ARTICLE AD BOX
ଅଭିନେତ୍ରୀ ସାଇ ପଲ୍ଲବୀଙ୍କ ପରି ‘କାଚା ବାଦାମ୍ ଗାର୍ଲ’ ଅଞ୍ଜଳି ଅରୋରାଙ୍କୁ ମଧ୍ୟ ମାଆ ସୀତାଙ୍କ ଭୂମିକାରେ ଗ୍ରହଣ କରିପାରୁନାହାନ୍ତି ଦର୍ଶକ। ପୂର୍ବରୁ ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ‘ରାମାୟଣ’ର ଟ୍ରେଲର୍ ରିଲିଜ୍ ହୋଇସାରିଥିବା ବେଳେ ସୀତାଙ୍କ ଚରିତ୍ର ପାଇଁ ସାଇ ପଲ୍ଲବୀଙ୍କୁ ସେତେଟା ପସନ୍ଦ କରିନାହାନ୍ତି ଦର୍ଶକ। ସେହିପରି ଆଗାମୀ ୨୬ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ଅଭିଷେକ ସିଂହଙ୍କ ନିର୍ଦ୍ଦେଶିତ ‘ମହାକାବ୍ୟ ଶ୍ରୀ ରାମାୟଣ କଥା’। ସେଥିରେ ଅଞ୍ଜଳି ମାଆ ସୀତାଙ୍କ ଚରିତ୍ର ନିଭାଉଥିବା ଜାଣି ଦର୍ଶକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଫିଲ୍ମଟିର ଟିଜର୍ ଓ ଗୀତ ପ୍ରକାଶ ପାଇବା ପରେ ସୋସିଆଲ୍ ମିଡିଆରେ ମିଶ୍ର ପ୍ରତିକ୍ରିୟା ଦେଖାଦେଇଛି। ହାତଗଣତି ଲୋକ ଅଞ୍ଜଳିଙ୍କ ସମର୍ଥନରେ ମତ ରଖୁଥିବା ବେଳେ ଅଧିକାଂଶ କାଷ୍ଟିଂକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ତେବେ ନିଜ ଚରିତ୍ର ସମ୍ପର୍କରେ ଅଞ୍ଜଳି କହନ୍ତି, ‘‘ମାତା ସୀତାଙ୍କ ଭୂମିକା ତୁଲାଇବା ମୋ ପାଇଁ କେବଳ ଅଭିନୟ କ୍ଷେତ୍ରରେ ଭଲ ସୁଯୋଗ ନୁହେଁ, ବରଂ ଏକ ବଡ଼ ଦାୟିତ୍ୱ। ଏହା ମୋ ଜୀବନ ଯାତ୍ରାକୁ ବିଶେଷ ଭାବେ ପ୍ରଭାବିତ କରିଛି।’’ ‘ମହାକାବ୍ୟ ଶ୍ରୀ ରାମାୟଣ କଥା’ ଅଞ୍ଜଳିଙ୍କ ପାଇଁ ଅଭିନୟ ଜୀବନର ଏକ ନୂଆ ଅଧ୍ୟାୟ ହେବାକୁ ଯାଉଛି। ଏହି ଛବିର ‘ରାମଜୀ କି ସେନା’ ଗୀତ ଦର୍ଶକଙ୍କ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଉଲ୍ଲେଖଯୋଗ୍ୟ, ୨୦୨୧ ମସିହାରେ ଦିଲ୍ଲୀ ଗର୍ଲ ଅଞ୍ଜଳିଙ୍କର ‘କାଚା ବାଦାମ’ ଗୀତରେ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ୍ ହେବା ପରେ ସେ ସମଗ୍ର ଦେଶରେ ଚର୍ଚ୍ଚିତ ଚେହେରା ପାଲଟିଥିଲେ। ଜଣେ ସୋସିଆଲ୍ ମିଡିଆ ଇନ୍ଫ୍ଲୁଏନ୍ସର୍ ଭାବେ କ୍ୟାରିଅର ଆରମ୍ଭ କରିଥିବା ଅଞ୍ଜଳି ଏବେ ସିନେମା ଶିଳ୍ପରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ଚେଷ୍ଟା ଚଳାଇଛନ୍ତି।

11 hours ago
3


