮୬ରେ ମୁସଲମାନ ମହିଳାଙ୍କ ଛାଡ଼ପତ୍ର ପରବର୍ତ୍ତୀ ଅଧିକାର ସୁରକ୍ଷା ଆଇନ ଆଣିଥିଲେ । ଏହାଦ୍ୱାରା ସରକାରଙ୍କ ଉପରେ ମୁସଲମାନ ଧର୍ମଗୁରୁଙ୍କୁ ସନ୍ତୁଷ୍ଟ କରିବାର ଅଭିଯୋଗ ଆସିଥିଲା ଏବଂ ହିନ୍ଦୁ ସମାଜର ଏକ ଅଂଶ ଅସନ୍ତୁଷ୍ଟ ହୋଇଥିବା ସୋନିଆ ଲେଖିଛନ୍ତି ।
ଏହାର କିଛି ଦିନ ପରେ, ୧୯୮୬ ଫେବ୍ରୁଆରିରେ ଫୈଜାବାଦ ଜିଲ୍ଲା ଅଦାଲତ ଅଯୋଧ୍ୟାର ବାବ୍ରି ମସ୍ଜିଦ୍ର ତାଲା ଖୋଲିବାକୁ ଆଦେଶ ଦେଇଥିଲେ । ଅଦାଲତଙ୍କ ନିର୍ଦ୍ଦେଶର ମାତ୍ର ଏକ ଘଣ୍ଟା ମଧ୍ୟରେ ମସ୍ଜିଦ୍ର ଦ୍ୱାର ଖୋଲାଯାଇ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଓ ପୂଜାର୍ଚ୍ଚନାର ସୁଯୋଗ ଦିଆଯାଇଥିଲା । ସୋନିଆ ଏହାକୁ ଦୀର୍ଘଦିନ ଧରି ସୁପ୍ତ ଥିବା ବିବାଦକୁ ପୁଣି ଉସୁକାଇଥିବା ଘଟଣା ଭାବେ ବର୍ଣ୍ଣନା କରିଛନ୍ତି । ତାଙ୍କ ମତରେ, ଏହା ବିଜେପି ଓ ବିଶ୍ୱ ହିନ୍ଦୁ ପରିଷଦକୁ ରାମ ମନ୍ଦିର ଆନ୍ଦୋଳନ ଆଗକୁ ବଢ଼ାଇବାର ସୁଯୋଗ ଦେଇଥିଲା ।
ସୋନିଆ ଲେଖିଛନ୍ତି ଯେ, ରାଜୀବ ଗାନ୍ଧୀ ମହାତ୍ମା ଗାନ୍ଧୀଙ୍କ ‘ରାମରାଜ୍ୟ’ ଚିନ୍ତାଧାରାକୁ ପୁନର୍ଜୀବିତ କରିବାକୁ ଚାହୁଥିଲେ । ଏହାର ମୂଳ ଆଧାର ଥିଲା ନୈତିକତା, ନ୍ୟାୟ ଓ ସଦାଚାର । କିନ୍ତୁ ଆର୍ଏସ୍ଏସ୍ର ପ୍ରଚାର ଏହି ବିଚାରକୁ ପଛରେ ପକାଇ ଦେଇଥିଲା । ରାଜୀବ ଏକ ଆଲୋଚନାଭିତ୍ତିକ ସମାଧାନ ଚାହୁଥିଲେ, ଯେଉଁଥିରେ ମସ୍ଜିଦ୍କୁ କ୍ଷତି ନ ପହଞ୍ଚାଇ ମନ୍ଦିର ନିର୍ମାଣର ବାଟ ବାହାରିପାରିବ ବୋଲି ସେ ଦାବି କରିଛନ୍ତି ।
୧୯୮୯ରେ ବିଶ୍ୱ ହିନ୍ଦୁ ପରିଷଦ ଅଯୋଧ୍ୟାରେ ମନ୍ଦିର ପାଇଁ ଶିଳାନ୍ୟାସ କରିଥିଲା । ଏହା ବିବାଦକୁ ଆହୁରି ତୀବ୍ର କରିଥିଲା । ସେହି ବର୍ଷ ରାଜୀବ ଗାନ୍ଧୀ ଫୈଜାବାଦରୁ ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରି ‘ରାମରାଜ୍ୟ’ର କଥା କହିଥିଲେ । ତେବେ ୧୯୮୯ ଲୋକସଭା ନିର୍ବାଚନରେ କଂଗ୍ରେସ ୧୯୭ଟି ଆସନ ପାଇଥିଲା । ୧୯୮୪ରେ ଦଳ ଜିତିଥିବା ୪୦୪ଟି ଆସନ ତୁଳନାରେ ଏହା ଏକ ବଡ଼ ହ୍ରାସ ଥିଲା ।
ସୋନିଆଙ୍କ ଏହି ବର୍ଣ୍ଣନାରୁ ସ୍ପଷ୍ଟ ହେଉଛି ଯେ ଅଯୋଧ୍ୟା ଆନ୍ଦୋଳନରେ କେବଳ ବିଜେପି ନୁହେଁ, କଂଗ୍ରେସର ନିଷ୍ପତ୍ତି ଓ ରାଜନୈତିକ ରଣନୀତିର ମଧ୍ୟ ଭୂମିକା ଥିଲା । ତେବେ ଏହି ଆନ୍ଦୋଳନରୁ ରାଜନୈତିକ ଲାଭ ନେବାରେ ବିଜେପି ଅଧିକ ସଫଳ ହୋଇଥିଲା ।

1 hour ago
1


