ARTICLE AD BOX
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଇତିହାସରେ ସ୍କ୍ବାଡ୍ରନ୍ ଲିଡର ଭାବନା କାନ୍ତ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ସେ ବାୟୁସେନାର ପ୍ରଥମ ମହିଳା ‘ଟପ୍ ଗନ୍’ ପାଇଲଟ୍ ହେବାର ଗୌରବ ହାସଲ କରିଛନ୍ତି। ବାୟୁସେନାର ସବୁଠାରୁ କଠିନ ‘ଏୟାର୍-ଟୁ-ଏୟାର୍’ ଯୁଦ୍ଧ ପ୍ରଶିକ୍ଷଣ ପାଠ୍ୟକ୍ରମ ସଫଳତାର ସହ ସମ୍ପୂର୍ଣ୍ଣ କରି ସର୍ବୋଚ୍ଚ ପ୍ରଦର୍ଶନ କରିବା ପରେ ସେ ଏହି ସମ୍ମାନ ହାସଲ କରିଛନ୍ତି। ଏହା ଭାରତୀୟ ବାୟୁସେନାରେ ମହିଳା ଯୁଦ୍ଧ ବିମାନ ଚାଳକଙ୍କ ଅଗ୍ରଗତିରେ ଏକ ବଡ଼ ସଫଳତା ବୋଲି କୁହାଯାଉଛି।
‘ଟପ୍ ଗନ୍’ ମାନ୍ୟତା ସେହି ପାଇଲଟ୍ଙ୍କୁ ଦିଆଯାଏ, ଯିଏ ଉନ୍ନତ ଆକାଶଯୁଦ୍ଧ କୌଶଳ, ଅସ୍ତ୍ର ପ୍ରୟୋଗ, ରଣନୈତିକ ପରିକଳ୍ପନା ଏବଂ ଯୁଦ୍ଧ ପରିସ୍ଥିତିରେ ସର୍ବୋତ୍କୃଷ୍ଟ ପ୍ରଦର୍ଶନ କରିଥାନ୍ତି। ଭାବନା କାନ୍ତ ଏହି କଠିନ ପ୍ରଶିକ୍ଷଣରେ ସର୍ବାଧିକ ଦକ୍ଷତା ପ୍ରଦର୍ଶନ କରି ଏହି ମାନ୍ୟତା ଅର୍ଜନ କରିଛନ୍ତି। ଏହା କେବଳ ତାଙ୍କ ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ବାୟୁସେନାରେ ମହିଳାଙ୍କ ବଢ଼ୁଥିବା ଭୂମିକାର ଏକ ପ୍ରତୀକ ବୋଲି ବାୟୁସେନା କହିଛି।
ଗ୍ରାହକଙ୍କୁ ଦେବାକୁ ପଡ଼ିବନି ୟୁପିଆଇ ଶୁଳ୍କ: ଅର୍ଥମନ୍ତ୍ରୀ
ଭାବନା କାନ୍ତ ୨୦୧୬ରେ ଅବନୀ ଚତୁର୍ବେଦୀ ଓ ମୋହନା ସିଂହଙ୍କ ସହ ଭାରତୀୟ ବାୟୁସେନାର ପ୍ରଥମ ମହିଳା ଫାଇଟର ପାଇଲଟ୍ ବ୍ୟାଚ୍ରେ ସାମିଲ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ମିଗ୍-୨୧ ବାଇସନ୍ ଯୁଦ୍ଧ ବିମାନ ଉଡ଼ାଇବା ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟତା ହାସଲ କରିଥିଲେ। ବିହାରର ଦରଭଙ୍ଗାରେ ଜନ୍ମିତ ଭାବନା ବେଙ୍ଗାଲୁରୁର ଏକ ଇଞ୍ଜିନିୟରିଂ କଲେଜରୁ ଡିଗ୍ରି ହାସଲ କରିବା ପରେ ବାୟୁସେନାରେ ଯୋଗ ଦେଇଥିଲେ। କଠିନ ପ୍ରଶିକ୍ଷଣ ଓ ନିରନ୍ତର ପରିଶ୍ରମ ବଳରେ ସେ ଭାରତୀୟ ବାୟୁସେନାର ଅନ୍ୟତମ ଦକ୍ଷ ଫାଇଟର ପାଇଲଟ୍ ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ଭାବନାଙ୍କ ଏହି କୃତିତ୍ବ ଭବିଷ୍ୟତରେ ଅଧିକ ସଂଖ୍ୟକ ମହିଳାଙ୍କୁ ସଶସ୍ତ୍ର ବାହିନୀରେ ଯୋଗଦେବା ପାଇଁ ପ୍ରେରଣା ଯୋଗାଇବ ବୋଲି ବାୟୁସେନାର ବରିଷ୍ଠ ଅଧିକାରୀମାନେ ମତ ପ୍ରକାଶ କରିଛନ୍ତି।

57 minutes ago
1


