ARTICLE AD BOX
ନବରଙ୍ଗପୁର (ସୁରେଶ ନାଇଡୁ): ପ୍ରତ୍ୟେକ ମାସର ୧୫ତାରିଖ ଦିନ ବିଭିନ୍ନ ବର୍ଗର ଭତ୍ତା ବିତରଣ ପାଇଁ ରାଜ୍ୟ ସରକାର ତାରିଖ ଧାର୍ଯ୍ୟ କରିଛନ୍ତି। ମାସାଧିକ କାଳ ହେବ ନବରଂଗୁପୁର ଜିଲ୍ଲାର ଜାତୀୟ ସହାୟତା ଯୋଜନାରେ ୬୯,୫୭୯, ମଧୁବାବୁ ପେନସେନ୍ ଯୋଜନାରେ ୮୯,୦୮୧ ଓ ୨୬-୨୭ବର୍ଷରେ ନୂଆରେ ବର୍ଦ୍ଧିତ ହୋଇଥିବା ୭,୨୭୨ଜଣ ଏଭଳି ୧,୬୫,୯୩୨ଜଣ ହିତାଧିକାରୀ ଭତ୍ତା ପାଇନାହାନ୍ତି।
ଗତ ସୋମବାର ଦିନ ଅଭିଯୋଗ ଶୁଣାଣିକୁ ରଙ୍ଗମାଟିଗୁଡାର ମାନସିକ ଭିନ୍ନକ୍ଷମ ତଥା ଅସହାୟ ଯୁବତୀଙ୍କୁ ନେଇ ପରିବାରବର୍ଗ ନବରଙ୍ଗପୁରରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଆସି ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ଓ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ମୀରା ନାୟକଙ୍କ ଦୃଷ୍ଟିକୁ ନେଇଥିଲେ। ଗତ ୨ମାସ ହେବ ଭତ୍ତା ନ ମିଳିଳେ ସେ ଚଳିବ କେମିତି ବୋଲି ତାଙ୍କ ପରିବାରବର୍ଗ ପ୍ରଶ୍ନ କରିଥିଲେ। ସେହିପରି ନବରଙ୍ଗପୁର ବ୍ଲକ ଓ ପୌରାଂଚଳରୁ ଆସିଥିବା ୪ଜଣ ବୃଦ୍ଧ ଓ ବୃଦ୍ଧା ସମାନ ପ୍ରଶ୍ନ ପଚାରିଥିଲେ। ନିୟମିତ ଭାବେ ଭତ୍ତା ମିଳୁନଥିବାରୁ ବାରମ୍ବାର ଅଟୋରେ ବୁଲିବୁଲି ଅଯଥାରେ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି ବୋଲି ଏମାନେ ଅଭିଯୋଗ କରିଛନ୍ତି।
ନବରଂଗପୁର ଜିଲ୍ଲାର ୧୦ବ୍ଲକ ଓ ୨ପୌରାଂଚଳରେ ଜାତୀୟ ସହାୟତା ଯୋଜନାରେ ଆଇଜିଏନଓଏପିଏସ୍ (ବାର୍ଦ୍ଧକ୍ୟ)ରେ ୫୦,୮୦୧ଜଣ, ବିଧବା ଭତ୍ତାରେ ୧୭,୧୩୦ଜଣ, ଭିନ୍ନକ୍ଷମ ଭତ୍ତାରେ ୧୬୪୮ଜଣ ଏଭଳି ୬୯,୫୭୯ଜଣ ରହିଥିବା ବେଳେ ଏଥିରୁ ୬୭,୦୮୧ଜଣଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନସଫର କରାଯାଉଛି। ବଳକା୨୪୯୮ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ସଂଯୋଗ ହୋଇପାରିନି।
ମଧୁବାବୁ ପେନସେନ ଯୋଜନାରେ ଜିଲ୍ଲାରେ ୮୯,୦୮୧ଜଣ ହିତାଧିକାରୀଙ୍କୁ ଏବେ ସିଧାସଳଖ ଭାବେ ଟଙ୍କା ଦିଆଯାଉଛି। ନୂଆରେ ସରକାରଙ୍କ ନିର୍ଦ୍ଦେଶରେ ବ୍ୟାଙ୍କ ଆକାଉଣ୍ଟ ସଂଯୋଗ ଆରମ୍ଭ ହୋଇଛି। ଏଥିରୁ ୭୯,୯୮୬ଜଣଙ୍କର ବ୍ୟାଙ୍କ ଆକାଉଣ୍ଟ ସଂଯୋଗ ହୋଇଥିବା ବେଳେ ୯,୦୯୫ହିତାଧିକାରୀଙ୍କ ସଂଯୋଗ ହୋଇପାରିନି। ସେହିପରି ଆଧାର ଅପଲୋଡ ଓ ସଂଯୋଗ ଆଦି ୮୫,୭୭୯ଜଣଙ୍କର ହୋଇଥିବା ବେଳେ ୩,୩୦୨ଜଣଙ୍କର କରିବାର ବାକିରହିଛି। ସେହିପରି ନୂଆ ସରକାର ଆସିବା ପରେ ୨୦୨୬-୨୭ଆର୍ଥିକ ବର୍ଷରେ ଜିଲ୍ଲା ପାଇଁ ଆଇଜିଏଓଏପି (ବାର୍ଦ୍ଧକ୍ୟ) ୨,୬୬୬, ଭିନ୍ନକ୍ଷମ ୬୭୪, ଏମବିପିଓଏପିରେ ୨୬୨୪, ଓ ଏମବିପିଡିପିରେ ୧,୩୦୮ ଏଭଳି ୭,୨୭୨ଜଣଙ୍କୁ ସାମିଲ କରାଯାଇଛି।
suvendu-adhikari: ପଶ୍ଚିମବଙ୍ଗରେ ଭତ୍ତାକୁ ନେଇ ବଡ଼ ପଦକ୍ଷେପ
ଗରିବଗୁରୁବା ବୃଦ୍ଧ, ବୃଦ୍ଧା, ଅସହାୟ, ଦିବ୍ୟାଙ୍ଗ ଭିନ୍ନକ୍ଷମ ମାନେ ନିରାଶ ଅବସ୍ଥାରେ ରହିଛନ୍ତି। ହିତାଧିକାରୀ ମାନେ ଭତ୍ତାବିତରଣ ହେଉଥିବା କେନ୍ଦ୍ର, ପଂଚାୟତ କାର୍ଯ୍ୟାଳୟ, ଅଭିଯୋଗଶୁଣାଣି ପ୍ରକୋଷ୍ଠକୁ ଘୁରି ବୁଲି ନିରାଶ ହୋଇ ଫେରୁଛନ୍ତି। ଗାଁ ଦୋକାନୀ ବି ଆଉ ଉଧାର ଦେବ ନାହିଁ ଚଳିବୁ କେମିତି ବୋଲି ବହୁ ହିତାଧିକାରୀ କହିଛନ୍ତି। କେତେବେଳେ ସରକାର ଠିକଣା ସମୟରେ ଭତ୍ତା ଟଙ୍କା ମଞୁର କରୁନାହାନ୍ତି, ଆଉ କେତେ ବେଳେ ବ୍ୟାଙ୍କ ଭୁଲପାଇଁ ବହୁ ହିତାଧିକାରୀ ହନ୍ତସନ୍ତ। କିଏ ଅଟୋଭଡା କରିକି ଆଉ କିଏ ଅନ୍ୟ କାହାର ସହାୟତା ନେଇ ଭତ୍ତା ନେବାକୁ ଆସି ବୃଦ୍ଧ, ବୃଦ୍ଧା, ଅସହାୟ ବ୍ୟକ୍ତିବିଶେଷ ହଇରାଣ ହରକତ ହେଉଛନ୍ତି ବୋଲି କହିଛନ୍ତି କାଉନସିଲର ଆଇ. ମୁରଲୀକ୍ରୀଷ୍ଣା ଓଆଇନଜୀବୀ ସନ୍ତୋଷ ମିଶ୍ର।
କେଉଁ ହିତାଧକାରୀଙ୍କର ଆଧାର ତ ଆଉ କାହାର ବ୍ୟାଙ୍କ ଆକାଉଣ୍ଟ ସଂଯୋଗ ଓ କିଛି ହିତାଧିକାରୀଙ୍କର ବ୍ୟାଙ୍କ ଇ-କେୱାଇସି ଓ ଏନଏସଏପିରେ ଇ-କେୱାଇସି ଅପଡେଟ ହୋଇ ନ ପାରି ଭତ୍ତା ମିଳିନି। ଏହା ହୋଇଯିବା ପରେ ସବୁ ହିତାଧିକାରୀ ଭତ୍ତା ଟଙ୍କା ପାଇବେ ବୋଲି ରାଜ୍ୟ ସମାଜ ସୁରକ୍ଷା ବିଭାଗରୁ ସୂଚନା ମିଳିଥିବା କହିଛନ୍ତି ଡିଏସଏସଓ।

23 minutes ago
1


